Unknown

 

 

 

 

 

 

 

 

 

 

ଶରାହତ

ବିଜୟିନୀ ଦାସ

 

ମୁଖଶାଳା

 

ମୁଖଶାଳା ମନ୍ଦିରର ଯେପରି ଅବିଚ୍ଛେଦ୍ୟ ଅଙ୍ଗ, ମୁଖବନ୍ଧ ପୁସ୍ତକରେ ତଦନୁରୂପ ସ୍ଥାନ ଦାବି ନ କଲେ ମଧ୍ୟ ଏହାର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି । ମୁଖଶାଳାର ଚିତ୍ରଲିପି, ଶବ୍ଦଲିପି ବା ବର୍ଣ୍ଣମାଳା ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ମହିମା ସମ୍ପର୍କରେ ସମ୍ୟକ ସୂଚନା ଦିଏ । ମୁଖବନ୍ଧରେ ଲେଖକ ବା ଲେଖିକା ପୁସ୍ତକରେ ସନ୍ନିବେଶିତ ବିଷୟବସ୍ତୁଗୁଡ଼ିକ ଉପରେ କିଛିଟା ଆଲୋକପାତ କରିଥାଏ । ‘ଶହାହତ’ କେତୋଟି ଗଳ୍ପର ସଂକଳନ ମାତ୍ର । ଏଥିରେ ସଂକଳିତ ଅଧିକାଂଶ ଗଳ୍ପ ବିଭିନ୍ନ ସମୟରେ ଝଙ୍କାର, ଜୀବନରଙ୍ଗ, ଜନସାହିତ୍ୟ, ନବରବି, ଚିତ୍ରପୁରୀ ଓ ସମିଚୀନ ଇତ୍ୟାଦି ପତ୍ରିକାରେ ପ୍ରକାଶିତ ହୋଇଥିଲା ।

 

ଗଳ୍ପର ଚରିତ୍ରମାନେ ସମ୍ପୂର୍ଣ୍ଣ କାଳ୍ପନିକ ନୁହନ୍ତି । ‘‘ମୋ’’ ଗଳ୍ପର ସଦାଶିବ ବାବୁ, ଅନୁରାଧା ବା ସୁକନ୍ୟା, ‘‘ପାହାଚ’’ର ମୁଁ ବା ପ୍ରଜ୍ଞା । ‘‘ଏ ଯୁଗର ସୀତା’’ରେ ସସ୍ମିତା ‘‘ଊହ୍ୟ’’ର କୃପାନିଧି ବାବୁ, ‘‘ପୂରାପୂରି ପାରିବାରିକ’’ରେ ସୁଧାକର ବାବୁଙ୍କ ମଧ୍ୟବିତ୍ତ ପରିବାର ‘‘ବାଲିହରିଣ’’ର ନିଖିଲିଦା, ‘‘ଅପ୍ରତିହତ’’ର ଶୋଭନ ଓ ‘‘ଶରାହତ’’ ଗଳ୍ପର ଜନନାୟକ ବା ଧର୍ଷିତା ଝିଅଟି, ସମସ୍ତେ ଏଇ ସମାଜରେ ଏବଂ ଆମରି ଚାରିପାଖେ ଆତଜାତ ହେଉଛନ୍ତି ।

 

ହୁଏତ ସେମାନଙ୍କୁ ରୂପ ଦେଲାବେଳେ ସେମାନଙ୍କ ଚରିତ୍ରର କେଉଁ ଦିଗଟିକୁ ଅଧିକ ଆଲୋକିତ କରିବାକୁ ଗଲାବେଳେ ଅନ୍ୟ କେଉଁ ଦିଗଟିକୁ ବିସ୍ମୃତ ହୋଇଯାଇଛି । ସେ ସବୁ ଆବେଗ ଜନୀତ । ଆଶା ମୋର ପ୍ରିୟ ପାଠକ ପାଠିକା ଏଥିପାଇଁ ମତେ କ୍ଷମା ଦେବେ ।

 

ଦିନେ ଶରାହତ କ୍ରୌଞ୍ଚ ମିଥୁନର ଯନ୍ତ୍ରଣା ମହର୍ଷି ବାଲ୍ମୀକିଙ୍କ ହୃଦୟରେ ଅନୁରଣିତ ହୋଇଥିଲା । ଆଜିର ସମାଜ ଯେଉଁ ଯୁଗଯନ୍ତ୍ରଣାର ଶରବ୍ୟ ହୋଇଛି ଆଧୁନିକ ଲେଖକର ଲେଖନୀରେ ତାହା ଫୁଟି ଉଠୁଛି । ‘‘ଶରାହତ’’ରେ ସେହି ଯୁଗ ଯନ୍ତ୍ରଣାକୁ କେତେଦୂର ଫୁଟାଇବାରେ ମୁଁ ସମର୍ଥ ହୋଇଛି ତା’ର ବିଚାରକ ଆପଣମାନେ ।

 

–ଲେଖିକା–

Image

 

ସୂଚୀପତ୍ର

 

୧.

ମା’

୨.

ପାହାଚ

୩.

ଏ ଯୁଗର ସୀତା

୪.

ଊହ୍ୟ

୫.

ମଧ୍ୟାହ୍ନର ସ୍ୱରଲୀପି

୬.

ତ୍ରିଧାରା

୭.

ପୂରାପୂରି ପାରିବାରିକ

୮.

ସମୟ

୯.

ବାଲିହରିଣ

୧୦.

ପେଇଂ ଗେଷ୍ଟ୍‌

୧୧.

ଭୂମିକମ୍ପ

୧୨.

ରତାକଇଁ

୧୩.

ଅପ୍ରତିହତ

୧୪.

ଶରାହତ

Image

 

ମା

 

ଆଜି ମହାଷ୍ଟମୀ ।

 

ଅନୁରାଧାଙ୍କର ଅନୁରାଗ ଭରା କଣ୍ଠ ଶୁଭୁଛି । ଆରେ ମୋ ସୁନା–ଦେଖିଲୁ କେତେ ସମୟ ହେଲା–ଏଯାଏଁ ଶୁଭ ଆସିଲାନି–ସ୍ୱାତୀ ! ହାୟ ବିଚାରୀ ! ଅନୁରାଧାଙ୍କ ଛାତିର ପିଞ୍ଜରା ଦୋହଲାଇ ଏକ ଦୀର୍ଘଶ୍ୱାସ ବାହାରି ଆସିଲା । ଏତେବଡ଼ ପୂଜା ପାର୍ବଣ ଦିନେ ତାଙ୍କର ଅଲିଅଳୀ କୋଡ଼ପୋଛା ଝିଅଟି ପାଖରେ ନାହିଁ । ବଡ଼ବୋହୂ, ମଝିଆ ପୁଅ ବୋହୂ ବଡ଼ଝିଅ ଆଠଦିନ ଆଗରୁ ଆସିଲେଣି....ଅଥଚ ସ୍ୱାତୀ ଏଯାଏଁ ଆସିଲାନି । ସାନପୁଅ ଶୁଭଙ୍କର ସକାଳୁ ସକାଳୁ ଉଠିଯାଇଛି ଯେ ଦିନ ଆସି ଏତେ ହେଲାଣି.... ସ୍ୱାତୀକୁ ନେଇ ଫେରିନି । ଅଥଚ ସେ ବାରମ୍ବାର ସ୍ୱାତୀର ଶାଶୁକୁ ହାତ ଓଠ ଧରି କହିଆସିଥିଲେ ସମୁଦୁଣୀ ଦୁର୍ଗାପୂଜାରେ ସବୁ ପୁଅ ବୋହୂ ଝିଅ ଜୋଇଁ ମୋ ପାଖେ ପ୍ରତିବର୍ଷ ନିଶ୍ଚୟ ରହନ୍ତି । ନ ହେଲେ ମୋର ବ୍ରତ ଅପୂର୍ଣ୍ଣ ଅପୂର୍ଣ୍ଣ ଲାଗେ । ତମେ ନିଶ୍ଚୟ ସ୍ୱାତୀକୁ ଛାଡ଼ିବ, ଅନ୍ତତଃ ଦୁଇଦିନ ଆଗରୁ । ଡେରି ହେବା ଦେଖି ସେ ସକାଳୁ ଶୁଭକୁ ପଠାଇଲେଣି–ହୁଏତ ଆସୁଥିବ । କାଉଟା ମୁହେଁ ମୁହେଁ ଆସି ରାବୁଛି । ପୂଜାରେ ମନ ଲାଗୁନି । ପୂଜା ପାଖରୁ ଉଠିଯାଇ ସେ କାଉକୁ ଆହାର ଦେଲେ । ଆସିବ ? ଗଦାରେ ଥଣ୍ଟମାରି କାଉଟା ଉଡ଼ିଗଲା । ଅନୁରାଧାଙ୍କର ଚକ୍ଷୁ ତାରକା ଆଶା ଓ ଆନନ୍ଦରେ ଚିକ୍‌ଚିକ୍‌ କରିଉଠିଲା । ଦୌଡ଼ିଆସି ସେ ବୋହୂମାନଙ୍କୁ ଡାକ ଛାଡ଼ିଲେ ଆରେ ସୁନା, ମୋତି (ସାନବୋହୂ ମୈତ୍ରିକୁ ସେ ମୋତି ହିଁ ଡାକନ୍ତ ଓ ବଡ଼ବୋହୂ ସୁକନ୍ୟାକୁ ସୁନା ଡାକନ୍ତି) ଶୀଘ୍ର ଶୀଘ୍ର ତମ କାମ ସାରି ଦିଅରେ, ଶୁଭ ସ୍ୱାତୀକୁ ନେଇ ଦଶଟା ପନ୍ଦର ବସରେ ଓହ୍ଲାଇବ ।

 

ଏତିକି କହିଦେଇ ଅନୁରାଧା ପୂଜାପାଖରୁ ଯେ ଉଠିଥିଲେ–ଆଉ ନ ବସି ରୋଷେଇ ଘରକୁ ଦୌଡ଼ିଲେ । ବଡ଼ଝିଅ ଅରୁନ୍ଧତୀ ସେଠାରେ ବସି ଉଲ୍‌ ବୁଣୁଛି ଓ ପୂଝାରିକୁ ବରାଦ କରୁଛି ଆଜିର ଆଇଟମ୍‌ । ‘‘ନନା’’ ଦେଖ ବଡ଼ ଜୋଇଁବାବୁ ମାଛର କାଲିଆ ଖୁବ୍ ଭଲ ପା’ନ୍ତି–ଠିକ୍‍ ରେ ରାନ୍ଧିବ । ଆଉ ତମେ ତ ଜାଣ ମାଛ ମଞ୍ଜିର କଟଲେଟ ମୋର କେତେ ପ୍ରିୟ । ଦେଖ ମା’ଙ୍କ ରାନ୍ଧଣା ଆଗ କରିଦିଅ ସେ ଆଇଁଷ ଖାଇବେନି ଆଜି । ବାପାଙ୍କ ପାଇଁ ଯେମିତି ହେଉ ଖଟା ଓ ଚପ୍‌ କରିବ । ରଥିଆକୁ କୁହ ସେ ଯାଇ ଶାଗ କିଣି ଆଣୁ । ବାଡ଼ିରୁ ତୋଳିଲେ ଡେରି କରିଦେବ ।

 

ଅନୁରାଧା ଯାଇ ପହଞ୍ଚି ଦେଖିଲେ ଅରୁନ୍ଧତୀ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ପାଇଁ ବ୍ୟସ୍ତ । ସେ କିମ୍ବା ବଡ଼ଜୋଇଁ ଜଳଖିଆ ଖାଆନ୍ତି ନାହିଁ । ଫ୍ୟାଟ୍‍ ହେଇଯାଉଚି । ତେଣୁ ସେମାନେ ସାବଧାନ । ତା’ ବୋଲି ଏ ପୂଜାପୂଜି ଭଲମନ୍ଦ ଦିନରେ ? ସେ ପାଟିକଲେ ‘ନନା’ ଆଗ ପୁରି ଛାଣ–ଆଳୁଦମ୍‌ ଟିକେ କରିଦିଅ । ସାନଅପା ତମର ଆସୁଚି । ତମେ ତ ଜାଣ ତମ ହାତ ଆଳୁଦମରେ ତା’ର କେତେ ଲୋଭ । ଆଉ ଅବା ତୁ ଦିନେ ପୁରି ଖାଇଦେଲେ ଏମିତି କେତେ ମୋଟା ହୋଇଯିବୁ ! ଦିନଥିଲା–ପୁରି ନ ହେଲେ ତୋର ଜଳଖିଆ ଅନ୍ୟ ଜିନିଷରେ ଚଳୁ ନ ଥିଲା-

 

ବଡ଼ବୋହୂ ପରିବା କାଟୁଚି । ସାନବୋହୂ ଠାକୁରାଣୀଙ୍କ ପାଇଁ ଫୁଲ ଗୁନ୍ଥୁଚି । ଡ୍ରଇଂ ରୁମରେ ବଡ଼ପୁଅ ଓ ମଝିଆଁପୁଅ ବସି ରାଜନୀତି ଚର୍ଚ୍ଚା କରୁଛନ୍ତି । ଚା’–କପ୍‌ ପରେ କପ୍‌ ଆସି ସେଣ୍ଟର ଟେବୁଲରେ କେବଳ କପ୍‌ ମାଳ । ଆସଟ୍ରେରେ ସିଗ୍ରେଟ ଟୁକୁଡ଼ା ଓ ପାଉଁଶ ଭର୍ତ୍ତି । ଏତେବେଳ ଯାଏଁ ଗାଧୋଇ ନାହାନ୍ତି କେହି । ଅନୁରାଧା ପାଟିକଲେ–‘କେମିତି ପିଲାଗୁଡ଼ାରେ ତମେ ଏତେ ଅସନା ହୋଇ ଅଗାଧୁଆ ବସିଛ । ସ୍ୱାତୀ ଆସିଯିବ ଏଇନା–ଦେଖିଲେ କ’ଣ କହିବ କହିଲ–ଯାଅ ଗାଧୋଇ ପଡ଼ ।’

 

ମଝିଆଁପୁଅ ତୀର୍ଥଙ୍କର ମା’ କଥାରେ ହସିଲେ... କହିଲେ ‘ବୋଉ ତୋ ସାନଝିଅ ଏମିତି କି ଭି.ଆଇ.ପି. ଯେ ତା’ପାଇଁ ଆମର ଏ ପ୍ରସ୍ତୁତି ପର୍ବର ପ୍ରହସନ । ଆରେ ରଥିଆ ଆଉ ଗୋଟେ କପ୍‌ କଡ଼ା ଚା’ ଆଣିଲୁ । ହଁ–ଟିକେ ଅଦା ପକାଇବୁ ।

 

ସେ ପାଖ ଖଞ୍ଜାରୁ ଦେବୀଙ୍କର ଆବାହାନ ମନ୍ତ୍ର ସଙ୍ଗେ ଶଙ୍ଖ ଘଣ୍ଟାର ଧ୍ୱନି ଏକ ପବିତ୍ର ବାତାବରଣ ସୃଷ୍ଟି କରୁଛି । ଆବହମାନ କାଳରୁ ଦେବୀ ପୂଜାର ଆଡ଼ମ୍ବର (ଅନେକ ଅଭାବ ଅନାଟନ ସତ୍ତ୍ୱେ ମଧ୍ୟ) ଏ ଘରେ ଚଳି ଆସିଚି । ଏଟା ଘରର ପରମ୍ପରା–ଆଭିଜାତ୍ୟ । ଘରର ଚାକର, ହଳିଆ ସମେତ ସମସ୍ତେ, ନୂଆ ପିନ୍ଧିବେ । ମହାଷ୍ଟମୀଠାରୁ ଦଶହରା ଯାଏ ମା’ଙ୍କର ଖିରି ଖେଚୁଡ଼ି ପୂଜା ଚାଲିବ–ସାଇସାରା ଖାଇବେ । ଦଶହରା ଦିନ ଗାଁ ମେଲଣ ପଡ଼ିଆରେ ଖଣ୍ଡା ଯୁଦ୍ଧ, ଆଗେ ହୋଇଥିଲା–ଆର ସାଇ ବାଳମୁକୁନ୍ଦ ପାତ୍ରଙ୍କ ପରିବାର ସହ ଏଘର ଅର୍ଥାତ ସାମନ୍ତ ଚାଉ ପଟ୍ଟନାୟକଙ୍କ ପରିବାରର ଅଧିନାୟକ ସଙ୍ଗେ । ଏବେ ବିଧି ରକ୍ଷାପାଇଁ କେବଳ ଖଣ୍ଡା ପୂଜା କରାଯାଉଚି ।

 

ପୂଜା ପାଖକୁ ଯିବାକୁ ବଡ଼ବୋହୂକୁ କହିଦେଇ ଅନୁରାଧା ପୁଣି ଦାଣ୍ଡଦୁଆରେ ଯାଇ ଚାହିଁ ଆସିଲେ । ବ୍ୟାକୁଳ ହୃଦୟ, ଅନ୍ଧ ମମତାର ଭରା ମା’ ମନ । ପିଲାମାନେ ଯଦି କାଣିଚାଏ ବୁଝିପାରୁଥାନ୍ତେ, ଏତେବଡ଼ ଦିନଟାରେ ମା’ ମନରେ ଦୁଃଖ ଦେବାକୁ ସାହସ କରନ୍ତେ କି ? ଅନୁରାଧା ଝରିଆସୁଥିବା ଲୁହକୁ ଚାପିଦେଇ ମନକୁ ସାନ୍ତ୍ୱନା ଦେବାକୁ ଚେଷ୍ଟାକଲେ ।

 

ପୋଷ୍ଟମ୍ୟାନ ଆସି ଚିଠି ଦେଇଗଲା । ସଦାଶିବ ବାବୁ ଡାକ ଛାଡ଼ିଲେ, ‘ବୋହୂ ତମ ଚିଠି ଆସିଛି ।’

 

ଅନୁରାଧା ଆସି ଠିଆ ହେଲେ । ସାନଝିଅ ଆସି ପାରିନି, ସେ ଦୋଷ ସତେ ବା’ ଯେମିତି ସଦାଶିବ ବାବୁଙ୍କର । ଓଜନିଆ କଣ୍ଠରେ କହିଲେ–ବନ୍ଧୁ କଲାବେଳେ ମୁଁ ମନାକରୁଛି–ସେମାନେ ଛୋଟଲୋକ–ସେଠି ଝିଅ ଦେବାନାହିଁ ତମେ କିଛି ଶୁଣିଲ ? ଦୀର୍ଘ ୩୫ବର୍ଷ ଧରି ମୁଁ କେବଳ କହି ଆସିଚି ଆଉ ତମେ ତାକୁ ଏକାନେ ପୂରାଇ ସେକାନେ ଛାଡ଼ିଦେଇ ଆସିଚ । ଛିଃ–ଛିଃ–ସ୍ୱାତୀର ଶାଶୁଘର ଲୋକଗୁଡ଼ା କେମିତି ଅଭଦ୍ର କେଜାଣି–ପୁଅଟା ଯାଇଚି ତା’ ସଙ୍ଗେ ଛାଡ଼ିଲାନି !! କେତେ ହାତ ଓଠ ଧରି କହିଆସିଥିଲି–ସମୁଦି–ପୂଜାରେ ସ୍ୱାତୀକୁ ଛାଡ଼ିବ–ଦିନ ଚାରିଟାରେ ଏମିତି ଶାସ୍ତ୍ର କି ଅଶୁଦ୍ଧ ହେଇଯାଉଚି । ତାଙ୍କର ଘରେ ଏକା ଭଲମନ୍ଦ ଦିନ–ମୋ ଘରେ ନାହିଁ ।

 

(ବଡ଼ ନାତି ରିଟୁନି ଦୌଡ଼ି ଦୌଡ଼ି ଆସି ଖବର ଦେଲା–‘ବୋଉ (ଅନୁରାଧାକୁ ନାତି ନାତୁଣୀମାନେ ବୋଉ ଡାକନ୍ତି) ଡାଡ଼ି, ସାନଅପା ଆସିଲେଣି ।’

 

ସ୍ୱାତୀ ଆସି ପ୍ରଣାମ କଲା । ଅନୁରାଧା ତାକୁ ଛାତିରେ ଜଡ଼ାଇ ଧରି ଆଖିରୁ ଲୁହ ପୋଛିଲେ । କୈଫତ୍‌ ଦେବା ଭଙ୍ଗୀରେ ସ୍ୱାତୀ କହିଲା ତୁ ଅଭିମାନ କରୁଛୁ ବୋଉ, ମୁଁ ଜାଣେ–ହେଲେ କ’ଣ ହେବ କହିଲୁ । ଠିକ୍‌ ମୁଁ ବାହାରିଚି ମୋ ନଣନ୍ଦ ଆସି ପହଞ୍ଚିଲେ । ବାପରେ ବାପ୍‌–। ଶାଶୁଘରେ ଏମିତି ଅନେକ ନ କରିବା କଥା କରିବାକୁ ପଡ଼େ । ସାଙ୍ଗେ ସାଙ୍ଗେ ଯଦି ବାହାରି ଆସିବି ମୋର ଯୋଉ ନଣନ୍ଦ ନାଁ ମୁହେଁ ମୁହେଁ ସିଧା କହିଦେବ । ଭିଲାଇରୁ ଆମେ ପହରିଦିନ ଆସି ପହଞ୍ଚିବା ପରଠାରୁ ମୁଁ ଲଗାଇଚି ଚାଲ ଆମ ଘରକୁ ଯିବା–ବୋଉର ପୂଜା–ବୋଉର ପୂଜା ତୋ ଜୋଇଁ କ’ଣ ଶୁଣୁଛନ୍ତି । ଆଉ ଆସିଲେ ଅବଶ୍ୟ କେହି ମନା କରନ୍ତିନି । କିନ୍ତୁ ନିଜେ କେହି ଭଲା କହନ୍ତେ–ଯା’ ମା’–କେତେଦିନୁ ତୁ ଯାଇନୁ–ଯା’–ବାବା ମା’ଙ୍କୁ ଦେଖି ଆସିବୁ । ଛିଃ–ଛିଃ ମଣିଷର ମନ ଚିହ୍ନିବା ଗୁଣୁରୁ କାଣିଚାଏ ହେଲେ ଈଶ୍ୱର ସେମାନଙ୍କୁ ଦେଇଥାନ୍ତେ । ତୋ ଜୋଇଁ ତ ଏମିତି ପିତୃମାତୃ ଭକ୍ତ ଯେ ଘରକୁ ଆସିଲେ ଏମିତି ବ୍ୟବହାର କରନ୍ତି ଯେମିତି ମତେ ଚିହ୍ନନ୍ତିନି–ଜାଣନ୍ତିନି !! ଅଥଚ ଭିଲାଇରେ ମତେ ନ ପଚାରି ବା ମୋ ସ୍ୱୀକୃତି ନ ପାଇଲା ଯାଏଁ ସେ ନିଜ ଇଚ୍ଛାରେ ଖାଆନ୍ତିନି, ପିନ୍ଧନ୍ତିନି କି ଏମିତି କି ଅଫିସ୍‍ ବି ଯାଆନ୍ତିନି । ସ୍ୱାତୀର କଥା ଶୁଣି ସାନଜୋଇଁ ଦେବାଶିଷ ସଲ୍ଲଜ ହସ ସହିଲେ । ଅନୁରାଧା ହସିଲେ ଅନୁରାଗର ହସ, ପରିତୃପ୍ତିର ହସ । ଝିଅକୁ ଯେ ତାଙ୍କର ସର୍ବୋତଭାବେ ଜୋଇଁ ସୁଖୀ କରିପାରିଛି ଏଇ ବିଶୁଦ୍ଧ ବିଶ୍ୱାସର ହସ ।

 

ସ୍ୱାତୀ ସଙ୍ଗେ ସଙ୍ଗେ ଘର ତଳ ଉପର ଘୂରି ଆସିଲା । ତାକୁ ଦେଖି ସଦାଶିବ ବାବୁ ଖୁବ୍‌ ଏକ ତୃପ୍ତିର ନିଶ୍ୱାସ ନେଲେ । ହସି ହସି କହିଲେ ଯାହାହେଉ ତୁ ଆସିଗଲୁ ମା’–ନ ହେଲେ ତୋ ବୋଉ ମତେ ଏକଗୋଡ଼ିଆ ଠିଆ କରେଇ ଥା’ନ୍ତା କି କାନଧରି ନିଶ୍ଚୟ ବସ ଉଠ କରେଇ ଥା’ନ୍ତା । ଅନୁରାଧ କପଟ କୋପ ପ୍ରକାଶ କଲେ । କହିଲେ–ସେତିକି କରୁନି ବୋଲି ତ ମୋର ଅପରାଧ । ବୁଝିଲ–ମୁଁ ବୋଲି ତମ ସଙ୍ଗେ ଦୀର୍ଘ ଏତେଗୁଡ଼ାଏ ବର୍ଷ ଏକାଠି କଟେଇଲିଣି–ଆଉ କିଏ ହେଇଥିଲେ ଏତେବେଳକୁ ପୁରୀ କି ବୃନ୍ଦାବନରେ ଠାକୁରଙ୍କ ଆଶ୍ରା ନେଇ ପଡ଼ିଥାନ୍ତା । ସଦାଶିବ ବାବୁ ରସିକତା କରି ଉତ୍ତର ଦେଲେ ‘‘ସକଳ ତୀର୍ଥ ମୋ ଚରଣେ ବଦ୍ରିକା ଯିବୁ କି କାରଣେ ।’’

 

ସ୍ୱାତୀ ହସି ହସି ସେଠାରୁ ଆସି ଭାଇମାନଙ୍କ ତାସ୍‍ ଆସରରେ ପହଞ୍ଚିଲା । ଭାଇ ଓ ଭିଣୋଇଙ୍କୁ ଜୁହାର କଲା । ତୀର୍ଥଙ୍କର ସ୍ୱାତୀକୁ ତାସ୍‌ମୁଠା ଧରାଇଦେଇ କହିଲେ ତୁ ପକାଉଥା–ମୁଁ ଗାଧୋଇ ଆସେ । ବୋଉ ଆସି ବାରମ୍ବାର ତାଗିଦ କରିଗଲାଣି ତା’ କୋଡ଼ପୋଛା ଝିଅ ଆସୁଛି ଅତଏବ ଆମେସବୁ ଗାଧୋଇ ପାଧୋଇ ତା’ ସମ୍ବର୍ଦ୍ଧନା କରିବୁ । ବାସ୍‌ ତୁ ମୋ ତାସ୍‌ ପକାଉଥା ମୁଁ ତୋର ସମ୍ବର୍ଦ୍ଧନା ପର୍ବ ପାଇଁ ପ୍ରସ୍ତୁତ ହେବାକୁ ଗଲି ।

 

ସେ ଦିନ ପୂଜା ସାରି ଖାଉ ଖାଉ ମଧ୍ୟାହ୍ନର ଖରା ମଉଳି ଯାଇଥିଲା । ସ୍ୱାମୀ, ପୁଅ, ବୋହୂ, ଝିଅ ଜୋଇଁ ସମସ୍ତେ ଏକାଠି ବସିଛନ୍ତି । ଆନନ୍ଦରେ ଅନୁରାଧାଙ୍କର ଗୋଡ଼ ତଳେ ପଡ଼ୁନି । ଜଣଙ୍କର ଅନୁପସ୍ଥିତିରେ ଯେମିତି ତାଙ୍କ ପୂଜା ଅପୂର୍ଣ୍ଣ ହୋଇଯାଇଥାନ୍ତା ।

 

ମାଛରୁ କଣ୍ଟା ବାଛୁ ବାଛୁ ସଦାଶିବ ବାବୁ କହିଲେ–ବୁଝିଲ ଦୀପୁ ବୋଉ–ଏଥରତ ତମ ମନ ଖୁସି, ସାନବୋହୂ ସିନା ଏବେ ବାପଘରୁ ତମ ପୂଜା ପାଇଁ ଆସିଲା, ବଡ଼ବୋହୂ ତ ସବୁବେଳେ ତମ ପାଖରେ–ଏଥର ତାକୁ ତା’ ମା’ଙ୍କ ପାଖକୁ ଛାଡ଼ ।

 

ଅନୁରାଧା ଅଭିମାନଭରା ଗଳାରେ କହିଲେ–ତମେ ଯେମିତି କଥା କହୁଛ ଯିଏ ଶୁଣିବ ସିଏ ଭାବିବ ଯେ ମୁଁ ସେମିତି ବୋହୂଟାକୁ ଚାରିକାନ୍ଥ ଭିତରରେ ବନ୍ଦ କରି ରଖିଛି । ତମେତ ଘରର ମୁରବି । ତମେ ଯଦି ଇଚ୍ଛା କରିବ, ମୁଁ କ’ଣ ମନାକରିବି–କେବେ କାହାକୁ ମନାକରିଛି ? ତମ ଇଚ୍ଛାରେ ବାଧା ଦେଇଛି ? ମୁଁ କ’ଣ ଚାହେଁନି ସୁନା ତା’ ମା’ ପାଖକୁ ଯାଉ କିଛିଦିନ ରହି ଆସୁ । ଯାଉ ଏ ପୂଜାଟା । ଆଜିତ ଅଷ୍ଟମୀ–ଦଶହରା ପରଦିନ ଯିବ ସମସ୍ତେ ଘରେ ଅଛନ୍ତି, ବଡ଼ବୋହୂଟାକୁ ମୋର ଘରୁ ଛାଡ଼ିଦେବ–କି କଥା ଯେ ତମେ କହ !! ତୁ ଯିବୁ ସୁନା ତମ ଘରକୁ-??

 

ସୁକନ୍ୟା ତା’ର ମପାଚୁପା ହସରୁ ଧାରେ ଓଠ ଉପରେ ଖେଳାଇ କହିଲା–ମୁଁ ତ ଏଇଠି ରହୁଚି–ଯେତେବେଳେ ଇଚ୍ଛା କରିବି ଯିବି । ଏବେ ପର୍ବପର୍ବାଣୀ ଦିନେ କାହିଁକି ?

 

ସଦାଶିବ ବାବୁ ସୁକନ୍ୟାକୁ ଚାହିଁ କହିଲେ, ସମୁଦୁଣୀ ଚିଠି ଲେଖିଥିଲେ ସୁବିଧାହେଲେ ତିନି ଚାରିଦିନ ପାଇଁ ତତେ ଛାଡ଼ିବାକୁ । ବାସ୍‌–ତୁ ଯଦି ମନାକରୁଛୁ–ସେଇଆ ଲେଖିଦେବି–ପରେ ଯିବୁ । ସୁକନ୍ୟା ହସିଲା ମା’ ତ ଜୋରଦେଇ ଲେଖିନି–ତା’ପରେ ମୁଁ ବି ଯାଇପାରିବି କେମିତି ?

 

ତୀର୍ଥଙ୍କର ମୁହଁଧୋଇ ଦାନ୍ତ ଖୁଣ୍ଟୁ ଖୁଣ୍ଟୁ କହିଲେ–ସୁନାଭାଉଜ ! ମାଉସୀ ଜୋରକରି ଲେଖୁନାହାନ୍ତି ବୋଲି ତୁମେ ଯେ ଜୋରକରି ଯିବନି ସେମିତି ତ କିଛି କଣ୍ଡିସନ୍‌ ହୋଇନି । ଭାଇ ! ତୁ ଆଜି ନେଇ ତାଙ୍କୁ ଯା’ତ । ଆମେ ଏତେଲୋକ ଅଛୁ–ବୋଉର ଦଶହରା ପାଳିବାକୁ । ତୁ ସୁନାଭାଉଜ ଯାଅ–ବୁଲି ଆସ ।

 

ଅରୁନ୍ଧତୀ ମଝିଆଁ ଭାଇର କଥାଶୁଣି ମୁହଁ ଶୁଖେଇ ଦେଲା । ସ୍ୱାତୀ କହିଲା–ଦେଖୁଛ ଭାଉଜ ତମେ କେଡ଼େ କପାଳିଆ । ବାପାବୋଉ, ଭାଇ ସମସ୍ତେ ତମକୁ ଯିବାକୁ କହୁଛନ୍ତି, ଅଥଚ ତମେ ବାହାରୁନ । ଆମେ ଲୁଗାପଟା ପିନ୍ଧି ବାହାରିଲେ ମଧ୍ୟ ସେମାନଙ୍କ ତୁଣ୍ଡରୁ ବାହାରିବନି ଯାଅ ବୋଲି । ବାସ୍ତବିକ ଆମଘରକୁ ଯେଉଁମାନେ ବୋହୂ ହୋଇ ଆସନ୍ତି ସେମାନଙ୍କ ଫେଟ୍‌ଲାଇନ୍‌ ଖୁବ୍‌ ଲମ୍ବା ! ବାପାବୋଉଙ୍କ ପାଖରେ ଅଛ କେତେ ସ୍ନେହ ଆଦର ପାଉଛ–ପିଲାଙ୍କୁ ତାଙ୍କ ପାଖେ ଛାଡ଼ିଦେଇ ଇଚ୍ଛାକଲେ କୁଆଡ଼େ ବୁଲିଯାଉଛ–କିନ୍ତୁ ଆମେ ଏଇ ଅପା ଆଉ ମୋ କଥାକୁ ଦେଖୁନ, ଏକା ଅଛୁ–ଯୁଆଡ଼େ ଗଲେ ଯାଯାବର ଭଳି ପିଲାଙ୍କୁ କାନ୍ଧରେ ପକାଇ ଚାଲ ।

 

ତୀର୍ଥଙ୍କର କହିଲା–ସ୍ୱାତୀ, ତୁ ତୋ ଶାଶୁଙ୍କୁ ନେଇ ରଖୁନୁ–କି ଆସି ଚାରି ଛଅମାସ ଶାଶୁ ଶଶୁରଙ୍କ ପାଖେ ରହୁନୁ–ଆଦର ପା’ନ୍ତୁ–ବୁଢ଼ାବୁଢ଼ୀଙ୍କ ମାର୍ଫତରେ ଛୁଆ ଓ ଘର ରଖି ବୁଲନ୍ତୁ–ସିନେମା ଯା’ନ୍ତୁ ।

 

ଏଥର ସ୍ୱାତୀର ରାଗିବା ପାଳି । ବହୁକଷ୍ଟରେ ରାଗକୁ ଚାପି ସେ ଉତ୍ତର ଦେଲା, ବୁଝିଲ ମଝିଆଁ ଭାଇ, ଆମ ବାପାବୋଉଙ୍କ ପରି ପୃଥିବୀର ସବୁ ବାପାବୋଉ ବୋଲି ତମେ ଭାବୁଚ କାହିଁକି ? ତମେ ପଚାର–ମୁଁ ତ ୟା’ଙ୍କ ଆଗରେ କହୁଛି ଆମ ବାପାବୋଉଙ୍କ ପରି ଲିବରାଲ ତାଙ୍କ ବାପା ମା’ ହେଇପାରିବେନି । (ଦେବାଶିଷକୁ ପଚାରିବା ନପଚାରିବା ସମାନ–ସେ ତ ସବୁବେଳେ ଚୁପ୍‌ଚାପ୍‌) ।

 

କଥାଟା ବଢ଼ୁଛି ଦେଖି ଅନୁରାଧା କହିଲେ ଉଠିଲ ସବୁ–ଅଇଁଠା ପଡ଼ି ଶୁଖିଗଲାଣି–ଉଠ–ସେ ଜାଗା ଧୁଆହେବ । ସୁନା, ଦେଖ୍‍ତ ମା’–ମୂଲିଆସବୁ ଖାଇଲେଣିକି ନାହିଁ । ଆଉ ଶୁଣ୍‌ ଆର ସାହି ଲତାବୋଉ ଦେଠେଈଙ୍କ ପାଇଁ ଭୋଗ ଟିକିଏ ପଠାଇଦେ ।

 

ସେଇ ଚରମ ମୁହୂର୍ତ୍ତରେ ବଡ଼ବୋହୂ ଘର ବାରିକ ପୂଜା ଭାର ନେଇ ଆସି ପହଞ୍ଚିଲା । ପାଚିଲା କଦଳୀ କାନ୍ଦିଏ, କଞ୍ଚା କଦଳୀ କାନ୍ଦିଏ, ଆଳୁ ବାଇଗଣ ବସ୍ତାଏ ଓ ବୋଇତିକଖାରୁ ଚାରିଟା, ନଡ଼ିଆ ଆଠଟା ବଡ଼ିଟିଣାଏ, ମିଠା ହାଣ୍ଡିଏ ଓ ଦହି ଦୁଇ ପତୁଲୀ । ଭାର ଥୋଇ ଅଣ୍ଟାରେ ଗୁଞ୍ଜିଥିବା ଚାରି ଚଉତା କାଗଜ ଖଣ୍ଡିଏ ବାହାର କରି ସେ ସଦାଶିବ ବାବୁଙ୍କ ହାତକୁ ବଢ଼େଇ ଦେଲା । ସଦାଶିବ ବାବୁ ପଢ଼ିସାରି ପତ୍ନୀଙ୍କୁ ବଢ଼ାଇ ଦେଲେ । ଚିଠିଟି ତାଙ୍କରି ପାଖକୁ ଲେଖାଥିଲା–ସମୁଦୁଣୀ, ବାଡ଼ିର ପରିବା ଦିଇଟା ତମ ପୂଜା ପାଇଁ ପଠାଇଲି ଏଇନା ତମଘର ଗହଳି ହୋଇଥିବ । ତମ ମନ ଖୁସିରେ ପୂରି ଉଠିଥିବ । ସୁନାକୁ କହିବ ଚିଠି ଦେବ । ତମେ ବି ସମସ୍ତଙ୍କ କଥା ଲେଖି ଚିଠି ଦେବ । ସମୁଦିଙ୍କୁ ପ୍ରଣାମ ଓ ପିଲାମାନଙ୍କୁ ମୋର କଲ୍ୟାଣ । । ଇତି ।

 

–ସମୁଦୁଣୀ ।

 

କାଇଁ ସୁନା ଯିବା କଥାତ କେଉଁଠି ଧାଡ଼ିଏ ଲେଖା ହୋଇନି !!

 

ଅନୁରାଧା ବଡ଼ବୋହୂକୁ ଡାକି କହିଲେ ସୁନା, ଦେଖ୍‌ ତୋ ମା’ ଚିଠି ଦେଇଛନ୍ତି ଯେ–ତୋ ଯିବା କଥାତ କିଛି ଲେଖି ନାହାନ୍ତି–ଅଥଚ ତୋ ଶଶୁର କିମିତ ମୋ ଉପରେ ସବୁ ଦୋଷ ଲଦି ଦେଉଛନ୍ତି । ବଡ଼ବୋହୂ ଫିକ୍‌କରି ହସି ଦେଲା । ବାରିକ ରତନାକୁ ଖାଇବା ପରଶିଲା ।

 

ଖାଉ ଖାଉ ରତନା କହିଲା–ଦେଈ ତମେ ଚାଲୁନ ଏଥର ଆମ ଗାଁ ପିଲେ ଡ୍ରାମା କରୁଛନ୍ତି ଦଶରାକୁ ପାଇକ ନାଚ ଦିନବେଳେ ହେବ ରାତିରେ ଡ୍ରାମା ଦିନେ, ଦି’ଦିନ ବାଦୀପାଲା । ଆମ ଗାଁରେ ମେଢ଼ ହେଉଚି । କଟକରୁ କାରିଗର ଆସି ତିଆରି କରିଛନ୍ତି ସାକ୍ଷାତ ଦୁର୍ଗା ଚାଲି ଆସିଲା ଭଳି ଦିଶୁଛନ୍ତି ।

 

ସୁକନ୍ୟା ହସି କହିଲା–ହଇରେ ରତନା ତୁ ଡାକୁଛୁନାଁ ଆମଘରେ କେହି ଡାକିଛନ୍ତିମ !

 

ଉତ୍‌ଫୁଲ ହୋଇ ରତନା କହିଲା ନାଇଁମ ଦେଇ ବୁଢ଼ୀମା’ ବ୍ୟସ୍ତ ହେଉଥିଲେ ତମେ ଯାଇପାରୁନ ବୋଲି । ଏତେବଡ଼ ଘର, ଏତେ ଆରବା । ବଡ଼ବୋହୂ ହୋଇଛି ଯେତେବେଳେ କେତେ ଜଞ୍ଜାଳ କେତେ ଦାୟିତ୍ୱ ! ମୁଁ କହିବି କି ଦେଈ ତମ ଶାଶୁଙ୍କୁ ଶଶୁରଙ୍କୁ ଯିବ ତମେ ??

 

ସୁକନ୍ୟାର ଝରି ପଡ଼ୁଥିବା ହସକୁ ଯେମିତି ରତନାର କଥାଗୁଡ଼ା ବ୍ଲଟିଂପେପର ଭଳି ଶୋଷିନେଲା । ମାଛ ଦି’ଖଣ୍ଡ ତା’ ଥାଳିଆରେ ପକେଇ ଦେଇ ସୁକନ୍ୟା କହିଲା–ତୁ ଖାଉନୁ କାହିଁକି ରତନା–ଲାଜ କରୁଛୁ କିରେ–ଆଉ ଟିକିଏ ଘାଣ୍ଟିଆ ଦିଏ କହି ଦି’ଡଙ୍କି ତର୍କାରୀ ଆଣି ସୁକନ୍ୟା ରତନାର ଖଲିରେ ଢାଳିଦେଲା ।

 

ସେଇ ଅଭାବନୀୟ କାଣ୍ଡ କରି ବସିଲେ ତୀର୍ଥଙ୍କର । ଈଶ୍ୱରଙ୍କୁ ଜଣା–ସେ କାହିଁକି ବାହାହେଲେନି । ବୋଧହୁଏ ‘‘ସେଇଥିପାଇଁ ସେ ସୁକନ୍ୟା ଭାଉଜଙ୍କ ଉପସ୍ଥିତି ବିଶେଷ କରି ପୂଜା ପର୍ବଦିନରେ ସେ ବୁଝିପାରୁନଥିଲେ’’ (ଟିପ୍ପଣୀ–ଅରୁନ୍ଧତୀ ଓ ସ୍ୱାତୀ) ନିଜେ ସେ ସୁଟକେଶ୍‌ ସଜାଇ ଦେଲେ ଓ ଜୋର୍‍ କରି ଭାଇଙ୍କୁ ସାର୍ଟ, ପ୍ୟାଣ୍ଟ ଓ ଜୋତା ଆଣି ଦେଲେ । ସୁକନ୍ୟା ଅନନ୍ୟୋପାୟ ହୋଇ ଅଗତ୍ୟା ବାପଘରକୁ ବାହାରିଲା । ଅନୁରାଧା (ବଡ଼ପୁଅ ପୂଜାରେ ବସିବା ବିଧି) ଦୀପଙ୍କରକୁ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୋହୂଟା ବାରିକ ସଙ୍ଗେ କେମିତି ଯିବ ବୋଲି–ଛାଡ଼ିଦେଇ ଶୀଘ୍ର ଚାଲିଆସିବାକୁ କହି ଯିବାର ଅନୁମତି ଦେଲେ ।

 

ଘରେ ପହଞ୍ଚି ସୁକନ୍ୟା ମା’ଙ୍କ ଛାତିରେ ଲୋଟିପଡ଼ି ବ୍ୟାକୁଳଭାବେ କାନ୍ଦିବାକୁ ଲାଗିଲା-। ମା’ଙ୍କ ଆଖିରୁ ଝରୁଥିବା ଧାର ଧାର ଲୁହ ସୁକନ୍ୟାର ପିଠିକୁ ଆର୍ଦ୍ର କରୁଥିଲା । କିଛି ସମୟ ଏଇମିତି କଟିବା ପରେ ଅଶ୍ରୁ ସମ୍ବରଣ କରି ଝିଅର ପିଠି ଥାପୁଡ଼େଇ ମା’ କହୁଥିଲେ ମୁଁ ନିଷ୍ଠୁର ନୁହେଁ କି ପଥର ନୁହେଁ–ମୁଁ ସବୁ ଜାଣେରେ ମା’–ସବୁ ମା’ଭଳି ମୋର ବି ଗୋଟିଏ ବ୍ୟଥିତ ବ୍ୟାକୁଳ ହୃଦୟ ଅଛି–ମୁଁ ଯେ ତତେ କେତେ ଚାହେଁ.... ତୋ ଝିଅକୁ ଶାଶୁଘର ଛାଡ଼ିଲେ ତୁ ବୁଝିପାରିବୁ.... କିନ୍ତୁ ନିରୁପାୟ..... ଏତିକି କହୁ କହୁ କୋହର ପ୍ରାବଲ୍ୟରେ କଣ୍ଠ ତାଙ୍କର ଋଦ୍ଧି ହୋଇ ଆସୁଥିଲା ।

Image

 

ପାହାଚ

 

କଳା ମିଚି ମିଚି ଝିଅଟି । ପୋଛି ଆଣିଲେ ଯେମିତି ଟିପରେ ଲାଗିଯିବ । ବୋଲପୁର ଯିବାବେଳେ ଓ ଫେରିବାବେଳେ ସେଇ ଏକାଭଳି ସେ ମାଗୁଚି ‘‘ଓ ଦାଦା–ଓ ଦିଦି ଦଶ ପୈସା ଦାଓନା–ମୁଢ଼ି ଖାବାର ଜନ୍ୟେ ଦାଓ–ନା.... କଣ୍ଠରେ ତା’ର ଅଳି ଓ ଅନୁନୟ ।

 

ସତେ ଯେମିତି ଗେହ୍ଲା ଭଉଣୀଟିଏ ଅଳି କରୁଚି–ଶାଢ଼ି ନୁହେଁ–ଚୁଡ଼ି ନୁହେଁ–କେବଳ ଦଶଟି ପଇସା । ପ୍ରତିଦିନ ସ୍କୁଲ ଗଲାବେଳେ ମୋର ସାନ ଭଉଣୀ ଲିଟା ଯେମିତି ମତେ ମାଗୁଥିଲା–‘‘ଦଶ ପଇସା ଦେ ଅପା ବୁଟ ପାଇଁ ।’’ ଗଲାବେଳେ ଓ ଫେରିବାବେଳେ ବଣ୍ଡେଲ ଷ୍ଟେସନରେ ସ୍ୱତଃପ୍ରବୃତ୍ତଭାବେ ହାତ ମୋର ତା’ରି ପ୍ରସାରିତ ପାପୁଲିରେ ତୋଳି ଦେଇଥିଲା–ଦଶ ଏବଂ ଦଶ୍‌ ।

 

କେତେଦିନ–କେତେଦିନ ଧରି ଏମିତି ସେ ମାଗିବ କିଏ ତା’ର ବାପା କିଏ ତା’ର ମା’–ତା’ର ଘର ବୋଲି କିଛି ଅଛି ନା ନାହିଁ ମୁଁ ଜାଣେନା । ବୟସ କେତେ ବା’ ହେବ ତାକୁ ଏଗାର ଅଥବା ବାର । ଏତେ କୋମଳ ବୟସରେ ସେ ଜୀବନ ସଂଗ୍ରାମରେ ଝାସ ଦେଇଚି । ଯେଉଁ ଦେଶରେ ଦୁଧ ଦହିର ନଈ ବହେ–ଯେଉଁ ଦେଶରେ ଧାନ ଗହମର ଗୋଲା ରହି ରହି ଖତରା ହୁଏ ଏବଂ ସର୍ବୋପରି ଯେଉଁ ଦେଶର ସରକାର ତଥା ଜନସାଧାରଣ ଗରିବୀ ହଟାଇବାକୁ ଦୃଢ଼ ପରିକର, ସେ ଦେଶର କିଶୋରୀ ମୁଠାଏ ମୁଢ଼ି ପାଇଁ ଦଶଟି ପଇସା ମାଗେ । ଏସବୁ କ’ଣ ଅଦୃଷ୍ଟ ଲିଖନ ?

 

ଟ୍ରେନ ଚାଲିବାକୁ ଆରମ୍ଭ କଲାଣି । ଝିଅଟି ତରତର ହୋଇ ଆମ କମ୍ପାର୍ଟମେଣ୍ଟରୁ ଓହ୍ଲେଇଗଲା । ଯିବା ପୂର୍ବରୁ ତା’ର ଭଙ୍ଗା ଟୋଲା ମସିଆ ସିଲଭର ଗିଲାସରେ ଲାଭାଟୋରୀ ପାଖ ବେସିନ୍‌ର କଳ ଖୋଲି ପାଣି ଭର୍ତ୍ତି କରିନେଲା ।

 

ଟ୍ରେନ ଚାଲିଚି । ପ୍ରଜ୍ଞାର କଣ୍ଠରେ ଅସମ୍ଭବ ତୃଷ୍ଣା । ସେଇ ଏକାଜିଦ୍‌ ମତେ ପାଣିଦିଅ ମା’ । ବୋଲପୁର ଷ୍ଟେସନରେ ଏ ଟ୍ରେନ ମୋଟେ ଗୋଟିଏ ମିନିଟ୍‌ ରହେ । ମୋର ସବୁଠାରୁ ବଡ଼ ଲଗେଜ୍‌ ଓ ମୂଲ୍ୟବାନ ସମ୍ପତ୍ତି ସପ୍ତମ ବର୍ଷିୟା କନ୍ୟା ପ୍ରଜ୍ଞାକୁ ନେଇ ମୁଁ ତରତର ହେଇ ଟ୍ରେନରେ ଉଠିଗଲି । ମତେ ଷ୍ଟେସନକୁ ଛାଡ଼ିବା ପାଇଁ ଆସିଥିବା ବାନ୍ଧବୀ ମୋର ସୁଟକେଶ୍‍ ଓ ବେଡ଼ିଂ ବଢ଼ାଇ ଦେଉ ଦେଉ ଟ୍ରେନ ଛାଡ଼ିଦେଲା । ଓ୍ୱାଟରବଟଲ ରହିଗଲା । ଗଲାବେଳେ କଲିକତାରୁ ଭର୍ତ୍ତି ହୋଇ ଯାଇଥିବା ପାଣି ଶାନ୍ତନିକେତନରେ ଢଳା ହେଲା, ଅଥଚ ସାଙ୍ଗରେ ପାଣି ବୋତଲଟା ଆସିନାହିଁ ବୋଲି ଆଜି ପ୍ରଜ୍ଞା କଣ୍ଠରେ ଅସମ୍ଭବ ତୃଷ୍ଣା । ମୁଁ ତାକୁ ବୁଝାଇବାକୁ ଚେଷ୍ଟା କଲି–‘‘ଦେଖ ମା’ ପାଣି ଛାଡ଼ି ଆସିଛି–ତୁ ଅଙ୍ଗୁର ଖାଇଦେ । ଶୋଷ ହେବନି । ଏଇତ ସାଙ୍ଗେ ସାଙ୍ଗେ ହାଓ୍ୱାଡ଼ା ଷ୍ଟେସନ ପହଞ୍ଚିଯିବ–ବାଦଲ ମାମୁଁ ଷ୍ଟେସନକୁ ଆସିଥିବ ତତେ ଫାଣ୍ଟା ଖୋଇବ ।’’ ପ୍ରଜ୍ଞାର ସେଇ ଏକାଜିଦ୍‍ ମତେ ପାଣି ସେଇ ଲାଭାଟୋରୀରୁ ଆଣି ଦିଅ–ମତେ ମନା କରୁଛ କାହିଁକି ମା’ ସେ ଝିଅଟିତ ପିଇଲା । ମୁଁ ଅଙ୍ଗୁର ଖାଇବିନି । କହି କହି ତା’ ହାତରେ ଦେଇଥିବା ଅଙ୍ଗୁର କେଇଟି ସେ ଝର୍କା ଦେଇ ବାହାରକୁ ଫିଙ୍ଗିବାରେ ଲାଗିଲା ।

 

ମୁଁ ସ୍ଥାନ-କାଳ ପାତ୍ର କିଛି ବିଚାର ନ କରି ତା’ର ନରମ ଗାଲରେ ଚଟକଣିଟାଏ ବସାଇ ଦେଲି । ‘ଏତେ ଜିଦଖୋର ଝିଅ–ଭିକାରୁଣୀ ଝିଅ ସଙ୍ଗେ ତୁ ସମାନ ? ସେ ଲାଭାଟୋରୀ କଳକୁ ପିଇଲା ବୋଲି ତୁ ବି ସେଥିରୁ ପାଣି ପିଇବୁ ? ଏଁ ?’

 

ମୁଁ ଭାବିଥିଲି ପ୍ରଜ୍ଞା ଖୁବ୍‌ ଜୋରରେ ଚିତ୍କାର କରିବ–କିମ୍ବା ଲଜ୍ଜା-ଭୟରେ ଚୁପ୍‌ ହୋଇଯିବ ।

 

ମୋର ଦୁଇଟିଯାକ ଅନୁମାନ ମିଥ୍ୟା । ପ୍ରଜ୍ଞା କାନ୍ଦିଲାନି..... ଚୁପ୍‌ ବି ହେଲାନି । ତା’ ଆଖିକୁ ଚାହିଁ ମୁଁ ଚମକି ପଡ଼ିଲି । ଏ ଯେମିତି ମୋର ଅଭୟ ପଣତ ତଳେ ଆଶ୍ରୟ ନେଇଥିବା ପୃଥିବୀର ଦୁଃଖ-ଯନ୍ତ୍ରଣାଠାରୁ ବହୁତ ଦୂରରେ ଥିବା ମୋ ଅଲିଅଳୀ କନ୍ୟା ନୁହେଁ । ତା’ ଆଖିରେ ବିପ୍ଳବର ଅଗ୍ନି–ଅଶେଷ ଜିଜ୍ଞାସାର ଜ୍ୟୋତି । ସିଧାଭାବେ ମତେ ଚାହିଁ ସେ ପ୍ରଶ୍ନକଲା–‘‘ତମେ ମତେ ତେବେ ଆଜିଯାଏ ମିଛ କହି ଆସିଛନା ମା’–ସବୁ ମଣିଷ ସମାନ ବୋଲି ?’’

 

ପ୍ରଜ୍ଞା ଯେମିତି କ୍ରମେ ଶୈଶବ କୈଶୋର, ଓ ଯୌବନ ଡେଇଁ ଏକ ଅଭିଜ୍ଞା ପ୍ରୌଢ଼ା ପାଲଟି ଯାଇଚି । ମନ ମୋର ଫେରି ଯାଇଥିଲା ପଛକୁ–ଅନେକ ପଛକୁ । ଗାନ୍ଧିଜୀଙ୍କ ଅସ୍ଫୃଶ୍ୟତା ନିବାରଣ ମହାନ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ତତ୍କାଳୀନ ନାରୀ ନେତ୍ରୀ ମୋର ବୋଉ ଜେଲ୍‍ ବରଣ କରିଥିଲା । ବାପା ଥିଲେ ଗାନ୍ଧିଜୀଙ୍କର ଆଜ୍ଞାବହ ଶିଷ୍ୟ ଅଥଚ ସ୍ୱାଧୀନତା ପରେ ସବୁ ଓଲଟି ଗଲା । ଯେତେବେଳେ ମୋର ସହପାଠୀ ବିଶ୍ୱବିଦ୍ୟାଳୟର କୃତୀଛାତ୍ର ଆମର ଜଣେ ସାମାନ୍ୟ ପ୍ରଜାର ସନ୍ତାନ ଅମିତକୁ ମୁଁ ଆମ ଘରକୁ ଖାଇବା ପାଇଁ ନିମନ୍ତ୍ରଣ କରିଥିଲି, ବାପା ସେ ଦିନ ଭୟଙ୍କର ବିରକ୍ତ ହେଇଥିଲେ । ଆଉ ବୋଉ ଆଖିରେ ନିଆଁ ଜଳି ଉଠିଥିଲା । ସେ ହୁଏତ ଭୟ ପାଇ ଯାଇଥିଲା ମୁଁ କାଳେ ଅମିତକୁ ପ୍ରେମ କିମ୍ବା ବିବାହ କରିବାଭଳି ଭୟଙ୍କର ଅପରାଧ କରି ବସିବି । ସେ ମତେ ଚେତାବନୀ ଦେଇଥିଲେ–ଛୋଟ ଜାତିର ପିଲାଙ୍କ ସାଙ୍ଗେ ଏତେ ମିଶିବା ଭଲ ନୁହେଁ ରୁନୁ । ଆଜି ଅମିତ ଆସି ତୋ ସଙ୍ଗେ ଖାଇବସିବ–କାଲି ତୋ ବାପାଙ୍କୁ ସାଆନ୍ତ ବୋଲି ଡାକୁଥିବା ଅମିତର ବାପା ଉତ୍ସବ ସାହୁ ଆସି ତୋ ବାପାଙ୍କୁ ସମୁଦି ବୋଲି ଡାକିବାର ସାହସ କରିବ–ଛି ଛି !!

 

ମୋ କଣ୍ଠର କ୍ଷୀଣ ପ୍ରତିବାଦ ‘ସବୁ ମଣିଷ ସମାନ ବୋଉ’ ବୋଉର ତୀକ୍ଷ୍‌ଣ ପ୍ରତିବାଦ ତଳେ ଲୁଚି ଯାଇଥିଲା–‘‘ସବୁ ଆଙ୍ଗୁଳି ସମାନ ନୁହେଁ’’ର ଶବ୍ଦ କେଇଟି ଭିତରେ । ମୋ ଆଖି ଆଗରେ ମୋର ନିମନ୍ତ୍ରିତ ଅତିଥି ଅମିତ ବୋଉର କଥାଶୁଣି ମୁହଁପୋତି ଚାଲି ଯାଇଥିଲା । ମୁଁ ପ୍ରତିବାଦ କରିନଥିଲି ।

 

ଆଜି ବି ମୁଁ ପ୍ରତିବାଦ କରି ପାରୁନି । ବୋଉର ଅଫେରା ଅତୀତ ସେମିତି ପ୍ରଜ୍ଞାଠାରେ ରୂପ ନେଇଚି–ସେଇ ଶାଣିତ ଆଖି ଶାଣିତ କଣ୍ଠରେ ମତେ ପ୍ରଶ୍ନ କରୁଚି–‘‘ତୁ ତେବେ ଆଜିଯାଏ ମିଛ କହି ଆସିଛୁନା ରୁନୁ, ସବୁ ମଣିଷ ସମାନ ବୋଲି ।’’

 

ଲଜ୍ଜା–ଅପମାନ ଓ ରାଗରେ ପ୍ରଜ୍ଞାକୁ ଚାହିଁଦେଇ ମୁଁ ଚୁପ୍‌ ହୋଇଗଲି । ପ୍ରଜ୍ଞା ଓ ସେଇ ଭିକାରୁଣୀ ଝିଅଟି ଭିତରେ ଏ ବ୍ୟବଧାନ ପ୍ରାଚୀର କିଏ ଠିଆ କରେଇଛି ? ମୋ ବୋଉ ? ମୁଁ ?ନାଁ ପ୍ରଜ୍ଞା ନାଁ ସେ ଝିଅଟି ନିଜେ ?? ମୁଁ ଇଚ୍ଛା କରିଥିଲେ ସେ ଝିଅଟିକୁ ଡାକିଆଣି ପାଖରେ ବସେଇ ପାରିଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ ଲାଭ ପାଇଁ ପ୍ରଜ୍ଞାକୁ ମୁଁ ଜବରଦସ୍ତ ଯେତିକି ଦୁଧ, ଫଳ, ଅଣ୍ଡା ଓ ଟନିକ୍‌ ଖୋଉଛି ତା’ର ଏକ ଦଶମାଂଶ ଏଇ ଝିଅଟି ପାଇଁ ଖର୍ଚ୍ଚ କରିପାରିଥାନ୍ତି । ଆମ କୁକୁର ଝିମି ଓ ଟବି ଯାହା ଖାଉଛନ୍ତି ତା’ର ଏକ ଚତୁର୍ଥାଂଶ ଏ ଝିଅଟି ପାଇଁ ଖର୍ଚ୍ଚ କରିପାରୁଥିଲେ ମୁଁ ତ ଋଣ କରିନଥାନ୍ତି । ତେବେ କାହିଁକି ଝିଅଟିକୁ ମୁଁ ଭିକାରୁଣୀର ଜୀବନ ଯାପନ କରିବା ପାଇଁ ପ୍ରଶ୍ରୟ ଦେଲି–ପ୍ରତିବାଦ କଲିନାହିଁ ? ଏତେ ସଭା, ସମିତି, ବକ୍ତୃତା, ବିଦ୍ୟାର୍ଜ୍ଜନ ଜ୍ଞାନାର୍ଜ୍ଜନ ସବୁ ମିଶି କ’ଣ ଆମ ରକ୍ତରୁ ଶେଷ ସାମ୍ରାଜ୍ୟବାଦର ନୀଚ ବିଷ ଟିକକ ପୋଛିପାରିନି ?

 

ଏ ଭିତରେ କେତୋଟି ଷ୍ଟେସନ ଯାଇଚି ଆଉ ମୋର ଖିଆଲ ନାହିଁ । କୌଣସି ଏକ ଷ୍ଟେସନରେ ଝିଅଟିଏ ପଶି ଆସି ତନ୍ନ ତନ୍ନ ଭାବେ ଚାରିଆଡ଼କୁ ଚାହିଁ ମୋ ଗୋଡ଼ପାଖେ ଗୋଟିଏ ଛୋଟ ବ୍ୟାଗ ରଖିଲା । ମୋର ସାମନା ସିଟ୍‌ ଓ କଡ଼ରେ ଥିବା ବେଞ୍ଚତଳେ ସେ ପ୍ରାୟ ଦଶଇଞ୍ଚ ଲମ୍ବା ଓ ଚାରିଇଞ୍ଚ ଗୋଲେଇର ଛୋଟ ଛୋଟ ବ୍ୟାଗଟିମାନ ଲୁଚାଇ ରଖିଲା । ବାକି ପରିବା ଆଣିବା ଭଳି ବ୍ୟାଗଟିଏ ତା’ କୋଳରେ ଚାପି ନେଇ ଦରଛିଣ୍ଡା ପିନ୍ଧା ଶାଢ଼ିଟିକୁ ଯତ୍ନରେ ତା’ ଉପରେ ଢାଙ୍କି ଢୁଙ୍କି ଦେଇ ମୋରି ପାଖରେ ବସି ପଡ଼ିଲା ।

 

ମୋର ଆଉ ବୁଝିବାକୁ ବାକିନଥିଲା ଯେ ଏ ଝଅଟି ଗୋଟେ ଚାଉଳ ବେପାରୀର ଏଜେଣ୍ଟ । ଏମିତି ଜଣପିଛା ପାଞ୍ଚ କିଲୋ ଚାଉଳ ଯାଇ ଚାରଣା ବା ଆଠଣା ପଇସା ଦେଇ ସେ କୋଡ଼ିଏ ଜଣଙ୍କୁ ନିଯୁକ୍ତ କରିଥାଏ, ତେବେ ମାତ୍ର ପାଞ୍ଚ କିମ୍ବା ଦଶ ଟଙ୍କା ଖର୍ଚ୍ଚରେ ତା’ର ଗୋଟିଏ କୁଇଣ୍ଟାଲ ଚାଉଳ ନିର୍ବିଘ୍ନରେ ଚାଲାଣ ହେଇପାରିଲା । ବାଃ ଚମତ୍କାର ଆଇଡ଼ିଆ ତ । ଧରାପଡ଼ିଲେ ମଧ୍ୟ ମାଲିକ ଖସିଯିବ । କେବଳ ଜେଲରେ ଭର୍ତ୍ତିହେବେ ଏଇ ନିରୀହ ପ୍ରାଣୀକେତୋଟି, ମାତ୍ର ଚାରିଅଣା ନେଇ ଆଠଅଣା ବିନିମୟରେ । ଅଥଚ ଚୋରା ବେପାରୀଙ୍କୁ ଧରିବା ପାଇଁ ଆମ ସରକାର କେତେ ସତର୍କ ଓ ସଚେଷ୍ଟ ନୁହନ୍ତି ! !

 

ଚନ୍ଦନନଗର ପାଖେ କେତୋଟି କଦଳୀ ବାଲା କମ୍ପାର୍ଟମେଣ୍ଟକୁ ପଶିଆସିଲେ । ‘‘କେଲା ନିବେ ଦିଦି ।’’ କଦଳୀ କିଣୁଚି–କାହାର ଆର୍ତ୍ତଚିତ୍କାର ମୋର ସତ୍ତାକୁ ଚହଲେଇ ଦେଲା । ‘‘ଛୋଡ଼ ଦିଜିଏ ବାବୁଜୀ.... ମୋ ହାତ ଜୋଡ଼୍‌ତି ହୁଁ–ପାଓଁ ପଡ଼୍‌ତି ହୁଁ–ଛୋଡ଼ ଦିଜିଏ–ମେରି ଅଁନ୍ଧି ମା’ ବହୁତ୍‌ ରୋଏଗୀ ।’’ ମୋ ପାଖ ସିଟ୍‍କୁ ଚାହିଁଲି ଝିଅଟି ବସି କିଛି ନଜାଣିଲା ଭଳି ଗୋଟିଏ ପରେ ଗୋଟିଏ ଚିନାବାଦାମ ଛଡ଼େଇ ଖାଉଚି । ଝର୍କା ଦେଇ ଚାହିଁଲି ସେଇ ଯେ କଳା ମିଚି ମିଚି ଝିଅଟି ମୁଢ଼ି ଖାଇବାରେ ଜନ୍ୟେ ଦଶଟି ପଇସା ମାଗୁଥିଲା–ତାକୁଇ ପୋଲିସ ଟାଣି ଟାଣି ନେଇ ଯାଉଛି । ପୋଲିସ ହାତରେ ସେଇମିତି ଛୋଟ ଛୋଟ ଚାଉଳ ପ୍ୟାକେଟ୍‌ କେତୋଟି । ଆଉ କିଛି ଦେଖିବା ପୂର୍ବରୁ ଟ୍ରେନ ଛାଡ଼ି ଦେଇଥିଲା । କଳା ଝିଅଟିର ଚିତ୍କାର ଦୂରରୁ ଦୂରକୁ ମିଳେଇ ଯାଉଥିଲା ।

 

ମୋ ଗୋଡ଼ପାଖରେ ଯେମିତି ବୋମା ଫୁଟିବ । ଆସ୍ତେ ମୋର ତଳିପା ଗରମ ହୋଇ ପାପୁଲି ଥଣ୍ତା ହେବାକୁ ଆରମ୍ଭ କଲାଣି । ହୁଏତ ଆଗ ଷ୍ଟେସନରେ ପୋଲିସ ମୋ ପାଦ ପାଖରୁ, କଡ଼ରୁ ଓ ସାମ୍ନାସିଟ୍‌ ତଳୁ ଚାଉଳ ଆବିଷ୍କାର କରିବ । ଝିଅଟି ହୁଏତ ସୁବିଧା ଦେଖି ଖସିଯିବ । କମ୍ପାର୍ଟମେଣ୍ଟର ଦ୍ୱାର ପାଖେ ଠିଆ ହୋଇଥିବା ପୋଲିସ୍‌କୁ ଇନଫର୍ମ କରିବି କି ?

 

ପ୍ରଜ୍ଞା ତା’ର ଛୋଟ ପିଲାଙ୍କ ପିକ୍‌ଚର ବୁକ୍‌ ସିରିଜ ଧରି ପଢ଼ୁଚି । ହୁଏତ ଶୋଷ ଭୁଲିଗଲାଣି । ମୋ ପାଖରେ ବସିଥିବା ଅଜଣାଝିଅଟି ବସି ବେପରଓ୍ୱାଭାବେ ଚିନାବାଦାମ ଖାଉଚି-। ସତେ ଯେମିତି କିଛି ହେବନି ବା କିଛି ଘଟିଲେ ସେ ଖାତିର କରେନା । ଏଇ ଭାବ ତା’ ଆଖିରେ-

 

ଅଥଚ କି ଅସ୍ୱସ୍ତିବୋଧ ମୋ ଭିତରେ ଓ ବାହାରେ ଖେଳି ଯାଉଚି । ମୁଁ ନାଁ ଶାନ୍ତିରେ ବସିପାରିଲି–ନାଁ ପରିସ୍ଥିତିକୁ ସହଜ କରିବା ପାଇଁ ଅଥବା ଦେଶର ଜଣେ ସଚ୍ଚୋଟ ନାଗରିକ ଭାବରେ ଚୋରା ବେପାରୀକୁ ଆଇନ ହାତରେ ସମର୍ପି ଦେଇ ପାରିଲି ।

 

ଟ୍ରେନ ଭିତରେ ବା ମୋ’ ମନ ଭିତରେ ଘଟୁଥିବା ସକଳ ଘଟଣା ଦୁର୍ଘଟଣାର ସଂଘର୍ଷକୁ ଖାତିର ନ କରି ଟ୍ରେନ ସେମିତି ଆଗକୁ ଆଗକୁ ମାଡ଼ିଚାଲିଥିଲା ।

Image

 

ଏ ଯୁଗର ସୀତା

 

ସମସ୍ତଙ୍କୁ ବୁଝାଇ ପାରୁଥିବା ମଣିଷ ନିଜ ପାଖରେ ଅତି ଅବୁଝା । ଗଜୀବନର ଏଇ ନିଷ୍ଠୁର ସତ୍ୟଟିକୁ ସେଦିନ ସ୍ମିତା ସ୍ୱୀକାର କଲାବେଳେ ତା’ ଆଖିରେ ଅନେକ ଶ୍ରାବଣର ଛାଇ ଚହଲି ଉଠିଥିଲା ।

 

ହାତରେ ଧରିଥିବା ସମ୍ବାଦପତ୍ରର ପ୍ରତିଟି ଅକ୍ଷର ତାକୁ ଲୁହର ବଳୟ ପରି ମନେହେଉଥିଲା । ‘‘ଦୀର୍ଘଦିନ ଧରି ଲଗାଣ ବର୍ଷା ଫଳରେ ଗୋମତୀ ପୋଲ ଭାଙ୍ଗି ଯାଇଛି ।’’ ସେହି ପୋଲର ଦୁଇଟି ଭଗ୍ନାଂଶକୁ ଯୋଡ଼ିବାକୁ ଇଞ୍ଜିନିୟର ବିଭୁକଲ୍ୟାଣ ରାତି ଦିନ ନିଦ ଭୋକ ଭୁଲି ଯାଉଥିଲେ । ଅଥଚ ନିଜ ପରିବାର–ପତି ପତ୍ନୀ ଓ ପିତା ପୁତ୍ର ସମ୍ପର୍କର ପୋଲ ଯେ ଭାଙ୍ଗି ଚୁର୍‌ମାର୍ ହୋଇ ଯାଉଛି–ତାକୁ ଯୋଡ଼ିବାକୁ ସ୍ୱପ୍ନ କେବେ ବି କ’ଣ ତାଙ୍କ ମନ ଭିତରେ ଉଠୁନଥିବ-?

 

ନାରୀର ମନ ବହୁବାର ଭାଙ୍ଗେ ଏବଂ ବହୁବାର ଯୋଡ଼ିହୁଏ । କିନ୍ତୁ ପୁରୁଷର ମନ ଥରେ ଭାଙ୍ଗିଗଲେ ଯୋଡ଼ି ହୁଏନା ।

 

ବିଭୁକଲ୍ୟାଣ ଭଳି ପ୍ରେମମୟ ସ୍ୱାମୀର ନିରବଚ୍ଛିନ୍ନ ସାନ୍ନିଧ୍ୟ ସେଦିନ ସ୍ମିତା ମନର ଶାଖାର ପ୍ରଶାଖାରେ ଫୁଲଭଳି ଫୁଟିଥିଲା । ସେ ଫୁଲର ରଙ୍ଗ ଯେ ଏତେ ଶୀଘ୍ର ମଳିନ ହୋଇଯିବ ଏକଥା ଆଶଙ୍କା କରିବାର ବହୁ ପୂର୍ବରୁ ସେ ଫୁଲ ବିଷଫଳ ପାଲଟିଗଲା । ଯେଉଁ ବିଷ ଶିଖାର ଊର୍ଦ୍ଧ୍ୱରେ ଆଜି ସ୍ମିତାର ବର୍ତ୍ତମାନ ଓ ରାହୁଲର ଭବିଷ୍ୟତ ଝୁଲି ରହିଚି ।

 

ରାହୁଲର ବାରମ୍ବାର ପ୍ରଶ୍ନ–‘‘ଆମେ ପାପା ପାଖକୁ କେବେ ଯିବା ମମି !’’ ସ୍ମିତା ଦୀର୍ଘ ଆଠମାସ ଧରି ଆଜି କାଲି କହି ଏଡ଼େଇ ଆସିଥିଲା, ହେଲେ ଆଜି ସେ ଉତ୍ତର ଦେଇଚି ଯେ ପାପା ପାଖକୁ ଯିବାକୁ ଯେଉଁ ପୋଲ ସେଟା ଭାଙ୍ଗି ଯାଇଛି–ଯୋଡ଼ାହେଲେ ଆମେ ଯିବା ।’ ଯଦିଓ ସ୍ମିତା ଜାଣେ ସେ ପୋଲ ଯୋଡ଼ା ହେବାର କୌଣସି ସମ୍ଭାବନା ନାହିଁ ।

 

ଯେଉଁଦିନ ଗୋଟାଏ ଅହଙ୍କାର, ଜିଦ୍‍ ଓ ଅଭିମାନକୁ ନେଇ ଯେଉଁ ସ୍ମିତା ରାୟଚୌଧୁରୀ ଆଠ ମାସର ଶିଶୁ ପୁତ୍ରକୁ ନେଇ ଚାଲି ଆସିଥିଲା ବାପାଙ୍କ ପାଖକୁ ସେଦିନର ସେଇ ଦାମ୍ଭିକା ଅହଂକାରୀ ଝିଅ ମୁଁ....ଆଜି ସେଇ ଦମ୍ଭର ପାହାଡ଼ ତରଳି ଯେଉଁ ବ୍ୟର୍ଥତାର ନଈ ପାଲଟି ଯାଇଚି ସେଇ ନଈରେ ମୁଁ ବଞ୍ଚବାର ଶାମୁକା ସାଉଁଟୁଚି କେବଳ ଦୀର୍ଘ ଆଠବର୍ଷ ଧରି !!

 

ସବୁ ଝିଅଭଳି ମୁଁ ବି ଦିନେ ସ୍ୱପ୍ନ ଦେଖିଥିଲି ଗୋଟିଏ ସୁଖୀ ସଂସାରର । ଯେଉଁ ସଂସାରକୁ ମୁଁ ମୋରି ହାତରେ ଗଢ଼ିବି–ସଜାଇବି । ତୁଳସୀ ତଳର ସଞ୍ଜଦୀପ ଭଳି–ପାହାନ୍ତି ଆକାଶର ଫିକା ତାରା ଭଳି ନିଜକୁ ଜାଳିବି ।

 

ଆଜି ଭୁଲ ବୁଝାମଣାର ଝଡ଼ରେ ସେଇ ଦୀପଟି ଲିଭି ଯାଇଚି । ବିଭୁକଲ୍ୟାଣ, ତମେ କ’ଣ ଏଇ ଆଠବର୍ଷ ଭିତରେ ଆଠଟି ସେକେଣ୍ଡ ମୋ ସ୍ମୃତିରେ ବିତେଇ ନ ?

 

ତମେ ମୋ ବଞ୍ଚିବାର ଶେଷ ସମ୍ବଳଟିକୁ ମଧ୍ୟ ଆତତାୟୀ ଭଳି ଲୁଣ୍ଠନ କରିନେଲ । ଯାହାକୁ ମୋର ରକ୍ତଦେଇ ବଢ଼ାଇଥିଲି–ଲୁହ କୋହକୁ ଛାତିରେ ଚାପି ତା’ ଓଠରେ ହସର ପାଖୁଡ଼ା ଝରାଉଥିଲି, ମୋରି ଅନୁପସ୍ଥିତିରେ ତମେ ତାକୁ ଭୁଲାଇ ନେଲ । କାହିଁକିର ପ୍ରଶ୍ନ ଆଜି ତମକୁ କରୁନି ବିଭୁକଲ୍ୟାଣ ! ବହୁତ କାନ୍ଦିଚି, ବହୁତ ଖୋଜିଛି ମୋର ପ୍ରାଣର ରାହୁଲକୁ; ଫେରାଇ ଦେବାକୁ ଆକୁଳ ପ୍ରାର୍ଥନା କରିଚି ହେଲେ ତମେ ନିଷ୍ଠୁର–ରାହୁଲକୁ ଫେରାଇନ ଆଉ ଓଲଟି ତା’ କୋମଳ ମନରେ ମୋ ମୃତ୍ୟୁର ନିର୍ମମ ଛବି ଆଙ୍କି ଦେଇଛ । ବିଚରା ତା’ ମା’ ବଞ୍ଚି ଥାଉ ଥାଉ ସେ ମାତୃହୀନ–ବାପାର ମମତା ଭିତରେ ମଧ୍ୟ ଶୂନ୍ୟତାର ସ୍ୱରଲିପି । ସବୁ ଥାଇ ମଧ୍ୟ ସେ ସର୍ବହରା !

 

ନିଷ୍ପାପ ରାହୁଲର ଅପରାଧ–ସେ ମୋ’ଭଳି କଳଙ୍କିନୀ ମା’ର ସନ୍ତାନ । କିନ୍ତୁ ତମଭଳି ନିଷ୍କଳଙ୍କ ବାପାର ଛତ୍ରଛାୟା ତଳେ ଥାଇ ମଧ୍ୟ ପାପମୁକ୍ତ ହେଇପାରିଲା ନାହିଁ । ଅଦୃଷ୍ଟ ନୁହେଁ ତ ଆଉ କ’ଣ !

 

ଆଉ ମୋର ଅପରାଧ, ମୋର କୁମାରୀ ଜୀବନରେ ଡାକ୍ତର ଚନ୍ଦନ ଦାସର ପ୍ରେମିକା ଥିଲି । ଭଲ ପାଇବା ଭଳି ଭୟଙ୍କର ପାପ ମୁଁ କରିଥିଲି । ସେଥିପାଇଁ ତମେ ଅନ୍ୟର ଉଚ୍ଛିଷ୍ଟକୁ ନିର୍ମାଲ୍ୟ ଭଳି ପାଇବାର ଉଦାର ବ୍ୟକ୍ତି ନୁହେଁ ବୋଲି ମତେ ପରିତ୍ୟାଗ କଲ । ଏ କିନ୍ତୁ ଅଦୃଷ୍ଟ ନୁହେଁ–ତମର କପୋଳ କଳ୍ପିତ ।

 

ତମେ ରାଜ୍ୟ ସରକାରଙ୍କର ନିର୍ମାଣ ଯୋଜନା କାର୍ଯ୍ୟକାରୀ କରିବାର ସ୍ୱପ୍ନ ଦେଖୁ ଦେଖୁ ତମ ପାରିବାରିକ ଶାନ୍ତିର ବାଲିଘର ଭୁଷୁଡ଼ି ପଡ଼ିଲା । ସେଥିପାଇଁ ଦାୟୀ ତମେ–ମୋର ଚରିତ୍ର ନୁହେଁ । ଆଉ ଦାୟୀ ଆଂଶିକଭାବେ ମୋର ନିଷ୍କପଟ ଅଭିବ୍ୟକ୍ତି ।

 

ମଣିଷ ରକ୍ତରେ ହିପୋକ୍ରିସିର ଜୀବାଣୁ ଏତେ ପରିମାଣରେ ବଂଶ ବିସ୍ତାର କରି ଚାଲିଚି ଯେ ସ୍ପଷ୍ଟବାଦୀତାର ମାନେ ସେଠାରେ ଅନ୍ୟାୟ, ବ୍ୟଭିଚାର ଓ ଅପରାଧ । ମୋର ଅପରାଧ ମୁଁ ସ୍ପଷ୍ଟବାଦୀ । ସେଦିନ ମୋ ଟ୍ରଙ୍କ ଝାଡ଼ୁ ଝାଡ଼ୁ ଡାକ୍ତର ଚନ୍ଦନ ଦାସର ଫଟୋ ଦେଖି ତମେ ମତେ ପ୍ରଶ୍ନକଲ–ଏ ଭାଗ୍ୟବାନଟି କିଏ ସ୍ମିତା ! ସହଜଭାବେ ମୁଁ ଉତ୍ତର ଦେଇଥିଲି ଡଃ ଚନ୍ଦନ ଦାସ ।

 

‘‘ତମର ପ୍ରେମିକ ବୋଧହୁଏ !’’

 

ତମ କଣ୍ଠରେ ଶ୍ଳେଷ ।

 

ସେଇମିତି ନିର୍ଲିପ୍ତଭାବେ କହିଥିଲି ‘‘ନାଁ–ତାଙ୍କସହ ମୋର ବିବାହ ପ୍ରସ୍ତାବରେ ଏ ଫଟୋ ଆସିଥିଲା–ପ୍ରସ୍ତାବ ଭାଙ୍ଗିଗଲା । ମତେ ଏ ଫଟୋଗ୍ରାଫ୍‌ କେଜାଣି କାହିଁକି ଭଲ ଲାଗିଲା–ରଖି ଦେଇଥିଲି !’’

 

ତମେ ସେଦିନ ନିଃଶବ୍ଦରେ ଉଠିଗଲ ! ଉଠିଗଲ ଯେ... ସେଦିନୁ କେବେବି ମୋ ପାଖରେ ଆଉ ବସିନ !!

 

ତମକୁ ଦୋଷଦେଇ ଲାଭନାହିଁ ବିଭୁକଲ୍ୟାଣ । ଏଇଟା ତମର inferiority complex । ଡଃ ଚନ୍ଦନର ଫଟୋଗ୍ରାଫ୍‌କୁ ଦେଖି ତମେ ନିଶ୍ଚୟ ଅନୁମାନ କରିଥିବ ସେ ତମଠାରୁ ଯଥେଷ୍ଟ ରୂପବାନ୍‌ । ଆଉ ସେଇ Complex ହଁ ତମ ଈର୍ଷାର ମୂଳ କାରଣ । କିନ୍ତୁ ମତେ ଦୁଃଖ ଲାଗେ–ସ୍ୱାମୀ ସ୍ତ୍ରୀର ସମ୍ପର୍କ ପ୍ରେମ ଓ ବିଶ୍ୱାସକୁ ଏତେ ଗୌଣ କାରଣ କିମିତି ଭାଙ୍ଗି ପାରିଲା ? ଏତେଦିନ ଧରି ତମର ମୋ ପ୍ରତି ସ୍ନେହ–ପ୍ରେମ ସବୁ କ’ଣ ଦେହଜ ? ମନଜ ନୁହେଁ-?? ବିବାହଟା କ’ଣ କେବଳ ସାମାଜିକ ସ୍ୱୀକୃତି ଜୈବିକ ଆବଶ୍ୟକତା ?? ମନର ବନ୍ଧନ ନୁହେଁ-?? ପତ୍ନୀର ପ୍ରେମ, ତ୍ୟାଗ ସେବା, ନିଷ୍ଠା ଓ ସରଳ ବିଶ୍ୱାସ ପ୍ରତି ମନର କୌଣସି କୋଣରେ ଅନୁରଣିତ ହୁଏ ନାହିଁ ??

 

କେତେପଦ ମିଠା କଥା, ଟିକିଏ ଛଳନା ଓ ହିପୋକ୍ରିସ୍‌ ଯଦି ଏକ ସୁଖୀ ଦାମ୍ପତ୍ୟ ଜୀବନର ଚାବିକାଠି ହୁଏ–ମୁଁ ନିର୍ବୋଧ କାହିଁକି ସେ ଚାବିକାଠି ହଜାଇଦେଲି ସ୍ପଷ୍ଟବାଦୀତାର ଚୋରା ବାଲିରେ ?? କିଏ ଦେବ ସେ ପ୍ରଶ୍ନର ଉତ୍ତର ??

 

ତମର ଘୃଣା, ସନ୍ଦେହ ଓ ଅବହେଳାକୁ ନିର୍ବିବାଦରେ ମାନିନେବା ଭଳି ମୋର ଚାରିତ୍ରିକ ଦୁର୍ବଳତା ନ ଥିଲା । ମୁଁ ତେଣୁ ବାପାଙ୍କ ପାଖକୁ ଚାଲି ଆସିଲି । ବିଶ୍ୱାସ ଥିଲା ସମୟର ବ୍ୟବଧାନ ଆମ ଦୁହିଁଙ୍କ ବ୍ୟବଧାନକୁ ହ୍ରାସ କରିପାରିବ ! କିନ୍ତୁ; ସବୁଦିନ ଭଳି ନିର୍ବୋଧତା ମୋର ଏକମାତ୍ର ସାଥୀ ହୋଇ ରହିଗଲା ।

 

ଯାହାକୁ କେବେ ମୁଁ ଦେଖିନାହିଁ, ଜାଣିନାହିଁ ତା’ରି ପାଇଁ ମୁଁ ପତିପରିତ୍ୟକ୍ତା । ଏ କେମିତି ପ୍ରେମ ? ଯାହା ସଙ୍ଗେ ମୋ ମନର ଏତେ ଟିକେବି ବନ୍ଧନ ନାହିଁ । –ତା’ରି ପାଇଁ ମୋର ସମସ୍ତ ବନ୍ଧନ ଛିନ୍ନ ହୋଇଗଲା । ସେଇ ଡଃ ଚନ୍ଦନ ଦାସ ମୋ ଦାମ୍ପତ୍ୟ ସୁଖର ଭାସ୍କର୍ଯ୍ୟ ଧ୍ୱଂସକାରୀ କଳାପାହାଡ଼ !

 

ଭାବେ, ଡଃ ଚନ୍ଦନ ଦାସ ସହ ଦେଖାକରି ସବୁକଥା କହିବି–ଅନୁନୟ କରିବି ମୋ ସ୍ୱାମୀଙ୍କୁ ସେ ଯାଇ ବିଶ୍ୱାସ କରାଇବେ ଯେ ତାଙ୍କ ସହ କେବେବି ମୋର ସମ୍ବନ୍ଧ ନ ଥିଲା.... ନାହିଁ-। କ’ଣ ଭାବି ଅଟକି ଯାଏ, କେଉଁ ଭରସାରେ ଯିବି ?? ଦୁଇ ବର୍ଷକାଳ ଯାହା ସହ ଘର ସଂସାର କଲି ସେ ଯଦି ବୁଝିଲେ ନାହିଁ, ଚନ୍ଦନ ଦାସ କାହିଁକି ବୁଝିବ ବୁଝାଇବ ?? ଆଉ ତା’ କଥାର ବିଶ୍ୱାସ ବା କାହିଁକି କରିବେ ବିଭୁକଲ୍ୟାଣ ??

 

ମତେ ସାତ ବର୍ଷ ଦିନୁ ମୋ ମା’ ମରିଥିଲେ । ଡାଇଭର୍ସ କେସ୍‌ ଚାଲିଥିବା ବେଳେ ଲଜ୍ଜା ଦୁଃଖ ଓ ଅପମାନରେ ବାପା ଆଖି ବୁଜିଲେ । ମୋର ଏ ଦୁଃସହ ବୋଝକୁ ଭାଇ ନିଜ କାନ୍ଧ ଉପରକୁ ଉଠାଇ ନେଲେ । ପିତୃ ମାତୃହୀନା... ପତିପରିତ୍ୟକ୍ତା ନାରୀର ଭାଇ ଛଡ଼ା ପୃଥିବୀରେ ଆଉ କିଏବା ଏତେ ଆପଣାର ହୋଇପାରନ୍ତା ??

 

କେସ୍‌ର ଶେଷ ଶୁଣାଣି ଦିନ ମୋରି ଲୁହରେ ଭାଇଙ୍କ ହାତ ପାପୁଲି ଓଦା ହେଇଚି; ତାଙ୍କ ଲୁହ ମୋ ଶାଢ଼ିର ଅଞ୍ଚଳ ଭିଜାଇଚି । କିନ୍ତୁ ମୁଁ ଲୁହକୁ ଚାପି ଖୁସି ହେବାର ଅଭିନୟ କରିଚି । ଯେମିତି ଏ ମୁକ୍ତି ମୋର କାମ୍ୟ ଅନନ୍ତ କାଳର !

 

ମୋ ଜୀବନର ଏ ବିୟୋଗାନ୍ତକ ନାଟକର ସେଇ ଅଦୃଶ୍ୟ ଚିତ୍ରଟିକୁ ଦେଖିବାକୁ ଅଦମ୍ୟ ଇଚ୍ଛା ଦିନେ ମତେ ଟାଣିନେଲା ।

 

ଡଃ ଚନ୍ଦନ ଦାସ ମତେ ଅପେକ୍ଷା କରିବାକୁ କହି ରୋଗୀ ଦେଖାରେ ମନୋନିବେଶ କଲେ । ପ୍ରତୀକ୍ଷାର ପ୍ରତିଟି ସେକେଣ୍ଡରେ ଗତି ସଙ୍ଗେ ମୋ ହୃତ୍‌ପିଣ୍ଡର ଷ୍ପନ୍ଦନ ବଢ଼ି ଚାଲିଥାଏ । ରହିବି କି ଆସିବି... ଏହି ଦ୍ୱନ୍ଦ୍ୱ ଭିତରେ ଆସିବାକୁ ଉଠୁଚି ଚନ୍ଦନ ଦାସ ଆସି ସ୍ମିତ ଚଞ୍ଚଳଭାବେ ବିଳମ୍ବ ପାଇଁ କ୍ଷମା ମାଗିଲେ ।

 

ଆଗରେ ଚନ୍ଦନ ଦାସ ମୋ ସ୍ୱାମୀଙ୍କ ଭାଷାରେ ମୋର ପ୍ରେମିକ ! ମୋ ପରିବାର ଆଖିରେ ଚିର ଶତ୍ରୁ, ମୋ ଜୀବନର ଅଶନି ସଙ୍କେତ ଡଃ ଚନ୍ଦନ ଦାସ । ଅଥଚ ମୁଁ ତାଙ୍କୁ କିଛି ବି କହିପାରୁନି.... । ମୋ ମନର ପୁଞ୍ଜିଭୂତ ଘୃଣା, ରାଗ, ବିଦ୍ରୋହ ସବୁ କିମିତି ନିଜ ଭିତରେ ମିଳେଇଗଲା ମୁଁ ବୁଝିପାରିଲିନି ।

 

ଓଠ ଖୋଲିଲି... ମୁଁ ସ୍ମିତା ରାୟ ଚୌଧୁରୀ... । ଆପଣଙ୍କୁ ମୋର କିଛି କହିବାର ଥିଲା ।

 

ଏତିକି କହିବା ଭିତରେ ମୁଁ ଲକ୍ଷ୍ୟ କରିଚି.... ତାଙ୍କ କୁଞ୍ଚିତ କପୋଳ ରେଖାର ଲିପି.... ସତେକି ସେ ତାଙ୍କ ରୋଗିଣୀଙ୍କ ତାଲିକାରେ ମୋ ନାଁ ଖୋଜୁଛନ୍ତି ।

 

ମୋ ପରିଚୟକୁ ଆହୁରି ପରିଷ୍କାର କରିବାକୁ ଯାଇ କହିଲି, ମୁଁ ଆପଣଙ୍କ ସହରର ଆଇ.ଟି.ଓ. କିଶଳୟ ରାୟ ଚୌଧୁରୀଙ୍କ ଭଉଣୀ ।

 

ତାଙ୍କ ଆଖି ଦୁଇଟିରେ ବିସ୍ମୟ.... ଆନନ୍ଦ ଓ ଆନ୍ତରିକତାର ଛାଇ । ନୀରବତା ଭାଙ୍ଗି ପ୍ରଶ୍ନକଲେ, ବାପାଙ୍କ ନାମ ବଳରାମ ରାୟ ଚୌଧୁରୀ ତ !! ଆପଣଙ୍କର ବିବାହ ଦୁଇବର୍ଷ ତଳେ ହୋଇଥିଲା ବୋଧହୁଏ !

 

ରୁଷ କଣ୍ଠରେ କହିଲି... ହଁ । ବିବାହ–ବିଛେଦ ମଧ୍ୟ ଦୁଇ ମାସ ତଳେ ହେଇଚି ।

 

....ସତେ ??

 

ଡଃ ଚନ୍ଦନଙ୍କ କର୍ଣ୍ଣରେ ଉଦ୍‌ବିଘ୍ନ । ସତେକି ସେ କାନ୍ଦି ପକାଇବେ । ଏଇ ଦୁଇଟି ଅକ୍ଷର ଉଚ୍ଚାରଣ କରିବାକୁ ତାଙ୍କୁ ଯେମିତି ଅନେକ ଯନ୍ତ୍ରଣାରେ ଶର ବିଦ୍ଧ କରୁଚି ।

 

ମୁଁ ପ୍ରକୃତିସ୍ଥ ହେଲି । ନିଜକୁ ସଞ୍ଜତ କରି ନେଲି । ଚନ୍ଦନଙ୍କର ବା ଅପରାଧ କ’ଣ ?? ବିଚରା ସେ ଏ ବିଷୟରେ ବିନ୍ଦୁମାତ୍ର ହିଁ ଜାଣନ୍ତି ନାହିଁ ।

 

ମୁଁ ଝଡ଼ପରି ଉଠି ଫେରିବା ପାଇଁ ପାଦ ବଢ଼ାଇଲି । ବ୍ୟସ୍ତହେବା ଭଙ୍ଗୀରରେ ଡଃ ଚନ୍ଦନ କହିଲେ, ଆପଣଙ୍କୁ ଅନ୍ତତଃ ଚା’ କପେ.....

 

କଥାରେ ବାଧାଦେଇ କହିଲେ ‘‘ନୋ ଥ୍ୟାଙ୍କସ୍‌’’ ।

 

ବିଭୁକଲ୍ୟାଣ । ତମର ଚରମ ଅବହେଳା ସତ୍ତ୍ୱେ ମଧ୍ୟ ତମକୁ ଭୁଲିପାରୁନି କାହିଁକି ? ଡାଇଭର୍ସ କରି ମତେ ପତ୍ନୀତ୍ୱରୁ ମୁକ୍ତି ଦେଇଛି । ରାହୁଲକୁ ନିଜ ପାଖକୁ ନେଇଯାଇ ମାତୃତ୍ୱ ବନ୍ଧନରୁ ମୁକ୍ତ କରିଛ । ନୀଳ ଆକାଶରେ ଘୂରିବୁଳିବା ପାଇଁ ମୋ ପକ୍ଷରେ ତମେ ଭରି ଦେଇଛ କ୍ଳାନ୍ତିହୀନ ସ୍ୱାଧୀନତାର ରଙ୍ଗ । କିନ୍ତୁ କାହିଁକି ମୁଁ କଟାଗୁଡ଼ି ପରି ଗଛଡାଳରେ ଅଟକି ଯାଉଚି.... ନାଁ ଛୁଇଁ ପାରୁଚି ଆକାଶର ନୀଳିମା... ନାଁ ଛୁଇଁ ପାରୁଚି ପୃଥିବୀର ସବୁଜିମା ।

 

ଡଃ ଚନ୍ଦନ ନର୍ସିଂହୋମ୍‌ରୁ ସେଦିନ ଫେରିବା ମୋର ପ୍ରଥମ ଓ ଶେଷ ହେଇଥିଲେ ହୁଏତ ମୋ ଜୀବନ ଅଧ୍ୟାୟରେ ଏଇଠି ପୂର୍ଣ୍ଣଚ୍ଛେଦ ପଡ଼ିଥାନ୍ତା । କାହାଣୀଟି ମଧ୍ୟ ଆଉ ଅତି ବେଶୀ ଗୋଟିଏ ପାରାଗ୍ରାଫରେ ବିଭୁକଲ୍ୟାଣ ଓ ରାହୁଲ ପାଇଁ କିଛି ବ୍ୟାକୁଳ ଭାବନେଇ ଶେଷ ହୋଇଯାଇଥାନ୍ତା ।

 

କି ଏକ ଅଦ୍ୟମ ଆକର୍ଷଣରେ ମୁଁ ଡଃ ଚନ୍ଦନଙ୍କ ନର୍ସିଂହୋମ୍‌କୁ ଟାଣିହୋଇ ଯାଏ ନିଜେ ମୁଁ ବୁଝିପାରେନା । ଡଃ ଚନ୍ଦନଙ୍କ ପ୍ରଶାନ୍ତ ବ୍ୟକ୍ତିତ୍ୱ ନିର୍ଲିପ୍ତ ଆଖିର ସସ୍ନେହ ଆମନ୍ତ୍ରଣ ମତେ ବିହ୍ୱଳ କରି ତୋଳେ ତାଙ୍କ ପାଇଁ ମନ ଭିତରେ କେବେବି ଦୁର୍ବଳତା ଜାଗିନି.... କେବଳ ନିଷ୍କାମ ଆକର୍ଷଣ... ଅନାବିଳ ବନ୍ଧୁତ୍ୱ ।

 

ମୋ ଜୀବନର ଚରମ ଶତ୍ରୁତା ଓ ଘୃଣା କିମିତି ପରମ ବନ୍ଧୁତା ଓ ମମତା ପାଲଟିଗଲା–ମୁଁ ବୁଝିପାରେନା ।

 

ଡଃ ଚନ୍ଦନଙ୍କ ପାଖରେ ଥିବା ସମୟରେ କେବଳ ମୁଁ କହେ.... ସେ ଶୁଣନ୍ତି କିଛି କହିବେ କହିବେ ହୋଇ ସେ ଯେମିତି ଅଟକିଯା’ନ୍ତି ।

 

ଦିନେ ମୁଁ କହିଲି, ଜାଣ ଚନ୍ଦନ... ମୋ ଜେଜେମା’ ମତେ ସ୍ମିତା ଡାକି ପାରନ୍ତିନି, ସୀତା ଡାକନ୍ତି ।

 

‘‘ଭେରି ବ୍ୟାଡ଼୍‌ !’’

 

ଚନ୍ଦନ କହିଲେ... ସୀତା କ୍ଳାସିକ୍‌ ନାଁ । କିନ୍ତୁ ସୀତା ନାଁଟା ଭଲ ଶୁଭେ ।

 

ବିଭୁକଲ୍ୟାଣ ! ତମେ ମତେ ପରିତ୍ୟାଗ କରିଛ, ଘୃଣା କରିଛ କୁଳଟା ବୋଲି । ଅଥଚ ମୋତେ ଭୁଲିବା ପାଇଁ ମଦ ଖାଉଛ, ମୋ ଭଲ ପାଇବାର ଚାରାରେ ମମତାର ଜଳ ଢାଳି ବଞ୍ଚେଇ ରଖୁଛ ମୋ ରକ୍ତର ସନ୍ତକ ରାହୁଲକୁ । ଏ କିମିତି ଭଲ ପାଇବା... ଏ କିମିତି ଘୃଣା ?

 

ମୁଁ ତୁମକୁ ଭୁଲିବା ପାଇଁ ଚନ୍ଦନଙ୍କୁ ଭଲ ପାଇନି ତମରି ସ୍ମୃତିର ରୋମନ୍ଥନ ପାଇଁ ମୁଁ ଚନ୍ଦନ ପାଖକୁ ଧାଇଁଯାଏ । କାରଣ ସେଇହିଁ ଏକମାତ୍ର ବ୍ୟକ୍ତି ଯିଏକି ଆମ ଭଲ ପାଇବା, ଭୁଲିଯିବା ସନ୍ଦେହ ଓ ସଂଘର୍ଷର କାହାଣୀ ନିବିଷ୍ଟ ଚିତ୍ତରେ ଶୁଣନ୍ତି । ପ୍ରତିବାଦ କରନ୍ତି ନାହିଁ । ବଞ୍ଚିଥିଲେ ବାପା ଶୁଣୁଥାନ୍ତେ.... ଲୁହ ପୋଛି ଦିଅନ୍ତେ, ସାନ୍ତ୍ୱନା ଦିଅନ୍ତେ । ଭାଇ ତମ ନାଁ ଶୁଣିଲେ ଅଗ୍ନିଶର୍ମ୍ମା ହୋଇ ଉଠନ୍ତି । ଭାଉଜ ଓଠ ଟିପି ଟିପି ପଛରେ ହସନ୍ତି.... ବ୍ୟଙ୍ଗ କରନ୍ତି । ମୋର ଶୁଭାକାଂକ୍ଷୀ (?), ମାନେ ମତେ ଅଯଥା ଦୟା ଦେଖାଇବାକୁ ତମରି କଥା ଶୁଣିବା ପାଇଁ ଆହା ଆହା କରନ୍ତି.... ତମ ସପ୍ତପୁରୁଷଙ୍କୁ ବିଷ୍ଠା ଆଞ୍ଜୁଳି ଦିଅନ୍ତି । ତମର ନିନ୍ଦା ମୋ ପକ୍ଷେ ଅସହ୍ୟ । ମନଭରି ତୁମକୁ ଗାଳି ଦେଲେ ମଧ୍ୟ ଅନ୍ୟ ଓଠରୁ ତମ ବିରୁଦ୍ଧରରେ ପଦେକଥା ମୋ ରକ୍ତରରେ ନିଆଁ ଜାଳିଦିଏ । ତେଣୁ କହତ ବିଭୁକଲ୍ୟାଣ ମୁଁ ବଞ୍ଚିବି କେମିତି ? ଅନ୍ତତଃ ଜଣଙ୍କ ପାଖରେ ଦୁଃଖ କହି, ସୁଖ କହି ବଞ୍ଚିବାର ରାହାତ ଖୋଜି ନେବି । ରାହୁଲ ଥିଲେ ମୋ’ପାଇଁ ଆଉ କାହାର ଆଶ୍ରୟ ଲୋଡ଼ା ନ ଥିଲା ।

 

ଭାଇ-ଭାଉଜ ଭଲ ଆଖିରେ ଚନ୍ଦନ ମୋ ବନ୍ଧୁତ୍ୱ ଦେଖନ୍ତି ନାହିଁ । ଛକରେ, ପାନ ଦୋକାନରେ, ସିନେମା ହଲ୍‌ ଆଗରେ, କ୍ଲବରେ, କଲେଜ କ୍ୟାଣ୍ଟିନରେ ସବୁଠାରେ ଚନ୍ଦନ ଓ ମତେ କେନ୍ଦ୍ରକରି ଗୁଜବ ।

 

ସାଙ୍ଗମାନେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି । ଭାଇ ରାଗରେ ଦାନ୍ତ କଡ଼ମଡ଼ କରନ୍ତି । କିଛି କହନ୍ତି ନାହିଁ । ମୁଁ ତାଙ୍କର ଆଶ୍ରୟ ପ୍ରାର୍ଥିନୀ, ଅସହାୟା ଅଭିମାନୀ ଭଉଣୀ ବୋଲି । ଭାଉଜ ଅନେକଥର ମୁହଁ ଉପରେ କହିଛନ୍ତି–ଦେଖ ସ୍ମିତା ଭାଇ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରୁ ନାହାନ୍ତି । ଡଃ ଚନ୍ଦନ ସଙ୍ଗେ ତମର ଏତେଟା ମିଳାମିଶା ଭଲ ନୁହେଁ । ‘‘ଦିନେ କହିଲେ, ଆଜିକାଲି ତ ଦ୍ୱିତୀୟ ବିବାହ ଝିଅମାନଙ୍କ ପକ୍ଷରେ ନୂଆକଥା ନୁହେଁ–ତାଙ୍କୁ ଯଦି ବିବାହ କରିବାକୁ ଇଚ୍ଛା....’’

 

ମୁଁ ଚିତ୍କାର କଲାଭଳି କହିଲି ‘ଚୁପ୍‌ କର ଭାଉଜ–ଏତେ ମିନ୍‌ ତମେ... ।’ ଆଉ କିଛି କହିବା ପାଇଁ କଣ୍ଠରେ ମୋର ଭାଷା ନ ଥିଲା । ମୁଁ ପ୍ରାୟ ଦୌଡ଼ିଲା ଭଳି ଚନ୍ଦନଙ୍କ ଘରକୁ ଚାଲିଆସି ଅନେକ କାନ୍ଦିଲି–ଅନେକ କାନ୍ଦିଲି । ଶାନ୍ତ କଣ୍ଠରେ ଚନ୍ଦନ କହିଲେ–‘ସ୍ମିତା ! ବଞ୍ଚିବା ପାଇଁ ସହନଶୀଳତା ଏକମାତ୍ର ପାଥେୟ ।’

 

ବିଭୁକଲ୍ୟାଣ ! ସହି ସହି ମୁଁ ଅହଲ୍ୟା ପାଲଟି ଗଲିଣି । ବୁଝୁଛି ମୋର ମୁକ୍ତି ପାଇଁ ତମେ କେବେବି ରାମ ହୋଇ ପଦସ୍ପର୍ଶ ଦେବନାହିଁ । ତଥାପି ମୁଁ ବଞ୍ଚିଚି ତମରି ସ୍ମୃତିରେ, ରାହୁଲର ଆଖି ଲୁହରେ । ଚନ୍ଦନ ଓ ମତେ କେନ୍ଦ୍ରକରି, ଯେଉଁ ପ୍ରଚାର ତାହା ତମ କାନରେ ସେ କ’ଣ ପଡ଼େ ନାହିଁ ? ତମ ମନରେ ତା’ର ପ୍ରତିକ୍ରିୟା ମାପିବା ପାଇଁ ମୋର ଏକ ନିଷିଦ୍ଧ ଇଚ୍ଛା ଜନ୍ମ ନେଇଛି ।

 

ଚନ୍ଦନଙ୍କର ଅନେକ ଅର୍ଥ, ଅନେକ ପ୍ରତିପତ୍ତି । ତାଙ୍କ ନର୍ସିଂହୋମରେ ରୋଗୀଙ୍କ ଭିଡ଼ । ସହକାରୀ ଡାକ୍ତରଙ୍କ ସଂଖ୍ୟା ବଢ଼ିଛି । ତାଙ୍କ ବାପା ମଧ୍ୟ ରିଟାୟାର୍ଡ଼ ଡାକ୍ତର, ସେ ଦେଖାଶୁଣା କରନ୍ତି । ଡାକ୍ତର ପଟ୍ଟନାୟକ (ଚନ୍ଦନଙ୍କ ବାପା)ଙ୍କୁ କହି ଏଇ ସେବା ସଂସ୍ଥାରେ ସେବିକାର ସ୍ଥାନ ବାଛି ନେବି ବୋଲି ଭାବେ । କିନ୍ତୁ କ’ଣ ଭାବି ଅଯକି ଯାଏ ।

 

ଦିନେ ଚନ୍ଦନଙ୍କୁ ପଚାରିଲି, ଚନ୍ଦନ ତମେ ବିବାହ କରୁନ କାହିଁକି ?

 

ଚନ୍ଦନ ଅଳ୍ପ ହସି କହିଲେ, ଆବଶ୍ୟକ ମନେକରିନି । ଯେବେ ମନେକରିବି ସେତେବେଳେ ବିବାହ କରିବି । ଆଫ୍‌ଟାର ଫର୍ଟି । ଏବେ ନୁହେଁ ।

 

ମୁଁ ହସି ହସି କହିଲି, ରାହୁଲର ବାହାଘର ସଙ୍ଗେ ତମର ମଧ୍ୟ ହେବ । ମୁଁ ବୋହୂ ଖୋଜିବି । ଚନ୍ଦନ ନିଃଶବ୍ଦରେ ହସିଲେ କେବଳ ।

 

ବିଭୁକଲ୍ୟାଣ ! ରାହୁଲକୁ ଖୋଜିବାର ଅଧିକାର ତମେ ମୋ’ଠୁ ଲୁଣ୍ଠନ କରି ନେଇଛ–ଆଉ ତା’ପାଇଁ ମୋର ବୋହୂ ଖୋଜିବା ପ୍ରଶ୍ନ ହିଁ ଉଠେନା । ତଥାପି ମୋ ମନର ଇଚ୍ଛା ଆକାଂକ୍ଷାକୁ ମୁଁ ଏଇମିତି ଚନ୍ଦନ ଆଗରେ ପ୍ରକାଶ କରି ଆନନ୍ଦ ପାଏ ।

 

ସେଦିନ ଚନ୍ଦନକୁ ନର୍ସିଂହୋମରେ ନପାଇ ମୁଁ ଘରକୁ ଗଲି । ଚନ୍ଦନ ନାହାନ୍ତି । ତାଙ୍କ ବାପା ପୂଜାରେ ବସିଥିଲେ । ମତେ ଅପେକ୍ଷା କରିବାକୁ ସନାତନ (ପୂଜାରୀ) କହିଗଲା ।

 

ଡ୍ରଇଁ ରୁମରେ ଅପେକ୍ଷା କରିବାର କିଛି ସମୟ ପରେ ଡଃ ପଟ୍ଟନାୟକ ଆସିଲେ । ସେ କହିଲେ–ଗତକାଲି ରାତିରେ ଚନ୍ଦନ ଦିଲ୍ଲୀ ଗଲା । ସେଠାରୁ ସେ ପ୍ଲେନ୍‌ ଯୋଗେ ବିଲାତ ଚାଲିଯିବ-

 

ଉଦ୍‌ଗତ ବ୍ୟଥାକୁ ଚାପିନେଇ, ପ୍ରଶ୍ନକଲି, ଏଇ ଚାରିଦିନ ତଳେ ମାତ୍ର ମୁଁ ଆସିଥିଲି–ଚନ୍ଦନ ମତେ କିଛି କହି ନାହାନ୍ତି–ହଠାତ୍ ଏମିତି... ।

 

ଡଃ ପଟ୍ଟନାୟକ ଦୀର୍ଘଶ୍ୱାସ ଛାଡ଼ି ମୋ ହାତକୁ ଏକ ଖାମ ବଢ଼ାଇ ଦେଲେ, ସେ ଖାମରେ କେତୋଟି ଫଟୋଗ୍ରାଫ୍‌ ଓ ଗୋଟିଏ ଚିଠି ମୋ’ପାଇଁ । କେଜାଣି କାହିଁକି ଅପମାନ ଅଭିମାନରେ ମୋ ଆଖିପତା ଓଦା ହେଇ ଆସିଲା । ଚିଠି ପଢ଼ିଲି–ସୀତା !

 

‘ସ୍ମିତା’ ନ ଲେଖି ‘ସୀତା’ ଲେଖିଚି । କାରଣ ସ୍ମିତାର ଖୋଳ ଭିତରେ ସୀତାର ମନ ତମର ବହୁତ ଦୁଃଖିନୀ ।

 

ତମେ ମତେ ବନ୍ଧୁଭାବେ ଗ୍ରହଣ କରିଛ । ତମରି ଦୁଃଖ ଯନ୍ତ୍ରଣାର ଉତ୍ତାପ ମୁଁ ମୋ ମନର ଥର୍ମୋମିଟରରେ ମାପି ନେବାରେ ଆନନ୍ଦ ପାଏ କି ବ୍ୟଥା ପାଏ ମୁଁ ଜାଣେ । ତମକୁ ଜାଣିବାକୁ ଦେଇନି ।

 

ମୋ ଜୀବନର ସତ୍ୟ ଆଜି ଆମ ନିକଟରେ ପ୍ରକାଶ କରୁଚି । ମୁଁ ଡଃ ପଟ୍ଟନାୟକଙ୍କ ଜନ୍ମିତ ପୁତ୍ର ନୁହେଁ–ପାଳିତ ପୁତ୍ର । ମୋର ବାପା କିଏ ମୁଁ ନିଜେ ଜାଣେନା । ସେ ମତେ ପିତା ମାତା ଉଭୟର ମମତା ଦେଇ ବଢ଼ାଇଛନ୍ତି । ମୋରି ଭଳି ସେ ମଧ୍ୟ ବ୍ୟାଚଲର ।

 

ତମ ସହ ମୋର ବିବାହ ପ୍ରସ୍ତାବ ପଡ଼ିଥିଲା । ବାପା ତମଘରୁ ଫେରି ସେ ପ୍ରସ୍ତାବ ଭାଙ୍ଗି ଦେଲେ । ତମର ବିବାହ ହେଲା–ବିଚ୍ଛେଦ ମଧ୍ୟ ହେଲା । ମୁଁ କମ୍‌ ଯନ୍ତ୍ରଣା ପାଇନି ଏ ସମ୍ବାଦରେ । କାରଣ–କାରଣ ତମେ ଜାଣନି । ଏସବୁ ଫଟୋଗ୍ରାଫ୍‌ ତା’ର ସାକ୍ଷୀ ।

 

ତମ ମା’ଙ୍କର ମୁଁ କୁମାରୀ ସନ୍ତାନ । ସେ ପାପକୁ ଢାଙ୍କିବା ପାଇଁ ମୋର ପାଳକ ପିତାଙ୍କ କ୍ଳିନିକରେ ମୁଁ ଜନ୍ମ ନେଲି । ମା’ଙ୍କୁ ନେଇ ତମ ଅଜା ଫେରିଗଲେ । ମୁଁ ଡାକ୍ତର ପଟ୍ଟନାୟକଙ୍କ ପୁତ୍ର ରୂପେ ବଢ଼ିଲି । ତମ ଘରେ ତମ ମା’ଙ୍କ ଫଟୋଦେଖି ବାପା ଚିହ୍ନିଲେ ତମ ମା’ ଓ ମୋ ମା’ ଜଣେ-। ଏ ବିବାହ କିମିତି ସମ୍ଭବ ହୋଇଥାନ୍ତା ??

 

ସୀତା ଦୁଃଖିନୀ ଭଉଣୀ ମୋର, ମୁଁ ଆଜି ଭାରତଠାରୁ ବହୁତ ଦୂରକୁ ଚାଲି ଯାଉଚି । କିଶଳୟର ପରିବାରରେ ତୋର ମମତା, ତୋର ସ୍ଥାନର ଅତୁଟ ସମ୍ପର୍କ ପାଇଁ । ଆମେ ତ ଦୁନିଆକୁ ଭାଇ ଭଉଣୀ ବୋଲି ପରିଚୟ ଦେଇପାରିବା ନାହିଁ ।

 

ଆମର ସମ୍ପର୍କକୁ ସନ୍ଦେହର କୁହେଳୀ ଭିତରେ ରଖି ସମାଜରେ ଉପହସିତ ହେବାଠାରୁ ନିର୍ବାସିତ ଜୀବନକୁ ମୁଁ ବାଛି ନେଲି । ତୋ’ପାଇଁ ଛାଡ଼ି ଯାଉଛି ନିଃସଙ୍ଗତାର ଅନେକ ବ୍ୟଥା....ଭାଇକୁ ପାଇ ହରାଇବାର ଅନେକ ଯନ୍ତ୍ରଣା । ବଞ୍ଚିବା ପାଇଁ ସହନଶୀଳତା ଏକମାତ୍ର ପାଥେୟ, ଏତିକି ମନେରଖି ମତେ କ୍ଷମା କରିବୁ ।

 

। ଇତି ।

ତୋର ଭାଇ

 

ଆଖିରେ ମୋର ଲୁହ ନ ଥିଲା । ମନ ଭିତରେ କିମିତି ଏକ ଫାଙ୍କା ଫାଙ୍କା ଭାବ । ଫଟୋଗ୍ରାଫ୍‍ଗୁଡ଼ିକୁ ଚାହିଁଲି । ମା’ ଠିଆ ହେଇଛନ୍ତି । କୋଳରେ ଏକ ନବ ଜାତକ, ପାଖରେ ଅଜା ଓ ଡଃ ପଟ୍ଟନାୟକ ।

 

ଏ ଯୁଗର ଯନ୍ତ୍ରଣା ଜର୍ଜରୀତା ସୀତା ମୁଁ । ମୋ’ପାଇଁ ପୃଥିବୀ ଫାଟିଲା ନାହିଁ । ଲବ-କୁଶର ମା’ ମା’ ଡାକରେ, ରାମଙ୍କର ସୀତା ସୀତା ଆହ୍ୱାନରେ ଅଭିମାନର ଅତଳ ଗହ୍ୱରରେ ମୁଁ ପଶିପାରିଲି ନାହିଁ । ସବୁ ଲୁହ, କୋହ, ଯନ୍ତ୍ରଣା ଭିତରେ ମୁଁ ପଥର ପାଲଟି ଯାଇଚି ।

Image

 

ଊହ୍ୟ

 

ଆକସ୍ମିକ ! ୟାକୁହି କହନ୍ତି ଦୈବୀ ଦଣ୍ଡ ଅବା ଦୁର୍ବିପାକ ।

 

ଦୈବ ବୋଲି ଯେଉଁ ଅଦୃଶ୍ୟ ଶକ୍ତି ଅଛି (କି ନ ଅଛି କିଏ ଜାଣେ !) ସେ ଏଇମିତି ଅତି ଆକସ୍ମିକଭାବେ ତା’ର ମନର ଓରିମାନା ମେଣ୍ଟାଇଥାଏ । ତା’ କବଳରୁ କାହାର ରକ୍ଷା ନାହିଁ, ନା ସବଳ ନା ଦୁର୍ବଳ–ନା ନିରୀହ ନା ଦୁର୍ଦ୍ଧର୍ଷ ! ଦୈବୀ ସର୍ବଜୟୀ ସେଇଥିପାଇଁ ସେ ତା’ର ଆକସ୍ମିକ ଦଣ୍ଡବିଧାନ କରିପାରିଥିଲା ନିରଳସ ନିରଙ୍କୁଶ କୃପାନିଧି ବାବୁଙ୍କ ଉପରେ ।

 

ଜୀବନର ବାଆସ୍ତରୀଟି ଗ୍ରୀଷ୍ମଦଗ୍‌ଧ ରୁକ୍ଷ ପ୍ରାନ୍ତର ସେ ଅତିକ୍ରମ କରି ଆସିଥିଲେ । ଅବଶତା ନାହିଁ–କେବଳ କର୍ମ–କର୍ମ–କର୍ମ । ପ୍ରଥମେ ଫଳର ହିସାବ ନିକାଶ–ତା’ପରେ କର୍ମଯୋଗର ଆରମ୍ଭ କରି ସେ ତାଙ୍କ ଜୀବନରେ ଏକ ନୂତନ ଗୀତାର ଅଧ୍ୟାୟ ସୃଷ୍ଟି କରିପାରିଥିଲେ ।

 

ଏଇ ସେ କୃପାନିଧି ବାବୁ । ଆଜି ଶଯ୍ୟାଶାୟୀ । ରୋଗ ଯେ କେମିତି ତାଙ୍କ ଟାଣୁଆ ଦେହ ଓ ମନକୁ ଜୟ କରିପାରିଲା ତାହା ଏକ ବିସ୍ମୟ ।

 

ବଡ଼ ନାଟକୀୟଭାବେ ତାଙ୍କୁ ଏହି ବ୍ୟାଧି ଆକ୍ରମଣ କରିଥିଲା । ଭାତଗୁଣ୍ଡା ସଙ୍ଗେ ତାଙ୍କର ‘ପଲିସ୍‌ଟିଥ୍‌’ ପେଟ ଭିତରକୁ ଚାଲିଯାଇ ଯନ୍ତ୍ରଣା ହେଲା; ରକ୍ତସ୍ରାବ ହେଲା । ଲୁହା ଖାଇ ହଜମ କରିଦେବା ବ୍ୟକ୍ତି କୃପାନିଧି ବାବୁ ପାଣି ବି ପିଇ ପାରିଲେନି । ସମସ୍ତେ ପ୍ରମାଦ ଗଣିଲେ । ଡାକ୍ତର ଆସିଲେ (ଅର୍ଥାତ୍‍ ତାଙ୍କୁ ଡାକ୍ତରଖାନାକୁ ଯିବାକୁ ପଡ଼ିଲାନି–ଶିଳ୍ପପତି କୃପାନିଧି ରାୟ ଚୌଧୁରୀଙ୍କୁ ଦେଖିବା ପାଇଁ ଡାକ୍ତରମାନେ ନିଜକୁ ସୌଭାଗ୍ୟବାନ ମନେ କରନ୍ତି !) ସବୁଠୁ ବଡ଼ ବିସ୍ମୟ ଓ କୌତୂହଳର କଥା ଯେ ତାଙ୍କ ମୁହଁରେ ଯନ୍ତ୍ରଣାର ଏକ କ୍ଷୀଣ ରେଖା ମଧ୍ୟ ଫୁଟି ଉଠୁ ନ ଥିଲା । ସେ ନିର୍ଲିପ୍ତ କଣ୍ଠରେ କହୁଥିଲେ ନାଁ–ମୋର କିଛି ହୋଇନି–ସେସବୁ ଆପେ ଠିକ୍‍ ହୋଇଯିବ ଡକ୍ଟର । ତା’ପରେ ବୟସ ହେଲାଣି ।

 

ପୁଅମାନେ ଚାହାଁନ୍ତି ସଙ୍ଗେ ସଙ୍ଗେ ତାଙ୍କୁ ଭେଲୋର ନେଇଯିବେ । ଏତେ ବର୍ଷ ପରେ ବାପାଙ୍କର କିଛି ଗୋଟାଏ ରୋଗ ହେଇଚି–ରାଜକୀୟ ଆଡ଼ମ୍ବର ଭିତରେ ଚିକିତ୍ସା ହେବ । ଦର୍କାର ପଡ଼ିଲେ ତାଙ୍କୁ ରୁଷିଆ, ଆମେରିକା ଅବା ଲଣ୍ଡନ ନେଇ ପାରନ୍ତି । ଏଇ ଏକମାତ୍ର ସୁଯୋଗ–ବାପାଙ୍କର ସେବା କରିବାର–ବାପାଙ୍କର ପ୍ରିୟପୁତ୍ର ହେବାର ଓ ଅଯଥା ବାପାଙ୍କୁ ଏଇଟା ଖା, ବା ସେଇଟା କର–ଉଠନି ଶୋଇ ରହ–ଅମୁକଟା ଦେଖ, ସମୁକଟା ଦେଖନି ଔଷଧ ଖାଅ ଇତ୍ୟାଦି ନିର୍ଦ୍ଦେଶ ଦେବା–ଯେଉଁଟା କି ବାପାଙ୍କର ସୁସ୍ଥଥିବା ଅବସ୍ଥାରେ ଆଦୌ ସମ୍ଭବ ହୋଇପାରିନଥିଲା । ସମ୍ଭବ ବି ନୁହେଁ ।

 

ଜୀବନବ୍ୟାପୀ କୃପାନିଧି ବାବୁ କେବଳ ନିର୍ଦ୍ଦେଶ ଦେଇ ଆସିଛନ୍ତି କାହାରି ନିର୍ଦ୍ଦେଶରେ ଚାଲି ନାହାନ୍ତି । ସ୍ତ୍ରୀ, ପୁଅ, ଝିଅ ବୋହୂ–ସମସ୍ତଙ୍କର ସେବା କରି ଆସିଛନ୍ତି, କାହାକୁ ସେବା କରିବାର ସୁଯୋଗ ଦେଇ ନାହାଁନ୍ତି । ସେ ଜଣେ ସ୍ୱୟଂ–ସମ୍ପୂର୍ଣ୍ଣ ବ୍ୟକ୍ତି । ସେ କାହାରି ଦୟା ଚାହାଁନ୍ତିନି–କରୁଣା ଚାହାଁନ୍ତିନି–ଅଯଥା ସହାନୁଭୂତି ଅବା ଲୋକଦେଖାଣିଆ ଶିଷ୍ଟାଚାର ବି ଚାହାଁନ୍ତିନି-

 

ଲୋକେ କହନ୍ତି, ସେ ଭାରି ରୋକ୍‌ଠୋକ୍‌ ଲୋକ–ଯାହା ନ୍ୟାୟସଙ୍ଗତ, ଯାହା ଉଚିତ, ଯାହା କର୍ତ୍ତବ୍ୟ, ସେଥିରେ କେହି ଖିଲାପ କଲେ ସେ ଭୟଙ୍କର ହୋଇ ଉଠନ୍ତି । ତାଙ୍କ ଫ୍ୟାକ୍ଟରୀର ଶ୍ରମିକ ସୁପରଭାଇଜର, ମ୍ୟାନେଜର ଓ ନିଜର ସ୍ତ୍ରୀ ସମସ୍ତେ ସମାନ । କେହି ତାଙ୍କ ବାକ୍ୟବାଣରୁ ବାଦ୍‌ ଯାଆନ୍ତିନି । କିନ୍ତୁ ଯେତିକି ପ୍ରାପ୍ୟ ତା’ଠୁଁ ଅଧିକ ସେ ଚାହାଁନ୍ତିନି ।

 

ଆଜି ଯେମିତି ସେଇ ସୁଯୋଗର ଦିନ ଆସିଚି ! ଶ୍ରମିକମାନେ ଟିକିଏ ଅଧିକ ଶ୍ରଦ୍ଧା ଓ ଭକ୍ତି ଦେଖାଇ ପାରିବେ–ମ୍ୟାନେଜର ଅଯଥା ଉପଦେଶ ଦେବେ–ସ୍ତ୍ରୀ ଅଯଥା ଅଧିକ ଯତ୍ନ ନେଇ ପାରିବେ–ପୁଅମାନେ ଅଧିକ କର୍ମସଚେତନ ବୋହୂମାନେ ଅଧିକ ସେବାପରାୟଣ ଓ ଝିଅମାନେ ଅଧିକ ସ୍ନେହବତ୍ସଳା ହୋଇପାରିବେ ! ସମସ୍ତଙ୍କପାଇଁ ଏକ ଦୁର୍ଜୟ ହୃଦୟଟିକୁ ଜୟ କରିବାର ଏଇ ଏକମାତ୍ର ସୁଯୋଗ !

 

କୃପାନିଧି ବାବୁ ସମସ୍ତଙ୍କ ମନର ପାଣ୍ଡୁଲିପି ପଢ଼ି ସାରିଛନ୍ତି । ତେଣୁ ସେ ଚାହୁଁଛନ୍ତି କାହାର ସାହାଯ୍ୟ, ସହାନୁଭୂତି, ସେବା । କ’ଣ ଦର୍କାର ? ମୃତ୍ୟୁ ଆସିବ–ଆସୁ । ତା’ପାଇଁ ଏତେ ଭୟ କାହିଁକି ? ସତର୍କତା କାହିଁକି ?? ସେ ଭେଲୋର ଯିବେ ବା କାହିଁକି ? କ’ଣ ବା ତାଙ୍କର ହେଇଚି ??

 

ସ୍ତ୍ରୀ ବୁଝାଉଛନ୍ତି–ସବୁଦିନେ ତମର ସେଇ ଏକାକଥା–ଏକବାଗିଆ ଏକଜିଦିଆ ନୀତି । ତମର ଭଗବାନ୍‌ କ’ଣ ଅଭାବ କରିଛନ୍ତି–ଚାରି ଚାରିଟା ଧନୁର୍ଦ୍ଧର ପୁଅ–ସରଗର ଚାନ୍ଦ କହିଲେ ଆଣିଦେବାକୁ ଗୋଡ଼ ଟେକି ବସିଛନ୍ତି । ଭେଲୋର ଯିବାକୁ ମନାକରୁଛ କାହିଁକି ? ଜୀବନସାରା ଖଟି ଖଟି ଏତେ ଟଙ୍କା ସଞ୍ଚୟ କରିଚ–ଲୋକେ କ’ଣ କହିବେ ? ସ୍ତ୍ରୀ ଅଧିକଭାବେ ଗେହ୍ଲେଇ ହେଉଛନ୍ତି, ତୋସାମଦ କରୁଛନ୍ତି ।

 

ପୁଅମାନେ ଆସି ବୁଝାଉଛନ୍ତି, ଆମକୁ ଲୋକ କ’ଣ କହିବେ ? ଅମୁକ ରାୟ ଚୌଧୁରୀ ଏତେ ଟଙ୍କା ରୋଜଗାର କରି ରଖି ଯାଇଛି–ତା’ ପୁଅଗୁଡା ଏଡ଼େ ଅକୃତଜ୍ଞ–ତାକୁ ଡାକ୍ତର ଦେଖେଇଲେନି–କୁଆଡ଼େ ନେଲେନି ଛିଃ–ଛିଃ । ସେଗୁଡ଼ା ଆମେ ସହିପାରିବୁନି ବାପା–ତମେ ଅବୁଝା ହୁଅନି–କାଲି ଭେଲୋର ଯିବାକୁ ରାଜି ହୋଇଯାଅ ।

 

ବଡ଼ଝିଅ ବାହା ହୋଇଯାଇଚି । ସ୍ୱାମୀ ତା’ର ସମ୍ବଲପୁର ଜିଲ୍ଲାପାଳ । ଗାଡ଼ି କୋଠା ସବୁ ଅଛି । ତଥାପି ସେ ତା’ର ରୁଗ୍‌ଣ ପିତାର ନିରାପତ୍ତାପାଇଁ ବ୍ୟଗ୍ର ହୋଇ ଚିଠି ଲେଖିଛି–‘‘ତମ ଦେହ ଖରାପ ଶୁଣି ମୁଁ ଭୀଷଣଭାବେ ମର୍ମାହତ, ଶୀଘ୍ର ଚିକିତ୍ସାର ବ୍ୟବସ୍ଥା କର । ଯଦି ଡେରି ହେଉଥାଏ ଆମକୁ ଲେଖିଲେ ଆମେ ନିଜେ ଗାଡ଼ି ନେଇ ଯାଇ ତମକୁ ଏଠାକୁ ନେଇ ଆସିବୁ–ବୁର୍ଲାରେ ଚିକିତ୍ସା କରାଇବା ।’’

 

ସୀନଝିଅ ବାହା ହେଇନି–ମହିଳା କଲେଜରେ ଇତିହାସ ଅଧ୍ୟାପିକା ।

 

କୃପାନିଧି ବାବୁଙ୍କର କୋଡ଼ପୋଛା ଗେହ୍ଲା ଝିଅ ସେ । ତାଙ୍କ ଆଗରେ ସେ ଏବେ ବି ଫ୍ରକ ପିନ୍ଧା କିଶୋରୀ ପରି ଚପଳ–ପ୍ରଗ୍‌ଳଭ–ଅଲ୍ୟଳ । ସେଇ ସାନଝିଅ ଆସି ଗେହ୍ଲେଇ ହେଇ କହୁଚି–ବାପା, ସୁନାପିଲା ପରି ମୋ କଥା ମାନି କାଲି ଭେଲୋର ଯାଅ । ତମର ଯଦି ସତରେ କ’ଣ ହେଇଯାଏ–ଆଇ ମିନ୍‌ ଗଡ଼ ସେଭ୍‌ ମାଇଁ ଫାଦର–ବାପା–ମତେ ଚାହଁ, ମୁଁ କିମିତି ବଞ୍ଚିବି ? ମତେ ତମପରି କିଏ ଏତେ ଆଦର ମମତା ଦେବ ? ବାପା, ପ୍ଳିଜ୍‌ ବାପା..... ।

 

ବୋହୂମାନେ ପାଖକୁ ଆସୁଛନ୍ତି କିଛି କହୁନାହାନ୍ତି । ସେମାନେ ହୁଏତ ଚାହାଁନ୍ତି ବାପା ଏଇଠି ଏଇ କଟକର କେଶରପୁରସ୍ଥ ଘରେ ରହନ୍ତୁ । ବଡ଼ ବଡ଼ ଡାକ୍ତର ଆସନ୍ତୁ–ଚିକିତ୍ସା ଚାଲୁ–ସେମାନେ ଆଦର ଯତ୍ନରେ ଊଣା କରିବେନି, ସେବା କରିବାରେ ଅବହେଳା କରିବେନି । ହସପିଟାଲ ନ ଯା’ନ୍ତୁ ଲୋକେ ଯେମ୍‌ତି କହିବାର ସୁଯୋଗ ପାଇବେନି, ଦେଖ ହେ କୃପାନିଧି ବାବୁଟା ବୋହୂଗୁଡ଼ାଙ୍କୁ ଏତେ ଭଲରେ ରଖିଥିଲା–ଏତେ ଫାସିଲିଟି ଦେଇଥିଲା–ସେ ରୋଗରେ ପଡ଼ିଲା ଯେ ଏମାନେ ତାକୁ ନର୍ସ ହାତରେ ଟେକିଦେଲେ କି ବୋହୂ ଏଗୁଡ଼ାକ !’’

 

କୃପାନିଧି ବାବୁ ସବୁ ବୁଝନ୍ତି; ମନେ ମନେ ହସନ୍ତି–ଖାଲି ସ୍ୱାର୍ଥ–ଅହମିକା ବୃଥା–ଆଡ଼ମ୍ବର । କେହି ତାଙ୍କ ଅସୁସ୍ଥତା ପାଇଁ ବ୍ୟସ୍ତ ନୁହଁନ୍ତି–ଖାଲି ନିଜର ଟଙ୍କା–ନିଜର ବଡ଼ପଣିଆ ଦେଖାଇ ହେବାର, ନିଜକୁ ପ୍ରିୟ କରାଇବାର, ସମାଜର ସମାଲୋଚନା ଫାଙ୍କି ମାରିବାର ଇଏ ଗୋଟାଏ ଫନ୍ଦି । ଖାଲି ସ୍ୱାର୍ଥ–ସ୍ୱାର୍ଥ । ନିଜକୁ ଭଲ ବୋଲି ଦେଖାଇ ହେବାର ଏ ଏକ ଚାଲ୍‌ ।

 

କୃପାନନିଧି ବାବୁ ସ୍ପଷ୍ଟଭାବେ ମନାକରିଦେଲେ ସେ କୁଆଡ଼େ ଯିବେନି । ସୁସ୍ଥ ଅବସ୍ଥାରେ ତାଙ୍କ କଥାପଦେ ବେଦର ଗାର; କିନ୍ତୁ ଅସୁସ୍ଥାବସ୍ଥାରେ । କିଏ ଶୁଣୁଛି ତାଙ୍କର ବାରଣ ? ଅଗତ୍ୟା କୃପାନିଧି ବାବୁ ଚିକିତ୍ସା ପାଇଁ ଭେଲୋର ନିଆଗଲେ ଏବଂ ଅପରେସନ୍‌ର ପନ୍ଦରଦିନ ବାଦ୍‌ ନିଜର କେଶରପୁରସ୍ଥ ବାସଭବନକୁ ପ୍ରତ୍ୟାବର୍ତ୍ତନ କଲେ ।

 

ରୋଗ ଭଲ ହେଇଚି । କିନ୍ତୁ ଅପରେସନ୍‌ ଜନିତ ଦୁର୍ବଳତା ଆହୁରି କଟିନି । ଡାକ୍ତର କହିଛନ୍ତି, ପୂରା ତିନିମାସ ରେଷ୍ଟ–ସେ ଶୋଇରହିବେ ।

 

କେତେ ବା ଶୋଇବେ ସେ ? ଆଲମିରାର ସବୁ ବହି ସରିଲାଣି । ଏମିତିକି ନାତିନାତୁଣୀଙ୍କର ଛବିବହିଠାରୁ ଆରମ୍ଭ କରି ‘କିଏ କ’ଣ କାହିଁକି’ ଇତ୍ୟାଦି ବିଜ୍ଞାନ ଇତିହାସ, ଭୂଗୋଳ ବହି ମଧ୍ୟ ବାଦ୍ ଯାଇନି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବଡ଼ ନାତି ଏବେ ସବୁଦିନ ତା’ ସାଙ୍ଗମାନଙ୍କଠୁ ରବିନ୍‌ ସିରିଜ୍‌, ବିଜୟ ସିରିଜ୍‌, ଲାଲ ସିରିଜ୍‌ ଇତ୍ୟାଦି ଡିଟେକ୍‌ଟିଭ୍‌ ବହି ମାଗିଆଣି ଦେଉଚି । ତଥାପି ସମୟ ବଳୁଚି । ସ୍ତ୍ରୀ, ବୋହୂ, ଝିଅ ସମସ୍ତଙ୍କର କାମ ବଢ଼ିଚି–ବାପା କିମିତି ଶୀଘ୍ର ସୁସ୍ଥ ହେବେ ।

 

ସମସ୍ତେ କର୍ମତତ୍ପର । କୃପାନିଧି ବାବୁ ବହି ନ ପଢ଼ିଲା ବେଳେ ତ ତାଙ୍କପ୍ରତି ସମସ୍ତଙ୍କର ବ୍ୟବହାରକୁ ମନେ ମନେ ବସି ତର୍ଜ୍ଜମା କରନ୍ତି ।

 

ବଡବୋହୂ ଆସେ ପାଖ ଚୌକିରେ ବସେ । ବାପାଙ୍କୁ ଶୋଇ ଶୋଇ ବୋର୍‌ ଲାଗୁଥିବ–ତେଣୁ ସେ ଗପେ, ରାଜନୀତି ଚର୍ଚ୍ଚାକରେ ଡାକ୍ତରମାନେ କିମିତି ଅପାରଗ, ସାମାନ୍ୟ ଦାନ୍ତଟାଏ ପେଟକୁ ଚାଲିଗଲା ବୋଲି ତାଙ୍କୁ ଏତେ କଷ୍ଟ ଦେଲେ ଇତ୍ୟାଦି । କୃପାନିଧି ବାବୁ ଉଠିଲେ ଜୋର୍‌କରି ସେ ତାଙ୍କୁ ଶୁଆଇପକାଏ–ଆପଣ ଆଦୌ ଉଠନ୍ତୁନି ବାପା ଖବରକାଗଜ ଦକାର ତ–ଆରେ ହେ ସନିଆ–ଏଠି କାଗଜଟା ବାପାଙ୍କୁ ଦେଇଯା ତ । ଆଉ କ’ଣ ଚା’ ? ସାନୀ (ମଝିଆଁବୋହୂ ଉଦ୍ଦେଶ୍ୟରେ) ବାପାଙ୍କପାଇଁ ଆଉ କପେ ଚା’ ନେଇଆ ତ ! କ’ଣ କହିଲେ ? ପିଲାମାନେ ? ହଁ ସେମାନଙ୍କ ଖାଇବା କଥା ମା’ ବୁଝୁଛନ୍ତି । –ଓଃ ବାପା–ଆପଣ ପୁଣି ଉଠିଲେ । ସେ ଧୋତି ଯିଏହେଲେ ଆଲଣାରେ ଚଉତି ରଖିଦେବନି–ଆପଣ ଶୋଇରହନ୍ତୁ ।

 

ବଡ଼ମଝିଆଁବୋହୂ ଆସେ ଠିକ୍‌ ସମୟରେ ଔଷଧ ପଥ୍ୟ ନେଇ । ବାପାଙ୍କ ରୁମ୍‍ଟା ଟିପ୍‌ଟପ୍‌ ରଖିବା ଯେମିତି ତା’ର କର୍ତ୍ତବ୍ୟ କେହି ଯଦି ସେଥିରେ ହସ୍ତକ୍ଷେପ କରେ ସେ କ୍ଷୁଣ୍ଣ ହୁଏ ।

 

ସାନମଝିଆବୋହୂ ଭାରି ଡରେ କୃପାନିଧି ବାବୁଙ୍କୁ । ସେ ତାଙ୍କ ସାମନାକୁ ଆସିବାକୁ ସାହସ କରେନି । ସେ ତ ରୋକ୍‍ ଠୋକ୍‌ ଲୋକ–କେତେବେଳେ କ’ଣ ମୁହେଁ ମୁହେଁ କହିଦେବେ କିଛି ଅଠିକଣା ଦେଖିଲେ । କାଦୁଅରେ ପଶିବ କାହିଁକି ଗୋଡ଼ ଧୋଇବ କାହିଁକି ?

 

କିନ୍ତୁ ବାପାଙ୍କର ଯେତେବେଳେ କିଛି ଗୋଟାଏ ଅଘଟଣ ଘଟିଛି ଏମିତି କରଛଡ଼ା ଭାବ ଦେଖାଇବା ନିହାତି ଅନ୍ୟାୟ; ଅସଙ୍ଗତ ମଧ୍ୟ । ସେ ପୃଥିବୀର ସବୁ ଦେବାଦେବୀଙ୍କୁ ବିକଳରେ ଡାକିପକାଏ, ହେ ଭଗବାନ୍‌–ଭଗବତୀ ବାପାଙ୍କୁ ଶୀଘ୍ର ରୋଗମୁକ୍ତ କରିଦିଅ । ପ୍ରତ୍ୟହ ସେ ଘରର ଇଷ୍ଟଦେବୀଙ୍କ ଶିରରେ ଫୁଲ ଚଢ଼ାଏ–ଦାମୀ ଦାମୀ ଧୂପବତୀ ଜଳାଏ । ଅଗୁରୁ ଝୁଣାଗନ୍ଧ ଠାକୁରଘର ଟପି ଡ୍ରଇଂରୁମ୍‌କୁ ମଧ୍ୟ ଆମୋଦିତ କରେ । ତା’ପରେ ସେ ଡ୍ରାଇଭରକୁ ଗାଡ଼ି କାଢ଼ିବାକୁ ବରାଦ କରେ ଓ ଚଣ୍ଡୀମନ୍ଦିର ଯାଇ ପ୍ରତ୍ୟହ ଦଶଟଙ୍କାର ଭୋଗ କରି ଭିକାରୀମାନଙ୍କୁ ବାଣ୍ଟିଦିଏ ।

 

ସାନପୁଅ ଆଇ.ଏ.ଏସ. ଅଫିସର । ଏବେ ବର୍ଷେ ହେଲା ବାହା ହେଇ ସେ ପଶ୍ଚିମବଙ୍ଗରେ ଅଛି । ବାପାଙ୍କ ଶରୀର ଅସୁସ୍ଥ ଥିବା ସମ୍ବାଦ ପାଇ ସେ ଦୁଃଖରେ ଭାଙ୍ଗିପଡ଼ି ଚିଠି ଦେଇଛି–କାମର ଚାପା ଏତେ ଯେ ସେ ଆସି ନ ପାରି ଦୁଃଖିତ (ଛାଡ଼ ପିତୃକାର୍ଯ୍ୟ, କର ରାଜକାର୍ଯ୍ୟ) । ଏତେବେଳେ ସାନବୋହୂ ସୁନୀତା ସେଠାରେ ଥିଲେ ମା’ଙ୍କୁ କାମରେ କେତେ ସାହାଯ୍ୟ କରିପାରିଥା’ନ୍ତା ଓ ବାପାଙ୍କର ସେବା କରିଥା’ନ୍ତା ! ଆସି ନ ପାରି ଡେଣା କଟା ପକ୍ଷୀପରି ସେ ଛଟପଟ ହେଉଚି ।

 

ଅନ୍ୟ ପୁଅ ତିନିଜଣ ଫ୍ୟାକ୍ଟେରୀ କାମ ବୁଝୁଛନ୍ତି । ଫ୍ୟାକ୍ଟେରୀରୁ ପ୍ରତି ଘଣ୍ଟାଏ ଅନ୍ତରରେ ଫୋନ୍‌କରି ବାପାଙ୍କ ସ୍ୱାସ୍ଥ୍ୟକଥା ବୁଝୁଛନ୍ତି ଘରକୁ ଫେରିଲାବେଳେ ଝୁଡ଼ି ଝୁଡ଼ି ଫଳ–ପ୍ରକାର ପ୍ରକାର ଜୁସ୍‌ ବାପାଙ୍କ ପାଇଁ–ଚେକ୍‌ଅପ୍‌ କରେଇବାକୁ ନାମ କରା ଡାକ୍ତର । ଅଯଥା ସ୍ତ୍ରୀମାନଙ୍କ ଉପରେ ପାଟିତୁଣ୍ଡ ହଇ ହଲ୍ଲା–‘‘ବାପାଙ୍କୁ ଠିକ୍‌ ସମୟରେ ଔଷଧ ଦିଆ ହୋଇଚି କି ନା–ଖାଇବାକୁ କ’ଣ ଦେଇଛ ଇତ୍ୟାଦି ।’’

 

ସାନଝିଅ ଆସି ବାପାଙ୍କ ମନ ଖୁସି ରଖିବାକୁ ଖୁସି ଗପ କହୁଚି । କହୁଚି, ବାପା ତମେ ଏଇ କୋଡ଼ିଏ ଦିନରେ ବହୁତ ଶୁଖି ଯାଇଛ–ବହୁତ.... । ଏକା ପତ୍ନୀ ଶାନ୍ତିମୟୀ ସେଇ ରୋଷେଇ ଘରେ–ଚାକର ପୂଝାରିମାନଙ୍କ ସଙ୍ଗେ କାମରେ ଲାଗିଛି–ଏତେବଡ଼ ସଂସାରର ଦାୟିତ୍ୱ ତାଙ୍କରି ମୁଣ୍ଡରେ ।

 

କୃପାନିଧି ବାବୁ ଫ୍ୟାକ୍ଟରୀ ଯାଉଥିଲେ, ଡେରିରେ ଫେରୁଥିଲେ ନାତି ନାତୁଣୀଙ୍କ ସଙ୍ଗେ ଖେଳୁଥିଲେ–ପୁଅ ବୋହୂଙ୍କୁ ଶାସନ କରୁଥିଲେ–କ’ଣ କରିବା ନ କରିବା ଉଚିତ ସ୍ତ୍ରୀଙ୍କୁ ବୁଝାଉଥିଲେ । ଏଇମିତି ତାଙ୍କର ଜୀବନ ସ୍ରୋତ ବହିଚାଲିଥିଲା । ତେଣୁ ଏ ପରିବାରରେ କାହାର ଅସଲ ଚେହେରା ଦେଖିବାର ଅବକାଶ ସେ ପାଇ ନ ଥିଲେ । ଏବେ ରୋଗରେ ପଡ଼ି ସବୁ ଦେଖି ଶୁଣି ତାଙ୍କୁ ଭାରି ଖାପଛଡ଼ା ଲାଗୁଚି । ଏସବୁ କରିବାର କ’ଣ ମାନେ ?

 

ଏକୋଇଶି ଦିନ ସକାଳୁ ଘରର ସମସ୍ତେ ଅବାକ୍‌ ହେଇ ଚାହିଁଛନ୍ତି–କୃପାନିଧି ବାବୁ ବ୍ରେକ୍‌ଫାଷ୍ଟ ଖାଇସାରି ଗାଡ଼ିନେଇ ପ୍ୟାକ୍ଟେରୀକୁ ବାହାରିଗଲେ ।

Image

 

ମଧ୍ୟାହ୍ନର ସ୍ୱରଲିପି

 

ତମର ସ୍ୱପ୍ନ ସଫଳ ହେଉ ।

 

ଅନେକଙ୍କ ଆଶା ଆକାଂକ୍ଷାର ପରିଧି ତମର କେନ୍ଦ୍ରବିନ୍ଦୁର ଚାରିକଡ଼େ ଘୂରିବୁଲୁ । ତମ ଶାନ୍ତିସନ୍ତୋଷର ବ୍ୟାସ ମୋ ମନର ସକଳ ଶାନ୍ତିସନ୍ତୋଷର ଆକ୍ଷାଂଶ ଦ୍ରାଘିମାକୁ ଭେଦକରି ବଢ଼ିଚାଲୁ ।

 

ସବୁ ପ୍ରତାରିତ ପ୍ରେମିକ ଭଳି ମୁଁ ଉଦାର ଓ ନିର୍ବିକାରଭାବେ ତମର ସୁଖୀ ଜୀବନ କାମନା କରୁଚି ।

 

ପ୍ରତାରଣା ମଣିଷକୁ ଦେବତା କରେ, ଅସୁର କରେ ।

 

ପ୍ରେମ ଯେମିତି ଦାନବକୁ ମାନବ ଓ ମାନବକୁ ଦେବତା କରି ଗଢ଼ିତୋଳେ ।

 

କିନ୍ତୁ ସୁନନ୍ଦା; ପ୍ରେମ ମତେ କ’ଣ କରିଚି ଓ କରିଥିଲା ତା’ ଆଜି କହି ଲାଭ ନାହିଁ କିନ୍ତୁ ଆଘାତଟା ମତେ ଦେବତା ବା ଦାନବ କରିପାରିଲାନି । ମୁଁ ମଣିଷ–ମଣିଷ ହେଇ ସବୁଦିନେ ରହିଗଲି ।

 

ସେଇଥିପାଇଁ ତମ ମୋ ଭିତରେ ଗଢ଼ି ଉଠିଥିବା ପ୍ରୀତି ପ୍ରଣୟର କାହାଣୀକୁ ପ୍ରଚାର କରି ତମ ସୁନାର ସଂସାର ଭାଙ୍ଗିବାର ଚେଷ୍ଟା କରିନି ।

 

ଦେବତାର ମନ ନେଇ ତମ ବିବାହବାସରେ ଏକାନ୍ତ ଶୁଭେଚ୍ଛୁ ଭଳି ତମକୁ ଆଶୀର୍ବାଦ କରିବାକୁ ଯାଇପାରିଲିନି । ତମେ ସୁଖରେ ରହିଚ ଜାଣି ବି ମୁଁ ସୁଖୀ ହୋଇପାରିଲିନି ।

 

ସୁନନ୍ଦା । ଏଇ ସାଧାରଣ ମଣିଷର ମନ ନେଇ କେବଳ ମୋରି ଭିତରେ ମୁଁ କୁହୁଳିଲି, ଜଳିଲି । ସେଇ ଧୂଆଁରେ ଶ୍ୱାସରୁଦ୍ଧ ହେଲି ଓ ସେ ନିଆଁରେ ମୋର ତନୁ, ମନ ଓ ଦାମ୍ପତ୍ୟଜୀବନକୁ ତିଳେ ତିଳେ ଦଗ୍‌ଧ କଲି ।

 

ତମେ ଦିନେ ମତେ କହିଥିଲ–(ଅବଶ୍ୟ ଅନେକଦିନ ଅନେକ କଥା କହିଛ । କିନ୍ତୁ ସେଇ ଅନେକ ଅନେକ ଭିତରୁ ଏକ ଏକ ସ୍ମୃତିର କଣ୍ଟା ତଣ୍ଟିରେ ଲାଗେ କାହିଁକି ?) ଦେବାଶୀଷ; ତମ ବ୍ୟକ୍ତିତ୍ୱରେ କି ସମ୍ମୋହନୀ ଶକ୍ତି ଅଛି କେଜାଣି, ତମ ଭିତରେ ହଜିଯିବାରେ ଆନନ୍ଦ ଅଛି, ଗୌରବ ଅଛି । ‘‘ତମେହିଁ ମୋ ଜୀବନର ପ୍ରଥମ ପୁରୁଷ ଯାହା ନିକଟରେ ମୋ ନାରୀର ଅହମିକାବୋଧ ଭାଙ୍ଗି ଯାଇଚି ।’’

 

ସେଦିନ ମୁଁ ଅର୍ଥହୀନ ହସ ହସିଥିଲି । ବହୁବର୍ଷ ପରେ ଆଜି ମୁଁ ହସୁଛି ଅର୍ଥପୂର୍ଣ୍ଣ ହସ ତମରି ସେଇ କଥାରେ ଖିଅଧରି । ଆଜି ତମେ ତମର ସମାଜନୁମୋଦିତ ସ୍ୱାମୀକୁ ବି ସେଇ କଥା କହି ତାଙ୍କମନରେ ତମପ୍ରତି ଦାମ୍ପତ୍ୟ ପ୍ରେମକୁ ଆହୁରି ସବୁଜ କରି ଦେଉଥିବ ।

 

ତମେ ସମସ୍ତଙ୍କ ଆଗରେ କହିବୁଲିଚ ମୋ ପ୍ରତି ତମର ଆଦୌ ଦୁର୍ବଳତା ନ ଥିଲା । ଜଣକୁ ଭଲ ପାଇବା, ତା’ ପ୍ରତିଭାକୁ ସମ୍ମାନ ଦେବା ଓ ତାକୁ ବିବାହ କରିବା ଏକା କଥା ନୁହେଁ । ସତକଥା ! ଶେଷ ପର୍ଯ୍ୟନ୍ତ ଆମେ କେହି କାହା ନିକଟରେ ଦୁର୍ବଳତା ପ୍ରକାଶ କରିନେ । ସେଥିପାଇଁ ଆମେ ଆଜି ପରସ୍ପରଠାରୁ ଦୂରରେ ।

 

କିନ୍ତୁ ସୁ–; ଆଜି କହିପାରିବ ତୁମେ ? ମୋ ମନରେ ଯଦି ତମପାଇଁ ଟିକିଏ ବି ଦୁର୍ବଳତା ନ ଥିଲା, କାହିଁକି ମୁଁ କ’ଣ ପାଇଁ ବାରମ୍ବାର ଧାଇଁ ଯାଉଥିଲି । ଅନେକ ମିଥ୍ୟାରଟନା ଓ ଅପପ୍ରଚାରର ଧୂଳିଝଡ଼ ଭିତରୁ ଝାଡ଼ିଝୁଡ଼ି ହୋଇ ମୁଁ କାହିଁକି ସଞ୍ଜ, ସକାଳ ଶୀତ ବର୍ଷା କିଛି ନମାନି ତମକୁ ଦେଖାକରୁଥିଲି । ତମେ ମଧ୍ୟ ରାଧାର ଉତ୍କଣ୍ଠା ନେଇ ପ୍ରତୀକ୍ଷା କରୁଥିଲ ।

 

ଆଉ ତମେ ? ତମ ନାରୀ ମନରେ ଯଦି ମୋ’ପାଇଁ ଏତେଟିକେ ପ୍ରଣୟର ରଙ୍ଗ ଲାଗିନଥିଲା ତେବେ କାହିଁକି, କ’ଣ ପାଇଁ ହୃଦୟର ସମସ୍ତ ଉଚ୍ଛ୍ୱାସଦେଇ ତମେ ମତେ ଚିଠି ଲେଖୁଥିଲ, ଆଖିର ଲୁହରେ କାଗଜର ପୃଷ୍ଠା ଧୋଇ ଅନୁରୋଧ କରୁଥିଲ, ତମେ ଥରେ ଆସ ଦେବାଶୀଷ–ତମକୁ ନ ଦେଖିଲେ ମୁଁ ପଢ଼ିପାରୁନି–ମୋ ମାନସିକ ସ୍ଥିତି ଦୋହଲି ଯାଉଚି ।’’ ଆଉ ତମ ଜୀବନର ସକଳ ସୁଖ ଦୁଃଖ ଅନୁଭୂତି ପ୍ରଥମେ ମତେ ଲେଖୁଥିଲ କହୁଥିଲ । କେବଳ କ’ଣ ବନ୍ଧୁ ତା’ର ଖାତିରିରେ ?

 

ଯଦି ତମେ ବନ୍ଧୁ ଥିଲ, ତେବେ ମୋର ପରିଣୀତା ନବବଧୂକୁ ବଧେଇ ଜଣାଇବାକୁ ଆସିଲନି କାହିଁକି ? ଜାଣେ ସୁନନ୍ଦା, ଆମେ ଅନ୍ୟକୁ ଠକିଲେ ସୁଦ୍ଧା ପରସ୍ପରଠାରୁ ପରସ୍ପରକୁ ଲୁଚାଇ ପାରିବାନି ।

 

ତମ ସମ୍ପର୍କରେ ଅନେକ କଥା ମୁଁ ଶୁଣିଚି । ଅନେକ ପୁରୁଷ ବନ୍ଧୁ ତମର ଥିଲେ । ସମସ୍ତଙ୍କ ମନରେ ହୁଏତ ତମେ ବିଶ୍ୱାସ ଜନ୍ମେଇ ଥିବ ସେ; ତମ ଜୀବନର ପ୍ରଥମ ପୁରୁଷ । ବିଶ୍ୱାସ କର ସୁନନ୍ଦା; ମୁଁ ତମକୁ ଭୁଲ ବୁଝୁନି, ଆପ୍ରାଣ ଚେଷ୍ଟା କରି ତମକୁ ଘଣ୍ଟଘୋଡ଼ାଇ ସକଳ ଅପପ୍ରଚାର (?) ରୁ ରକ୍ଷା କରିଚି । କାରଣ ଦିନେ ତମକୁ ଭଲ ପାଇଥିଲି ମୋର ଗାଳ୍ପିକ ଜୀବନର ଅନୁଭୂତି ରସାଳ ହେଇ ଉଠିଥିଲା ତମରି ସଲଜ୍ଜ ଭୀରୁ ନାୟୀକାର ସେଇ ଗୋପନୀୟ ଆତ୍ମପ୍ରକାଶରେ ।

 

ମୋର ବିବାହ ନିମନ୍ତ୍ରଣ ଅତି ଆକସ୍ମିକଭାବେ ତମେ ପାଇଲ । ତମ ଭାବିଥିଲ ହୁଏତ ତମକୁ ନ ହେଲେ ସେଇ ନାରୀ ଲେଖିକା ଅନୁରାଧା ଅନୀତା ସଳିତା ଅବା ପୂଜାରିଣୀ ଚମ୍ପା, ଚାମେଲୀ, ଗୋଲାପ କାହାକୁ ବି ବିବାହ କରିଥାନ୍ତି !

 

ତମଭଳି ସେମାନେ ସମସ୍ତେ ବନହଂସୀ !

 

ମୋ ପ୍ରତିଭା ଅପେକ୍ଷା ରୂପହିଁ ସେମାନଙ୍କୁ ଆକୃଷ୍ଟ କରିଥିଲା–କିନ୍ତୁ ମୁଁ କାହା ନିକଟରେ ଧରାଦେଇନି । ନାରୀଚରିତ୍ରର ଅନ୍ଧକାର ଦିଗକୁ ଉଦ୍‌ଘାଟନ କରିବାକୁ ଅନେକ ନାରୀବନ୍ଧୁଙ୍କ ସଙ୍ଗେ ମିଶିଥିଲି, ଜଣେ କଳାକାରର ନିର୍ଦ୍ଦୋଷ ପ୍ରେମ ଓ ପ୍ରେମ ଓ ନିର୍ମଳ ହୃଦୟ ନେଇ ।

 

ଭାବିଥିଲି ପାରିଛି । କିନ୍ତୁ ନାଁ ! ନାରୀର ଚରିତ୍ର ସମୁଦ୍ରଠାରୁ ଆହୁରୀ ଗଭୀର, ଆକାଶଠାରୁ ଆହୁରି ସୀମାହୀନ । ତା’ ଚରିତ୍ରରୁ ପ୍ରଥମେ ଯାହା ପରିଣାମ ଜାଣି ହୁଏ, ଶେଷରେ ତାହା ଆରମ୍ଭ ବୋଲି ମନେହୁଏ ।

 

ତମ ପତିଦେବତାଙ୍କୁ ମୋ ପରିଚୟ ଦେଇନ । ଅଥଚ ଅବିବାହିତ ବୟସରେ ତମେ ତମର ବାନ୍ଧବୀମାନଙ୍କ ନିକଟରେ ମୋ ପରିଚୟ ଦେଇ କୃତ କୃତ୍ୟ ହେଉଥିଲ । ସେଥିପାଇଁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମଣ୍ଡଳୀରେ ତମର ପ୍ରତିଷ୍ଠା ଥିଲା ‘‘ପ୍ରିଭିଲେଜ’’ ବି ଥିଲା । କାରଣ ଜଣେ ପ୍ରତିଷ୍ଠିତ ଗାଳ୍ପିକର ତମେ ନିକଟ ସମ୍ପର୍କିୟା !

 

ସେଥିପାଇଁ ତମେ ସୁଖୀ ହୋଇପାରିଚ ମୋ ପରିଚୟ ଦେଇନ ବୋଲି । ଆଉ ମୁଁ ଦୁଃଖୀ ହୋଇଚି ତମ ପରିଚୟ ମୋର ପତ୍ନୀକୁ ଦେଇଚି ବୋଲି ।

 

ଅନେକଥର ତମ କଥା ତାଙ୍କୁ କହିଚି । ତାଙ୍କ ଆଖିରେ ସେ କି ଆନନ୍ଦର ଫଲ୍‌ଗୁ ! ତମକୁ ଦେଖିବାର କି’ ଅଦମନୀୟ ଆଗ୍ରହ !! କିନ୍ତୁ ସୁନନ୍ଦା; ଯେଉଁଦିନ ଜାଣିଲେ ତମରି ନାଁରେ ମୁଁ ଗଳ୍ପ ଲେଖୁଚି ଆଉ ତମକୁ ନପାଇ ମୋ ଜୀବନ ଜଳିଗଲା ସେଦିନ ତାଙ୍କ ଆଖିରେ ସେ କି ଲୁହର ବଣ୍ୟଝରଣା !

 

ନାରୀ ଆଖିର ଲୁହ ଚିରଦିନ ପୁରୁଷର ମନକୁ ବିଚଳିତ କରିଛି । ତାଙ୍କ ଲୁହଦେଖି ନିଜକୁ ମୁଁ ଦୋଷୀ ମନେକଲି । ମନରେ ବିଶ୍ୱାସ ଜନ୍ମେଇବା ଲାଗି ତାଙ୍କର ଲୁହଧୁଆ ମୁହଁଟି ତୋଳିଧରି ଜଡ଼ିତ କଣ୍ଠରେ କହିଲି–ମତେ ବିଶ୍ୱାସ କର । ତମେ ମୋର ଧର୍ମପତ୍ନୀ–ସୁନନ୍ଦା ପାଇଁ ମୋ ମନରେ ଆଜି ଏତେଟିକେ ବି ଦୁର୍ବଳତା ନାହିଁ–ତମକୁ ମୁଁ ଭଲପାଏ ଅତି ନିବିଡ଼ଭାବେ ! ମତେ କ୍ଷମାକର !

 

ତା’ର ଶୀର୍ଣ୍ଣ ଭୂଜବଲ୍ଲରୀକୁ ମୋର କଣ୍ଠ ଚାରିକଡ଼େ ଗୁଡ଼ାଇଆଣି ଆହୁରି ଜୋରରେ ସେ କାନ୍ଦିଉଠିଲା–‘‘ତମକୁ ବା ତାଙ୍କୁ ଦୋଷ ଦେଇନି, ଦୋଷ ଦେଇଚି ମୋର ବିଶ୍ୱାସକୁ ! କାହିଁକି ମୁଁ ତମକୁ ଦେବତା ଭାବିଥିଲି–କାହିଁକି ତମେ ମୋ ଆଖିରେ ନିଜକୁ ଛୋଟ କରିଦେଲ..... ବିବାହ ପରେ ବି.... ।’’

 

ସତ କହୁଚି ସୁନନ୍ଦା ନିର୍ଦ୍ଦୋଷ ପତ୍ନୀକୁ ମୋର ସନ୍ଦେହର ତୃଷାନଳ ଦହନରୁ ରକ୍ଷା କରିବାକୁ ଅନେକ ଚେଷ୍ଟା କରିଚି । ତା’ପର ଦିନଠୁ ସେ ସହଜଭାବେ ସବୁ କରୁଥିଲା–ମୋର ସେବାଯତ୍ନ ପୂର୍ବପରି ନେଉଥିଲା ହସୁଥିଲା; କିନ୍ତୁ ସେ ହସରେ ଯେଉଁ କାରୁଣ୍ୟ ଭରି ରହିଥିଲା, ସେ କାରୁଣ୍ୟ ବିଶ୍ୱାସର କୁତବମୀନାର ଭାଙ୍ଗିଯିବାର କାରୁଣ୍ୟ । କିଛି ବୁଝାଇବାକୁ ଗଲେ ସେ ହସିଦେଇ କୁହେ–ସବୁ ବୁଝିଚି ।

 

ସୁନନ୍ଦା; ଋଦ୍ଧ ଅଭିମାନରେ ସେ ଚାଲିଗଲା । ବିଶ୍ୱାସ କର, ସେ ଆତ୍ମହତ୍ୟା କରିନି କି ମୁଁ ତାକୁ ଅବହେଳାରେ ମାରି ଦେଇନି । ବିବାହ ଆଗରୁ ଯାହା ‘ପ୍ରେମ’ ବୋଲି ମନେହେଉଥିଲା, ବିବାହ ପରେ ଜାଣିଲି ସେସବୁ ଖିଆଲ ଓ ଦୁର୍ବଳତା, ମୋ ଗାଳ୍ପିକ ମନର ଉଦାରତା ନୁହେଁ । କିନ୍ତୁ ସୁନୀତି ପତ୍ନୀ ମୋର ମତେ ବୈବାହିକ ଜୀବନରେ ତା’ର ପ୍ରତ୍ୟେକ କର୍ତ୍ତବ୍ୟରେ ସଂଦେଶ ଦେଇଥିଲା ପ୍ରେମ କ’ଣ ? କିନ୍ତୁ ପ୍ରଣୟ କ’ଣ ? ମୋର ହୀରା ଲୀଳାର ସଂସାର ପଥର ପାଲଟିଗଲା । ସୁନୀତି ମରିଗଲା, ଆହତ ଅଭିମାନରେ ।

 

ଆଜି ଏଇ ନିଃସଙ୍ଗ ଅପରାହ୍ନରେ ମନେପଡ଼ୁଚି ସୁନୀତି, ମନେପଡ଼ୁଚ ତମେ । ହୁଏତ ଭାବୁଥିବ ତମେ କୁମାରୀ ଥିଲେ ପୁନର୍ବିବାହ, ତମକୁହିଁ କରିଥାନ୍ତି । କିନ୍ତୁ ସୁନନ୍ଦା; ନାଁ ! ସେଇ ରୁଗ୍‌ଣା ଶ୍ୟାମଳାଙ୍ଗୀ ଝିଅଟିକୁ ବିବାହ କରି ସୁଖୀ ହେଇ ସଂସାର ଭାଙ୍ଗିଗଲା ପରେ ଆଉ ମୁଁ ତମ ଆଶ୍ରାରେ ଠିଆ କରାଇ ନ ଥାନ୍ତି । ସୁନୀତିର ନିଷ୍ପାପ ଆତ୍ମା ଅସନ୍ତୋଷ ହୋଇନଥାନ୍ତା, କିନ୍ତୁ ମୋ ଭୁଲର ପ୍ରାୟଶ୍ଚିତ୍ତ ମୁଁ ଆଜି ଆଖିର ଲୁହରେ କରୁଚି ।

 

ଇଚ୍ଛା ହେଉଚି ତମର ସକଳ ଚିଠି, ଉପହାର ଓ ସ୍ମୃତି ନେଇ ତମ ସ୍ୱାମୀଙ୍କ ଆଗରେ ଠିଆ ହୁଅନ୍ତି । ମୋ ସଂସାର ଜଳିଯାଇଚି, ସେଇ ନିଆଁରେ ଜାଳିଦିଅନ୍ତି ତମର ସଂସାର ତମେ ମତେ ଖୁବ୍‌ ଛୋଟ ଭାବନ୍ତ । ସେଥିପାଇଁ ମୁଁ ଡରି ଯାଉଚି ଭାବୁଛ । ନାଁ–ନାଁ–ଭୁଲ ! ଦିନେ ତମର ଭାଇନାକୁ ମୁଁ ସମ୍ମାନ ଦେଉଥିଲି ନିଜକୁ ତମ ଆଗରେ ଦେବତା କରି ଠିଆ କରାଇବାକୁ । ସେଥିପାଇଁ ମୋର ସେ ଆଦର୍ଶବାଦ ସଂଯମତା ଓ ନିର୍ଲିପ୍ତ ଭାବ । ଆଜି କିନ୍ତୁ ମୋର ଏ ଗୁଣର କିଛି ମୂଲ୍ୟ ନାହିଁ ତମପାଖରେ । ମୃତ ହେଲେ ବି ସୁନୀତି ଖୁବ୍‌ ଆଘାତ ପାଇବ ମୋର ପ୍ରତିଶୋଧ ପରାୟଣ ଭଳି ଛୋଟ ହୃଦୟରେ ଏ ଭୁଲ ପାଇଁ । ସେଇ ଖାତିରରେ–କେବଳ ସେଇ ଖାତିରରେ । ଏ ମୋର ଉଦାରତା ନୁହେଁ ସୁନନ୍ଦା, ତମକୁ ମୁଁ କ୍ଷମା କରିଚି । ନିଜକୁ କିନ୍ତୁ କ୍ଷମା କରିପାରୁନି ତମର ବା ଭୁଲ କ’ଣ ? ତେଣୁ ଆଜି ସର୍ବାନ୍ତକରଣେ କାମନା କରୁଚି ତମେ ସୁଖୀ ହୁଅ–ତମେ ସୁଖୀ ହୁଅ–ତମେ ସୁଖୀ ହୁଅ ।

Image

 

ତ୍ରିଧାରା

 

ମୋର ଏତେବଡ଼ ଆଘାତରେ ସେ ଛୋଟ ମଣିଷଟି ପ୍ରତିଘାତ କଲା ନାହିଁ । ଛୋଟ ଛୋଟ କାଚପରି ଦୁଇଟି ଉଜ୍ଜ୍ୱଳ ଆଖି କେବଳ ମତେ ଚାହିଁରହିଥିଲା, ସେ ଆଖିରେ ବିଷାଦ ଆନନ୍ଦ ଆତ୍ମଗ୍ଳାନି ଅବା ଅଭିଯୋଗ ଖୋଜି ମୁଁ ପରାସ୍ତ ହେଲି ।

 

ଆଖିରେ ମୋର ଲୁହ ଆସିଲା । କାହିଁକି–କାହିଁକି ମୁଁ ଗୋଟିଏ ସ୍ନେହପ୍ରବଣ ପ୍ରୀତିଉଚ୍ଛଳ ପ୍ରାଣରେ ଆଘାତ ଦେବାକୁ ପଛଘୁଞ୍ଚା ଦେଲିନି ?

 

ଯାହାଠୁ ଜୀବନଭରି ମୁଁ ସ୍ନେହ ଶ୍ରଦ୍ଧା ଭକ୍ତିର ନୈବେଦ୍ୟ ନିହାତି ସ୍ୱାର୍ଥପରଭାବେ ଗ୍ରହଣ କରିଛି । ତା’ ଜୀବନର ଅବଶିଷ୍ଟ ନିରୀହ ନିର୍ଦ୍ଦୋଷ ଆଗ୍ରହ ଟିକକ ଆଜି କାହିଁକି ଲୁଣ୍ଠନ କରିନେଲି-?

 

ଆତ୍ମଗ୍ଳାନିରେ ଭାଙ୍ଗିପଡ଼ୁଥିଲି, ମୁଁ ଲୁହଭରା ଆଖିରେ ଚାହିଁଲି । ନିରଭିମାନ ବ୍ୟକ୍ତିତ୍ୱ ନେଇ ମାର୍ବଲ ପ୍ରସ୍ତରର ଶୁଭ୍ର ମୂର୍ତ୍ତିଟିଏ–ଖୋଲା ବକ୍ଷ ଦେଶରେ ଯଜ୍ଞୋପବୀତ । ବର୍ଣ୍ଣମାଳା ହୀନ ନିର୍ବୋଧ ଦୃଷ୍ଟି ନେଇ ସେ ମତେ ଚାହିଁଛି...ତା’ପରେ ହଠାତ୍‌ ସେ ମୁହଁ ପୋତି ଚାଲିବାକୁ ଲାଗିଲା ମୋର ବିପରୀତ ଦିଗକୁ ।

 

ପଛରୁ ଡାକିଲି–‘‘ବୁଲୁ ଶୁଣ’’ ସେଇମିତି ସ୍ଥିର ଦୃଷ୍ଟିରେ ସେଇ ମାର୍ବଲ ମୂର୍ତ୍ତିଟି ମତେ ଫେରି ଚାହିଁଲା ।

 

ବୁଲୁ । ଚଉଦ ବର୍ଷର କିଶୋର । ସଂସାରର ଛଳନା, ନୀଚ ହୀନ ପ୍ରତାରଣାଠାରୁ ବହୁତ ଦୂରରେ–ସେଇ ବୁଲୁ ମତେ ଚାହିଁଛି । ନୀରବତାର ଆଖିରେ ଭାଷା ମତେ କହୁଛି ଆଉ ତମେ କ’ଣ କହିବ ଅନି ଅପା... ଆଉ କି ପ୍ରକାର ଆଘାତ ଦେବ ?

 

କ୍ରନ୍ଦନର ଉଚ୍ଛ୍ୱାସରେ ଭାଙ୍ଗିପଡ଼ୁଥିଲି ମୁଁ ।

 

ବୁଲୁ ଅପେକ୍ଷା କରିଛି, କ’ଣ କହିବି ତାକୁ । ବୁଲୁକୁ ଅପେକ୍ଷା କରିଥିବ ସତୁରୀ ମାଇଲ ଦୂରରେ ଆଉ ଗୋଟିଏ ସବୁଜ ମନ....ଅବିଶ୍ୱାସ ଆଉ ଈର୍ଷାର ହଳାହଳ ମଣିଷର ପ୍ରତି ରକ୍ତ କଣିକାରେ ବସାବାନ୍ଧି ରହିଛି ।

 

ନିଜପ୍ରତି ମୋର ଘୃଣା ଆସୁଥିଲା । କ’ଣ ଭାବିବ ମତେ ଅନୁ । ମନରେ ମୋର ତୁମୂଳ ଝଡ଼ ! ବୁଲୁ ଆଉ ଅନୁ ଆଉ ବୁଲୁ କାହାକୁ ମୁଁ ବେଶୀ ଭଲ ପାଏ ??

 

ଏଇ ପ୍ରଶ୍ନ ନିକଟରେ ମୋର ସମସ୍ତ ବୌଦ୍ଧିକ ଯୁକ୍ତି ହାର ମାନିଛି । ଅନୁ–! ପଡ଼ୋଶୀ ଭାଇଙ୍କର ଜ୍ୟେଷ୍ଠା କନ୍ୟା । ଦିନ ଥିଲା ଯେତେବେଳେ ସେଇ ଭାଇ ବଞ୍ଚିଥିଲେ ଅନୁ ତଳେ ଚାଲୁ ନ ଥିଲା । ଲକ୍ଷ ବର୍ଷ ତପସ୍ୟାପରେ ଲବଧ୍‌ଧନ ସ୍ୱରୂପ ପୁତ୍ର ସନ୍ତାନର ମମତା ସେ ପାଉଥିଲା । ଭାଇ ସ୍ୱପ୍ନ ଦେଖୁଥିଲେ ଅନୁ ତାଙ୍କର ଡାକ୍ତର ହେବ–ଦୀପକୁମାରୀର ଆଦର୍ଶ ନେଇ ପୀଡ଼ିତ ମଥିତ ରୋଗୀର ଶଯ୍ୟାଧାରରେ କଲ୍ୟାଣର ବାଣୀ ଶୁଣାଇବ । ଅନୁ ପରେ ପରେ ଆହୁରି ଚାରୋଟି କନ୍ୟାଙ୍କର ଆଗମନ ହୋଇଥିଲେ ମଧ୍ୟ ଅନୁର ସ୍ନେହ ସୋହାଗ ଲାଭରେ ଅନ୍ତ ନ ଥିଲା । ପଡ଼ୋଶୀ ବଡ଼ବାବା ଓ ମା’ ନାତିଟିଏ ଦେଖି ପାରିଲୁନି ବୋଲି କ୍ଷୋଭ ପ୍ରକାଶ କରନ୍ତି । ସାଇର ଅନ୍ୟମାନେ ‘‘ଝିଅକୁ ଯେତେ ଗେହ୍ଲା କଲେ କ’ଣ ସେ ପୁଅ ହୋଇଯିବ’’ ଶେଷୋକ୍ତି ହାଣନ୍ତି ? ଉତ୍ତରରେ ଅନୁର ବାପା ସମସ୍ତଙ୍କୁ କହନ୍ତି, ଏଇମାନେ ତ ମୋର ପୁଅ । କିନ୍ତୁ ସେଇ ହତଭାଗ୍ୟ ଶିଶୁ ପାଞ୍ଚୋଟିଙ୍କ ସ୍ନେହମମତା ବାଲିବନ୍ଧ ମୃତ୍ୟୁର ଗୋଟାଏ ପୁତ୍କାରେ ଭାଙ୍ଗିପଡ଼ିଲା । ସେ ସାତବର୍ଷ ତଳର କଥା ।

 

ଅନୁ ଛଅ ସାତବର୍ଷର ଶିଶୁ । ସବା ସାନଝିଅ ମୋଟେ ମାସକର (ବିଚାରୀ ବାପା ବୋଲି କ’ଣ ଜାଣିଲାନି) ।

 

ସେଇ ଝଡ଼ରେ ଅନୁ ଆଉଜି ପଡ଼ିଥିଲା ଆମରି ଛୋଟ ସୁଖୀ ପରିବାରଟିରେ ମମତା ଭରା କୋଳକୁ ।

 

ମୋର ବଡ଼ଭାଉଜ ତାଙ୍କ ଝିଅ ମାମି ବି ତାକୁ ଅଧିକ ସ୍ନେହ କରୁଥିଲେ । ବଡ଼ଭାଇଙ୍କ ସ୍ନେହତଳେ ସେ ତା’ ବାପାଙ୍କ ସ୍ମୃତିକୁ ବି ଭୁଲିଯାଉଥିଲା ବାପାବୋଉ ଚିର ଉଦାସୀନ–ନିର୍ବିକାର । ସେମାନଙ୍କର ସନ୍ତାନକୁ ଭଲ ପାଇବାଟା ଥିଲା ଏକାନ୍ତ ଗୋପନୀୟ । ତଥାପି ବି ସେମାନେ ଅନୁର ପରିବାରକୁ ନିଜର ଭାବୁଥିଲେ ।

 

ମୋ ସାନଭାଇ ନିଶୀଥ ଅନୁ ବୟସର । ସେ ଦୁହିଁକ ଭିତରେ କ୍ଷୀର ନୀରର ଅବିଚ୍ଛେଦ୍ୟ ବନ୍ଧନ ଥିଲା । ବୁଲୁ ନିଶୀଥର ବନ୍ଧୁ । ତେଣୁ ସମବୟସୀ ଅନୁ, ବୁଲୁ, ନିଶୀଥଙ୍କ ବନ୍ଧୁତା ଏଡ଼େ ପ୍ରଗାଢ଼ ଥିଲା ଯେ ପରସ୍ପରକୁ ପରସ୍ପର ମୁହୂର୍ତ୍ତେ ଛାଡ଼ିପାରୁନଥିଲେ । କାର୍ଯ୍ୟୋପଲକ୍ଷେ ଜଣେ ଯଦି କୌଣସି ବନ୍ଧୁ ବାନ୍ଧବ ଘର ଯାଉଥିଲା, ସେ ଅନ୍ୟ ଦୁଇଜଣଙ୍କୁ ସାଙ୍ଗରେ ନେଉଥିଲା । ଜଣେ ଯଦି ଯାଉନଥିଲା ତା’ ପରଦିନ ଅନ୍ୟ ଦୁଇଜଣ ଫେରି ଆସି ହସି ହସି କହୁଥିଲେ–‘‘ଆମେ ଚାଲି ଆସିଲୁ, ତୋରି ଯୋଗୁ, ତୁ କାହିଁକି ଗଲୁନି ?’’

 

ତିନିଜଣଙ୍କ ଭିତରେ କଜିଆ ଲାଗେ । ରାଗ ରୁଷା, ମାନ ଅଭିମାନରେ ବର୍ଷର ତିନିଶହ ଦିନ କଟେ । ବାକି ପଁଷଠି ଦିନ କଥା କୁହାକୁହି । କିନ୍ତୁ ଚାଟଶାଳିଠୁ ଆରମ୍ଭ କରି ହାଇସ୍କୁଲର ଅଧାଯାଏ ସେମାନେ ଏକାଠି ପଢ଼ି ଆସିଛନ୍ତି । ଅଭିମାନରେ ଦିନଗୁଡ଼ାକ ତାଙ୍କର ଠାର, ସାଙ୍କେତିକ ଭାଷା ଭିତରେ ଭାବବିନିୟମ ହୁଏ । ଆମେ ହସୁ କିନ୍ତୁ ତାଙ୍କ ଭିତରେ ମଧ୍ୟସ୍ଥତା କେବେ କରିବାକୁ ପଡ଼େ ନାହିଁ ।

 

ସାବଲୀଳ ଗତିରେ ସେଇ ତିନୋଟି ଜୀବନର ସ୍ୱଚ୍ଛ, ଶୁଭ୍ର ଜୀବନଧାରା ଗତି କରୁଥିଲା, କରିଥାନ୍ତା ହୁଏତ ଅନେକ ଦିନ, ଅନେକ ବର୍ଷ ଧରି ।

 

ବସନ୍ତରେ ଦୀର୍ଘଦିନ କଷ୍ଟ ଭୋଗି ନିଶୀଥ ପରୀକ୍ଷା ଦେଇ ନ ପାରି ନବମ ଶ୍ରେଣୀରେ ଡିଟେନ୍‌ ରହିଲା । ଅନୁ ଓ ବୁଲୁ ଦଶମକୁ ପ୍ରମୋଶନ ପାଇଲେ । ସେଦିନ ଦୁଇ ବନ୍ଧୁଙ୍କର ଆନନ୍ଦରେ ନିଶୀଥ ନିଜର ଅକ୍ଷମତାର ଅଶ୍ରୁ ଲୁଚାଇ ହସିଥିଲା, କିନ୍ତୁ ବୁଲୁ ଅନୁ ହସିପାରି ନ ଥିଲେ-। ଏଣିକି ଏକାଠି ପଢ଼ିଲେ ମଧ୍ୟ ସ୍କୁଲରେ ଗୋଟିଏ କ୍ଲାସରେ ଦୁହେଁ ଶିକ୍ଷକଙ୍କଠାରୁ ଏକପ୍ରକାର ପାଠ ଶୁଣିଲାବେଳେ ଅନ୍ୟ କ୍ଲାସରେ ନିଶୀଥ ଅନ୍ୟଜଣେ ଶିକ୍ଷକଙ୍କଠାରୁ ଭିନ୍ନ ପାଠ ଶୁଣିବ-। ଘରେ ଏଦୁହେଁ ଗୋଟିଏ ବହିର ପାଠ ଏକାଠି ମୁଖସ୍ତ କଲାବେଳେ ନିଶୀଥ ସେଇଠି ବସି ଅନ୍ୟ ବହିରୁ ଭିନ୍ନ ପାଠ ପଢ଼ୁଥିବ । ସେ ପାଠରେ ମନଯୋଗୀ ହୋଇପାରିବ ତ ? ସେହି ଆଶୁକରୁଣ ତା’ର ଆଶଙ୍କା ଦୁଇଟି ବିଜୟଦୀପ୍ତ ଉଜ୍ଜ୍ୱଳ ମୁଖମଣ୍ଡଳକୁ ମଳିନ କରିଦେଇଥିଲା ?

 

ସେତିକିରେ ତାଙ୍କ ଜୀବନ ବିପର୍ଯ୍ୟୟ ଶେଷ ହେଲାନି ।

 

ହଠାତ୍‌ କନକପୁର ଚୌଧୁରୀ ବଂଶର କନକ ବେଦୀରେ ଅନୁ ପାଇଁ କନକ ପ୍ରଦୀପ ଜଳି ଉଠିଲା । ବିବାହ ବେଦୀରେ ଉଚ୍ଚ ନିଚ୍ଚ ବାକ୍‌ବିତଣ୍ଡା ନେଇ ବର ବେଦୀରୁ ଉଠିଲା । ମଙ୍ଗୁଳାବର ଘରୁ ଅନୁକୂଳ କରି ଆସିଛି, ବୋହୂ ନ ନେଇ ଫେରିଲେ ତା’ ମୁହଁ ଚାହିଁବା ଅମଙ୍ଗଳ ପୁଣି ବିରାଟ ଚୌଧୁରୀ ବଂଶର ଆଭିଜାତ୍ୟ ।

 

ସେମାନେ ଚାହାଁନ୍ତି ବୋହୂଟି ସୁନ୍ଦର କୁଳୀନ ବଂଶର କନ୍ୟା ।

 

ଗୋଟିଏ ଛାୟାଚ୍ଛନ୍ନ ସନ୍ଧ୍ୟାରେ ପ୍ରସ୍ତାବ ଆସିଲା । ଯୌତୁକର ପ୍ରଶ୍ନ ଉଠୁନି । ସେମାନେ କେବଳ କନ୍ୟାଟିକୁ ହିଁ ଚାହାଁନ୍ତି । ଆଜି–ଏଇ ତିଥିରେ ।

 

ସେତେବେଳେ ଅନୁ, ବୁଲୁ, ଓ ନିଶୀଥ ଲୁଚକାଳୀ ଖେଳୁଥିଲେ ମୁଁ ଥିଲି ବୁଢ଼ିଆଣୀ । ବୁଲୁର ଢଳ ଢଳ ନୀଳପଦ୍ମ ଆଖି ଦୁଇଟି ଉପରେ ମୋ କର୍କଶ କରର ମୃଦୁ ଚାପ ଦେଇଥିଲି–ଅନ୍ୟ ଦୁଇଜଣ ଲୁଚିଥିଲେ । ବୁଲୁ ଚୋର... ସେ ଦୁହିଁକି ଖୋଜି ବାହାର କରିବ ।

 

ବୁଲୁ ଆଗରେ ନିଶୀଥ ଆସି ମତେ ଛୁଇଁଲା ବୁଲୁ ତାକୁ ଧରିପାରିଲାନି । ଅନୁକୁ ସେ ଖୋଜୁଛି.... ଅନୁ ଲୁଚିଛି ।

 

ବାପା ମୋତେ ଇଙ୍ଗିତଦ୍ୱାରା ଡାକିଲେ । ନିମ୍ନ କଣ୍ଠରେ କହିଲେ ଅନୁର ମା’କୁ ଏଠିକି ଡାକିଲୁ ।

 

ସନ୍ଧ୍ୟାର ପାତଳ ଅନ୍ଧକାର ତଳେ ଅନୁର ମା’ ସୁଧା ଭାଉଜ ଓଢ଼ଣା ଟାଣି ବାପାଙ୍କ ଆଗରେ ଠିଆହେଲେ ।

 

ନୀରବ ମନ୍ତ୍ରଣା । ଭାଇ ପ୍ରଥମେ ପ୍ରତିବାଦ କରୁଥିଲେ ‘‘ଅନୁଟା ଛୋଟ ପିଲା ।’’ ପରେ ସେ ରାଜି ହୋଇଗଲେ । ସୁଧା ଭାଉଜ ବି କେମିତି ରାଜି ହୋଇଗଲେ । ଅନୁର ମନ କେହି ବୁଝିବାକୁ ଚେଷ୍ଟା କଲେନି–ମତ ଲୋଡ଼ିଲେନି । ସୁଯୋଗ ଜୀବନରେ ଥରେ ଆସେ । କାରଣ ଘରଝିଅ ଯେତେ ରୂପ, ଗୁଣ, ବିଦ୍ୟା ଥିଲେ ମଧ୍ୟ ଯୌତୁକ ବିନା ଅଧାବୁଢ଼ୀ ହେଉଛି । ସେମାନେ ଚାହାଁନ୍ତି କୁଳୀନ ବଂଶର କନ୍ୟା । ଯୌତୁକର ପ୍ରଶ୍ନ ଉଠୁନି ବାପା ଭାଇ ଧନ ଦୌଲତ ଥାଇ ମଧ୍ୟ ଝିଅପାଇଁ ବର ମିଳୁ ନାହାଁନ୍ତି ।

 

ପିତୃହୀନ–ଭ୍ରାତୃହୀନ । ପାଞ୍ଚ ପାଞ୍ଚଟି ଝିଅ–ବିଧବା ନିରଶ୍ରୟା ମା’ । ଆଗକୁ ପଛକୁ କେହି ନାହିଁ । ବିରାଡ଼ି କପାଳକୁ ଶିକା ଛିଡ଼ିଛି । ଆଜି ନ ହେଲେ ମଧ୍ୟ କାଲିତ ଅନୁ ବାହାହେବ ।

 

ବିଖ୍ୟାତ ଚୌଧୁରୀ ବଂଶ । ସାତ ପୁରୁଷର ଆଭିଜାତ୍ୟ । ପୁଅ ଇଞ୍ଜିନିୟର, ଫରେନ ଯିବା ଆଗରୁ ବିବାହଟା ସାରିଦେବାକୁ ବାପା ବ୍ୟସ୍ତ ହୋଇପଡ଼ିଲେ । ଦେଖିବାକୁ ମନ୍ଦନୁହେଁ । ରଙ୍ଗ ଶ୍ୟାମଳ । ଶ୍ୟାମଳ ରଙ୍ଗଟା ପୁରୁଷ ପିଲାର ଶ୍ରୀ । ବୟସ ୨୨।୨୪ ଭିତରେ । ଅନୁକୁ ଚଉଦ ପୂରିଯିବ । କନକପୁର ରାସବିହାରୀ ଚୌଧୁରୀ ବାପାଙ୍କର ପରିଚିତ । ଉତ୍ତମ ଲୋକ । ସେ ବି କହୁଛନ୍ତି ବିବାହ ପରେ ଅନୁ ଏଇଠିକୁ ଫେରିଆସି ପାଠ ପଢ଼ିବ । କେବଳ ମଙ୍ଗୁଳାବର ବାହୁଡ଼ି ଯିବନି ବୋଲି ଆଜି ସେ ବୋହୂଟିଏ ଚାହାଁନ୍ତି । ବୋହୂ ନ ନେଇ ଗଲେ ସେ ମୁଣ୍ଡ ଟେକି ଚାଲି ପାରିବେନି ।

 

ଗୁପ୍ତମନ୍ତ୍ରଣା, ସୁଧା ଭାଉଜଙ୍କ କ୍ରନ୍ଦିତକଣ୍ଠ (ବାପାଙ୍କ ଉଦ୍ଦେଶ୍ୟରେ) ଆପଣ ତ ତା’ର ବାପା–ମା’–ଯାହା ଉଚିତ ମନେ କରୁଛନ୍ତି କରିବେ ।

 

ସେ ପ୍ରତିଧ୍ୱନିରେ ୩ଟି କ୍ରୀଡ଼ାରତ ଚଞ୍ଚଳ କୁରଙ୍ଗ ଶିଶୁ ଗ୍ରୀବା ତୋଳି ପ୍ରଶ୍ନିଳ ଦୃଷ୍ଟିରେ ମୋ ମୁହଁକୁ ଚାହିଁରହିଲେ ।

 

ମୋ ଓଠରେ ଭାଷା ନ ଥିଲା । ଯେଉଁ ଅନୁକୁ ପାଠ ପଢ଼ିବାର ପ୍ରେରଣା ମୁଁ ଅହରହ ଦେଇ ଆସୁଥିଲି, ମୁଁ ବି ପ୍ରତିବାଦ କରିପାରିଲିନି ମୂକ ହୋଇଗଲି ତା’ର ଭବିଷ୍ୟତ ବଧୂ ଜୀବନରେ ଗୌରବଜ୍ଜ୍ୱୋଳ ଆଲୋଖିକାର ତୀବ୍ର ଆଲୋକ ମତେ ଅନ୍ଧ କରିଦେଲା ।

 

ମୁଁ ସେଇ ତିନୋଟି ଶଙ୍ଖ କଣ୍ଢେଇ ଭଳି ଛୋଟ ମଣିଷକୁ କୁଣ୍ଢାଇ ଧରି ଛୋଟ ପିଲାଙ୍କ ଭଳି କାନ୍ଦି ଉଠିଲା ।

 

ଆଉ ଏ ଘରର ନିଥର ବାୟୁମଣ୍ଡଳ ଏଇ ତିନୋଟି ସବୁଜ ମନର ଅଫୁରନ୍ତ ହସ ଉଲ୍ଲାସରେ ଭରିଉଠିବନି । ସନ୍ଧ୍ୟାର ବାୟୁମଣ୍ଡଳ ଥରାଇ ଆଉ ତିନୋଟି କଣ୍ଠରୁ ସେଇ ଅମୃତ ନିସ୍ୱନ ଝରିବନି ‘‘ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ ।’’

 

ଭାଇଙ୍କ ସଙ୍ଗେ, ନିଶୀଥ ହୁଏତ ରାଜଧାନୀ ଚାଲିଯିବ । ସୀମନ୍ତରେ ସିନ୍ଦୂର ପିନ୍ଧି ଚୌଧୁରୀ ଘର କୁଳବଧୂ ହୋଇ ଅନୁ ଚାଲିଯିବ । ନିଃସଙ୍ଗ ବିହଙ୍ଗ ଭଳି ବୁଲୁ ଝୁରିବ–ଲୁହଭରି ପଚାରିଲା ଆଖିରେ ଚାହିଁବ ମତେ... ନୀରବ ଭାଷାରେ ଅଭିଯୋଗ କରିବ ‘‘କେହି ବୁଝିଲେନି ବୋଲି ତମେ ବି ବୁଝିଲନି ଅନି ଅପା–ଆମ ଧୂଳିଘର ଭାଙ୍ଗି ଦେଲ ?

 

ବାପାଙ୍କ କଣ୍ଠର ବଜ୍ରନର୍ଘୋଷ, ଭାଇଙ୍କର ନାଲିଆଖି ଆଉ ସୁଧା ଭାଉଜଙ୍କର ନିଃସହାୟ କରୁଣୋକ୍ତି ପାଖରେ ମୋର କ୍ଷୀଣକଣ୍ଠର ପ୍ରତିବାଦ ଲିଭି ଯାଇଥାନ୍ତା । ମୁଁ ବା କ’ଣ କରିଥାନ୍ତି ? କ’ଣ କହିଥାନ୍ତି ?

 

ସେଇ କ୍ରନ୍ଦସୀ ରାତ୍ରୀର ଶେଷ ପ୍ରହରକୁ ଅନୁ ଚାଲିଗଲା । ଆଃ ସେ କରୁଣ ଆଖିରେ ଅନୁନୟ ଚାହାଣି, ସେ ଆକୁଳ କଣ୍ଠରେ ବିକଳ ପ୍ରାର୍ଥନା.....

 

ସେ ବିଦାୟ ମୁହୂର୍ତ୍ତରେ ମର୍ମସ୍ପର୍ଶୀ କ୍ରନ୍ଦନ ଧ୍ୱନି ମୁଁ ଏ ଜୀବନରେ ଭୁଲିପାରିବି ନାହିଁ ।

 

ବର ଆସିବା ବେଳୁ କନ୍ୟା ବିଦାୟ ପର୍ଯ୍ୟନ୍ତ ବୁଲୁ ଓ ନିଶୀଥ କରୁଣ ଦୃଷ୍ଟିରେ ଅନୁକୁ ଚାହିଁଥାନ୍ତି । ତାଙ୍କରି ଆଖି ଆଗରେ ଅନୁକୁ ଫ୍ରକ ଖୋଲି ଶାଢ଼ି ପିନ୍ଧାଗଲା–ତାଙ୍କରି ଆଖି ଆଗରେ ଅନୁର ଆର୍ତ୍ତଚିତ୍କାର ସତ୍ତ୍ୱେ ବି ବାଡ଼ୁଅପାଣିରେ ଗାଧୋଇ ଦେଇ ସୀମନ୍ତରେ ସିନ୍ଦୂର ଗାର ଟଣାଗଲା, ବେଦୀକୁ ନିଆଗଲା । –ମୁକ୍ତି ପାଇଁ ପ୍ରବଳ ପ୍ରତରୋଧ କରି ଛାଟି ପିଟି ହେଉଥିବା ବେଳେ ଭାଇ ତାକୁ ଟେକି ନେଇ ଗାଡ଼ିରେ ବସାଇ ଦେଲେ । ସବୁ ସେମାନେ ନୀରବରେ ଦେଖୁଥିଲେ, ଆଖି ଲୁହରେ ରୁମାଲ ତିନ୍ତୁଥିଲା । କିନ୍ତୁ ପ୍ରତିବାଦ କରିପାରୁନଥିଲେ ।

 

କନ୍ୟା ସଙ୍ଗେ ବୁଲୁ ଯାଇଥାନ୍ତା, କିନ୍ତୁ ବୁଲୁକୁ ତା’ ବାପା ମା’ ଛାଡ଼ିଲେନି । ବ୍ରାହ୍ମଣ ଘର ପୁଅ ବ୍ରତହୋଇ ସାରିଛି, କରଣ ଘର ଝିଅ ସଙ୍ଗେ ପ୍ରଥମରୁ ହିଁ ଯିବି କିମିତି ?? ନିଶୀଥ ବି ଗଲାନି-। ହୁଏତ ସେମାନଙ୍କର ଆଶା ଥିଲା, ଅନ୍ୟଦିନ ପରି ଅନୁ ବି କାଲିକୁ ଫେରି ଆସିବ ।

 

ଅନୁ କିନ୍ତୁ ଫେରିଲାନି । ତାକୁ ଛାଡ଼ିଦେଇ ଭାଇ ଯେତେବେଳେ ଗମ୍ଭୀର ମୁହଁ କରି ଘରେ ପାଦ ଦେଲେ, ବୁଲୁ ଓ ନିଶୀଥ ଯାଇ ଆଗ୍ରହ କଣ୍ଠରେ ପ୍ରଶ୍ନ କଲେ ‘‘ଅନୁ କେବେ ଫେରିବ-? ସେତ ମାମୁଁଘରେ ଦି’ଦିନ ରହି ପାରେନି । ଆମ ସ୍କୁଲ ଆଉ ଆଉ ପାଞ୍ଚ ଦିନ ପରେ ଖୋଲିବ ? ପଢ଼ା ଆଗେଇ ଯିବ ତମେ ତାଙ୍କୁ ସାଙ୍ଗରେ ଆଣିଲନି କାହିଁକି ??

 

ଭାଇ ବୋଧହୁଏ ଆଖିର ଲୁହ ଲୁଚାଇବାକୁ ମୁହଁ ବୁଲାଇ ନେଲେ । ବୋଉ ସେ ଦୁହିଁଙ୍କୁ କୋଳକୁ ଟାଣିନେଇ କହିଲା ମାମୁଁଘର ଶାଶୁଘର ଏକା ନୁହେଁରେ ପାଗଳ–ଅନୁ ଆମଘର ଝିଅ ନୁହେଁ–ସେ ଆଜିଠାରୁ ଚୌଧୁରୀ ଘର ବୋହୂ–ତମ ସଙ୍ଗେ ସେ ଖେଳିବାକୁ ଆଉ ଆସିବନି–ଆସିଲେ ବି ଖେଳିବନି ଆଉ । ନିର୍ବାକ୍‌ ଦୃଷ୍ଟିନେଇ ନିଶୀଥ ଓ ବୁଲୁ ଚାହିଁଥିଲେ ବୋଉକୁ–ହୁଏତ କିଛି ବୁଝିପାରୁନଥିଲେ ।

 

ଛୋଟ ପିଲା ଅନୁ କେମିତି ଯାଇ ବୋହୂ ହେବ, ମୁଁ ସେ କଥା ଭାବୁ ନ ଥିଲି, ଭାବୁଥିଲି ଅନୁ କିମିତି ବଞ୍ଚିବ ! ନିଶୀଥ ଚାଲିଗଲା ପରେ ଦୁଇ ବନ୍ଧୁଙ୍କ ସ୍ମୃତିକୁ ସଙ୍ଖାଳି କରି ସେ ହୁଏତ ଆକୁଳ ଦୃଷ୍ଟିରେ ଅଭିସମ୍ପାତରେ ଆମ ଶୂନ୍ୟ କୋଠରୀକୁ ଚାହିଁ ଚାହିଁ ଦୀର୍ଘଶ୍ୱାସ ଛାଡ଼ିବ । ଗାଁର ଅନ୍ୟପିଲାଙ୍କ ସଙ୍ଗେ ବୁଲୁ ଯଦି ମିଶୁ ଥାନ୍ତା ! କିଛି ଭାବିବାର ନ ଥିଲା ତା’ର ଆଦର୍ଶ ବା ଅନ୍ୟ ପିଲାଙ୍କ ଜୀବନଦର୍ଶନଠାରୁ ପୃଥକ ଥିଲା । ଅନୁ ନିଶୀଥଙ୍କ ଶରଣରେ ସେ ଦିନର ୨୪ଘଣ୍ଟାରୁ ୧୮ଘଣ୍ଟା କଟାଉଥିଲା; ଏଥିପାଇଁ ଅନ୍ୟ ପିଲାମାନେ ତାଙ୍କ ବନ୍ଧୁତାକୁ ଈର୍ଷାକରି ଅନେକ ଘଟଣା ଘଟାଇଛନ୍ତି । ତାଙ୍କୁ ମାରିବାର ଧମକ ଦେଇଛନ୍ତି । ବୁଲୁ କିନ୍ତୁ ସ୍ଥିର ଅବିଚଳିତ । ଆଜି ସେ କେମିତି ଏକା ଏକା ରହିବେ ??

 

ମୋର ବେଶୀ ଭୟ ହେଉଥିଲା ସେ ହୁଏତ କ୍ଲାସରେ ପୋଜିସନ ରଖି ପାରିବନି, ରକ୍ତର ସମ୍ପର୍କ ନ ଥାଇ ମଧ୍ୟ ମୋର ରକ୍ତରେ ବୁଲୁ ପାଇଁ କିପରି ଏକ ଶୀତଳତା ଶୀଥିଳତା ଅନୁଭବ କରୁଥିଲି । ଏଇ ସେଇ ବୁଲୁ ।

 

ଅନୁ ଯିବାର ଚାରିମାସ ପରେ ପୂଜା ଛୁଟିରେ ଯିବବୋଲି ଆଜି ମୋଠୁଁ ଅନୁମତି ଚାହିଁଥିଲା ଅଥଚ ମୁଁ ତା’ର କିଛି ନୁହେଁ ବୋଲି କ’ଣ ମୁଁ ତା’ର ଏତେବଡ଼ ଆଗ୍ରହକୁ ଭାଙ୍ଗିଦେଲି । ଅନୁ ଆଉ ଝିଅନୁହେଁ.... ବୋହୂ... ରକ୍ଷଣଶୀଳ.... ଚୌଧୁରୀ ବଂଶର କୁଳବଧୂ ।

 

ଆମ ପରିବାରରେ ଏ ତିନିଜଣଙ୍କ ବନ୍ଧୁ ତାକୁ ସହଜ ଦୃଷ୍ଟିରେ ଦେଖୁଥିଲେ ବୋଲି ସମସ୍ତେ ବା କାହିଁକି ଦେଖିବେ ??

ଅନୁ ସୁଖୀ ହେଉ । ବୁଲୁ ବି ଦିନେ ତାକୁ ଭୁଲିଯିବ । ମୁଁ ବୁଲୁକୁ ମନାକରିଦେଲି । ଏତେ ସମୟ ମୁଁ ନୀରବ ରହିବା ଦେଖି ବୁଲୁ ପୁଣି ମୁହଁ ପୋତି ଚାଲିବାକୁ ଆରମ୍ଭ କଲା ।

 

ତାରି ଯିବା ବାଟକୁ ଚାହିଁଥିଲି ମୁଁ.... ଆଖିରେ ମୋର ଅଶ୍ରୁର ଶ୍ରାବଣୀ କୁଳକିନାରା ମାନୁନଥିଲା । ସତେ ବା ସେଦିନ ଚୋର ହୋଇ ଥିବା ବୁଲୁ ଅନୁକୁ ଖୋଜି ଯାଇଛି... ଖୋଜିଥିବ ଜୀବନ ସାରା....

Image

 

Unknown

ପୂରାପୂରି ପାରିବାରିକ

 

ସୁଧାକର ବାବୁଙ୍କ ସୁଖର ପରିବାରରେ ସେଦିନ ମୂକତାର ରାଜତ୍ୱ । ସୁଧାକର ବାବୁଙ୍କର ପତ୍ନୀ ରାଧାମଣି କୋଡ଼ ଛୁଆଟିକୁ ଶୁଆଇବା ବାହାନାରେ ଶୋଇବାର ଛଳନା କରୁଥିଲେ-। ସେ ବା ଆଉ କ’ଣ କରନ୍ତେ ?

 

ସୁଧାକର ବାବୁ ଗୁଡ଼ାଖୁ ମେଞ୍ଚାଏ ଘଷି ଘଷି ଘରର ଏମୁଣ୍ଡ ସେମୁଣ୍ଡ ପଦଚାରଣ କରୁଥାନ୍ତି ।

 

ବଡ଼ଝିଅ ମନା ଚୁପ୍‌ଚାପ୍‌ ରୋଷାଇ ଘର ବାରଣ୍ଡାର ଗୋଟିଏ ଘରକୁ ବସି ମଣ୍ଟୁ ଓ ଟୁଟୁଙ୍କ ଜାମାର ବୋତାମ ଲଗାଉଛି । ତା’ତଳ ପୁଅ ବାବୁ ଓ ତା’ତଳ ଝିଅ ହେନା ପଢ଼ାଘରେ ବସି ଫିଲ୍ମ–ଫେୟାରର ପୃଷ୍ଠା ଓଲଟାଉଛନ୍ତି । କାହାରି ଓଠରେ ଭାଷା ନାହିଁ ।

 

କୋଡ଼ଛୁଆର ଉପରେ ଦି’ଜଣ ରିଣ୍ଟୁ ଓ ସିଣ୍ଟୁ ଭୋକରେ ଆଉଟୁ ପାଉଟୁ ହେଲେଣି । ରୋଷେଇ ଘର ପଟକୁ ଦାଣ୍ଡଘର ଝରକା ଦେଇ ବାରମ୍ବାର ଉଙ୍କି ମାରୁଛନ୍ତି । ହତାଶ । ପାଟି ପାଣିଚେଇ ଆସୁଚି । ପଡ଼ିଶା ଘରୁ ତର୍କାରୀ ବଘରାର ବାସ୍ନା ଆସୁଚି ।

 

ମଣ୍ଟୁ ଓଟୁଟୁ ଦାଣ୍ଡ ବାରଣ୍ଡାରେ ବସି ଫୁସ୍‌ଫୁସ୍‌ କଣ୍ଠରେ କଥା କହୁଛନ୍ତି–‘‘ଆଜି କ’ଣ ହେଲାକିରେ ମଣ୍ଟୁ ?’’ ମଣ୍ଟୁ କହୁଚି–‘‘ଚୁପ୍‌ଚୁପ୍‌ ବାପା ଏଆଡ଼େ ଆସୁଛନ୍ତି ।’’ ଦୁହେଁ ଚୁପ୍‌ ହୋଇଗଲେ ।

 

ସୁଧାକର ବାବୁ ପୁଣି ଗୁଡ଼ାଖୁ ମେଞ୍ଚାଏ ପାଇଁ ଡବା ଖୋଲିଲେ ।

 

ରାଧାମଣି ଆଖି ଖୋଲିଲେ । ଏ ଦୁଃଖ ଦୁଶ୍ଚିନ୍ତା ଭିତରେ କି ନିଦ ହୁଏ ?

 

ସାମନା କାନ୍ଥରେ ବଡ଼ପୁଅ ସୁପ୍ରିୟର ଏନ୍‌ଲାର୍ଜ ବଷ୍ଟ ଫଟ ଟଙ୍ଗା ହୋଇଛି । କଥା କୁହା ଆଖି, କମ୍ପିତ ଓଠ । ସ୍ନେହ ମମତା ଆଉ ଘରମୁହାଁ ମାଇଚିଆ ଢଙ୍ଗ ସେଥିରେ ଭରି ରହିଚି । ସେଇ ଆଖି ଓ ଓଠ ଯେମିତି ଡାକୁଚି ‘‘ବୋଉ ବୋଉମ.... !’’

 

ରାଧାମଣିଙ୍କ ଆଖିରେ ଲୁହ ଭରି ଆସିଲା । ଶେଷରେ ସୁପ୍ରିୟ ବି ତାଙ୍କୁ ଠକିଦେଲା ! ତାଙ୍କରି ପଣତ ତଳେ ମୁହଁ ଲୁଚାଇ ଲୁଚାଇ ମୁହଁ ବାହାର କଲା ବେଳକୁ ତା’ର ବୟସ ବାରବର୍ଷ । ତାଙ୍କ ସଙ୍ଗେ ପଖାଳ ନ ଖାଇଲେ ଯାହାର ପେଟ ପୂରେନି । ତାଙ୍କ ଅଣ୍ଟାରେ ଗୋଡ଼ ପକାଇ ନଶୋଇଲେ ଯାହାକୁ ନିଦ ହୁଏନି ।

 

ଉଠିଯାଇ ରାଧାମଣି ବଡ଼ଝିଅ ଟ୍ରଙ୍କରୁ ବାପୁର ଆଲବମ୍‌ ଆଣି ଖୋଲି ଧରିଲେ । ପ୍ରଥମ ପୃଷ୍ଠାରେ ଧଳା ଧଳା ବଡ଼ ଅକ୍ଷରରେ ଲେଖା ହୋଇଚି ‘‘ବୋଉ ହାତରେ ବାପୁ ।’’

 

ପୃଷ୍ଠା ପରେ ପୃଷ୍ଠା ଓଲଟୁଛି । ବିଭିନ୍ନ ପୋଜରେ ବାପୁର ଫଟୋ । ବାପାବୋଉଙ୍କ କୋଳରେ ମାସକର ଶିଶୁ ବାପୁଠାରୁ କଲେଜ ଚମ୍ପିଆନ ସୁପ୍ରିୟ ମିଶ୍ର ଯାଏ । ତା’ପରେ ମେଡ଼ିକାଲ କଲେଜ ଜୀବନରେ ଷ୍ଟେଥୋ ହାତରେ, ରୋଗୀ ପାଖରେ ପାର୍କରେ, ବନ୍ଧୁ ମେଳରେ । ସେଇ ହସ ସ୍ନେହ ପ୍ରବଣ ମୁହଁ, ଆଖିରେ ଘରମୁହାଁ ମାଇଚିଆ ଢଙ୍ଗ । ରାଧାମଣିଙ୍କ ଆଖିରେ ଲୁହ ଭରି ଆସିଲା । କେତେ ଭଲପାଉନଥିଲା ବାପି ବୋଉକୁ ତା’ର !

 

ପୃଷ୍ଠା ପରେ ପୃଷ୍ଠା । ବାପୁ ଏମ୍‌.ବି.ବି.ଏସ୍‌ ଡିଗ୍ରୀ ଆଣିବା ଦିନର । ତା’ତଳେ ଲେଖା ହୋଇଚି ଡଃ ସୁପ୍ରିୟ ମିଶ୍ର । ତା’ପରେ ହଠାତ୍‌ ତାଙ୍କର ଆଖି ସ୍ଥିର ହୋଇଗଲା । ଛାତି ଭିତରେ ହାତୁଡ଼ି ପିଟୁଚି ଯେମିତି କିଏ । ଯେଉଁଦିନ ବାପି ଘର ଛାଡ଼ିଲା, ଓଡ଼ିଶା ଚାଡ଼ିଲା–ଭାରତ ଛାଡ଼ିଥିଲା-। ବିମାନ ଦ୍ୱାର ଦେଶରେ ଠିଆ ହୋଇ ସାଶ୍ରୁ ନୟନରେ ବିଦାୟ କାଳୀନ ସଙ୍କେତ ଦେଉଛି-

 

ସବୁ କାଲିପରି ଲାଗୁଚି–ବାପୁର ଜନ୍ମ, ପାଠପଢ଼ା ଡାକ୍ତର ହେବା–ବିଦେଶ ଯିବା । ବିଦେଶରୁ ବାପୁ ଚିଠି ଲେଖେ ‘ମୁଁ ଭଲଅଛି ବୋଉ–ତୁ ବ୍ୟସ୍ତ ହେବୁନି । ତୋ କଥା ମନେପଡ଼ିଲେ କାନ୍ଦ ଲାଗୁଚି । ଚିଠିଟିକୁ ଲୁହରେ ଭିଜେଇ ଘନ ଘନ ଚୁମ୍ବନ କରିଛନ୍ତି ରାଧାମଣି । ବିଦେଶରେ ଥିବା ଡାକ୍ତର ପୁଅ ତାଙ୍କର ଲେଖିଚି–ତାଙ୍କୁ ମନେପକାଇ ସେ କାନ୍ଦୁଚି ! ରାଧାମଣି ଇଚ୍ଛାହେଲା ସେ ବାହୁନି ବାହୁନି କାନ୍ଦନ୍ତେ–‘‘ମୋ ବାପିରେ–ମୋ ଧନରେ–ତୁ ଆଜି କିମିତି ଥିବୁରେ–ତତେ ଝୁରି ଝୁରି ମରି ଯାନ୍ତି କିରେ....’’ ଇତ୍ୟାଦି ଇତ୍ୟାଦି ।

 

ଲୁହ ପୋଛି ପୁଣି ସେ ଫଟୋ ଦେଖାରେ ମନ ଦେଲେ ।

 

ବିଦଦେଶରେ ବି ବାପୁ ତାଙ୍କର ନାଁ କରିଚି । ସେଠିକି ସମସ୍ତେ ତାଙ୍କୁ ସ୍ନେହ କରୁଚନ୍ତି । ଯାହା ଘରେ ସେ ଅଛି ସେମାନଙ୍କ ଫଟୋ ବି ସେ ଦେଇଛି । ଲେଖିଛି ମିସେସ୍‌ ରବର୍ଟ ତାକୁ ପୁଅ ଭଳି ସ୍ନେହ, କରୁଛନ୍ତି । ତାଙ୍କ ଝିଅ ଲୋଟସ୍‌ ତା’ଠୁ ଓଡ଼ିଆ ଶିଖୁଚି ଓ ତାଙ୍କୁ ‘ଭାଇ’ ବୋଲି ଡାକୁଚି । ତାଙ୍କ ଗହଣରେ ବାପୁ ଠିଆ ହୋଇ ହସୁଚି ଏ ଫଟରେ ।

 

ଆହୁରି ଅନେକ ଫଟ । ସବୁଠି ବାପି ହସ ହସ । ବାପି ଭଲରେ ଅଛି । ଖୁସିରେ ଅଛି । ଅନ୍ତତଃ ଫଟୋଗୁଡ଼ିକ ଦେଖି ସେ ଆଶ୍ୱସ୍ତ ହୋଇଥିଲେ ।

 

କିନ୍ତୁ ଏ ଚିଠିଟା !!

 

ଫଟୋଗୁଡ଼ିକ ଆହୁରି ନିରେଖି ଚାହିଁଲେ । ରାଧାମଣି ଏ ଝିଅମାନଙ୍କ ଭିତରୁ କିଏ ହୋଇଥିବ ଜୁମି । ଗୋଟି ଗୋଟି କରି ଖୋଜୁଥିଲେ ରାଧାମଣି । ତାଙ୍କ ଆଖିକୁ କେହିବି ସୁନ୍ଦର ଦିଶିଲେନି । ଉଷାର ପାଦ ତଳକୁ ସରି ହେବେନି ଏମାନେ ! କେମିତି ବାପି ଭୁଲିଗଲା ସେଇ ଜୁମି ସାଇବାଣି ରୂପରେ । ରାଧାମଣିଙ୍କ ଲୁହ ପଡ଼ି ଫଟୋଗୁଡ଼ିକ ଓଦା ହୋଇ ଯାଉଥିଲା । ବାପିର ମୁହଁ ପାଖେପାଖେ ଉଷାର ମୁହଁଟି ସ୍ପଷ୍ଟ ହୋଇ ଉଠୁଥିଲା । ନିରୀହ ନିର୍ଦ୍ଦୋଷ ଆଖି ଦୁଇଟି ସରଳ ନିଷ୍କାମ ମୁହଁଟିଏ । ଉଷା–ଉଷାଲୋ ! କେତେ ଆଶା କରିଥିଲି ତତେ ବୋହୂ କରି ଘରକୁ ଆଣିବି । କେମିତି ତୋ ଆଗରେ ମୁହଁ ଦେଖାଇବି । କିମିତି ତୋ ବାପାଙ୍କ ଆଗରେ ମୁଣ୍ଡ ଟେକି ଚାଲିବି ଲୋ ଉଷା..... ।’’

 

ରାଧାମଣିଙ୍କ ମୁଣ୍ଡ ଘୂରୁଚି । ବାପି ଶେଷରେ ଏଇଆ କଲା ? ଏଇଆ ଦେଖାଇବାକୁ ଏଇଆ ଶୁଣାଇବାକୁ ତମେ ମତେ ବଞ୍ଚେଇ ଥିଲ ଠାକୁରେ ? ଏଇଥିପାଇଁ ତମକୁ ମୁଁ ସେବା କରୁଥିଲି, ପୂଜା କରୁଥିଲି ??

 

ଠାକୁର ଘରେ ପଶି ରାଧାମଣୀ ଧଡାସ୍‌କରି କବାଟ ଦେଇ ଗିରିଧାରୀଙ୍କ ପାଦତଳେ ମୁଣ୍ଡପିଟି କାନ୍ଦି ଉଠିଲେ । ଏ ଘରେ ସାଇବାଣୀ କିରାସ୍ତାନିଆଣୀ ପାଦ ଦେବା ଆଗରୁ ମୋତେ ନେଇଯା... । କୃଷ୍ଣ ହେ ! ପଥର ହେ ! କାଳିଆ ହେ ତମେ ଦେଖିଛ–କେତେ ପରପିଲାକୁ ମଣିଷ କରି ଛାଡ଼ିଛି କେତେ ଅଭାବ ଭିତରେ–ଦୁଃଖ–କଷ୍ଟ ଭିତରେ ନିଜେ ନଖାଇ ଅନ୍ୟକୁ ଦେଇଚି । ସେମାନେ ବଡ଼ଲୋକ ହେଇ ପଚାରିନାହାନ୍ତି, ତଥାପି ତାଙ୍କର ମଙ୍ଗଳ ମନାସିଚି । ତମକୁ ତ ଗୁହାରୀ କରିନି ଆପତ୍ତି ଜଣେଇନି ହେ ଠାକୁରେ–କେତେଲୋକଙ୍କ ଘର ଗଢ଼ିଚି’ ମୋ ଘର ତମେ କାହିଁକି ଭାଙ୍ଗିଦେଲ–ମୋ ପିଲାକୁ ତମେ କାହିଁକି ମଣିଷ କଲ, କହ–କହ ତମରି ପାଦତଳେ ମଥାପିଟି ମରିଯିବି । ରାଧାମଣିଙ୍କ ଲୁହ ବାଧା ବନ୍ଧନ ମାନୁନି କୋହ ପରେ କୋହ ଉଠିଛି ।

 

ରିଣ୍ଟୁ, ସିଣ୍ଟୁ ଭୋକରେ ଶୋଇ ପଡ଼ିଲେଣି । ମଣ୍ଟୁ, ଟଣ୍ଟୁ ବାପାଙ୍କ ଡରରେ ବହି ଧରି ବସିଚନ୍ତି, ବୋଉର ବାହୁନା ଶୁଣିବି ବଡ଼ଝିଅ ମେନା ସେଇମିତି ପିଢ଼ାଖଣ୍ଡିକ ଉପରେ ଏକା ବସି ବାପାଙ୍କ ସାର୍ଟରେ ରଫୁ କରୁଛି, ଆଖିର ଲୁହରେ ସାର୍ଟ ଅଧା ଓଦା ହେଲାଣି । ସେ ବେଶୀ ଭାବୁଚି ବୋଉ କଥା । ଭାଇ ଯଦି ତା’ ଚିଠି ଅନୁଯାୟୀ କାଲି ଜୁମି ବୋଲି ସେଇ ଇଂରେଜ ଝିଅଟିକୁ ନେଇ ଘରକୁ ଆସନ୍ତି, ବୋଉ ସତରେ ହାଟଫେଲ କରିବ ।

 

ବାବୁ ଓ ହେନା ଫିଲ୍ମ–ଫେୟାର ଉପରୁ ମୁହଁ ଉଠାଇ ପରସ୍ପରକୁ ଚାହିଁଲେ । ବୋଉ କାନ୍ଦୁଚି । ନିହାତି ବୋକୀଟେ । ସବୁ ଇଣ୍ଡିଆନ ଝିଅଗୁଡ଼ା ଖାଲି ଭଲ ବୋହୂହୋଇ ଯାଉଚନ୍ତି ଯେ ଜୁମି ଭଲ ବୋହୂ ହୋଇପାରିବନି । କିଓ ସେତ ତାଙ୍କ ସାଇବମାନଙ୍କ ସାଥିରେ ବୁଲିବେ । କୋଉ ବୋହୂଟା ଘରେ ରହୁଚି ଯେ ଶାଶୁ ଶ୍ୱଶୁରଙ୍କ ସେବା କରିପାରିଲାନି ବୋଲି ତାଙ୍କୁ କାନ୍ଦ ମାଡ଼ୁଚି, ହେଟ୍‌ ! ବୋଉଟା ନିପଟ ମଫସଲିଆଣିଟେ ! ଭାଇଙ୍କ ଇଚ୍ଛା ଯାହାହେଲା ସେ କଲେ ୟାର କ’ଣ ଯାଉଚି–ସବୁଦିନେ ୟା କୋଳରେ ଗେହ୍ଲା ପୁଅ ହେଇ ଯେମିତି ରହିଥାନ୍ତେ ! ଏ ବୋଉଟା ନିଜେତ ହେଲାନି, କାହାକୁ ବି ଅପ୍‌ଟୁ ଡେଟ ହେବାକୁ ଦେବନି !! ହେନା ଆକଟ କରୁଚି–ଚୁପ୍‌ଚୁପ୍‌ ବାବୁ ! ବୋଉ ଶୁଣିଲେ ବେଶୀ କାନ୍ଦିବ । ହେଇ ଶୁଣ କେହି ନ ଯାନ୍ତୁ–ତୁ ମୁଁ କିନ୍ତୁ କାଲି ଭୁବନେଶ୍ୱର ଯାଇ ଭାଇ ଓ ଭାଉଜଙ୍କୁ ରିସିଭ କରିବା ଭାଇ ଯାହାକୁ ବାହାହେଲେ ସେତ ଭାଉଜ ସେ ଧଳା ହୁଅନ୍ତୁ ବା’ କଳା ହୁଅନ୍ତୁ ।

 

ସୁଧାକରବାବୁ ଗୁଡ଼ାଖୁ ଘଷା ବନ୍ଦକରି ସିଗାରେଟ ପରେ ସିଗାରେଟ ଟାଣି ଚାଲିଚନ୍ତି । ଆଃ ! ଏ ଅବଲମ୍ବନ ଟିକକ ନ ଥିଲେ ସେ ପାଗଳହୋଇ ଯାଆନ୍ତେଣି । ଅଥଚ ଏଇ ଗୁଡ଼ାଖୁ ଘଷା ଓ ସିଗାରେଟ ଖିଆପାଇଁ ରାଧାମଣିଠାରୁ ଭର୍ତ୍ସନା ଶୁଣୁଛନ୍ତି–‘‘ଏତେ ଅଭାବ ଭିତରେ ଏତେ ପିଲାଙ୍କର ବାପ ହୋଇ ମଧ୍ୟ ତୁମେ ଏ ସଉକି ଛାଡ଼ି ପାରିଲନି !’’ ରାଧାମଣି ଜାଣିପାରି ନାହାନ୍ତି ସୁଧାକର ବାବୁ ଯେ ସଉକିପାଇଁ ଏହା କରନ୍ତି ନାହିଁ, ସେଇ ଅଭାବକୁ ସାମୟିକ ଭୁଲିଯିବାକୁ !

 

ସୁଧାକର ବାବୁଙ୍କ ଆଖି ଆଗରେ ଚଳଚିତ୍ର ଭଳି ଭାଷି ଉଠୁଚି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ବାପୁ, ସୁପ୍ରିୟ, ଡଃ ସୁପ୍ରିୟ ଉଷା ଆଉ ଜୁମି ସବୁ ଭାବନା ବିକ୍ଷିପ୍ତ ଅଥଚ ଯୋଡ଼ି ହୋଇପାରନ୍ତା ।

 

କାଲି ବାପୁ ଆସିବ । ଆମେରିକାରୁ ଆସି ସେ ବମ୍ବେରେ ଆଜି ପହଞ୍ଚି ସାରିବଣି । କଟକରେ ପଢ଼ୁଥିବା ବେଳେ ‘‘ଆସିବ’’ ଶୁଣିଲେ ବୋଉ ତା’ର ଦି’ଦିନ ଆଗରୁ ପିଠାପଣା କରି ରଖିଥିବ । ବାଛି ବାଛି ଭଲମାଛ ଆଣି ରଖୁଥିବ । ଇଲିସି ସୁଖୁଆଭଜା, ବଡ଼ି ଭଜା ଓ ପଖାଳରେ ବାପୁର ସ୍ନେହ ବୋଲି ବଭିନ୍ନ ବଡ଼ି ପକାରେ ବ୍ୟସ୍ତ ଥିବ ଓ ଇଲିସିପାଇଁ ହଳିଆକୁ ଥରକୁ ଥର ପଠାଉଥିବ । ପିଲାମାନେ ଡ଼ିଆଁ ଡେଇଁ କରି ହସ ଖୁସିରେ ଘର ଭାଙ୍ଗୁଥିବେ ନିଜେ ସିଏ ସଫା ତକିଆ ଖୋଳ, ସଫା ବେଡ଼ସିଟ୍‌ ଆଣି ତକିଆରେ ଲଗାଇ ଖଉଟପରେ ପକାଉଥିଲେ । ଭଲ ଭଲ ଓ ନୂଆ ନୂଆ ମାଗାଜିନ ଆଣି ଟେବୁଲ୍‌ରୁ ସବୁ ଅନାବନା କାଗଜ ବହି ଆଦି ଉଠାଇ ତା’ ସଜାଡ଼ି ରଖୁଥିଲେ ଓ ମେନା ହେନାଙ୍କୁ ଡାକି ଛାଡ଼ିଥିଲେ ନୂଆ କିଛି ଟେବ୍ଲକ୍ଲଥ କରିଛ ତା’ଘର ସବୁ ସଫା ରଖିଛତ ଇତ୍ୟାଦି ଇତ୍ୟାଦି । ବାପୁ ଆସିବା ଦୁଇଦିନ ଆଗରୁ ଘରେ କୋଳାହଳ ଜମି ଯାଇଥିବ ଯେ ସେ ଯିବା ପର୍ଯ୍ୟନ୍ତ । ଛୋଟପିଲାଗୁଡ଼ିକ କିଏ ସୁନ୍ଦର ସୁନ୍ଦର ଗୁଡ଼ି ତିଆରିରେ ବ୍ୟସ୍ତ ଥିବତ କିଏ ଏଣ୍ଡୀପୋକ ଖୋସା ସଂଗ୍ରହରେ ବ୍ୟସ୍ତଥିବ । ଆଉ କିଏ ନୂଆ ନୂଆ ଫୁଲଗଛ ଆଣି ଲଗାଇ ପକାଉଥିବ ଭାଇ ଆସିଲେ ନିଜ ନିଜର ବାହାଦୂରୀ ତା’ ଆଗରେ ଦେଖାଇବାକୁ । ସେ ବି ଏତେ ପିଲାଳିଆ–ଦିନରାତି ସେଇ ଛୋଟଭାଇ ଭଉଣୀଙ୍କ ସାଙ୍ଗେ ଲାଗିଥିବ ।

 

ସେଇ ବାପୁ ଆଜି ଆସିବ । ପୁଣି କଟକରୁ ନୁହେଁ ଆମେରିକାରୁ ମାସେ ଦି’ମାସ ପରେ ନୁହେଁ, ଦୀର୍ଘ ଚାରିବର୍ଷ ପରେ । ଅଥଚ ଘରେ ଅଖଣ୍ଡ ନୀରବତା, ନିରୁଦ୍ବେଗତା । ଯେଉଁ ବୋଉର ଗୋଡ଼ ତଳେ ପଡ଼େନି, ରୋଗ ଶେଯରୁ ଉଠି ବାପୁର ସମ୍ବର୍ଦ୍ଧନା ପାଇଁ ଲାଗିପଡ଼େ, ସେଇ ଆଜି ତା’ ଆସିବା ସମ୍ବାଦରେ ଠାକୁର ଘରେ ପଶି କାନ୍ଦୁଚି ।

 

ବାପୁର ଚିଠି ଟେବୁଲ ଉପରେ ସେଇମିତି ପଡ଼ି ରହିଚି । ସୁଧାକର ବାବୁ ଆଦୌ ସହ୍ୟ କରିପାରୁନାହାନ୍ତି । ସେ ପରମ୍ପରା ବନ୍ଧନରୁ ମୁକ୍ତ ଏବଂ ଏକ ଆଧୁନିକ ସଭ୍ୟ ଜୀବନ ଚାହାନ୍ତି । ଯାହା ନୂତନତାକୁ ଗ୍ରହଣ କରିଛନ୍ତି । ଏବଂ ଯାହା ଉପାଦେୟ ହୀନ ସେପରି ପ୍ରାଚୀନତାକୁ ବର୍ଜନ କରିଛନ୍ତି । ଭାରତରେ ଅନେକ ଝିଅ ଅଭିଆଡ଼ି ରହିଯାଉଛନ୍ତି । ସେଠି ଭାରତୀୟମାନେ କାହିଁକି ଯେ ଇଂରେଜ, ଫରାସୀ ଜର୍ମାନି ଝିଅଙ୍କୁ ବାହାହୋଇ ନିଜକୁ କୃତ୍ୟ କୃତ୍ୟ ମନେ କରନ୍ତି, ସୁଧାକର ବାବୁ ବୁଝି ପାରନ୍ତିନି । ଅନେକ ଫରେନ୍‌ ଝିଅ ବାହା ହୋଇଛନ୍ତି । କିନ୍ତୁ ୟାବୋଲି ତାଙ୍କ ବାପି.... ବାପୁ ! ଲଜ୍ଜାଶୀଳ ଭୀରୁ ବାଧ୍ୟ ବଶମ୍ବଦ ପୁଅ ସୁପ୍ରିୟ ବାହା ହେବ ଶ୍ୱେତାଙ୍ଗୀ ଝିଅକୁ ? ତା’ ପୂର୍ବରୁ ତାଙ୍କୁ ତା’ ସମ୍ପର୍କରେ କିଛି ନ ଜଣାଇଁ ?? ସୁଧାକର ବାବୁ ଦୀର୍ଘଶ୍ୱାସ ଛାଡ଼ିଲେ ପରାଜୟର ଗ୍ଳାନି ଯେମିତି ତାଙ୍କ ହାତ ପାଦ ବାନ୍ଧି ଦେଇଛି !!

 

ଲୋକେ ଯାହା କୁହୁଥିଲେ ସତ ! ତାଙ୍କ ବନ୍ଧୁ ସଦାନନ୍ଦ ସେଦିନ କହିଲେ ବାପୁ କ’ଣ ସାଇବାଣୀ, ଫାଇବାଣୀ ଧରିଲାଣି କିହୋ..... ବାପୁ ବୋଉତ ଖପରା ଡିଅନ୍ତି । ସାଇବାଣୀ ବୋହୂ ଆସିଲେ କିମିତି ଚଳିବେ !

 

ଦୃଢ଼ କଣ୍ଠରେ ପ୍ରତିବାଦ କରିଥିଲେ ସୁଧାକର, ବାପୁକୁ ମୁଁ ଭଲ କରି ଜାଣେ ବାପୁ ବି ତା’ ବୋଉକୁ ଭଲ କରି ଚିହ୍ନେ । ସେ ଆମ ମନରେ କଷ୍ଟ ଦେଲା ଭଲ କିଛି କରିବନି । ମୁଁ ତା’ପାଇଁ ଏଠି ଝିଅ ଠିକ୍‍ କରିଛି ।

 

ସୁଧାକର ବାବୁଙ୍କ ଆଖି ଆଗରେ ଉଷା ଯେମିତି ଚାବୁକ ଧରି ଠିଆ ହେଲେ । ଦର୍ପିତ କଣ୍ଠରେ ପ୍ରଶ୍ନ କଲା–ତମେ କିଏ..... ବୋହୂ କରିବେ ବୋଲି ମୋର ସ୍ୱାଧୀନତା ଅପହରଣ କରି ମତେ ଘର କୋଣରେ ବନ୍ଦୀ କରି ରଖିଲ ? ବର ପୂର୍ବା ଝିଅ ଭଳି ମୁଁ ମନ ଖୋଲି ବୁଲି ପାରିଲିନି, ହସି ପାରିଲିନି, ସିନେମା ଦେଖି ପାରିଲିନି ଖାଲି ତମରି ଡରରେ ।

 

କାଲି ଯଦି ସେଇ ନାକ କାନ୍ଦୁରୀ ଉଷା କରୁଣ ଆଖି ଦିଇଟାରେ ଲୁହ ଭରି ଆସି ତାଙ୍କ ଆଗରେ ଠିଆ ହେବ । କି ଉତ୍ତର ସେ ଦେବ ତାକୁ ?

 

ସୁପ୍ରିୟ ଯଦି ଜାଣିଥାନ୍ତା ଉଷାର ବାପା ଅଶ୍ୱିନୀ ଶର୍ମାଙ୍କଠାରୁ ସେ ଟଙ୍କା ଆଣି ତାକୁ ଫରେନ ପଠାଉଛନ୍ତି, ସେ ମୂଳରୁ ହିଁ ମନାକରିଥାନ୍ତା । ଅତି ମାତ୍ରାରେ ଆତ୍ମଭିମାନୀ ସେ କାହାର ସାହାଯ୍ୟ ଓ ଦୟାକୁ ସେ ପିଲାଦିନୁ ଘୃଣା କରି ଆସିଚି । ତାଙ୍କର ବିଶ୍ୱାସ ଥିଲା, ଆମେରିକାରୁ ଫେରିଲେ ବାପା ଠିକ୍‌ କରିଥିବା ଝିଅକୁ ସେ ନିଶ୍ଚୟ ବିବାହ କରିବେ, ଅବାଧ୍ୟ ହେବନି ।

 

ଆଉ ଅଶ୍ୱିନୀ ଶର୍ମା ବିଶ୍ୱାସ କରିଥିଲେ ସୁଧାକର ମିଶ୍ର ତାଙ୍କୁ ଠକି ଦେବନି । ସେଇ ବିଶ୍ୱାସରେ ସେ ସୁପ୍ରିୟର ଅଜାଣରେ ତାଙ୍କୁ ଦେଇଥିଲେ ପଚିଶ ହଜାର ଆଉ ସେଇ ବିଶ୍ୱାସରେ ସେ ସୁପ୍ରିୟକୁ ଜମି ବିକ୍ରିକରି ଟଙ୍କା ଦେଇଛି କହି ଉଷା ସଙ୍ଗେ ବିବାହ କରିବା କଥା ଗୋପନ ରଖିଥିଲେ । କାରଣ ଶଶୁର ଟଙ୍କାରେ ପାଠ ପଢ଼ାଇବା ପୁଅ ସୁପ୍ରିୟ ନୁହେଁ ।

 

କିନ୍ତୁ ଏ କ’ଣ କଲା ଆଜି ବାପୁ ? ଅଥଚ ତାକୁଇ ମଣିଷକରି ଗଢ଼ିବାକୁ ନିଜ ପରିବାରର ରକ୍ତ ଚିପୁଡ଼ି ସେ ଦେଇଛନ୍ତି । ସ୍ତ୍ରୀଙ୍କ ଦେହକୁ ବିବାହର ସତେଇଶ ବର୍ଷ ଭିତରେ ସତେଇଶ ଟଙ୍କାର ଗହଣା ଖଣ୍ଡେବି କରିପାରି ନାହାନ୍ତି । ସେଇ ବାପୁ ପଛରେ ଅନ୍ଧଭଳି ଅଜସ୍ର ଟଙ୍କା ଖର୍ଚ୍ଚ କରି ଝିଅ ଦୁଇଟିଙ୍କୁ ବିବାହ ଦେଇପାରୁନାହାନ୍ତି । ନିଜେ ତାଳି ପକା ରଫୁକରା ସାର୍ଟ ପିନ୍ଧି ବାପୁକୁ ଟେରିକଟ୍‌ ଟେରିଲିନ୍‌ର ସୁଟ ଓ ସାର୍ଟ କରିଦେଇଛନ୍ତି । ନିଜେ ଘଷରା ହାଓ୍ୱାଇ ସ୍ଲିପର ସେ ଚଳାଇ ନେଇ ବାପୁ ପାଇଁ ଆମ୍ବାସଡ଼ର ଜୋତା କିଣିଛନ୍ତି । ନିଜେ ଅଫିସ୍‍କୁ ଖରାରେ ଚାଲି ଚାଲି ଯାଇ ବାପୁକୁ ସାଇକେଲ କିଣି ଦେଇଛନ୍ତି । କେତେ ଆଶା–କେତେ ସ୍ୱପ୍ନ– । ବାପୁ ତାଙ୍କର ମଣିଷ ଭଳି ମଣିଷ ହେବ । ତାଙ୍କରି ଆଦର୍ଶ ହେବ ଆଉ ତା’ ବୋଉ ଭଳି ଏକ ଶାନ୍ତି ଶୁଭ୍ର, ପବିତ୍ର ଓ ତ୍ୟାଗର ଦୀପ୍ତିରେ ଉଦ୍ଭାସିତ ଝିଅଟିଏ ବାହା ହେବ । ଭାଇ ଭଉଣୀଙ୍କୁ ମଣିଷ କରିବ । ହାୟ ! ନିଜେ ବାପୁ ବି ହୋଇପାରିଲାନି ଏତେ ବାଧ୍ୟ ଥିଲା, ବୋଉର କୌଣସି କଥା ତଳେ ପକାଉନଥିଲେ ଏଇ ବାପୁ । ବାପୁରେ ବାପୁ ! ଏ କ’ଣ କଲୁ !

 

ସୁଧାକରଙ୍କ ଆଖିରେ ଅପମାନର ଅଶ୍ରୁ । ସିଣ୍ଟୁ ମଣ୍ଟୁ ଶୋଇ ଯାଇଛନ୍ତି । ହତଭାଗ୍ୟ ଦୁଇଟା । ଆଉ ମାସ କେଇଟା ଗଲେ ସେ ରିଟାଏର୍ଡ଼ କରିବେ ରେନା, ହେନା ବାହା ହୋଇଯିବେ । ବାବୁ ବି.ଏ. ଓ ମଣ୍ଟୁ ଓ ଟଣ୍ଟୁ ମାଟ୍ରିକ ପାସ୍‍ କରିବେ ଏ ବର୍ଷ । ଏମାନଙ୍କର ପରଲାଗି ଯାଇଚି–ବଞ୍ଚି ପାରିବେ । କିନ୍ତୁ ରିଣ୍ଟୁ, ସିଣ୍ଟୁ ମିଠୁ ବିଚରା ! କ’ଣ କରିବରେ ତମେମାନେ ! ସୁଧାକର ବାବୁ ନିଦ୍ରିତ ରିଣ୍ଟୁ ସିଣ୍ଟୁଙ୍କୁ ଚାହିଁ ଲୁହ ପୋଛିଲେ ।

 

କାନ୍ଥରେ ବାପୁର ଫଟୋ ହସିଲା ଓଠ ହସିଲା ଆଖି । ପକେଟରେ ବାପୁର ଚିଠି ।

 

ବାପୁ ତାଙ୍କରି ରକ୍ତର ପ୍ରଥମ ସନ୍ତାନ । ଜୀବନରେ ଯିଏ ଦିନେ ବି ବାପାବୋଉଙ୍କର ଅବାଧ୍ୟ ହୋଇନି, ନିଜେ ବି ବାପାବୋଉଙ୍କ ମନରେ କଷ୍ଟ ଦେଇନି ଦିନେ ବି କାନ୍ଦୁରା ମୁହଁ କରିନି, ଅଭିମାନ କରିନି । ହସ ହସ ଚିର ପ୍ରଫୁଲ୍ଲ । ଫଟୋକୁ ଚାହିଁ ସୁଧାକର ବାବୁ ଦୁର୍ବଳ ହୋଇ ପଡ଼ୁଥିଲେ । ନାଁ ନାଁ । ବାପୁ କେବେ ତା’ ବାପାକୁ ଠକିପାରେନା । ବାପୁ ତା’ର ବାପାର ମୁଣ୍ଡକୁ ତଳକୁ କରିପାରେନା । ମିଛ ସବୁ ମିଛ !

 

ଯଦି ସତ ହୋଇଯାଏ ???

 

ହଉ ! ସତ ହଉ । ତା’ର ଏଇ ଗୋଟିଏ ଦୋଷକୁ ସେ କ୍ଷମା ଦେବେ । ଏଇ ଗୋଟିଏ ଆଘାତକୁ ସେ ସହିଯିବେ । ବାପୁ ଆସିବ, ତାଙ୍କ ପୁଅ ଆସିବ । ସିଏ ତାକୁ ସ୍ୱାଗତ କରିବେ, ସିଏ ତାକୁ ଅଭିନନନ୍ଦନ ଜଣାଇବେ–ବାପୁର ଚିର ସ୍ନେହବତ୍ସଳ ହାତ ଦିଇଟା ପ୍ରସାରିତ ପିତୃତ୍ୱରେ ଗର୍ବରେ ସ୍ପୀତ ଏଇ ଛାତି ଉପରେ ସେ ବାପୁକୁ ଚାପି ଧରିବେ ।

 

ସୁଧାକର ବାବୁ ଉତ୍‌ଫୁଲ୍ଲ ହୋଇଉଠିଲେ । ପାଗଳ ଭଳି ଚିତ୍କାର କରି ଡାକିଲେ ଆରେ ବାବୁ ହେନା, ମେନା, ମଣ୍ଟୁ, ଟୁଟୁ, ରିଣ୍ଟୁ ସିଣ୍ଟୁ, ମିଠୁ ସମସ୍ତେ ବାହାର–ବୋଉକୁ ଡାକ ଭାଇ ଆସିବ–ତମର ଭାଉଜ ମଧ୍ୟ ଆସିବ । ସମସ୍ତେ ଚାଲ । ଆଜି ଅବିକା ବାହାର ।

 

ସୁଧାକର ବାବୁ ପଞ୍ଜାବିଟା ଗଳାଇ ହାତବାଡ଼ି ଧରି ବାରଣ୍ଡାକୁ ଆସିଲେ ।

 

ପିଲାମାନେ ବାପାଙ୍କ ପାଟି ଶୁଣି ଉଠି ଆସି ଅବାକ୍ ହେଇ ଚାହିଁଲେ ।

 

ସୁଧାକର ବାବୁ ପୁଣି ପାଟି କଲେ, ସମସ୍ତେ ଗଲେ ଅସୁବିଧା ତୁ ମେନା ବୋଉକୁ ସାହାଯ୍ୟ କରିବୁ ରୋଷେଇରେ ତୁ ରହ । ଆଉ ମଣ୍ଟୁ, ଟୁଟୁ....ତମ ଭିତରୁ ଜଣେ ରହି ମିଠୁକୁ ଜଗିବ, ବୋଉ ଓ ମେନାକୁ ସାହାଯ୍ୟ କରିବ । ତମେ ବାବୁ ହେନା ମଣ୍ଟୁ ଓ ରିଣ୍ଟୁ ଚାଲ । ସମସ୍ତେ ଯନ୍ତ୍ରଚାଳିତ ପରି ବାପାଙ୍କ କଥା ମାନିଲେ । ରିଣ୍ଟୁ ଓ ମଣ୍ଟୁ ‘‘ଭାଉଜ ଆସିବେ ଏକଥା ଜାଣିନଥିଲେ । ବାଟସାରା ବାବୁ ଓ ହେନା ସେ ଦୁହେଁ ବିରକ୍ତ କରି ପକାଉଥାନ୍ତି, ଭାଉଜଙ୍କ ନାଁ କ’ଣ, ସେ ଦେଖିବାକୁ କିମିତି ହେଇଥିବେ..... କାହାଭଳି ଗୋରା–କାହାପରି ସୁନ୍ଦର–ଓଡ଼ିଆ କହି ପାରୁଥିବେ କି ନାହିଁ..... ତାଙ୍କୁ ନମସ୍କାର ହେବାକୁ ପଡ଼ିବ ନାଁ ହାଣ୍ଡସେକ୍‌–ସେ ବାପାଙ୍କୁ କ’ଣ ଡାକିବେ ଇତ୍ୟାଦି-

 

ଭୁବନେଶ୍ୱର ! ତା’ ପରଦିନ !

 

ଘର୍ଘର ଧ୍ୱନି କରି ଏରୋପ୍ଲେନଟା ଗଡ଼ି ଗଡ଼ି ଆସି ସ୍ଥିର ହୋଇଗଲା ।

 

ସୁଧାକର ବାବୁଙ୍କ ନିଶ୍ୱାସର ବେଗ ବଢ଼ିବାରେ ଲାଗିଚି । ବାପୁ ଆସିଥିବ ତ !

 

ପିଲାମାନଙ୍କ ଆଖିରେ ପଲକ ପଡ଼ୁନି । କାଇଁ ! ଭାଇତ ଓହ୍ଲାଇ ନାହାନ୍ତି ! ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ଆଖି ଘୂରି ଆସୁଚି ।

 

ହଠାତ୍‌ ପିଲାମାନେ ଆନନ୍ଦରେ ଚିତ୍କାର କରି ଉଠିଲେ । ଭାଇ, ଭାଇ..... ହେଇଟି ଭାଇ..... ।

 

ସେଇ ହସ ହସ ଆଖି ଓ ଓଠ ସୁପ୍ରିୟ ଓହ୍ଲେଇ ଆସି ସୁଧାକର ବାବୁଙ୍କ ପାଦତଳେ ମୁଣ୍ଡ ନୋଇଁଲା.... ରିଣ୍ଟୁକୁ କୋଳକୁ ଉଠାଇ ନେଉ, ନେଉ ହେନା, ବାବୁ ଓ ମଣ୍ଟୁଙ୍କୁ ମୁଣ୍ଡ ପିଠି ଥାପୁଡ଼େଇ ପ୍ରଶ୍ନକଲା କିରେ ବୋଉକୁ ସାଙ୍ଗରେ ଆଣିନ ??

 

ସମସ୍ତେ ଉତ୍କଣ୍ଠିତଭାବେ ଅପେକ୍ଷା କରିଛନ୍ତି ମିସେସ୍‌ ଜୁମିଙ୍କୁ । ବାପୁର ପ୍ରଶ୍ନ ଓ ସୋହାଗ କାହା ମନକୁ ଛୁଇଁ ନ ଥିଲା ।

 

ବିସ୍ମୟ ଭରା ଆଖିରେ ସୁପ୍ରିୟ ଚାହିଁଲେ ପଛକୁ । ବାପା ମଧ୍ୟ ପ୍ରତୀକ୍ଷମାଣ ଆଖିରେ ଚାହିଁଛନ୍ତି ପ୍ଲେନକୁ । ସମସ୍ତେ ଯେମିତି ତା’ପ୍ରତି ନିସ୍ପୃହ । ସୁପ୍ରିୟ ଆହାତ ହେଲା ।

 

ପିଲାମାନେ ଠେଲା ପେଲା ଚିମୁଟା ଚିମୁଟି ହେଉଛନ୍ତି–ଆଖିରେ ‘‘ତୁ ପଚାରୁନୁ..... ତୁ କହୁନୁ’’ ଭାଇ । ଭାଇ ତମେ ପରା ଲେଖିଥିଲ ଜୁମି କିଏ ଆସିବେ, ସେ କାହାନ୍ତି ?

 

ହସୁ ହସୁ ରହିଯାଇ ସୁପ୍ରିୟ କହିଲା, ଓଃ ତାକୁଇ ଅପେକ୍ଷା କରିଛ–ସେ ପରା ଏଇଟି ।

 

ପିଲାମାନେ ଚାହିଁଛନ୍ତି । ସୁପ୍ରିୟର କୋଟ ପକେଟରୁ ବାହାରିଲା ଚକ୍ଲେଟ କଲରର ଭେଲଭେଟ୍‌ଭଳି ପଷମ ନରମ ଦେହ ଟିକି କୁକୁରଟିଏ ।

 

ମଣ୍ଟୁ ହସି ହସି କହିଲା, ଓଃ ଏଇ ତାହାହେଲେ ଆମ ଭାଉଜ !! ସମସ୍ତେ ହସିଉଠିଲେ-

 

ସୁପ୍ରିୟ ତା’ କାନ ଧରି କହିଲା ‘‘ତମେ ସବୁ ତେବେ ଏମିତି କଳ୍ପନା କରି ସାରିଥିଲ । ମୁଁ ବି ଚିଠି ଲେଖି ସେଇ ଆଶଙ୍କା କଳ୍ପନା କରୁଥିଲି । ବୋଉ ଅବସ୍ଥା ଏକଥା ଶୁଣି କିମିତି ଅଛି କହିଲୁ-!!’’

Image

 

ସମୟ

 

ବାସ୍ତବିକ ବୋର୍‌ ।

 

ସବୁବେଳେ ନମିତାର ସେଇ ଗୋଟିଏ କଥା–ଭାରି ମନଟୋନସ୍‌ ।

 

ପ୍ରଥମେ ପ୍ରଥମେ ସାମାନ୍ୟ ବିରକ୍ତ ଲାଗିଲେ ହେଁ ବିଧୁଭୂଷଣ ଚୁପ୍‌ ରହୁଥିଲେ । ସେ ଜାଣନ୍ତି, ନାରୀ ସନ୍ଦେହୀ । ନାରୀର ଅନ୍ୟ ନାମ ଈର୍ଷା । ପରେ ପରେ ସେ ବିରକ୍ତ ପରିବର୍ତ୍ତେ କିଛିଟା ଆମୋଦ ଅନୁଭବ କରୁଥିଲେ ନମିତାର ଅଭିଯୋଗର । ତେଣୁ ଲଘୁ ରସିକତା କରିବାକୁ ବି ଭୁଲୁ ନ ଥିଲେ ।

 

ସେଦିନ ନମିତା ଯେମିତି ତା’ ଜିଦରେ ଅଟଳ । କଣ୍ଠରେ ଅତୁଟ ଦୃଢ଼ତା ଓ ତାତ୍ସଲ୍ୟ ଭରି କହିଲା ତମେ ଯଦି ସେ ଝିଅକୁ ଭଲ ପାଉଥିଲ ତାକୁ ବିବାହ କଲନି କାହିଁକି । ପତ୍ନୀଠାରୁ ପ୍ରେମିକାକୁ ଏତେ ଗଭୀରଭାବେ ଭଲପାଅ କାହିଁକି ? ପରିଚୟ ମତେ ଦେବାକୁ ତମେ କୁଣ୍ଠିତ କାହିଁକି ? ତମେ ନିଷ୍ଠୁର । ସ୍ନେହୀ ସ୍ୱାମୀର ଭଦ୍ର ଶାନ୍ତି ଆବରଣ ତଳେ ତମ ମନର କାଚଘରେ ତମ ମମତା ତା’ରି ପାଇଁ ରୁଦ୍ଧ ।

 

ବିଧୁଭୂଷଣ ଶାନ୍ତ କଣ୍ଠରେ କହିଲେ–ଜୀବନରେ ଅନେକ କାହିଁକି ନିରୁତ୍ତରିତ ରହିଯାଏ କାହିଁକି ସେ କଥା କହିହୁଏନି–ଜାଣି ବି ହୁଏନି ।

 

ଅବୁଝା ନମିତା ତଥାପି ବୁଝିବାକୁ ନାରାଜ । ରାଧାର ସାମାନ୍ୟ ଗୋଟିଏ ଚିଠି ବିବାହର ଦୁଇଟି ବର୍ଷପରେ ଗୋଟିଏ ସନ୍ତାନର ଜନନୀ ନମିତା ମନରେ ଯେ ଏତେ ପ୍ରଶ୍ନବାଚୀ ସୃଷ୍ଟି କରିଚି-। ସେକଥା ଭାବିଲେ ବିଧୁଭୂଷଣଙ୍କୁ ହସଲାଗେ– ।

 

ନମିତାର ଚିବୁକରେ ମୃଦୁ ସ୍ପର୍ଶ ଦେଇ ବିଧୁଭୂଷଣ କହିଲେ–ନମ ଯାହାକଥା ମତେ ତମେ ଏତେ ପଚାରୁଛ–ସେ ବିବାହ କରିସାରିଚି । ତେଣୁ ତମର ଈର୍ଷା ଭୟର କାରଣ ନାହିଁ । ତା’ ଛୋଟିଆ ସୁଖୀ ସଂସାରରେ ସେ ସାମ୍ରାଜ୍ଞୀ..... ।

 

ବାଧାଦେଇ ନମିତା କହିଲା–‘ଆଉ ଛାଡ଼ି ଯାଉଛ କାହିଁକି କହୁନ ପତିବ୍ରତା ସତୀ ସାବିତ୍ରୀ ! ଛି–ଛି–ମୁଁ ବୁଝି ପାରେନି ଝିଅମାନେ ଜଣକୁ ଭଲପାଇ ଆଉଜଣକୁ ବାହାହେଇ କିମିତି ଅଭିନୟ କରି ପତିବ୍ରତା ହୁଅନ୍ତି ।

 

ବିଧୁଭୂଷଣ ଦଶମାସର ପୁଅ ରଞ୍ଜିତକୁ କୋଳକୁ ଉଠାଇ ନେଉ ନେଉ କହିଲେ ‘‘ସବୁ ଅଦୃଷ୍ଟ ଆଉ ସମୟ । ମଣିଷକୁ ଦୋଷ ଦେଇ ଲାଭ ନାହିଁ । ତମେ–ମୁଁ–ରାଧା ଆମେ ସମସ୍ତେ ହିଁ ସେଇ ଅଦୃଷ୍ଟ ଓ ସମୟର ଦାସ ।’’

 

ବିଧୁଭୂଷଣ ଯେତେ ପ୍ରକାର ନ ଯିବାର ବାହାନା ଦେଖାଇଲେ ବି ନମିତା ଜିଦ୍‌ ଧରିଲା ସେ ରାଧା ଘରକୁ ଯିବ–ଆଉ ଦେଖି ଆସିବ ଜଣକୁ ଠକି ସେ କିମିତି ସୁଖୀ ହୋଇଛି ଆଉ କେତେ ସୁନ୍ଦର ଓ ଗୁଣର ଯେ ଯାହା ପାଇଁ ବିଧୁଭୂଷଣଙ୍କ ମନର ଅଧିକାଂଶ କିଆରୀ ସେ ବେଦଖଲ କରି ନେଇଚି ।

 

ଶେଷରେ ନମିତାର ହିଁ ଜୟ ହେଲା । ସ୍ୱାଭାବିକ ।

 

ବିଧୁଭୂଷଣ ଓ ନମିତା ରଞ୍ଜିତକୁ ନେଇ ରାଧାର ଘରେ ପହଞ୍ଚୁ ପହଞ୍ଚୁ ରାଧା ଉଚ୍ଛ୍ୱସିତ ଆନନ୍ଦରେ ଅଭିନନ୍ଦନ ଜଣାଇଲା ।

 

ଗରମ ସିଙ୍ଗଡ଼ାଟା ପାଟିରେ ପୂରାଉ ପୂରାଉ ନମିତା ଚମକି ପଡ଼ିଲା । ସାମନା କାନ୍ଥରେ ରାଧାର ବିବାହର ଯୁଗ୍ମ ଫଟୋ । ସତେ କି ସେ ଆର୍ତ୍ତନାଦ କରିବ । ନିଜର ବିବର୍ଣ୍ଣ ମୁହଁରେ ପ୍ରତିଫଳିତ ମନର ଦୁର୍ବଳତାକୁ ଢାଙ୍କିବାକୁ ସେ ବାହାରକୁ ଉଠିଗଲା ।

 

ବିଧୁଭୂଷଣ ବ୍ୟସ୍ତ ହୋଇପଡ଼ିଲେ–କ’ଣ ହେଲା ନମି ।

 

ରାଧା ବସିବା ସ୍ଥାନରୁ ଉଠିଗଲା ଆପଣ ବସନ୍ତୁ–ମୁଁ ଦେଖୁଚି ବୋଧହୁଏ ସିଙ୍ଗଡ଼ାରେ ବେଶି ଲଙ୍କା ହୋଇଯାଇଚି ।

ବାହାରେ ନମିତା ଆଖିରୁ ଲୁହ ପୋଛୁଚି । ଛାତିରେ ତା’ର ଅସମ୍ଭବ କମ୍ପନ । ନିଶ୍ୱାସରେ ବୈଶାଖୀ ଝଞ୍ଜା ।

 

ରାଧା ଆସି ନମିତାର ଆଖିରୁ ଲୁହ ପୋଛିଲା । ‘‘ତମର ଭୟ ବା ବିବ୍ରତ ହେବାର କିଛି କାରଣ ନାହିଁ । ତମେ ଯେ ମୋ ସ୍ୱାମୀଙ୍କର ଏକଦା ପ୍ରଣୟିନୀ ଥିଲ ଏ କଥା ମୁଁ ବିଧୁବାବୁଙ୍କୁ କେବେ ବି କହିନି–ଜୀବନ ଥିଲା ପର୍ଯ୍ୟନ୍ତ ବି ନୁହେଁ–ମୋତେ ବିଶ୍ୱାସ କର ।’’

 

ନମିତା ରାଧାକୁ ଚାହିଁଲା, ରାଧାର ଆଖିରେ ସମବେଦନାର ଲୁହ ଓ ଓଠରେ ବିଶ୍ୱାସ ଜନ୍ମେଇବାର ଆନ୍ତରିକ ସ୍ନିଗ୍‌ଧ ହସ ।

Image

 

ବାଲି ହରିଣ

 

ନିଖିଲ ଦା’ଙ୍କ ସହ ମୋର ପରିଚୟ ନିହାତି ଭୂମିକାହୀନ ।

 

ମୁଁ ଥିଲି ତାଙ୍କ ଗଳ୍ପର ଏକ ନିରବଚ୍ଛିନ୍ନ ମୁଗ୍‌ଧ ପାଠିକା । କଳ୍ପନାର ରଙ୍ଗ ଦେଇ ମୋ ମନର କ୍ୟାନଭାସରେ ତାଙ୍କ ପ୍ରତିଭା ତଥା ବ୍ୟକ୍ତିତ୍ୱ ଓ ପ୍ରତିଭାକୁ ନେଇ ତାଙ୍କ ରୂପରେଖ କେତେ ଯେ ମୁଁ ନ ଆଙ୍କିଛି ।

 

ସେଇ ନିଖିଲ ଦା’ଙ୍କ ସହ ଏକ ପୂଜାରେ ମୋର ସାକ୍ଷାତ କଲିକତାରେ । ଉଦ୍ଦେଶ୍ୟ ତାଙ୍କର ଏକ ବଙ୍ଗଳା ଗଳ୍ପ ଓଡ଼ିଆରେ ଅନୁବାଦ କରିବା ।

 

ନିଖିଲ ଚକ୍ରବର୍ତ୍ତୀ ସେତେବେତଳ ବଙ୍ଗଳା ସାହିତ୍ୟ ରାଜ୍ୟର ଚକ୍ରବର୍ତ୍ତୀ । ସେଇ ଇମେଜଟା ନେଇ ମୁଁ ତାଙ୍କୁ ଭାବୁଥିଲି ସେ ଦେଖିବାକୁ ରାଜପୁତ୍ର ଭଳି ନିଖୁଣ ସୌନ୍ଦର୍ଯ୍ୟର ଅଧିକାରୀ ହୋଇଥିବେ । ଗମ୍ଭୀର ଭାବୁକ ଆଖି ଦିଇଟାରେ ତାଙ୍କର ଅସମ୍ଭବ ଔଜଲ୍ୟତା ଖୁନ୍ଦି ହୋଇଥିବ । କଥା ଅଳ୍ପ ଅଳ୍ପ କହୁଥିବେ, ହସୁଥିବେ କ୍ୱଚିତ ।

 

କିନ୍ତୁ ସେଇ ମଧ୍ୟ ବୟସ୍କ ଅଥଚ ତାରୁଣ୍ୟର ଚାପଲ୍ୟରେ ପୂର୍ଣ୍ଣ ହସନ୍ତ ମଣିଷଟିକୁ ଦେଖି ମୁଁ ଅବାକ୍‍ ବିସ୍ମୟରେ ଚାହିଁରହିଲି । ଏତେ ଆନନ୍ଦ, ଏତେ ପ୍ରାଣ ପ୍ରାଚୁର୍ଯ୍ୟର ଝଲକ ମୁଁ ଆଗରୁ କେଉଁ ଲେଖକଠାରେ ଦେଖି ନ ଥିଲି ।

 

ନିରହଂକାର ନିଖିଲ ଦା’ ବିନା ବାକ୍ୟବ୍ୟୟରେ, ତାଙ୍କର ସହ ଲିଖିତ ଗଳ୍ପଟିଏ ବଢ଼ାଇ ଦେଲେ । ପ୍ରକାଶ ପରେ ଓଡ଼ିଆର ନକଲ ପଠାଇବାର ପ୍ରତିଶ୍ରୁତି ଦେଇ ମୁଁ ଫେରିଲି ।

 

ଅନୁବାଦଟି ପଢ଼ି ନିଖିଲ ଦା’ ଖୁବ୍‌ ଖୁସି ହେଇ ଚିଠି ଲେଖିଥିଲେ ସେ ଚିଠି ବର୍ତ୍ତମାନ ସୁଦ୍ଧା ମୁଁ ସମ୍ପଦ ଭଳି ସାଇତି ରଖିଛି । ଅନେକ ବର୍ଷ ବିତି ଯାଇଚି । ନିଖିଲ ଦା’ ମୋ ମନରେ ମାଡ଼ି ବସିଥିବା ସ୍ପଷ୍ଟ ଆସନଟି ଫିକା ପଡ଼ି ଆସୁଚି । ଠିକ୍‌ ସେତିକିବେଳେ ନିଖିଲ ଦା’ଙ୍କ ଚିଠି ଦେଖି ମୁଁ ବିସ୍ମୟରେ ମୂକ ପାଲଟି ଗଲି ।

 

ନିଖିଲ ଦା’ ଓଡ଼ିଶା ଆସିଛନ୍ତି ଏବଂ ମୋରି ସହରରେ ହିଁ ରହୁଛନ୍ତି ମୋ ସହ ସାକ୍ଷାତ ତାଙ୍କର ନିହାତି ଜରୁରୀ ।

 

ଚିଠି ପଢ଼ି ମୁଁ ମ୍ଳାନ ହସିଲି । ସମୟର ଚକଚିହ୍ନ ମନର ଓଦାମାଟିରେ ଅନେକ ଦାଗ ଲେଖିଗଲାଣି । ଗାଳ୍ପିକ ନିଖିଲ ଚକ୍ରବର୍ତ୍ତୀଙ୍କ ମନରେ ଅତୁଟ ବିଶ୍ୱାସ । ଅତୀତର ସେଇ ତରୁଣୀ ଅନୁବାଦିକାଟି ମନରେ ତାଙ୍କର ଆସନ ସେମିତି ଅବ୍ୟାହତ ରହିଥିବ ।

 

ଚିଠି ବର୍ଣ୍ଣିତ ଦୁଆରେ ଯାଇ ନକ୍‌ କଲି, ସେଇ ପରିଚିତ କଣ୍ଠ ଭାସି ଆସିଲା ‘‘କମ୍‌ଇନ୍‌-।’’

 

ଦୁଆର ମେଲାଥିଲା । ନିଖିଲ ଦା’ ଦୁଆର ଆଡ଼କୁ ପିଠିକରି ବସି ଟେପ ରେକର୍ଡ଼ର ଶୁଣୁଥିଲେ ।

 

ଟେପ୍‌ ରେର୍କଡ଼ର ବନ୍ଦକରି ପ୍ରଶ୍ନକଲେ, କିଏ ? ଅନୁ ତ ? ଅନିତା ଦାସ !!

 

ନମସ୍କାର ଜଣାଇଯ ମୁଁ ସହଜଭାବେ ପ୍ରଶ୍ନ କଲି, ଏତେବର୍ଷ ପରେ ମତେ ଦେଖି ଚିହ୍ନି ପାରିଲେ ?

 

ସେଇମିତି ଖିଲି ଖିଲି ହସରେ ବାତାବରଣକୁ ମୁଖରିତ କରି ନିଖିଲ ଦା’ କହିଲେ, ତମେ ଗେଟ୍‍ ଖୋଲିବା ବେଳୁ ତମ ପାଦ ଶବ୍ଦ ଓ ତମ କବରୀର ଗନ୍ଧରୁ ମୁଁ ଜାଣିପାରିଥିଲି ତମେ ଆସିଛ । ଠିକ୍‍ ସାତବର୍ଷ ତଳେ ଯେଉଁ ତେଲ ବ୍ୟବହାର କରୁଥିଲ–ସେଇ ତେଲ ମିଛ କହିଲି ?

 

ଅଦ୍ଭୁତ ସ୍ମୃତିଶକ୍ତି ଏ ଲୋକଟାର । କଥାର ଗୌରଚନ୍ଦ୍ରିକା ନ ବାଢ଼ି ମତେ କହିଲେ, ଦେଖ–ମୁଁ ଅନେକଦିନୁ ଓଡ଼ିଶା ଆସିଲିଣି ତମକୁ ଖୋଜୁଥିଲି । ସ୍ୱାର୍ଥ ନ ଥିଲେ କାହାକୁ କିଏ ଖୋଜିବ କାହିଁକି କହି ନିଖିଲ ଦା’ ପୁଣିଥରେ ହସିଲେ । ହସୁ ହସୁ କହିଲେ–କି ଅପୂର୍ବ ଯୋଗାଯୋଗ ଦେଖତ–ସାତବର୍ଷ ପୂର୍ବରୁ ତମେ ମତେ ଖୋଜିଥିଲ କଲିକତାରେ–ଆଉ ସାତବର୍ଷ ପରେ ମୁଁ ତମକୁ ଆସି ଖୋଜୁଚି ଓଡ଼ିଶାରେ–ଉଦ୍ଦେଶ୍ୟ ସେଇ ଏକ–ମୋ ଗଳ୍ପର ଓଡ଼ିଆ ଅନୁବାଦ କରିବ !

 

ମନ ଭିତରେ ମୋର ଏକ ଅହେତୁକ ଅଭିମାନ ! ପୁରୁଷ ଜାତିଟା ସତରେ ଏତେ ଖିଆଲୀ–ଏତେ ଆତ୍ମକୈନ୍ଦ୍ରିକ ! ଏତେ ବର୍ଷ ପରେ ଦେଖା–ଅନୀତା କ’ଣ କରୁଛ–କିମିତି ଅଛ–ଲେଖାଲେଖି କରୁଛ ତ ? ଇତ୍ୟାଦିର ଅନେକ କୁଶଳ ଜିଜ୍ଞାସାରୁ ଗୋଟିଏ ବି ଉଚ୍ଚାରିତ ହେଲାନାହିଁ-। ଏ ଜାତିଟାହିଁ ସ୍ୱାର୍ଥପର ।

 

ନିଜ ମନର ଏ ଭାବନାରେ ନିଜେହିଁ ମୁଁ ହସିଉଠିଲି । ଲେଖକ ନିଖିଲ ଚକ୍ରବର୍ତ୍ତୀଙ୍କର ଅନେକ ବିମୁଗ୍‌ଧ ପାଠିକା ଭିତରୁ ମୁଁ ଜଣେ । ମୋ’ପାଇଁ ତାଙ୍କ ମନରେ ଦରଦ ଆସିବ ବା କାହିଁକି-?

 

ନିଖିଲ ଦା’ କହି ଚାଲିଥାନ୍ତି ଦେଖ–କାଲିଠାରୁ ତମେ ଆସ । ଉପଯୁକ୍ତ ପାରିଶ୍ରମିକ ମୁଁ ଦେବି । ଅନେକ ଆସିଛନ୍ତି–ପ୍ରସ୍ତାବ ଦେଇଛନ୍ତି ମୋ ଗଳ୍ପ ଅନୁବାଦ କରିବାକୁ–କିନ୍ତୁ ତମକୁ ଯେ କାହିଁକି ମୁଁ ସ୍ମରଣ କଲି ଜାଣେନା– । ବିଶ୍ୱାସ ମୋ କଥା ତମେ ନିଶ୍ଚୟ ରଖିବ ।

 

ଏତେବଡ଼ ବିଶ୍ୱାସର ସୂର୍ଯ୍ୟକିରଣ ମୋର ତୁଚ୍ଛ ଅହମିକା ଓ ଅଭିମାନର ଅନ୍ଧାରକୁ ଧୋଇନେଲା । ତା’ ପରଦିନଠାରୁ ମୁଁ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ନିଖିଲ ଦା’ଙ୍କ ଗଳ୍ପର ଅନୁବାଦିକା ରୂପେ ହାଜିରା ପକାଇଲି ।

 

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ–ନିଖିଲ ଚକ୍ରବର୍ତ୍ତୀ ତାଙ୍କ ପୁରୁଣା-ଗଳ୍ପ ନୁହେଁ–ନୂଆ ପ୍ଲଟହିଁ ମତେ କହନ୍ତି ମୁଁ ଲେଖେ ।

 

ଦିନେ କହିଲି, ନିଖିଲ ଦା’–ଆପଣ ଆଜି ଗଳ୍ପ ବନ୍ଦକରି ନିଜ ଅନୁଭୂତିରୁ କିଛି କହନ୍ତୁ ସେଇ ଅନୁଭୂତିକୁ ମୁଁ ଗଳ୍ପର ପ୍ଲଟ ରୂପେ ବାଛି ନେବି ।

 

ଉଚ୍ଛ୍ୱସିତ ହସର ଲହରୀରେ ବାୟୁମଣ୍ଡଳ ଥରାଇ ନିଖିଲ ଦା’ କହିଲେ, ବାଃ–ଚମତ୍କାର ଆଇଡ଼ିଆ–ଅନୁବାଦିକାରୁ ଗାଳ୍ପିକା ହେବାକୁ ଖୁବ୍‌ ଇଚ୍ଛା ନା–ଠିକ୍‍ ଅଛି ।

 

ମୋ ଜୀବନ ଉପତ୍ୟକାରେ ଯେତେ ନାରୀ କୋଳାହଳ ସୃଷ୍ଟି କରିଥିଲେ ସେଇ ପ୍ରେମ କାହାଣୀ ଶୁଣ । ମୋ ଭଲ ପାଇବାର ପ୍ରଥମ ଉତ୍ସ ଯେଉଁ ମହୀୟସୀ ନାରୀ ଥିଲା–ମୋ ଜୀବନକୁ ସେ ଭଲ ପାଇବାର ଆକଣ୍ଠ ଅମୃତରେ ଭରିଦେଲା । ମୋରି ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଦେଲା-

 

ତା’ପରେ ଦ୍ୱିତୀୟାରେ ଆବିର୍ଭାବ ଓଲଟି ମୁଁ ତା’ପାଇଁ ନିଜକୁ ଉତ୍ସର୍ଗ କରିଦେଲି । ମୋର ସମଗ୍ର ସତ୍ତାରେ ତା’ରି ଭଲ ପାଇବାର ସିବନ ଶିଳ୍ପ । ହଠାତ୍‌ ଦିନେ ପ୍ରୀତି ଅରଣ୍ୟରେ ସେ ହଜିଗଲା–ବାଲିହରିଣୀ ପାଲଟିଗଲା । ତାକୁ ଖୋଜୁ ଖୋଜୁ ଭେଟିଲି ତୁତୀୟାକୁ ତାରି ପ୍ରେମର ନିଷ୍ଠାରେ ସେ ମତେ ଆପଣା କରିନେଲା । ମୁଁ ତାରି ହାତରେ ନିଜକୁ ଅର୍ପଣ କରି ଭୁଲିଗଲି ନିଜର ସ୍ଥିତି–ସାକାର ସବୁକିଛି ।

 

ତା’ପରେ ଚତୁର୍ଥର ଆଗମନ । ଭଲ ପାଇବାର ଅମୃତ ପିଇ ମୁଁ ପାଗଳ ହୋଇଗଲି–ତା’ର ଗୋଟିଏ ମୁହୂର୍ତ୍ତର ବିଚ୍ଛେଦ ମୋ’ପାଇଁ କୋଟି ଯୁଗ ପାଲଟିଗଲା । ତା’ରି ହସ-କାନ୍ଦ-କଥା ଚାଲି ସବୁକିଛି ମୋ’ପାଇଁ ନୂତନତାର ଆମେଜ ସୃଷ୍ଟିକରି ଚାଲିଲା–ତା’ପରେ.......

 

ହସୁ ହସୁ ମୁଁ କୌଣସିମତେ ହସକୁ ସମ୍ଭାଳି ନେଇ ପ୍ରତିବାଦ କଲି-ବାସ୍‌-ବାସ୍‌-ନିଖିଲ ଦା’... ଚାରି-ପାଞ୍ଚ-ଛଅ-ସାତ-ଏମିତି ଶହ ଶହ ଝିଅଙ୍କ କଥା କହିବତ । ଠିକ୍‌ ଅଛି–ତେଣିକି ମୁଁ ଲେଖି ପାରିବି ଯେ ।

 

ନିଖିଲ ଦା’ ନିଃଶେଷ ପ୍ରାୟ ସିଗାରେଟଟାକୁ ଆସଟ୍ରେରେ ଗୁଞ୍ଜିଦେଇ କହିଲେ–କ’ଣ ଲେଖିବ ଶୁଣେ ?

 

ଅନେକ ଅନେକ ଝିଅଙ୍କ ସହ ପ୍ରେମ–ତା’ପରେ କୌଣସି ପକ୍ଷରୁ ପ୍ରତାରଣା–ତା’ପରେ ନାୟକ ନିଖିଲ ଚକ୍ରବର୍ତ୍ତୀ ଦେବଦାସ ପାଲଟି ଯିବ–ଏଇତ !!

 

ହୋ ହୋ ହୋଇ ହସିଲେ ନିଖିଲ ଦା’–ବାଃରେ ଲେଖିକା ! ଖୁବ୍‌ ବୁଝିଛ । ଶୁଣ–ପ୍ରଥମ ନାରୀ ମୋର ଏକମାତ୍ର ମାଆ–ଦ୍ୱିତୀୟ ନାରୀ ମୋ ଏକମାତ୍ର ପ୍ରେମିକା–ତୃତୀୟ ନାରୀ ମୋର ଏକମାତ୍ର ପତ୍ନୀ–ଆଉ ତଚୁର୍ଥ ମୋର ଏକମାତ୍ର କନ୍ୟା–ପଞ୍ଚମ ଏକମାତ୍ର ଭଉଣୀ ତୁ–ଅନିତା ଦାସ–ଏଇମାନଙ୍କ ପ୍ରେମ ଓ ଭଲ ପାଇବାରେ ମୋର ବଞ୍ଚିବାଟା ସାର୍ଥକ ହୋଇଚି ।

 

ହାତରୁ ମୋର କଲମ ଖସି ପଡ଼ିଲା । ଏତେ ଭଲ ପାଇବା ପୁଣି ମୋ’ପାଇଁ ବଙ୍ଗଳା ସାହିତ୍ୟର ଚକ୍ରବର୍ତ୍ତୀ ନିଖିଲ ଦା’ଙ୍କ ମନରେ । ଆଖିରେ ମୋର ଅଶ୍ରୁ ଭରିଆସିଲା–ଆନନ୍ଦର କୃତଜ୍ଞତାର । ନିଖିଲ ଦା’ ସତରେ ଏକ ବିସ୍ମୟ ବ୍ୟକ୍ତିତ୍ୱ ।

 

ମୋର ବିମୂଢ଼ଭାବ କଟିଗଲା ନିଖିଲ ଦା’ଙ୍କ ଡାକରେ–ଅନୁ, ଏଥର ଆମ ଗଳ୍ପର ମେନ୍‌ଷ୍ଟ୍ରିମକୁ ଆ । ଲେଖ୍‌–ତା’ପରେ ସେ ଦୁହିଁଙ୍କର ଭଲ ପାଇବାର କଳୀ ପାଖୁଡ଼ା ପରେ ପାଖୁଡ଼ା ମେଲି ଚାଲିଲା । କିଶୋର ବୟସର ସାଦା ସ୍ଲେଟ ମନ, ତାରି ଉପରେ ଲେଖି ଦେଲା ହୃଦୟ ଦୁନିୟାର ନିର୍ଭୁଲ କବିତା । ବୟସ କେତେବା ସେତେବେଳେ ସେମାନଙ୍କର ? ପ୍ରେମର ଅର୍ଥ ବା କ’ଣ ବୁଝିଲେ ସେତେବେଳେ ? କିନ୍ତୁ ପରିଣତ ବୟସରେ ଅଭିଜିତର ମନହେଲା ସେତେବେଳେ ପ୍ରେମର ସଂଜ୍ଞା ସେ ଯାହା ବୁଝିଥିଲା ବର୍ତ୍ତମାନ ସେ ଆଦୌ ବୁଝିପାରୁନି ।

 

ଦିନେ ଶ୍ୟାମଳୀ ତାକୁ ପ୍ରଶ୍ନ କଲା, ‘‘ତୁ ଗାଁ ସ୍କୁଲ ପାସ୍‍କରି କ’ଣକରିବୁ ଜିତୁ ?

 

–‘‘ଚାଷ’’ ସହଜ ଗଳାରେ କହିଥିଲା ଅଭିଜିତ ।

 

–‘‘ଧେତ୍‌ ! ଶ୍ୟାମଳୀ ଜୋରରେ ଠେଲିଦେଲା ଅଭିଜିତକୁ ତୁଟା ସତରେ ମାଇଚିଆ । ତୁ ବହୁତ ବେଶି ପାଠ ପଢ଼ିଲେ ସିନା ମୋ ବାପାଙ୍କ ପାଖରେ ମୁଣ୍ଡ ଟେକି ଠିଆ ହୋଇ ମତେ ବାହା ହେବାକୁ କହିପାରିବୁ ।’’

 

କୈଶୋରର ଖେଳସାଥୀ ଯୌବନର ପ୍ରେମିକା ଶ୍ୟାମଳୀ ପାଇଁ ଅଭିଜିତ କବି ପାଲଟିଲା । ଦୁହେଁ ଆସିଲେ ସହରକୁ । ଏକା କଲେଜରେ ଏକ ସଙ୍ଗରେ ଜ୍ଞାନ ଆହରଣ ପାଇଁ, ଅନୁଭୂତିର ସଞ୍ଚୟ ପାଇଁ ।

 

ଆଉଦିନେ ଶ୍ୟାମଳୀ ଅଭିଯୋଗ କଲା–‘‘ଅଭିଜିତ, ମୁଁ ଯେ ତମର ବାଗ୍‌ଦତ୍ତା–ଏକଥା ସମସ୍ତଙ୍କ ଆଗରେ ଗାଇ ବୁଲିଲେ ତମର କି କ୍ଷତି ହୋଇ ଯାଉଚି ।’’

 

ଅଭିଜିତ ଆଖିର ଆକାଶରେ ବିସ୍ମୟର ଇନ୍ଦ୍ରଧନୁ । ଶାନ୍ତ ଗଳାରେ କହିଲା, କହିଲେତ କ୍ଷତି ନାହିଁ ବରଂ ଲାଭ ବେଶୀ ।

 

ଯେଉଁ ଶ୍ୟାମଳୀ କଣ୍ଠରେ ଦିନେ ଅନୁନୟର ମେଘ ମହ୍ଲାର ଅଭିଜିତ କବିତାର ନାୟିକା ହେବା ପାଇଁ, ସେଇ ଶ୍ୟାମଳୀ କଣ୍ଠରେ ପ୍ରତିବାଦର ଝଙ୍କାର–‘‘ଦେଖ ଅଭିଜିତ ! ମତେ ବଦନାମ କରନି–ମୋ ବଂଶର ଆଭିଜାତ୍ୟ–ବାପାଙ୍କର ବୁନିଆଦି ସବୁକିଛି ଜଗି ଆମକୁ ଚଳିବାକୁ ହେବ ।’’

 

ଅଭିଜିତ ଚୁପ୍‌ ହୋଇଯାଏ ସତ, ତା’ କବିତାରୁ ଆଉ ଚୁପ୍‌ ହୋଇପାରିବନି । ସେ ଜାଣିଚି ଜମିଦାର ହିମାଂଶୁ ରାୟ ଚୌଧୁରୀ ବଂଶର ନୀଳରକ୍ତ ଶ୍ୟାମଳୀର ଧମନୀରେ ପ୍ରବାହିତ । ସେ ତ ଆଉ ଅଭିଜିତ ଭଳି ସାମାନ୍ୟ ପ୍ରଜାର ସନ୍ତାନ ନୁହେଁ । ଶ୍ୟାମଳୀର ବୟସ ବଢ଼ୁଛି–ତା’ ସହ ଦୃଷ୍ଟି କୋଣ-ରୁଚି-ସବୁକିଛି ବଦଳିବା ସ୍ୱଭାବିକ୍‌ । ସେ ଅଭିମାନ କରେନି ।

 

ଶ୍ୟାମଳୀ ମେଡ଼ିକାଲ କଲେଜରେ ଭର୍ତ୍ତିହେଲା–ଅଭିଜିତ ଦେଇ ବିଜ୍ଞାନ ପାଠ ହେଲାନାହିଁ । ସେ ହେଲା ଇତିହାସର ଛାତ୍ର । ଦୁହିଁଙ୍କର ଦିଗ ପୃଥକ–କିନ୍ତୁ ମନ ? ଅଭିଜିତ ଆଗରେ ସେ ଏକ ବିରାଟ ପ୍ରଶ୍ନବାଚୀ ପାଲଟି ଗଲା ।

 

ତା’ କବିତାର ଗତିପଥ ବଦଳିଗଲା । କାବ୍ୟମୟୀ ନାୟିକା ତା’ର ଯେଉଁଦିନୁ ଗଦ୍ୟ ପାଲଟିଗଲା, ଅଭିଜିତ ଗାଳ୍ପିକ ହୋଇଗଲା ।

 

ତା’ରି କଲେଜର ଛୋଟ ଝିଅଟିଏ ଅସୀମା–ଅସୀମା ଦାସଗୁପ୍ତ । ତା’ ଗଳ୍ପର ବିମୁଗ୍‌ଧ ସ୍ତାବକ । ଦୁଇଟି କ୍ଲାସ ତଳେ ପଢ଼େ । ପରିଚୟ–ପରିଚୟରୁ ସୌହାର୍ଦ୍ଦ୍ୟ । ବାସ୍‍ ଅସୀମାର ଛୋଟ ଛୋଟ କୌତୂହଳି ଆଖି ଦୁଇଟିରେ ବିସ୍ମୟ ରଙ୍ଗ ଲେପି ହୋଇଯାଏ । ଅଭିଜିତ ବାବୁ କିମିତି ମଣିଷ ମନର ନିଗୂଢ଼ କଥା ଲେଖି ପାରନ୍ତି । ଅଭିଜିତଙ୍କ ଗଳ୍ପର ସେଇ ସୌଭାଗ୍ୟମୟୀ ନାୟିକାଟିକୁ ଦେଖିବାର ଅଦ୍ୟମ ଆଗ୍ରହ ଦିନେ ଟାଣି ନେଇଥିଲା ମେଡ଼ିକାଲ କଲେଜକୁ ।

 

ଶ୍ୟାମଳୀ ରୂପର ମୁଗ୍‌ଧ ପୂଜାରିଣୀଟିଏ ପରି ଚାହିଁଥିଲା ଅସୀମା । ଅଭିଜିତଙ୍କ କାବ୍ୟନାୟିକା ପାଇଁ ବାସ୍ତବିକ୍‌ ଶ୍ୟାମଳୀ ଅପା ଅନନ୍ୟା !

 

ଅସୀମାର ପରିଚୟ, ଆସିବାର ଅଭିପ୍ରାୟ ସବୁ ଜାଣି ସାରିବା ପରେ ଶ୍ୟାମଳୀ ଦୃଢ଼କଣ୍ଠରେ କହିଲା ଦେଖ ଅସୀମା ସମସ୍ତେ ଜାଣନ୍ତି ମୁଁ ଅଭିଜିତଙ୍କର ବାଗ୍‌ଦାତ୍ତା । ଆମ ଦୁହିଁଙ୍କ ଭିତରେ ତମ ଉପସ୍ଥିତି ଯେମିତି ଅନ୍ତରାୟ ସୃଷ୍ଟି ନକରେ ।

 

ଲଜ୍ଜା, ଅପମାନ, ଅନୁଶୋଚନା ଭାରରେ ଅସୀମା ଯେମିତି ଚାପି ହୋଇଯିବ ଲୁହର ସାତତାଳ ପାଣିଭିତରେ । କିମିତି ଯେ ସେ ଆସିବ ସେ ନିଜେ ଜାଣେନା । ତା’ପରଦିନ କଲେଜରେ ଅଭିଜିତଙ୍କୁ ଦୂରରୁ ଦେଖି ତା’ର ମନେହେଲା ଗୁଡ଼ାଏ ଗରମ ହାଓ୍ୱା ଯେମିତି ତା’ର ଛାତି ଭିତରେ ବାହାର ସବୁଆଡ଼େ ଖେଳିଯାଇ ତାକୁ ରୁଦ୍ଧ କରି ଦେଉଚି ।

 

ବାଟଭାଙ୍ଗି ଚାଲି ଯାଉ ଯାଉ ପଛରୁ ଅଭିଜିତ ଡାକିଲେ, ଅସୀମା ଶୁଣ !

 

ଅସୀମା ଅଟକି ଗଲା । ତା’ର ମନେହେଲା ପାଦତଳେ ଯେମିତି ପୃଥିବୀ ନାଇଁ, ପଡ଼ି ଯାଉ ଯାଉ ଅଭିଜିତ ତା’ର ଦୁଇ ବାହୁକୁ ଧରି ଅଟକାଇ ନେଲେ । ତା’ ଆଗରେ ତୋଳି ଧରିଲେ ଶ୍ୟାମଳୀର ହାତ ଲେଖା କେଇ ଧାଡ଼ି–‘‘ଅଭିଜିତ, ତମର ନୂତନ ପ୍ରେମିକା ଅସୀମାକୁ ଦେଖିଲି । ବଧେଇ ଜଣାଉଚି ! ଆଉ ଆଗକୁ ପଢ଼ି ପାରିଲା ନାହିଁ । ଲୁହରେ ଅସ୍ପଷ୍ଟ ଦିଶୁଚି–ଅସୀମା କଇଁ କଇଁ ହେଇ କାନ୍ଦିଉଠିଲା । କଲେଜ କରିଡରରେ କାହାର ଉପସ୍ଥିତିକୁ ଭ୍ରୂକ୍ଷେପ ନ କରି ଅଭିଜିତ କହିଲେ, ଅସୀମା–ଶ୍ୟାମଳୀ ସନ୍ଦେହର ସତ ରୂପାୟନ ମୁଁ ଚାହେଁ– । ପ୍ରେମ ପାଇଁ ବିଶ୍ୱାସ ବଡ଼, ସନ୍ଦେହ ନୁହେଁ । ଶ୍ୟାମଳୀ ଜାଣୁ ଅଭିଜିତ ପୁରୁଷ । ଅସୀମା, ଆଖିରୁ ଲୁହ ପୋଛି ଦେଇ ଅଭିଜିତ କହିଲେ, ‘‘ଡୋଣ୍ଟକ୍ରାଇ ଅସୀମା, ଆଇ ହେଟ୍‌ ଟିଅରସ ।’’

 

ଅସୀମା ମନର ଅସୀମ ଆକାଶରେ ଅଭିଜିତ ଏକମାତ୍ର ଉଜ୍ଜ୍ୱଳ ନକ୍ଷତ୍ର । କଲେଜରେ ଚହଳ–ଚାପା ଗୁଞ୍ଜନ । ଏ କିମିତି ପ୍ରଣୟୀ ଯୁଗଳ କଲେଜ ଲନରେ ଘଣ୍ଟା ଘଣ୍ଟା କଟିଯାଏ ଦୁହିଁଙ୍କର । ଅଥଚ ଦୁହେଁ ନୀରବ । ନୀରବତାହିଁ ପରସ୍ପରର ହୃଦୟ ପଢ଼ିବା ପାଇଁ ଏକମାତ୍ର ମାଧ୍ୟମ-। ସେଇ ସ୍ୱଳ୍ପ ଭାଷିଣୀ ଝିଅଟିଏ ପ୍ରେମିକା ହେବାପରରେ ମୂକ ପାଲଟି ଗଲା । ସେଇ ଭାବହୀନ ଛୋଟ ଛୋଟ ଆଖିରେ ତାରାରେ ତା’ର କେତେ ଯେ ଭଲ ପାଇବାର ମହେଞ୍ଜୋଦାର ଲୁଚି ରହିଚି–ଇତିହାସର ଛାତ୍ର ଅଭିଜିତ ସେଇ ମଉନ ଭାଷା ନିତି ପଢ଼ନ୍ତି ।

 

ମୁଁ ଲେଖିବା ବନ୍ଦକରି ନିଖିଲ ଦା’ଙ୍କ କାହାଣୀ ସ୍ରୋତରେ ବାଧା ଦେଲି । ଶ୍ୟାମଳୀର ଭାବାନ୍ତର ସମ୍ପର୍କରେ କିଛି କ’ଣ ଆପଣା ଲେଖି ନାହାନ୍ତି–ଭାବି ନାହାନ୍ତି ??

 

ନଖିଲ ଦା’ ଆଉ ଏକ ସିଗାରେଟରେ ଅଗ୍ନି ସଂଯୋଗ କରି ଗୋଟାଏ ଦମ ଟାଣି ହସିଲେ । ଦେଖୁଚି ଶ୍ୟାମଳୀ ପାଇଁ ତୋର ଖୁବ୍ ଦରଦ । ବାସ୍‍ ତୁ’ତ ଗଳ୍ପ ଲେଖିବୁ କହୁଥିଲୁ–ଶ୍ୟାମଳୀର ଚରିତ୍ର ନେଇ ତା’ର ମନସ୍ତତ୍ତ୍ୱ ଉପରେ ଲେଖନା ।

 

ମୁଁ କହିଲି ଆପଣ ପୁରୁଷ ବୋଲି କେବଳ ପୁରୁଷ ମନର ପ୍ରେମ, ପ୍ରୀତି-ପ୍ରତାରଣାର ପ୍ରତିକ୍ରିୟାକୁ ରୂପ ଦେଇଛନ୍ତି ନାରୀ ଚରିତ୍ର ଆଡ଼କୁ ଥରେ ଧ୍ୟାନ ଦିଅନ୍ତୁନା ଦେଖିବେ ନାରୀର ପ୍ରେମ ଆଉ ସନ୍ଦେହ ପୁରୁଷର ପ୍ରେମ ଓ ବିଶ୍ୱାସ ପରି ପରିପୂରକ ।

 

ନିଖିଲ ଦା’ ହୋ ହୋ ହୋଇ ହସିଉଠି କହିଲେ–ବାଃରେ ଟ୍ରାନ୍‍ସଲେଟର ତମେତ ମୋର ଗୁରୁ ପାଲଟି ଗଲ ।

 

ମୁଁ ଅପ୍ରତିଭ ହେଇ କହିଲି–ନାଁ ନାଁ, ଏ ମୋ ନିଜକଥା ନୁହେଁ ଆମ ଓଡ଼ିଶାର ଜଣେ ପ୍ରତିଷ୍ଠିତା ଲେଖିକା ଶ୍ୱାଶତୀ ମିଶ୍ରଙ୍କର ହଁ ନିଖିଲ ଦା’ ଆପଣଙ୍କ ସଙ୍ଗେ ତାଙ୍କର ପରିଚୟ କରାଇ ଦେବି ତେଣିକି ଆପଣ ଦିହେଁ ପରସ୍ପର ଜାତିର ମନସ୍ତତ୍ତ୍ୱ ଉପରେ କଥା କଟାକଟି କରୁ କରୁ ଏକ ମହାକାବ୍ୟ ସୃଷ୍ଟି ପାଇ ପାରେ ।

 

ନିଖିଲ ଦା’ କହିଲେ ଆଚ୍ଛା ଅନୁ–ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥା, ପଞ୍ଚମା ପରେ ଏ ଭଦ୍ରମହିଳା କି ଭୂମିକା ନେବେ କହିଲୁ ?

 

ମୁଁ ଦେଖିଲି ଗଳ୍ପର ଆବେଗ ନଷ୍ଟହୋଇ ଯିବାକୁ ବସୁଚି । କଲମକୁ ସଜାଡ଼ି ନେଇ କହିଲି ନିଖିଲ ଦା’ ଆମେ ପ୍ରଣୟୀ ଯୁଗଳଙ୍କୁ ମହେଞ୍ଜୋଦାର ଛାଡ଼ି ଆସିଚେ–ସେ ବିଚରା ଫସିଲ ପାଲଟି ଯିବେ ଯେ !

 

ରାଇଟ ! ରାଇଟ ! ଭଦ୍ରମହିଳାଙ୍କ ସହ ଦେଖା ହେଲେ ବୟସ ନେଇ ସମ୍ପର୍କ । ତୋଠୁ ସାନ ହୋଇଥିଲେ କନ୍ୟା–ତୋଠୁ ବଡ଼ ହେଇଥିଲେ ପ୍ରେମିକା–ତୋରି ବୟସର ହୋଇଥିଲେ ବାଧ୍ୟ ହେଇ ତାକୁ ଭଉଣୀ କରିବାକୁ ପଡ଼ିବ । ଆଚ୍ଛା ଆମେ କେଉଁଠି ଛାଡ଼ିଥିଲେ–

 

‘ସେଇ ଭାବହୀନ ଛୋଟ ଛୋଟ ଆଖିର ତାରାରେ ତା’ର କେତେ ଯେ ଭଲପାଇବାର ମହେଞ୍ଜୋଦାର’ ବାସ୍‌ ବାସ୍‍ ଏଥର ଲେଖ । ନିଖିଲ ଦା’ ଗଳାଝାଡ଼ି ତାଙ୍କର ଡିଟେକ୍‍ସନ ଦେଲେ : ନୀରବତା ଭାଙ୍ଗ ଅସୀମା, ପ୍ରଶ୍ନ ତୋଳିଲା ଅଭିଜିତ ବାବୁ ଆପଣ କିନ୍ତୁ ଶ୍ୟାମଳୀ ଅପାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ଇଚ୍ଛା କରିଥିଲେ ତାଙ୍କୁ ଅଭିମାନ ଓ ଅହଙ୍କାରର ରାହୁଗ୍ରାସରୁ ଆପାତତ ମୁକ୍ତ କରିପାରିଥାନ୍ତେ ।

 

ନିଃଶବ୍ଦ ହସର ଛୋଟ ଢେଉଟିଏ ଅଭିଜିତର ଓଠରେ ଖେଳିଗଲା କେବଳ । ସେଇ ନିଥର ଆକାଶରେ ଉଦାସ ଦୃଷ୍ଟିଥାପି ସେ ଉତ୍ତର ଦେଲା, ପାରିଥାନ୍ତି–ପାରିଲି ନାହିଁ ।

 

ଅନେକ କ୍ଷଣ ସେଇମିତି ନିଶ୍ଚୁପ ବାତାବରଣ ଭିତରେ କଟିଗଲା । ଅଭିଜିତ ଉଠି ଚାଲିବାକୁ ଲାଗିଲା । ପଛେ ପଛେ ତା’ର ଶାଢ଼ିର ବର୍ଡ଼ର ସଜାଡ଼ି ସଜାଡ଼ି ଅସୀମା ଅନୁସରଣ କଲା-। ଚାଲୁ ଚାଲୁ ଅଭିଜିତ କହିଲା, ଆସୀମା, ମୁଁ ଯଦି କେବଳ ବଞ୍ଚିବାକୁ ଚାହିଁଥାନ୍ତି ଶ୍ୟାମଳୀର ପ୍ରେମ ପାଇବାକୁ ପୃଥିବୀର ଯେକୌଣସି ହୀନବୃତ୍ତିକୁ ମଧ୍ୟ ପରମ ଆଗ୍ରହରେ ବରି ନେଇଥାନ୍ତି । ପ୍ରେମିକର ମୁଖା ଖୋଲିଦେଲେ ତା’ ଭିତରେ ଲେଖକର ଯେଉଁ ଦିବ୍ୟ ସତ୍ତା ଲୁଚି ରହିଚି ତାକୁ ହିଁ ମୁଁ ଜୀବନର ସମ୍ବଳରୂପେ ବରି ନେଇଚି । ମୋ ଅବଶିଷ୍ଟ ଜୀବନ ତା’ରି ଆରାଧନା କରି ବିତିଯାଉ-

 

ମୁଁ ଏଇଠି ପ୍ରତିବାଦ କଲି–ନଖିଲ ଦା’, ଧୃଷ୍ଟତା ପାଇଁ କ୍ଷମା କରିବେ, କିନ୍ତୁ ଏଇଠି ମୋର ପଦେ କହିବାର ଅଛି ।

 

ନିଖିଲ ଦା’ ଯେମିତି ତାଙ୍କର ମାନସ ସନ୍ତାନ ଅଭିଜିତ ଭିତରେ ହଜିଯାଇଥିଲେ ସ୍ୱପ୍ନରୁ ଉଠିଲାଭଳି ପ୍ରଶ୍ନ କଲେ–କିଛି କହିଲୁ ?

 

–ହଁ ନିଖିଲ ଦା’, ଅଭିଜିତ ଇଚ୍ଛା କରିଥିଲେ ତାଙ୍କ ଅବଶିଷ୍ଟ ଜୀବନ ଶ୍ୟାମଳୀ ପ୍ରୀତିର ପୂଜାରୀ ରୂପେ ବିରହ କବିତା ଲେଖି ବଞ୍ଚିପାରିଥାନ୍ତା । ମିଳନରେ ଆବେଗ ତୃଷାର ପରିସମାପ୍ତି–କିନ୍ତୁ ବିରହରେ ତା’ର ଅସୀମ ବ୍ୟାପ୍ତିକୁ ଆପଣ ଅସ୍ୱୀକାର କରିପାରିବେନି । କ’ଣ ଦର୍କାର ଥିଲା ତା’ ପ୍ରେମର ପରିଧି ଭିତରକୁ ଆଣି ? ପ୍ରେମତ କା’ର ଘର ନୁହେଁ ଯେ ସାମାନ୍ୟ ଆଘାତରେ ଭାଙ୍ଗିଯିବ ।

 

ନିଖିଲ ଦା’ ମୋ ପ୍ରତିବାଦରେ ହୋ ହୋ ହୋଇ ହସିଉଠିଲେ । କହିଲେ, ସମସ୍ତଙ୍କ ଜୀବନ ଦର୍ଶନ ତ ଆଉ ସମାନ ନୁହେଁ । ତୁ ଗୋଟେ କାମ କର; ସବୁ ଛାଡ଼ିଦେ–ପ୍ରେମ ଉପରେ ଥେସିସ୍‌ ଲେଖ୍‌ ।

 

ୟା ପରେ ଆଉ ପ୍ରତିବାଦର ପ୍ରଶ୍ନହିଁ ଉଠେନା । ଲେଖିବା ପାଇଁ ମୁଡ଼୍‌ଆଣି ପ୍ରଶ୍ନକଲି–ବାସ୍‌ ତା’ପରେ–

 

ନଖିଲ ଦା’ କହିଲେ, ତୁ ତ ମୋର ଗଳ୍ପର ରସଘନ ମୁହୂର୍ତ୍ତରେ ସ୍ୱତଃ ପ୍ରବହମାନତା ନଷ୍ଟ କରି ଦେଉଛୁ–ଆଜି ଏତିକି ଥାଉ । ତୋ ପ୍ରଶ୍ନ ଉପରେ ଭାବିବି କାଲିକୁ ଅବଶିଷ୍ଟ ଗଳ୍ପର ଡିଟେକ୍‌ସନ ଦିଆଯିବ ।

 

ତା’ ପରଦିନ ନିର୍ଦ୍ଦିଷ୍ଟ ସମୟର ପୂର୍ବରୁ ଯାଇ ପହଞ୍ଚିଲି । ନିଖିଲ ଦା’ ସେମିତି ମତେ ଅପେକ୍ଷା କରି ସବୁଦିନ ଭଳି ତାଙ୍କର ନିର୍ଦ୍ଦିଷ୍ଟ ଆସନରେ ବସିଥିଲେ ମତେ ଦେଖି ପାଟିକରି ଉଠିଲେ–ହ୍ୟାଲୋ ଟ୍ରାନ୍‍ସଲେଟର ମୁଁ ଜାଣିଥିଲି ତମେ ଆଜି ଶୀଘ୍ର ଆସିଯିବ ।

 

ଗତଦିନର ଧୃଷ୍ଟତା ପାଇଁ ମୁଁ ଲଜ୍ଜିତ ହେବା ଭଙ୍ଗୀରେ ବସିଲି । ବିନା ବାକ୍ୟବ୍ୟୟରେ କଲମର କ୍ୟାପ ଖୋଲି ଲେଖିବାକୁ ଅପେକ୍ଷା କଲି କେବଳ ।

 

ନିଖିଲ ଦା’ କହିଲେ ଯାହାସବୁ ଲେଖିଛୁ କାଟିପକା । ମୁଁ ମୋ ଗଳ୍ପର ଗତିପଥ ପରିବର୍ତ୍ତନ କରିଦେଇଚି ।

 

ଚରମ ବିସ୍ମୟରେ ମୋ ହାତରୁ କଲମ ଖସି ପଡ଼ିଲା । ଆର୍ତ୍ତନାଦ କରିବା କଣ୍ଠରେ ପ୍ରଶ୍ନ କଲି, ମାନେ......

 

–ମାନେ ଆଉ କିଛି ନୁହେଁ–ତୁ କହିବା ମୁତାବକ ମୁଁ ଶ୍ୟାମଳୀ ଚିତ୍ରରେ ଆଲୋକପାତ କରିବାକୁ ଠିକ୍‍ କଲି, ଲେଖ–

 

‘‘ଅଭିଜିତ ମନରେ ଅସୀମାର ପ୍ରଶ୍ନ–ଆପଣ ଇଚ୍ଛା କରିଥିଲେ ତ ଶ୍ୟାମଳୀ ଅପାକୁ ଅଭିମାନ ଓ ଅହଂକାରର ରାହୁଗ୍ରାସରୁ ମୁକ୍ତ କରିପାରିଥାନ୍ତେ ; ଅନେକ ଭାବିଲି । ଏକ ଦିଗେ ଶ୍ୟାମଳୀ ପ୍ରତି ତା’ର ପ୍ରଗାଢ଼ ଆସକ୍ତି, ଅନ୍ୟ ଦିଗେ ଅସୀମାର ତା’ପ୍ରତି ଅସୀମ ଅନୁରକ୍ତି–ଏ ଟ୍ରାଙ୍ଗୁଲାର–ଲାଭକୁ ଆନାଲିସିସ କରୁ କରୁ ଦିନେ ସେ ଯାଇ ପହଞ୍ଚିଲା ଶ୍ୟାମଳୀ ହଷ୍ଟେଲରେ ।

 

ସେତେବେଳକୁ ଶ୍ୟାମଳୀ ନ ଥିଲା । ଇମରଯେନ୍‌ସି ଓ୍ୱାର୍ଡ଼ରେ ତା’ର ଡ୍ୟୁଟି ପଡ଼ିଥିଲା । ଅଭିଜିତ ଅପେକ୍ଷା କଲା । ସେଇ ପ୍ରତୀକ୍ଷିତ ମୁହୂର୍ତ୍ତଗୁଡ଼ିକ ଭିତରେ ଅଭିଜିତ ଭାବୁଥିଲା ଏଇମିତି ଯୁଗ ଯୁଗ ଧରି ପ୍ରତୀକ୍ଷା ଭିତରେ ଜୀବନକୁ ବିପନ୍ନ କରିବାରେ ଯେଉଁ ରୋମାନ୍‌ସ, ଯେଉଁ ଅନନୁଭୂତ ଅନୁଭୂତିର ଆବେଗ ସେଇ ଅମୂଲ୍ୟ ସମ୍ପଦ ପ୍ରେମ ବ୍ୟତୀତ ମଣିଷକୁ ଆଉ କେହି ଦେଇପାରେନା ।

 

ଶ୍ୟାମଳୀ ଆସୁଛି । ଦୂରରୁ ଅଭିଜିତ ଲକ୍ଷ୍ୟକଲା–ତା’ର ଉଦ୍ଧତ ଅହଙ୍କାରୀ ବ୍ୟକ୍ତିତ୍ୱକୁ ପ୍ରତି ପଦାଘାତରେ ଫିଙ୍ଗି ଫିଙ୍ଗି ଶ୍ୟାମଳୀ ଆସୁଛି । ସଙ୍ଗିନୀମାନଙ୍କ ବାର୍ତ୍ତାଳାପରେ ଓଠ ଚାପି ସାମାନ୍ୟ ହସୁଚି । ଏଇ ସାମ୍ରାଜ୍ଞୀ-ସାମ୍ରାଜ୍ଞୀ ଭାବ ଶ୍ୟାମଳୀର ଶୀର୍ଣ୍ଣ ଶ୍ୟାମଳ ଚେହେରାରେ କିମିତି ଏକ ଆକର୍ଷଣୀ ଭରିଦିଏ । ସୂଚାଇ ଦିଏ ସେ ସ୍ୱତନ୍ତ୍ର ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଭିନ୍ନ ଇଲାକାରା ବାସିନ୍ଦା ।

 

ହଠାତ୍‌ ଅଭିଜିତ ଏମିତି ବିନା ନୋଟିସରେ ଦିନେ ପହଞ୍ଚିଯିବ, ଶ୍ୟାମଳୀ ହୁଏତ ତା’ ଜାଣିଥିଲା, ସେଇ ଭାବ ଓଠରେ ଫୁଟଇ ସେ ଅଳ୍ପ ହସି ନମସ୍କାର କଲା ।

 

ଅଭିଜିତର ହାତ ଦୁଇଟି ଜୋଡ଼ି ହେଉ ହେଉ ଖୋଲା ରହିଗଲା–ଶ୍ୟାମଳୀ ପ୍ରଥମଥରପାଇଁ ତାକୁ ଏଇ ନମସ୍କାର କଲା ।

 

ସଙ୍ଗିନୀମାନଙ୍କୁ ଚିହ୍ନାଇ ଦେଲା ‘‘ଏ ଅଭିଜିତ ବାବୁ–ଲେଖକ–ଛୋଟ ଦିନେ ମୋର ସହପାଠୀ ଥିଲେ । ଆଜି ହଠାତ୍‌ ଆପଣଙ୍କର କିମିତି ମୁଁ ମନେପଡ଼ିଲି । ସଙ୍ଗିନୀମାନଙ୍କ ଆଡ଼ୁ ଦୃଷ୍ଟି ଫେରାଇ ଅଭିଜିତ ସହଜଭାବେ ଚାହିଁଛି ଶ୍ୟାମଳୀ । ତା’ଙ୍କଠାରେ ଟିକେ ବି ଜଡ଼ତା ନାହିଁ ବା ତା’ ଚାହାଣିରେ ସାମାନ୍ୟତମ ଅନାଶ୍ୱସ୍ତ ଭାବ ନାହିଁ ।

 

ଅଭିଜିତ ଉତ୍ତର ଦେଲା ମୁଁ ଆସିଥିଲି ମୋର ଜଣେ ଅନ୍ତରଙ୍ଗ ସହ ଦେଖା କରିବାକୁ । ଆପଣଙ୍କ ନାଁ ହଠାତ୍‌ ମନେପଡ଼ିବାରୁ ଭାବିଲି ଯାଏ, ଯଦି ଦେଖାହୋଇ ଯାଏ । ଆଚ୍ଛା–ନମସ୍କାର ଅଭିଜିତ ଲମ୍ବା ଲମ୍ବା ପଦକ୍ଷେପରେ ସେ ସ୍ଥାନ ପରିତ୍ୟାଗ କଲା ।

 

ସାରା ରାସ୍ତା ସେ ଭାବୁଛି ବାରମ୍ବାର ଶ୍ୟାମଳୀ କାହିଁକି ତା’ପ୍ରତି ଏତେ ନିଷ୍ଠୁର ବ୍ୟବହାର କରୁଚି । ଯେଉଁ ସରଳ କିଶୋରୀ ଶ୍ୟାମଳୀ ଦିନେ ତା’ ପାଖେ ଅଳି କରୁଥିଲା ‘‘ଜିତୁ–ତୁଟା ଏତେ ମାଇଚିଆ ହେଲେ କିମିତି ମୋ ବାପାଙ୍କୁ କହି ମତେ ବାହା ହେବୁ । ସେଇ ଶ୍ୟାମଳୀ ପୁଣି ତରୁଣୀ ପାଲଟି ଯାଇ ତାକୁ ଧମକ ଦେଲା ଅଭିଜିତ–ମୋ ନାଁରେ ଆଉ କବିତା ଲେଖନି । ସେଇ ଶ୍ୟାମଳୀ ଆଜି ଅଭିଜିତ ବାବୁ ସମ୍ବୋଧନ କରି କେତେ ଦୂରରେ ନଗଲା ସତେ ! କାହିଁକି କାହିଁକି ଏସବୁ ହେଇଗଲା ।

 

ଅନେକ ବର୍ଷ ପରେ ଅଭିଜିତ ଅନୁଭବ କଲା ତା’ ଆଖିରେ ଲୁହ । ସେ ଦିନସାରା ତା’ ମେସ ରୁମରେ ମୁହଁମାଡ଼ି ଶୋଇ ରହିଲା । ସନ୍ଧ୍ୟା ହେଲା, ତଥାପି ତା’ ରୁମ୍‌ ଅନ୍ଧକାର ।

 

ହଠାତ୍‌ ରୁମ୍‌ ଆଲୋକିତ ହେବା ଦେଖି ଅଭିଜିତ ମୁହଁ ଉଠାଇ ଚାହିଁଲା, ଶ୍ୟାମଳୀ ନୁହେଁ ଅସୀମା ଅସହାୟ ଶିଶୁଟିଏ ଭଳି ନିର୍ବୋଧ ଦୃଷ୍ଟିରେ ତା’କୁ ଚାହିଁଚି । ତା’ ଆଖିର ଲୁହ ଶ୍ୟାମଳୀ ଆଖିର ପତାରେ ଚିକ୍‌ଚିକ୍‌ କରୁଚି ।

 

ଆସ୍ତେ ସେ ଅଭିଜଜିତର ଖଟରେ ବସି ତା’ ଶାଢ଼ିର ପଣତରେ ଅଭିଜିତର ଲୁହ ପୋଛି ନେଲା । ନିପୁଣା ଗୃହିଣୀଟି ଭଳି ଷ୍ଟୋଭ ଜାଳି କଫି ତିଆରି କଲା । ଉଷ୍ମ କଫି କପରେ ପ୍ରଥମ ଚୁମ୍ବନ ଦେଉ ଦେଉ ନିଷ୍ପଲକ ଦୃଷ୍ଟିରେ ଦେଖୁଥିଲା ଅଭିଜିତ । ଅସୀମା ତା’ର ବିକ୍ଷିପ୍ତ ବହିପତ୍ର ଓ ଲୁଗାପଟା ଯଥା ସ୍ଥାନେ ସଜାଡ଼ି ରଖୁଚି ।

 

ଅଭିଜିତ ଜଡ଼ିତ କଣ୍ଠରେ ଡାକିଲା–ଅସୀମା ବସ ଏଇଠି ମୋ ପାଖରେ ।

 

ନିର୍ବାକ୍‌ ନିଷ୍ପଲକଭାବେ ଅନେକ ସମୟ ବିତିଗଲା । ଅନୁବ କଣ୍ଠରେ ଅଭିଜିତ ପ୍ରଶ୍ନ କଲା ଅସୀମା ତମେତ କାରଣ ପଚାରିଲନି ?

 

ଭାବହୀନ ଆଖିର ଡୋଳାକୁ ଅଭିଜିତ ଉପରେ ସ୍ଥିର ରଖି ଅସୀମା କହିଲା–ଜାଣେ ବୋଲି ! ଅଭିଜିତ ଆଶ୍ଚର୍ଯ୍ୟଭାବେ ଚାହିଁଲା–ସତରେ ଅସୀମାର ପ୍ରେମ ଅସୀମ–ହୃଦୟ ଅସୀମ । ଅଭିଜିତର ମନେହେଲା ଯେମିତି ଜନ୍ମ ଜନ୍ମାନ୍ତର ଧରି ସେ ଏଇ ତରୁଣୀଟିକୁହିଁ ଖୋଜୁଥିଲା । ବିପୁଳ ଆବେଗରେ ସେ ଅସୀମାର ହାତ ଦୁଇଟି ନିଜ ପାପୁଲି ଭିତରେ ଚାପି ଧରିଲା ।

 

ଅସୀମା ମୃଦୁ ହସି ଖଟ ଉପରୁ ଉଠିପଡ଼ିଲା ଓ ଘରକୁ ଚାହିଁଦେଇ ଯିବାପାଇଁ ବ୍ୟସ୍ତ ହେବା ଭଙ୍ଗୀରେ କହିଲା, ଅଭିଜିତ–ମତେ ଆଜି ଯିବାକୁ ଦିଅ । ରାତି ହେଲାଣି–ସହରରେ ବେଳୁବେଳ ଗଣ୍ଡଗୋଳ ବଢ଼ୁଚି ଯେମିତି । ରାତିରେ ଏକା ଫେରିବା ନିରାପଦ ନୁହେଁ । କାଲି ଦେଖା ହେବ ।

 

ଅଭିଜିତ ଆଜି ଯେମିତି ପାଗଳ ପାଲଟି ଯାଇଚି । ସେ ଆହୁରି ନିବିଡ଼ଭାବେ ତା’ ହାତକୁ ଚାପିଧରି କହିଲା, ନା ଅସୀମା ନା ମତେ ଏକାନ୍ତ ଅସହାୟଭାବେ ଛାଡ଼ି ଚାଲି ଯାଅନି– । ତମେ ଜାଣ ମୁଁ କେତେ କ୍ଳାନ୍ତ–କେତେ ଏକାକୀ ।

 

ସେଦିନ ଅଭିଜିତର ବାହୁବନ୍ଧନରୁ ତ୍ରସ୍ତା ହରିଣୀଟି ଭଳି ଛୁଟି ଚାଲିଗଲା ଅସୀମା । ପ୍ରେମ ପାଇଁ ଏକାନ୍ତ ବିଶ୍ୱାସ ଯେ ଲୋଡ଼ା–ସେ ମନୋବଳ ବୋଧହୁଏ ତା’ର ନ ଥିଲା, ସେଇଦିନୁ ଅଭିଜିତ ଏକା–ବହୁ ପ୍ରଲୋଭିତ କଣ୍ଟକଭରା କୁସୁମିତ ଚଲାବାଟରେ ଏକାକୀ କ୍ଳାନ୍ତ ବାଟୋଇ ।

 

ନଖିଲ ଦା’ ଦୀର୍ଘଶ୍ୱାସ ଛାଡ଼ି ଅନ୍ୟ ଏକ ସିଗାରେଟରେ ଅଗ୍ନି ସଞ୍ଜୋଗ କଲେ । ତା’ପରେ ବେପଥୁଭରା କଣ୍ଠରେ କହିଲେ ସେଦିନ ଅସୀମା ଚାଲିଗଲା–ସବୁଦିନ ପାଇଁ ଅଭିଜିତର ଜୀବନ ପରିଧିରୁ ସେ ଚାଲିଗଲା । ମଝିରେ ମଝିରେ ଦେଖାହୁଏ–ତା’ ସହ ନୁହେଁ ତା’ର ଗଳ୍ପ ସହ-। ସେଇ ମାଧ୍ୟମରେ କଥା କଟାକଟି–ମାନ ଅଭିମାନ–ପ୍ରେମ ପ୍ରତାରଣାର ନିରର୍ଥକ ବାହାନା ସର୍ବଶେଷରେ ତା’ର ବିବାହ ନିମନ୍ତ୍ରଣ । ସୌଜନ୍ୟତା ଦୃଷ୍ଟିରୁ ତା’ ଭିତରେ ଛୋଟ, ଚିଠିଟିଏ–‘‘ଅଭିଜିତ ଅନ୍ୟତ୍ର ବିବାହ କରିବା ବ୍ୟତୀତ ମୋର ଅନ୍ୟ କିଛି ଉପାୟ ନ ଥିଲା-। ସେଦିନ ତମ ପାଖରୁ ଚାଲିଆସିବା ପରେ ହିନ୍ଦୁ ମୁସଲମାନ ଦଙ୍ଗାରେ ମୁଁ ମୋର ପବିତ୍ର କୁମାରୀତ୍ୱ ହରାଇ ବସିଚି । ଛଡ଼ା ଫୁଲରେ ଦେବତାର ପୂଜା କରାଯାଇ ପାରେନା–

 

–ତମର ଅସୀମା’’

 

ଅଭିଜିତ ସେ ଚିଠିଟିକୁ ଟିକି ଟିକି କରି ଚିରି ପବନରେ ଉଡ଼ାଇ ଦେଲା । ନାରୀର ଅନ୍ୟ ନାମ ହୀପୋକ୍ରିସି ବୋଲି ସେଦିନ ସେ ଆବିଷ୍କାର କଲା ।

 

ନିଖିଲ ଦା’ ଚୁପ୍‌ ହୋଇଯିବା ଦେଖି କହିଲି–ନା–ନା ନିଖିଲ ଦା’ ସବୁ ନାରୀ ସମାନ ନୁହଁନ୍ତି । ଅଭିଜିତର ବୁଝିବା ଉଚିତ ଚରିତ୍ର ସର୍ବସ୍ୱ ଅସୀମା ହୁଏତ ତା’ କଳଙ୍କିତ ଜୀବନକୁ ଅଭିଜିତର ନିର୍ମଳ ନିଷ୍ପାପ ଜୀବନ ସହ ଯୋଡ଼ି ଦେବାକୁ ଚାହୁଁ ନ ଥିଲା । ସେ ଯାହା କରିଚି ଠିକ୍‌ କରିଚି । ତା’ ପ୍ରେମିକ ପୁରୁଷଟିକୁ ଅଖଣ୍ଡ କୁମାରୀତ୍ୱର ସାର୍ଟିଫିକେଟ ଦେଇ ସତୀ ସାବିତ୍ରୀର ଅଭିନୟ କରିବାଠାରୁ ଏ ଢେର ଭଲ ।

 

ନିଖିଲ ଦା’ ଶାନ୍ତ ଗଳାରେ କହିଲେ, ଢେର ଭଲ ହୋଇଥାନ୍ତା ଯଦି ଅସୀମାର ସଫେଇରେ ସତ୍ୟତା ଥାନ୍ତା । ସେଦିନ ଅସୀମା ଚାଲିଗଲା ପରେ ଅଭିଜିତର ମନ ପାପ ଛୁଇଁଲା, ସହରରେ ହିନ୍ଦୁ ମୁସଲମାନ ଦଙ୍ଗାର ପୂର୍ବାଭାଷ । ଯଦି ଅସୀମାର କିଛି ଅଘଟଣ ଘଟିଯାଏ, ଅସୀମା ଘରର ଠିକଣା କହି ସେ ଟ୍ୟାକ୍‌ସିରେ ବସିଲା ।

 

ତା’ର ସନ୍ଦେହ ଅମୂଳକ ନୁହେଁ । ଦଳେ ଗୁଣ୍ଡା ପ୍ରକୃତିର ଲୋକ ଅସୀମାକୁ ଟେମ୍ପୋରୁ ଉଠାଇ ନେଇ ଯାଉଛନ୍ତି । ଆର୍ତ୍ତଚିତ୍କାର କରି କରି ଅସୀମାର ଚଞ୍ଚଳ ତନୁ ବଲ୍ଲରୀ ନିସ୍ତେଜ ହେଇଯାଉଚି ଆସ୍ତେ ଆସ୍ତେ ।

 

ଟାକ୍‌ସି ଡ୍ରାଇଭରର ସହାୟତାର ସେ ଅସୀମାକୁ ଆସନ୍ନ ନର୍କ ମୁଖରୁ ଉଦ୍ଧାର କରି ଟାକ୍‌ସିରେ ନେଇଯିବାବେଳେ ସେମାନେ ତାକୁ ଆଘାତ କଲେ–କ୍ଷତ ବିକ୍ଷତ ଅଭିଜିତ ଟାକ୍‌ସିରୁ ତଳେ ପଡ଼ିଗଲେ ।

 

ଏଇଠି ପ୍ରତିବାଦ କରିବା କଣ୍ଠରେ କହିଲି–ନିଖିଲ ଦା’, ଆପଣ ପୁରୁଷ ଚରିତ୍ରକୁ ବିଳିଷ୍ଠ କରିବା ପାଇଁ ନାରୀ ଚରିତ୍ରକୁ ଦୁର୍ବଳ ନକଲେ ମଧ୍ୟ ଗଳ୍ପ ଲେଖାଯାଇ ପାରନ୍ତା । ଇଚ୍ଛାକରି ଅସୀମାକୁ ପବିତ୍ର ପ୍ରେମର ସ୍ୱର୍ଗରୁ ପ୍ରତାରଣାର ନର୍କକୁ ଆପଣ ଟାଣିଆଣି ଗଳ୍ପର ଇମେଜଟାକୁ ନଷ୍ଟ କରି ଦେଉଛନ୍ତି କାହିଁକି ?

 

‘‘ଅଭିଜିତର ଜୀବନଟା ନଷ୍ଟ ହୋଇଗଲାବୋଲି’’–କହି ନଖିଲ ଦା’ ତାଙ୍କ ଆଖିରୁ ଗଗ୍‌ଲସ କାଢ଼ି ଲୁହ ପୋଛିବାକୁ ଲାଗିଲେ । ପ୍ରବଳ ଉତ୍ତେଜନାରେ ମୁଁ ମଧ୍ୟ ବସିବା ସ୍ଥାନରୁ ଉଠିପଡ଼ିଲି । ମୋ କଳ୍ପନାରେ ଆଙ୍କିଥିବା ନିଖିଲ ଦା’ଙ୍କର ଭାବବିହ୍ୱଳ ଆଖିରେ ଉଜ୍ଜ୍ୱଳ ତାରକା ଥିବା ସ୍ଥାନରେ କେବଳ ପୃଥିବୀର ସକଳ ଅନ୍ଧକାରର ଗହ୍ୱର । ଉଦ୍‌ଗତ ଅଶ୍ରୁକୁ ଚାପି ନେଉ ନେଉ ନିଖିଲ ଦା’ଙ୍କୁ ହଲାଇଦେଇ ପଚାରିଲି, ଏ କ’ଣ ହେଲା ନିଖିଲ ଦା’... କୋହରେ ମୋର କଣ୍ଠ ରୁଦ୍ଧ ହେଇ ଆସିଲା । ନିଖିଲ ଦା’ ମୋ ପିଠିରେ ସସ୍ନେହ କରାଘାତ କରି କହିଲେ, କିଛି ନୁହେଁ ପାଗଳୀ–ସେଦିନ ଅସୀମାର ଅକ୍ଷତ କୁମାରୀତ୍ୱ ରକ୍ଷା କରିବାକୁ ଯାଇ ଅଭିଜିତ ସେଇ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ଅନ୍ଧ ହୋଇଗଲା..... ।

 

ଲୁହ ପୋଛି ନେଇ ନିଖିଲ ଦା’ ଗଗ୍‌ଲସଟା ପିନ୍ଧିନେଲେ । ଓଠରେ ତାଙ୍କର ଦେବସୁଲଭ ହସ ଖେଳାଇ ମୋ ପିଠି ଥାପୁଡ଼େଇ କହିଲେ, ‘‘ଡୋଣ୍ଟକ୍ରାଇ ମାଇଁ ଚାଇଲଡ଼–ଆଇ ହେଟ୍‌ ଟିଅରସ... ।’’

Image

 

ପେଇଂଗେଷ୍ଟ୍‌

 

ଜଣେ ଲେଖିକାର ସ୍ୱାମୀ ହେବାରେ ଯେତିକି ଗୌରବ, ଜଣେ ଲେଖକର ପତ୍ନୀ ହେବାରେ ତା’ଠାରୁ ଅନେକ ବେଶୀ ଯନ୍ତ୍ରଣା । ପୁରୁଷ ପାଇଁ ଉଦ୍ଦିଷ୍ଟ ସଂଜ୍ଞା ନାରୀ ପାଇଁ କାହିଁକି ଯେ ବିପରୀତ ହୁଏ, ସେ ପ୍ରଶ୍ନ ମନଭିତରେ ଉଠିବାମାତ୍ରେ ମାୟାଦେବୀ ଅବୋଧ ଶିଶୁକୁ ଲୁଲାବାଇ ଗୀତ ଗାଇ ଶୋଇପକାଇବା ଭଙ୍ଗୀରେ ଉତ୍ତରକୁ ଥାପୁଡ଼େଇ ଶୋଇପକାନ୍ତି । ମାୟାଦେବୀ ଜାଣନ୍ତି ଯେ ସଂସାର ମଧ୍ୟରେ ସ୍ୱାମୀ ନାମଧ୍ୟେୟ ଚରିତ୍ରଟି ସଙ୍ଗେ ସର୍ବୋତଭାବେ ସୁଖୀ ସଂସାର ଗଢ଼ିବାର ଏକମାତ୍ର ଉପାୟ ହେଲା ସବୁ ଜାଣି କିଛି ନ ଜାଣିବାର ଅଭିନୟ କରିବା କିମ୍ବା ଜାଣିବା ପାଇଁ ଚେଷ୍ଟା ନ କରିବା ।

 

ଏଇ ଧାରଣାଟିକୁ ମନଭିତରେ ଜାବୋଡ଼ି ଧରି ବୈବାହିକ ଜୀବନର ସାତ ବର୍ଷ ବିତାଇବା ପରେ ଏବେ ଅନୁଭବ କରୁଛନ୍ତି, ଲେଖକ ସ୍ୱାମୀଟି ତାଙ୍କର କେମିତି ଏକ ଦୂରର ମଣିଷ ପାଲଟି ଯାଉଛନ୍ତି । (କାହାଆଗେ ଏ ଅଭିନୟ ? ଛଳନା ?? ଗାଳ୍ପିକ ଚନ୍ଦ୍ରକାନ୍ତ ତାଙ୍କ ଗଳ୍ପର ଚରିତ୍ର ଭିତରେ ଏତେଦୂର ଆତ୍ମବିସ୍ମୃତ ଯେ ବାସ୍ତବ ଓ ଛଳନା ସବୁତ ତାଙ୍କ ଆଖିରେ ସମାନ)

 

ସେଦିନ ଚନ୍ଦ୍ରକାନ୍ତ ଅଫିସରୁ ଫେରିଲାବେଳେ ତାଙ୍କ ସଙ୍ଗେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ମାୟାଦେବୀ ଦୁଇକପ୍‍ ଚା’ର ବ୍ୟବସ୍ଥା କରିବାକୁ ରୋଷେଇ ଘର ଆଡ଼େ ପାଦ ବଢ଼ାଇଲେ । ଏ ତ ଆଉ ନୂଆ କଥା ନୁହେଁ । ପ୍ରତିଦିନ କେହିନା କେହି ଆସନ୍ତି । ଦିନେ ଦିନେ ସଂଖ୍ୟା ଏକରୁ ବଢ଼ି ବଢ଼ି ସାତ ଆଠ ମଧ୍ୟ ହୁଏ । ମାସର ପ୍ରଥମ ସପ୍ତାହ ବା ଦ୍ୱିତୀୟ ସପ୍ତାହ ହେଇଥିଲେ ସେ ସ୍ୱାମୀଙ୍କର ଏଇ ଜାତି, ଧର୍ମ, ବର୍ଣ୍ଣ ଓ ବୟସର ନିର୍ବିଶେଷରେ ବନ୍ଧୁମାନଙ୍କ ପାଇଁ କେବେ ଗରମ ଗରମ ସିଙ୍ଗଡ଼ା କେବେ ଆଳୁଚପ ବା କେବେ ପକୁଡ଼ି ଛାଣନ୍ତି । ତା’ ପରେ ପରେ ଯେ ଦୁଇ ତିନିଥର ଚା’ ବରାଦ ନ ଆସେ ତା’ ନୁହେଁ । ସାହିତ୍ୟର ଆସର ଯଦି କେବେ ମଧ୍ୟରାତ୍ରିର ପୂର୍ବାଭାଷ ଦିଏ, ତେବେ ବନ୍ଧୁମାନେ ପୁରୀ, ଆଳୁଦମ ଓ ହାଲୁଆ ଖାଇ ବିଦାୟ ନିଅନ୍ତି ।

 

ଯଦି ମାସର ଶେଷ ସପ୍ତାହ, ତେବେ ମାୟାଦେବୀ ପ୍ରଥମଥର କେବଳ ଚା’ଟା ଭଲକରି ଦିଅନ୍ତି । ଦ୍ୱିତୀୟଥର ବେଳକୁ ଚା’ର ରଙ୍ଗଟା ଖରାପ ହୁଏ, ତୃତୀୟ ଥର ବେଳକୁ ବିଲେଇ ଦୁଧ ଖାଇଗଲା ବୋଲି କହିବାକୁ ବାଧ୍ୟ ହୁଅନ୍ତି । ଦିନେ ଦିନେ ଏଇ ଅବସ୍ଥାରେ ତାଙ୍କର ଲେଖକ ସ୍ୱାମୀଟି ଆସର ଭିତରୁ ଡାକ ଛାଡ଼ନ୍ତି, ଆରେ ନଟ ଏ ଚା’ ତୁ କରିଚୁ ନାଁ ମା’ କରିଚନ୍ତିରେ ମା’ଙ୍କୁ କହିଲୁ ଆଉ ତିନିକପ୍‍ ଭଲ ଚା’ କରି ପଠାଇବେ ଅତିଥିମାନଙ୍କ ଭିତରୁ ଅପେକ୍ଷାକୃତ କମ୍‍ ବୟସର ତରୁଣ ସାହିତ୍ୟିକ ବନ୍ଧୁ (ରୋଷେଇଘର ଆଡ଼େ ଉଦ୍ଦେଶ୍ୟ କରି) ଡାକ ଛାଡ଼ନ୍ତି ଭାଉଜ ଆପଣଙ୍କ ହାତ ତିଆରି ଚମତ୍କାର ଚା’ ଭାଉଜ–ନଟ ହାତର ପାଣିଚିଆ ଚା’ ନୁହେଁ କହିବା ବାହୁଲ୍ୟ ଯେ ଚମତ୍କାର ଓ ତଥାକଥିତ ନଟ ହାତର ଚା’–ସବୁର ପ୍ରସ୍ତୁତକାରିଣୀ ନେ ନିଜେ । ଆସର ଭାଙ୍ଗିବା ପରେ ସ୍ୱାମୀଙ୍କ ଥାଳିରେ ରୁଟି ସନ୍ତୁଳା ବାଢ଼ୁ ବାଢ଼ୁ ସେ ଆକଟିଲା ଭଙ୍ଗୀରେ କହନ୍ତି–ଏମିତି ଖିଆଲି ଲୋକ ତମେ ଗପ କଲାବେଳେ ହୋସରେ ନଥାଅ ବୋଧେ ! ଚନ୍ଦ୍ରକାନ୍ତ, ଆତଙ୍କିତଭାବେ ପ୍ରଶ୍ନ କରନ୍ତି, କାହିଁକି କ’ଣ ଦେଲା ? ହସିବେ ନା କାନ୍ଦିବେ ମାୟାଦେବୀ ? ଚନ୍ଦ୍ରକାନ୍ତ ଅବୁଝା ଆଖିରେ ଚାହାଁନ୍ତି ମାୟାଙ୍କୁ ସତରେ ମୁଁ କିଛି ବୁଝିପାରୁନି ଆଖିରେ ଏଇ ଭାଷାର ଭାବ ମାୟାଦେବୀ ଗ୍ଲାସରେ ପାଣି ଢାଳୁ ଢାଳୁ କହନ୍ତି ଗୁଣ୍ଡଦୁଧ ଯଦିଓ ବେବୀଫୁଡ଼, ବୁଢ଼ା ବେବୀମାନଙ୍କ ପାଇଁ ବାରମ୍ବାର ଚା’ରେ ସେ ଶେଷ ହୋଇଯାଇଛି–ଏକଥା କ’ଣ ତମର ବୁଝିବା ବୟସ ହୋଇନି ? କଣ୍ଠରେ ଅପରାଧ ଭାବଫୁଟାଇ ଚନ୍ଦ୍ରକାନ୍ତ କହନ୍ତି–ସରି ମାୟା, ମୁଁ ଜାଣିନଥିଲି... ଏଣିକି ସାବଧାନ ହେବି ।

 

ତା’ ପରଦିନ ସାବଧାନ ସ୍ୱାମୀଟି ତାଙ୍କର ବନ୍ଦୁମାନଙ୍କ ଆଗରେ ଡାକଛାଡ଼ନ୍ତି ମାୟା, ଏ ବୁଢ଼ା ବେବୀମାନଙ୍କ ପାଇଁ ଆଜି ବିନା ଦୁଧରେ ଚା’ ତିଆରି କରତ–ପାର ଯଦି ଲେମ୍ବୁ ଚା’.... ସେଇ ଭଲ ! ଲଜ୍ଜାରେ ଏତେଟିକେ ହୋଇଯିବେ ଅବା ସେ । ସ୍କୁଲରୁ ଫେରି ପୁଅ ଅତନୁ ଦୁଧ ନ ପିଇ ଲେମ୍ବୁ ଦେଖି ସର୍ବତ କରି ଖାଇ ଦେଇଛି । ଆଉ ଲେମ୍ବୁ କାହିଁ ଭାଗ୍ୟକୁ ସେଇ ଦୁଧ କପେ ଅଛି । ସେଥିରେ ଚା’ କରି ସେ ପଠାନ୍ତି ।

 

ଆଜି ଚା’ ଦୁଇକପ୍‍ ଧରି ଡ୍ରଇଂରୁମ୍‍କୁ ପଶୁ ପଶୁ ଅପରିଚିତ ଯୁବକଟି ସଙ୍ଗେ ଚନ୍ଦ୍ରକାନ୍ତ ତାଙ୍କ ପରିଚୟ କରାଇଦେଲେ–ଏ ହେଲେ ଆମ ଅଫସକୁ ନୂଆ ହୋଇ ଆସିଥିବା ଗ୍ରେଡ଼ ଟୁ ଆସିଷ୍ଟାଣ୍ଟ ସୁବୋଧ ପରିଜା–ଆଉ ସୁବୋଧ ବାବୁ, ଚା’ ପରିବେଷଣ କାରିଣୀଙ୍କ ପରିଚୟ ଆପଣ ଜାଣି ସାରିବେଣି । ଆଗନ୍ତୁକ ସସ୍ମିତ ନମସ୍କାର କଲେ ।

 

ସନ୍ଧ୍ୟା ଯାଇ ରାତି ୯ଟା ହେଲା, ଆଜି ଆସରରେ କେବଳ ଏଇ ଦୁଇଜଣ । ଚନ୍ଦ୍ରକାନ୍ତ ବାବୁଙ୍କୁ ଭିତରକୁ ଡାକି ମାୟାଦେବୀ ପ୍ରଶ୍ନକଲେ ଆଜି କଥା କ’ଣ ଚା’ ଜଳଖିଆର ବରାଦ ଆସୁନି ଯେ ! ରୋଷେଇ ସରିଚି, ତମ ବନ୍ଧୁଙ୍କୁ ବି କହ ଏଇଠି ଆଜି ଖାଇନେବେ ।

 

ହୋ–ହୋ ହୋଇ ହସିଲେ ଚନ୍ଦ୍ରକାନ୍ତ, ଆରେ ଆଜି କ’ଣ ? ଏତ ଘର ପାଇଲାଯାଏ ଏଇଠି ରହିବେ–ଏଇଠି ଖାଇବେ । ମୁଁ ଭୁଲିଯାଇଛି, ତମକୁ ସେକଥା କହିବାକୁ–ସେ ଆଜିଠୁ ଆମର ପେଇଂଗେଷ୍ଟ ।

 

ମାୟାଦେବୀ ମନେ ମନେ ଅପମାନିତ ହେଲେ ମଧ୍ୟ କିଛି କହିଲେ ନାହିଁ । ବଡ଼ ଅଦ୍ଭୁତ ଲୋକ ? ବାହାରର ଜଣେ ମଣିଷ ଆସି ଏ ଘରେ ଚଳିବ ସେ ଦାୟିତ୍ୱ ତ ତାଙ୍କର ବେଶୀ । ଅଥଚ ତାଙ୍କୁ କହିବାକୁ ଭୋଳାନାଥ ସ୍ୱାମୀ ତାଙ୍କର ଭୁଲି ଯାଇଛନ୍ତି !! ବାହାରର ଜଣେ ମଣିଷ ଆସି ଘରେ ରହିଲେ ନିଜ ଘରଟା କେମିତି ନିଜକୁ ଅପରିଚିତ ଲାଗେ । ମନେହୁଏ ଆଗନ୍ତୁକ ନୁହନ୍ତି, ସ୍ୱୟଂ ଗୃହକର୍ତ୍ତୀହିଁ ଏ ଘରେ ଗେଷ୍ଟ । ଟିକିଏ ବଡ଼ପାଟି କରି କଥା କହିଲାବେଳେ ସହଜଭାବେ ଚଲାବେଳେ ଓ ଠିକା ଚାକରାଣୀ ତଥା ସ୍ୱାମୀଙ୍କ ଉପରେ ବିରକ୍ତ ହେଲାବେଳେ ସଙ୍କୋଚ ଲାଗେ । କେମିତି ଏକ ଅପ୍ରସ୍ତୁତ ଭାବ କଣ୍ଠରେ ଜଡ଼ତା ଭରିଦିଏ । ଭଦ୍ରଲୋକ କ’ଣ ଭାବିବେ ! ସତେ ଯେମିତି ତାଙ୍କର ଭାବିବା ନ ଭାବିବା ଉପରେ ନିର୍ଭର କରେ ଗୃହକର୍ତ୍ତ୍ରୀଙ୍କର ସମଗ୍ର ଜୀବନର ସାଧନା, ସଫଳ ଗୃହିଣୀର ପ୍ରମାଣ ପତ୍ର !

 

କ୍ରମେ ମାୟାଦେବୀଙ୍କର ଏ ଅସହଜ ଭାବ କମି ଆସିଲା । ସୁବୋଧ ବାବୁଙ୍କ ଭଳି ଭଦ୍ରଲୋକଙ୍କୁ ବାହାରର ମଣିଷ ଭାବିହୁଏନି । ମାସ ଦୁଇଟା ଭିତରେ ସେ ପରିବାରର ଜଣେ ସଦସ୍ୟ ପାଲଟି ଗଲେ ! ଏଣିକି ସ୍ୱାମୀଙ୍କର ସାହିତ୍ୟ ଆସର ବସିଲାବେଳେ ତାଙ୍କୁ ଅପ୍ରସ୍ତୁତ ହେବାକୁପଡ଼େ ନାହିଁ ବା ବିଲେଇ ଦୁଧ ଖାଇଗଲାର ବାହାନା ଖୋଜିବାକୁ ପଡ଼େନାହିଁ । ଘରର ଡାଲି, ଚାଉଳ, ପରିବାରଠାରୁ ଆରମ୍ଭ କରି ବାପନର ଦୁଧ ଚିନି ବିସ୍କୁଟ ସରିବା ଆଗରୁ ଆସି ମହଯୁଦ ହୁଏ । ଦିନେ ଦିନେ ବ୍ୟସ୍ତ ହୋଇ ଆସି ସୁବୋଧ ବାବୁ କହନ୍ତି ଭାଉଜ, ସହରର ପ୍ରାୟ ସବୁ ଦୋକାନ ବୁଲି ଆସିଲି ଗୁଣ୍ଡଦୁଧ ମିଳିଲାନି ଅଥଚ ଦୁଇଦିନ ତଳେ ଭର୍ତ୍ତିହୋଇ ଥିଲା । ହେଇ ଅଧିକା ପଇସା ଦେଇ ଏଇ ଗୋଟିଏ ଡବା ବହୁତ କଷ୍ଟରେ ଯୋଗାଡ଼ କରିଚି ।

 

ମାୟାଦେବୀଙ୍କ ବିସ୍ମୟ ବିସ୍ଫାରିତ ଆଖିର ଡୋଳା ଆହୁରି ବଡ଼ ହୋଇଯାଏ ଆପଣ ଏତେ ବ୍ୟସ୍ତ ହେଉଥିଲେ କାହିଁକି, ବାପନର ଡବାଦୁଧ ତ ଆହୁରି ଛଅ ସାତଦିନ ଯିବ ତା’ପରେ ମୁଁ ତ ଆପଣଙ୍କୁ କହିନଥିଲି... ସୁବୋଧ ବାବୁ ହସି ଦିଅନ୍ତି ବାଃରେ ଭାଉଜ ! ଛୁଆ କାନ୍ଦିଲେ ପାଣି ଗରମ କରି ଦୋକାନକୁ ଧାଇଁଥାନ୍ତ ନା କ’ଣ ଗୁଣ୍ଡଦୁଧ ପାଇଁ !! ବୁଝିଲ, ସରିବା ପୂର୍ବରୁ ଆଣି ଜିନିଷ ସାଇତିବା ପକ୍‌କା ଗୃହିଣୀର କାମ !

 

କିନ୍ତୁ ଚନ୍ଦ୍ରକାନ୍ତଙ୍କର କୌଣସି ପରିବର୍ତ୍ତନ ନାହିଁ । ଘରେ ଜଣେ ଭଦ୍ରବ୍ୟକ୍ତିଙ୍କୁ ଆଣି ଗେଷ୍ଟଭାବେ ରଖିବାପରେ ମଧ୍ୟ ତାଙ୍କର ଖାଇବା ରହିବା ଓ ଚଳିବାରେ କିଛି ସୁବିଧା ଅସୁବିଧା କିମ୍ବା ମାୟାଦେବୀଙ୍କୁ ଯେ ଆହୁରି ଜଣେ ଅଧିକ ଲୋକର ଦାୟିତ୍ୱ ତୁଲାଇବାକୁ ପଡ଼ୁଛି ସେ ସମ୍ପର୍କରେ ଚିନ୍ତା କରିବା କିଛି ନାହିଁ । ସକାଳୁ ଚିରାଚରିତ ଭାବେ ଉଠି ପେପର ପଢ଼ିବା ମାଗାଜିନ ପଢ଼ିବା ଚା’ ପରେ ଚା’ ଖାଇବା ଓ ନଅଟା ବେଳକୁ ଖାଇଦେଇ ଅଫିସ ଯିବା ଏବଂ ସେଆଡ଼ୁ ଫେରି ବନ୍ଧୁମାନଙ୍କ ସଙ୍ଗେ କେବେ ଘରେ କେବେ ବାହାରେ ମଧ୍ୟରାତ୍ରି ଯାଏ ସାହିତ୍ୟ ଆସର ଜମାଇବା ।

 

ସେଦିନ ଅତନୁର ସ୍କୁଲ ଦରମା ଦେବାକୁ ବାରମ୍ବାର ତାଗିଦ କରି କହିଲେ ମାୟା, ଦେଖ କୋଡ଼ିଏ ତାରିଖ ପୂର୍ବରୁ ଦେଇଦେବ–ଏଇ ରଖ ତା’ର ସ୍କୁଲକାର୍ଡ଼ ଭୁଲିଯିବନି । ଚନ୍ଦ୍ରକାନ୍ତ ହସିଲେ, ମତେ ଛୋଟଛୁଆ ଭାବିଛନା କ’ଣ ପୁଅର ସ୍କୁଲ ଦରମା ମୁଁ କ’ଣ ଜାଣି ଜାଣି ଭୁଲିଯାଏ...... ? ଏମିତି କାମ ପଡ଼େ–ପହିଲାବେଳୁ ଦେଇଦେବି ଭାବି ଭାବି କୋଡ଼ିଏ ତାରିଖ ଚାଲିଯାଏ କେତେବେଳେ, ଏଣିକି ଆଉ ସେ ଭୁଲ ହେବନି ! (ଯେତେକାମ ଥାଉ ବରଂ....) ସବୁ ମାସ ଭଳି ସେ ମାସ ମଧ୍ୟ କୋଡ଼ିଏ ତାରିଖ ଡେଇଁଗଲା । ମାୟା ପଚାରିଲେ ଅତନୁର ଦରମା ଦେଲ ? ଚନ୍ଦ୍ରକାନ୍ତ ବାବୁ ଲଜ୍ଜିତ ଭଙ୍ଗୀରେ କହିଲେ ସରି ମାୟା– ! ଫାଇନ ସହ ଆଜି ଦେଇଦିଅ–ଟଙ୍କା ରଖ ମୁଁ ତ ଭୁଲିଯାଇଛି କାମ ଚାପାରେ ।

 

କାମମାନେ ଅଫିସ ପରେ ବନ୍ଧୁମାନଙ୍କ ସହ ସାହିତ୍ୟ, ରାଜନୀତି ଓ ଧର୍ମ ଉପରେ ବାଦାନୁବାଦ–ଯୁକ୍ତତର୍କ–ଏକଥା ଭଲକରି ଜାଣନ୍ତି ମାୟାଦେବୀ ! ଏଇ ଭିତରେ ସେ ଭୁଲିଯାନ୍ତି ସ୍ତ୍ରୀଙ୍କର ସୁଖ ସୁବିଧା, ସନ୍ତାନର ଅତ୍ୟାବଶ୍ୟକୀୟ ଚାହିଦା–ନିଜ ପରିବାର ସଂସାର ! ଆହତ ଅଭିମାନରେ ମାୟାଦେବୀଙ୍କର ଆୟତ୍ତ ଆଖିରେ ଲୁହ ଭରିଆସିଲା । ଚନ୍ଦ୍ରକାନ୍ତଙ୍କ ଭଳି ସେ ଯଦି ଏମିତି ଭୁଲିଯାଉଥାନ୍ତେ କ’ଣ ହୁଅନ୍ତା ଏ ଘରର ଅବସ୍ଥା !

 

ସାତବର୍ଷ ଧରି ସେ ତ ସ୍ୱାମୀଙ୍କର କୌଣସି ରୁଚି ପସନ୍ଦ ଓ ଅପସନ୍ଦକୁ ଭୁଲିଯାଇ ନାହାନ୍ତି କାମର ଚାପାରେ । ସୌନ୍ଦର୍ଯ୍ୟ ପିପାସୁ ସାହିତ୍ୟିକ ସ୍ୱାମୀ ତାଙ୍କର କେବେ ଘରେ ଏକା ଏକା ବସି ବୋରହେଲେ ସେ ତ ଜୋର୍‍କରି ନେଇ ଯାଇଛନ୍ତି ତାଙ୍କୁ ସୁନ୍ଦରୀ ଶିକ୍ଷିତା ସାହିତ୍ୟିକା ବାନ୍ଧବୀମାନଙ୍କ ପାଖକୁ । ସେ ଜାଣନ୍ତି ନିଷ୍କଳଙ୍କ ଚରିତ୍ରର ଏଇ ଲେଖକ ସ୍ୱାମୀଟି ତାଙ୍କର ସୌନ୍ଦର୍ଯ୍ୟ ପିପାସୀ । କୌଣସି ରୂପସୀ ଲେଖିକା ବା ସାହିତ୍ୟିକା ବା ତାଙ୍କ ଲେଖାର ସ୍ତାବକ ସଙ୍ଗେ ସନ୍ଧ୍ୟାର କେଇଟି ମୁହୂର୍ତ୍ତର ଆଳାପ ଯଦି ସ୍ୱାମୀଙ୍କ ମନରେ କିଛି ନୂତନ ସ୍ପନ୍ଦନ, ରୋମାଞ୍ଚ ବା ଲେଖିବାର ପ୍ରେରଣା ଆଣିଦିଏ ସ୍ତ୍ରୀ ହୋଇ ତାଙ୍କର କର୍ତ୍ତବ୍ୟ କ’ଣ ନୁହେଁ, ତାଙ୍କୁ ଖୁସି ରଖିବା ! ଘରର ଯାବତୀୟ କାମରେ ଅତିଥି ସତ୍କାର ଭିତରେ ଓ ସ୍ୱାମୀଙ୍କର ଅଦ୍ଭୁତ ଖିଆଲର ଚାପା ଭିତରେ ସେ ତ ଭୁଲିନାହାନ୍ତି ଏଇ ସାମାନ୍ୟ ଅଥଚ ଏତେବଡ଼–ସେଣ୍ଟିମେଣ୍ଟର କଥାଟିକୁ ! କିନ୍ତୁ ଅଭିମାନ କରି ଲାଭ ବା କ’ଣ ? ମନଭିତରେ ଝଡ଼କୁ ଚାପିନେଇ କିଛି ଯେମିତି ଘଟିନି, ସେହି ଭାବକୁ ମୁହଁ ଉପରେ ଫୁଟାଇଲେ ମାୟାଦେବୀ ଅଳ୍ପ ହସି କହିଲେ–ବାସ୍‍, ଦରମା କାର୍ଡ଼ ଦେଇଦିଅ–ଫାଇନ ସହ ଟଙ୍କାବି ମୁଁ ଯାଇ କାଲି ଦେଇଆସିବି ।

 

ଚନ୍ଦ୍ରକାନ୍ତ ବାବୁ ବ୍ୟସ୍ତହେଇ କାର୍ଡ଼ ଖୋଜୁ ଖୋଜୁ ସୁବୋଧ ବାବୁ ଆସି କହିଲେ ଆରେ ଚନ୍ଦ୍ରକାନ୍ତ ବାବୁ ହେଇ ବାପନର ଦରମା ରସିଦ, ମୁଁ କୋଡ଼ିଏ ତାରିଖରେ ଦେଇ ଦେଇଚି କହିବାକୁ ଭୁଲିଯାଇଥିଲି । ଚନ୍ଦ୍ରକାନ୍ତ ବାବୁ ସ୍ୱସ୍ତିରେ ନିଃଶ୍ୱାସ ମାଇଲେ ଓ କହିଲେ ସୁବୋଧ ବାବୁ, ବଞ୍ଚାଇଦେଲେ ମତେ ? ହେଇ ଟଙ୍କାଟା ନେଇଯାଅ–ଚାରିଦିନର ଫାଇନଟା ତମର କମିଶନ ।

 

ସୁବୋଧ ବାବୁଙ୍କ ଆଡ଼କୁ ଟଙ୍କା ତିରିଶଟା ବଢ଼ାଇ ଦେଲେ ମାୟାଦେବୀ ତାଙ୍କ କାମର ତାରିଫ ବା ଧନ୍ୟବାଦ ଦେବାକୁ ତୁଣ୍ଡ ଖୋଲିଲେ ନାହିଁ ।

 

ସୁବୋଧ ବାବୁ ବ୍ୟଥିତ ଗଳାରେ କହିଲେ ଛୁଆଟାର ସ୍କୁଲ ଫିସ ଦେଇଚି ବୋଲି ଆପଣମାନଙ୍କଠାରୁ ଟଙ୍କା ନେବି.... ନାଁ... ଭାଉଜ, ଏତେଟା ଅକୃତଜ୍ଞ, ଅନ୍ତତଃ ମୁଁ ହେଇପାରିବିନି ।

 

ଭିତରେ ଭିତରେ ଅସନ୍ତୁଷ୍ଟ ହେଲେ ମଧ୍ୟ ମାୟାଦେବୀ ଆଉ କିଛି କହିଲେ ନାହିଁ । ଇନଷ୍ଟାଲମେଣ୍ଟରେ ବିଭିନ୍ନ ଉପାୟରେ ସୁବୋଧ ବାବୁ ତାଙ୍କ ଦେୟ ଦେଇ ଚାଲିବା ପରେ ମାସ ଆରମ୍ଭରେ ଆଉ ଏକକାଳୀନ ଦେଢ଼ଶହ ଟଙ୍କା ନେବାକୁ ମାୟାଦେବୀଙ୍କ ବିବେକକୁ ବାଧେ ।

 

ଦିନେ ମାୟା, ଚନ୍ଦ୍ରକାନ୍ତଙ୍କୁ କହିଲେ ଦେଖ, ସୁବୋଧ ବାବୁ ରହିବାର ପାଞ୍ଚମାସ ହେଇଗଲା–ସେ କ’ଣ ଘର ପାଉନାହାନ୍ତି ! ନା ଖୋଜିବାର ଚେଷ୍ଟା କରି ନାହାନ୍ତି ! ତାଙ୍କୁ କୁହ, କିମ୍ବା ତାଙ୍କ ପାଇଁ ଭଡ଼ା ଘରଟିଏ ଖୋଜିଦିଅ ।

 

ଚନ୍ଦ୍ରକାନ୍ତ ବାବୁ ଆଶ୍ଚର୍ଯ୍ୟଭାବେ ପ୍ରଶ୍ନ କଲେ, କାହିଁକି ମାୟା ! ସେ ଏଇଠି ରିହବାରେ ତମର କିଛି ଅସୁବିଧା ହେଉଛି ? ସୁବୋଧ, ତ ଖୁବ୍ ଆଡ଼ଜଷ୍ଟିଭ ।

 

ଝର ଝର ହୋଇ ଅଶ୍ରୁର ଅବରୁଦ୍ଧ ଝରଣା ଝରି ଆସିଲା । ଭାରିଗଳାରେ ମାୟାଦେବୀ କହିଲେ ନାଁ ତା’ ଠିକ୍‍ ନୁହେଁ, କିନ୍ତୁ ମୁଁ ଚାହେଁନା ବାହାରର ମଣିଷ ଘରର ଦାୟିତ୍ୱ ଏତେଟା ବୁଝୁ– । ତମେ ନବୁଝ–ମୋର ଦୁଃଖ ନାହିଁ । କିନ୍ତୁ ସୁବୋଧ ବାବୁଙ୍କ ସଙ୍ଗେ ତମକୁ ତୁଳନା କରି ତମର ଅନ୍ୟାନ୍ୟ ଇମେଜଟାକୁ ନଷ୍ଟ କରି ଦେବାର ଜିଦ୍‍ ଭବିଷ୍ୟତରେ ଯେମିତି ମୋର ନଆସୁ ।

 

ଚନ୍ଦ୍ରକାନ୍ତ ବାବୁ ସାତବର୍ଷପରେ ଆଜି ପ୍ରଥମଥର ପାଇଁ ଅନୁଭବ କଲେ ସୁବୋଧ ନୁହନ୍ତି ନିଜେ ସେ ମାୟାଦେବୀଙ୍କ ଘରେ ଜଣେ ପେଇଁଗେଷ୍ଟ ଭାବେ ଆଜିଯାଏ ଚଳି ଆସିଛନ୍ତି । ମାସ ଆରମ୍ଭରେ ଟଙ୍କାଟା ଧରାଇ ଦେଇଛନ୍ତି କେବଳ । ପ୍ରତିଦାନରେ ମାୟା ଚାହାନ୍ତି ଏକ ଅବନମିତ ଗୃହକର୍ତ୍ତ୍ରୀର ଅହଙ୍କାର । ଜଣେ ମଧ୍ୟବିତ୍ତ ପରିବାରର ଗୃହିଣୀ ୟାଠାରୁ ଅଧିକ କ’ଣ ବା ଆଶାକରିପାରେ ??

Image

 

ଭୂମିକମ୍ପ

 

ଆରେ ବାଜା ବାଲା ଏଯାଏଁ ଆସିଲେନି, ଯାଃ.... ମାସେ ଆଗରୁ ଦୌଡ଼ୁଥିଲେ–ଅସଲି କାମ ବେଳକୁ କାହାର ଦେଖା ନାହିଁ... । ଆରେ ହେ ନରି ତୋ ମୁଣ୍ଡ ଖରାପ ନା କ’ଣ ଫୁଲ ଆଉ ରଖୁଛୁ କାହିଁକି, ସବୁ ଫୁଲରେ ଗାଡ଼ି ସଜାଇ ଦେ... ଆରେ ମା’ ସୁଚି ତୋ ଦାଦାର ବରବେଶ ସରିଲାତ.... ଏଁ କ’ଣ କହିଲେ– ? ମୁଁ କାହିଁକି ବ୍ୟସ୍ତ ହେଉଚି ?? କିହୋ–ମୁଁ ତ ମୋ ପୁଅ ବାହାଘରରେ ବ୍ୟସ୍ତ ହେବିନି–ହେବି କେତେବେଳେ ? କ’ଣ.... ? ହଁ ମୁଁ ମାନୁଚି ବ୍ଲଡ଼ପ୍ରେସର ରୋଗୀ ଯେ ହେଲେ ଖୁସିଟା କ’ଣ ନିରୋଗୀ ପାଖକୁ ବୁଝି ଯିବ । ରୋଗୀ ପାଖକୁ ଆସିବାକୁ ମନା-!! ଆଛା ବାବା... ମୁଁ ଚୁପ୍‌ ହୋଇ ବସିଲି–ଆପଣମାନେ ଶୀଘ୍ର ବର ଅନୁକୂଳର ବ୍ୟବସ୍ଥା କରି ଦିଅନ୍ତୁ ତ !!

 

ଆଜି ସତ୍ୟଶଙ୍କର ବାବୁଙ୍କର ଖୁସି ଆନନ୍ଦ ବାଧା ବନ୍ଧନ ମାନିବାକୁ ରାଜି ନୁହେଁ । ତାଙ୍କ ସ୍ତ୍ରୀ ଗାୟତ୍ରୀ ଦେବୀ ଖାଲି ତଳ, ଉପର ଖନ୍ଦାଶାଳ, ଦାଣ୍ଡଦୁଆର ଓ ବାଡ଼ି ଦୁଆର ସବୁଆଡ଼ ଚକରି ପରି ଘୂରି ଆସୁଛନ୍ତି । ଆଲୋ ନେତ ବୋଉ ତୋର ବେଦିଲିପା ସରିଲାନି....ଶଙ୍ଖ ଜୋରରେ ଫୁଙ୍କ ମା’ ରେଖା ଆଉ ତମେ ଖୁଡ଼ି ହୁଳହୁଳିଟାଏ ପକେଇ ପାରୁନ ପୁଅ ପରା ବର ବେଶ ହେଉଚି । ହଇରେ ଭଗିଆ ତୁ ଏତିକିବେଳେ ଜୋଡ଼ ପାଇଁ କାମ ବନ୍ଦକରି ଆଣ୍ଟି ବସୁଛୁ ପରେ ନେବୁନି.... । ହଇରେ ସୁର ତମକୁ ପରା ମାଛ କଟା ପାଖେ ବସିବାକୁ ଭାଇ କହିଥିଲେ–ତମେ ଏଠି ଆସି ଟହଲ ମାରୁଛଟି..... । ଗାୟତ୍ରୀ ଦେବୀଙ୍କୁ ଚାହିଁ ସୁରବାବୁ ଟିକିଏ ହସିଦେଲେ ରସିକତା କରି କହିଲେ ତମେ ନୂଆବୋଉ ଏମିତି ସର୍ବତ୍ର ବିରାଜମାନ୍ୟ ହୁଅନି କାମ ଠିକ୍‌ ହେଉଚି ହେବ । ତମେ ଶେଖର ପାଖକୁ ଆଞ୍ଜୁଳି ଚାଉଳ ଇତ୍ୟାଦି ଠକ୍‌ ହେଲା କି ନାହିଁ ଦେଖିବ । ଆଲୋ ମା’ ସୁଚି ପାନ ଚାରିଖଣ୍ଡ ଆଣିଲୁ ।

 

ଦାଦାଙ୍କ ପାଇଁ ପାନ ଆଣିବାକୁ ଆଜି ସୁଚିର ସମୟ କାହିଁ ? ମାମୁଁଙ୍କ ଝିଅ ରାନିକୁ ପାନ ଦେବା ପାଇଁ କହ ସେ ଭାଇର ଚନ୍ଦନ ପାଟି କରୁଚି । ଫୁଲ ମାଳ ସଜାଇ ବେକରେ ରଖୁଚି । ପଞ୍ଜାବିରେ ସୁନା ବୋତାମ ଲଗାଉଚି–ଅତର ସିଞ୍ଚୁଚି । ନିଜ ବେକରୁ ଲମ୍ବା ହାରଟା ଖୋଲି ଭାଇ ବେକରେ ପିନ୍ଧାଇ ଦେଉଚି । ପାଦରେ ଅଳତା ଦେଉ ଦେଉ କହୁଛି ଶେଖର ଦା’–ତୋ ପାଦ ଦେଖି ଓଢ଼ଣା ତଳୁ ଭାଉଜ ଦ୍ୱନ୍ଦ୍ୱରେ ପଡ଼ିବେ ତୁ ଝିଅନା ପୁଅ ବୋଲି !

 

ପଡ଼ିଶାଘରର ରାଜୁ ବାବୁଙ୍କ ସ୍ତ୍ରୀ ଶେଖରକୁ ଦିଅର ଲେଖା କରନ୍ତି । ସୁଚିର କଥା ଶୁଣି ସେ କହିଲେ ନାହିଁ ଗୋ ସୁଚି ତାକୁ ମାଇଚିଆ ବୋଲି ନଭାବିଲେ ହେଲା ।

 

ସୁଚି କୁତ୍ରିମ କ୍ରୋଧରେ ବଡ଼ ବଡ଼ ଆଖିକରି ଚାହିଁଲା । ବାଃ ତମ ଭାଇତ ଭାରି ହିରୋ ! ମୋ ଭାଇ ମାଇଚିଆ ! ଏଇଆତ । ତମ ଭାଇଙ୍କର ହିରୋ ପଣିଆର ପ୍ରମାଣ ବହୁତ ମିଳିଚି ! ମୋ ପାଖକୁ ଥରେ ଖଣ୍ଡେ ପ୍ରେମ ପତ୍ର ଦେଇଥିଲେ–ଏମିତି ପାନେ ଦେଲି ଯେ ବିଚରା ଆଉ କଟକ ଆସିଲେ ତମ ପାଖକୁ ଆସିବାକୁ ବି ଲାଜ କରୁଛନ୍ତି– । (ତା’ପରେ ସୁଚିର ମନଖୋଲା ଖିଲି ଖିଲି ହସ) ବୁଝିଲୁନା ଶେଖର ଦା’, ତୋ ସ୍ତ୍ରୀକୁ ତ ନିଶ୍ଚୟ ଭାଉଜ ‘‘ତମେ କହିବେ’’ । ତାଙ୍କ ଆଗରେ ତତେ କେମିତି ‘‘ତୁ’’ କହିବି କହିଲୁ ।

 

ଶେଖର ଦୃଷ୍ଟି ତୋଳି ସୁଚିକୁ ଥରେ ଚାହିଁଲା । ତା’ପରେ ସ୍ମିତ ହସି ଅନ୍ୟଆଡ଼େ ଚାହିଁ କହିଲା–ବାସ୍‌ ତମେ ବୋଲି କହିବୁ ନକହି ଆଉ ବା ଉପାୟ କ’ଣ ?

 

ସୁଚି ପାଟିକଲା–ବାଃରେ ! ଆଜିଠୁ ତୁ ମତେ ଶାସନ କଲୁଣି ତୋ ସ୍ତ୍ରୀର ପକ୍ଷ ନେଇ ! କାଲି ପୁଣି କହିବୁ ମତେ ଆପଣ କହ ତାକୁ ଆପଣ କହ–ତା’ ହେଇପାରିବନି । ତୋ ସ୍ତ୍ରୀକୁ ବି ମୁଁ ଭାଉଜ ତୁ ବୋଲି କହିବି ।

 

ଗାୟତ୍ରୀ ଦେବୀ ପାଟି କଲେ–ଏ ସୁଚି ଆଜି ଭାଇଟା ସଙ୍ଗେ କଜିଆ ନକଲେ ତୋ’ର ହଜମ ହେଉନି । ଦେଲୁ ଭାଇକୁ ସର୍ବତ ଟିକେ ଅବିକା ବାହାରୁ ବାହାରୁ ତୋ’ରି ବାପାତ ଡେରି କରିଦେବେ ।

 

ସୁଚିର ଗୋଡ଼ ଆଜି ତଳେ ଲାଗୁନି । ସେ ଯେମିତି ଡଃ ସୁଚୀସ୍ନାତା ପଟ୍ଟନାୟକ ନୁହେଁ । ପ୍ରଗ୍‌ଳଭା ଚପଳା କିଶୋରୀ ତା’ ପ୍ରାଣର ଶେଖର ଦା’ର ଆଜି ବାହାଘର । ତା’ ମୁହଁ ଉପରୁ ଗାମ୍ଭୀର୍ଯ୍ୟତାର ମୁଖାଟା ଯେମିତି କିଏ ଖୋଲି ନେଇଚି । ସୁଚିସ୍ନାତାର ନିମନ୍ତ୍ରିତା ସାଙ୍ଗ ଲେଡ଼ି ଡାକ୍ତର ସବୁ ନିର୍ବାକ୍‌ ବିସ୍ମୟରେ ଚାହିଁଛନ୍ତି । ଏତେ ଆନନ୍ଦ ଏତେ ପ୍ରାଣପ୍ରାଚୁର୍ଯ୍ୟ ଓ ଏତେ ଅଫୁରନ୍ତ ହସର ତନ୍ମୟ ଭାବ ସେମାନେ ଆଗରୁ କେବେ ସୁଚିସ୍ନାତାଠାରେ ଦେଖି ନ ଥିଲେ ।

 

ଗାୟତ୍ରୀ ଦେବୀଙ୍କ ମାଇଁ ବାହାଘର ପାଇଁ ଗାଁରୁ ନିମନ୍ତ୍ରିତ ହେଇ ଆସିଛନ୍ତି । ପାନପିକ ପଚ୍‌କରି ପକାଇ ଦେଇ ସେ କହିଲେ ଆଗୋ ଗାଇତିରି । ତେମେ ଆଗେ ଝୁଅ ବାହାଘର ନକରି ପୁଅ ବାହାଘରକୁ କାହିଁକି ମନ କଲଗୋ, ଏସନ ନ ହେଲା ନାହିଁ ଆସନ୍ତା ସନକୁ ସୁଚିର ବାହାଘର କରିଦିଅ ବଅସ ଆଉ କ’ଣ ଅନେଇ ବଇଚିକି ।

 

ହଠାତ୍‌ ଯେମିତି ଗାୟତ୍ରୀଙ୍କ ଆନନ୍ଦର ସ୍ରୋତରେ କିଏ ଭଟ୍ଟା ସୃଷ୍ଟି କରିଦେଲା ଉଦାସକଣ୍ଠରେ କହିଲେ ଆଜି କାଲି ପିଲା କ’ଣ କଥା ମାନୁଛନ୍ତି ମାଇଁ ? ମାଟ୍ରିକ୍‌ ପାସ୍‍ କରୁ କରୁ ବାହାଘର କରିବି କରିବି ହେଇଚି ହେଲେ ଏ ବାପ ଝିଅ ମିଶି କ’ଣ ନା ଡାକ୍ତର ହେଇ ସାରିଲେ ଯାଇ ବାହାଘର । ଡାକ୍ତରୀତ ବର୍ଷେ ହେଲା ପାସ୍‍କଲା ପୁଣି କ’ଣ ପୋଷ୍ଟଗ୍ରାଜୁଏଟ୍‌ କରି ସାରିଲେ ବାହା ହେବ କହୁଚି–ପାଠ ପାଠ । ପାଠତ ଏ ବାପ ଝିଅଙ୍କ ମୁଁଣ୍ଡକୁ ଗ୍ରାସ କରି ବସିଚି !! କୋଉ ନ’ଟା ନା ଛ’ଟା ଏଇ ଗୋଟିଏ ବୋଲି ଝିଅ । ଛାଡ଼ ସେମାନଙ୍କ ମନ ଯାହା କରିବେ ଶେଖର ସେମିତି ଜିଦ୍‌ ଧରୁଥିଲା କ’ଣ ନା ସୁଚି ବାହାଘର ଆଗ କରିଦିଅ । କହିଲେ ମାଇଁ, ଆଇ.ଏ.ଏସ. ଅଫିସର ହେଲା । କେତେ ବେଳେ କୋଉ କଥା ପୁଅପିଲା ମନ ! ଝଅମାନଙ୍କ ମନ ଦୁସରା । ବାହାଘର କରିଦେଲେ ଆମେ ନିଶ୍ଚିନ୍ତ ! ତେଣିକି ତାଙ୍କ ସଂସାର ସେ ବୁଝନ୍ତୁ ।

 

ମାଇଁ ପାନସିଠାକୁ ଥୁ କରି ପକାଇ ଦାନ୍ତ ସନ୍ଧିରେ ଲାଗିଥିବା ଅବଶିଷ୍ଟ ଗୁଆକୁ ଜିଭରେ ଖୋଳୁ ଖୋଳୁ କହିଲେ ତମେ ଯା କହିଲେ କହ ପଛକେ ଗାୟତିରି ମତେ ଏଗୁଡ଼ାକ କିମିତି ଅଡ଼ୁଆ ନାଗୁଚି । ନିଜ ଜନମ କଲା ଝିଅଟାକୁ ଖୁଣ୍ଟରେ ବାନ୍ଧି ବୁଢ଼ୀ କରୁଥା ଏଣେ ପୋଷ୍ୟ ପୁଅକୁ ବାହା କରିବାକୁ.....

 

‘‘ମାଇଁ ଆହତ ନାଗୁଣୀ ପରି ଏତିକି କହିଦେଇ ଉତ୍ତେଜନା ବଶତଃ ଗାୟତ୍ରୀ ଦେବୀ ଫଁ ଫଁ ହେଲେ କଥା କହିପାରିଲେ ନାହିଁ ।

 

ସୁଚି ଡାକୁଚି ବୋଉ କ’ଣ କରୁଛୁ ସେଆଡ଼େ ? ଏଆଡ଼େ ବର ଅନୁକୂଳ କରିବାକୁ ବାହାରିଲାଣି । ଆଞ୍ଜୁଳି ଚାଉଳ ଦେବୁନିକି ?

 

ଗାୟତ୍ରୀ ଦେବୀ ନିଜକୁ ସମ୍ଭାଳି ନେଲେ । ପଣତ ପ୍ରସାରି ଦେଲେ । ଆଗରେ ଠିଆ ହେଇଚି ଶେଖର । ସମସ୍ତେ ଜାଣନ୍ତି ଶେଖର ତାଙ୍କର ଜନ୍ମିତ ପୁଅ । ସେ ମଧ୍ୟ ଆଜିଯାଏ କାୟମନୋବାକ୍ୟରେ ସେଇଆ ଭାବିଥିଲେ ଶେଖର ଭଟ୍ଟାଚାର୍ଯ୍ୟ ନୁହେଁ । ପନ୍ଦର ବର୍ଷ ତଳେ ସେ ଯେଉଁ ରିଫ୍ୟୁଜ୍‌ ବାଳକଟିକୁ କେବଳ ଶେଖର ବୋଲି କୋଳକୁ ତୋଳି ନେଇଥିଲେ ପାଞ୍ଚବର୍ଷ ତଳେ ତାକୁ ସେ ଶେଖର ପଟ୍ଟନାୟକ କରିଦେଇଛନ୍ତି । ରିଟାୟଡ଼ ଜିଲା ଜଜ୍‍ ସତ୍ୟଶଙ୍କର ପଟ୍ଟନାୟକଙ୍କର ପୁତ୍ର ଶେଖର ପଟ୍ଟନାୟକ ଆଇ.ଏ.ଏସ. । କିନ୍ତୁ ମାଇଁ ଆଜି କହିଲେ ସେ ତାଙ୍କର ଜନ୍ମିତ ସନ୍ତାନ ନୁହେଁ । ଦେବକୀ ନୁହନ୍ତି ଯଶୋଦା । କିନ୍ତୁ ଯଶୋଦାର ପ୍ରେମ କୃଷ୍ଣ ପାଇଁ ଦେବକୀଠାରୁ କେଉଁ ଗୁଣେ କମ୍‌ ଥିଲା ?

 

ଶେଖର ଚାଉଳ ଆଞ୍ଜୁଳି ଗାୟତ୍ରୀ ଦେବୀଙ୍କ ପ୍ରସାରିତ ପଣତରେ ଢାଳି ଦେଉ ଦେଉ ବିସ୍ମୟରେ ହତବାକ୍‌ ହୋଇଗଲା । ‘‘ବୋଉ ତମେ କାନ୍ଦୁଛ’’ ?

 

ଗାୟତ୍ରୀ ଦେବୀ ଅମାନିଆଁ ଲୁହଧାରକୁ ପୋଛି ନେଇ ମ୍ଳାନ ହସିଲେ । ‘‘ନାଇଁରେ ପାଗଳ’’ ଖୁସିରେ ଏ ଲୁହ ଆଖିକୁ ଚାଲି ଆସିଛି ‘‘କହି ସେ ହୁଳହୁଳି ପକାଇଲେ ।’’ ଶେଖର ଅନୁକୂଳ କରି ଗାଡ଼ିରେ ବସିବା ପର୍ଯ୍ୟନ୍ତ ସେ ପୁଣି ଦ୍ୱିଗୁଣ ଉତ୍ସାହରେ ଧା ଦଉଡ଼ କଲେ । ପାଟିତୁଣ୍ଡ କରି କାମ ତଦାରଖ କଲେ । ସତେ ଯେମିତି ଟିକିଏ ପୂର୍ବରୁ ସେ ଅପ୍ରିତିକର ଘଟଣାଟି ସମ୍ପୂର୍ଣ୍ଣ ବିସ୍ମୃତ ହେଇ ଯାଇଛନ୍ତି ।

 

ସୁଚି ଭାଇକୁ ଗାଡ଼ିରେ ବସେଇଲା । ଚୁପ୍‌ଚୁପ୍‌ କରି କହିଲା ତୁ ସ୍ମାର୍ଟ ହେଇ ବେଦିରେ ବସିବୁ–ସେମିତି ମାଇଚିଆ ପରି ହେବୁନି । ବୁଝିଲୁ ??

 

ଶେଖର ହସିଦେଲେ । ସୁଚିର ହାତ ଦିଇଟା ଧରି ପକାଇ କହିଲା, ତୁ ଯିବୁନି ସୁଚି ବରଯାତ୍ରୀରେ ? ତତେବି ନିମନ୍ତ୍ରଣ କରିବାକୁ ପଡ଼ିବ ?

 

ସୁଚି ହାତ ଦି’ଟା ଟାଣି ଆଣି କହିଲା–ବାଃରେ ତୁତ ବାହା ହେବୁ । ମୁଁ ଯାଇ କ’ଣ କରିବି ? ମା’, ବାପା ତୋ ସଙ୍ଗେ ଯିବେ । ଏଠିକା କାମ କିଏ ତୁଲାଇବ । କାଲିତ ତୁ ବୋହୂ ନେଇ ଆସିବୁ । ଯାଃ ଗୁଡ୍‌ଲକ୍‌ !!

 

ଗାଡ଼ି ଆଗରୁ ଅଦୃଶ୍ୟ ହେବାଯାଏ ସୁଚି ହାତ ହଲାଉଥିଲା ହଠାତ୍‌ ସଚେତନ ହେଇଉଠିଲା ଆରେ ! ସ୍ତ୍ରୀଲୋକମାନେ ଏଯାଏଁ ଖାଇ ନାହାନ୍ତି ।

 

ସୁଚି ପତ୍ର ପକାଇବାଠାରୁ ପରଶିବା ଯାଏଁ ସବୁ ନିଜେ କଲା । ଘରର ପୁରୁଣା ଚାକର ରାଧୁ ମନା କରୁଥାଏ ଦେଈ ତମେ କୋଉଦିନ ଏତେ କାମ କରୁଥିଲ ? ଏଁ ?? ଆମେ କ’ଣ ମରିଗଲୁ । ସୁଚି ତା’ ହାତକୁ ଖିରି ବାଲିଟିଟା ବଢ଼ାଇ ଦେଇ ମିଠା ପରଶିଲା । ଟିକେଟ ହେଇଚି । ଆଜିତ କିଛି କାମ ନାହିଁ ! ସ୍ତ୍ରୀଲୋକମାନେ ସେକେଣ୍ଡ ସୋ ସିନେମା ଯିବେ । ଇସ୍‌ । ଭିଡ଼ କମିଗଲେ ଟିକେ ସେ ଶୋଇଯିବ । କାଲିତ ଆଉ ଶୋଇବା ଦୂରରେ ଥାଉ ବସିବାର ପ୍ରଶ୍ନ ନାହିଁ । ବୋହୂ ଆସିବେ । କାମ ଲାଗିଯିବ ।

 

ସାଙ୍ଗମାନେ ଭାଉଜମାନେ ଓ ସମ୍ପର୍କୀୟ ଭଉଣୀମାନେ ଡାକିଲେ । ‘‘ସୁଚି ତମେ ଯିବନି’’ ଚାଲମ ସୁଚି ଅପା ! ହସି ହସି ସୁଚି ଜବାବ ଦେଲା । ପଇସା ଦେଇ ହଲରେ ସେ ଛାରପୋକ, ମଶା ଭିତରେ ଶୋଇବ କାହିଁକି ? ତମେ ସବୁ ଯିବା ପରେ ମୁଁ ଦିବ୍ୟ ଆରାମରେ ଘରେ ଶୋଇବିନି କାହିଁକି ??

 

ସମସ୍ତେ ଚାଲିଯିବା ପରେ ଘରୁ ଗହଳ କମି ଯାଇଛି । ହୋ ହାଲା ନାହିଁ । ବୋଉ ରାଧୁକୁ କହୁଚି ରାଧୁ ତମେ ଓ ନଟ ଶୀଘ୍ର ଖାଇସାରି ଶେଖର ଘରଟା ସଜାଡ଼ି ଦିଅ । ସକାଳୁ ସକାଳୁ ବୋହୂ ଚାଲି ଆସିବ । ଶୋଇ ପଡ଼ିବନି ବୁଝିଲ ??

 

ସୁଚି ଯାଇ ଠିଆ ହେଲା । କହିଲା ତୋ’ର ଯେଉଁ ଅକଲ ବୋଉ ! ଶେଖର ଦା’ର ସେ ରୁମରେ ବୋହୂ ରହିବ । ସିଡ଼ି ତଳ ଘରଟା ପବନ ଆଲୁଅ କମ୍‌ । ରୁମ୍‌ଟା ଛୋଟ । ରାଧୁନନା, ତମେ ମୋ ସଙ୍ଗେ ଉପରକୁ ଆସିଲ । ମୋ ରୁମ୍‌ରୁ ଜିନିଷଗୁଡ଼ା କାଢ଼ି ଆଣିବ । ବାକି ଘରଟା ନିଜେ ମୁଁ ମୋ ହାତରେ ସଜେଇବି ତମ ସାନ ବାବୁ ଓ ବୋହୂ ମା’ପାଇଁ । ବୋଉଙ୍କ ଆକଟ ଆଦୌ ସୁଚି ଶୁଣିଲା ନାହିଁ । ଆଜି ଶୋଇ ପଡ଼ିବ କାଲି ସକାଳୁ ନୂଆ ବୋହୂଟାକୁ ବସାଇ ଦେଇ ତା’ରି ଆଗରେ ଲସର ପସର ହେଇ ସେ ଘର ସଜେଇବ । ନାଃ ଏ ରାଧୁନନା ଆଉ ନଟଙ୍କର ଯୋଉ ରୁଚି ସେମାନେ କୁଆଡ଼େ ଶେଖର ଦା’ର ବୋହୂ ପାଇଁ ଘର ସଜାଡ଼ିବେ ଧେତ୍‌ ।

 

ଘର ଯେତେବେଳେ ସତ୍ୟଶଙ୍କର ବାବୁ ତୋଳିଲେ ସୁଚି ପାଇଁ ସବାଉପରେ ସେ ଏଇ ଗୋଟିଏ ରୁମ୍‌ କରିଥିଲେ । ଆଗକୁ କରିଡ଼ର । ଚାରିପଟେ ଝର୍କା ଖୁବ୍‌ ବଡ଼ ରୁମ୍‌ । ପାଖରେ ଆଉ ଘର କରିନଥିଲେ ଏଇିଥିପାଇଁ ଯେ ସୁଚିର ପଢ଼ାପଢ଼ିରେ ଗୋଳମାଳ ହେବ । ଆଜିତ ଆଉ ତା’ର ପାଠ ପଢ଼ାପଢ଼ି ନାହିଁ । ଯେଉଁ ରୁମ୍‌ ହେଲେବି ଚଳିବ । କିନ୍ତୁ ନୂଆ ବାହା ହେଇଥିବା ଭାଇ ଭାଉଜଙ୍କର ତ ଆଉ ଯେକୌଣସି ରୁମ୍‍ ଚଳିବନି । ସୁଚି ମନେ ମନେ ଟିକିଏ ହସିଲା ।

 

ଘରଟା ସଜାଡ଼ି ନେଇ ସେ ତୃପ୍ତିର ନିଶ୍ୱାସ ଛାଡ଼ିଲା । ଫୁଲ ଧୂପ ଏବଂ ଅତରର ଭୁରୁ ଭୁରୁ ମହକରେ ସମଗ୍ର କୋଠରୀଟି ମହକି ଉଠୁଚି କ୍ରମାଗତ ତିନିଦିନଧରି ଧାଁ ଦଉଡ଼ ଫଳରେ ସୁଚି କ୍ଳାନ୍ତ । ତା’ ଆଖି ପତାରେ ନିଦର ବହଳ ଅନ୍ଧାର ଜମି ଆସୁଚି । ସୁଚି ସେଇ ସଜାଡ଼ା ଶୁଭ୍ର ବିଛଣାଟିକୁ ଚାହିଁଲା ! ନାଃ ଏ ବିଛଣା ନବଦମ୍ପତ୍ତି ପାଇଁ ଉତ୍ସର୍ଗୀକୃତ । ବାହାର ପଟୁ କବାଟ ବନ୍ଦ କରି ତଳକୁ ଶୋଇବା ଉଦ୍ଦେଶ୍ୟରେ ସେ ସିଡ଼ିରେ ଅବଶ୍ୟ ଦୁଇଟା ପାଦ ଘୋଷାରି ଆଣିବା ବେଳକୁ ସେକେଣ୍ଡେ ସୋରୁ ସବୁ ଫେରିବାର ସୂଚନା । ଯାଃ ! ଟିକିଏ ନିରୋଳାରେ ଆଜି ଶୋଇ ହେଲାନି ! ସବୁ ରୁମ୍‌ତ ଭିଡ଼ ।

 

ସିଡ଼ିର ତଳ ପାହାଚରେ ପାଦ ଅଟକି ଗଲା ଶେଖର ଦା’ ରୁମ୍‌ ଖାଲି ପଡ଼ିଚି । ସୁଚି ଭିତରୁ ଯାଇ କବାଟ ବନ୍ଦ କରିଦେଲା ।

 

ବିଛଣା ଉପରେ ତା’ର ଅବଶ କ୍ଳାନ୍ତ ତନୁ ଲୋଟାଇ ଦେଉ ଦେଉ ଆଖିରେ ପଡ଼ିଲା ଧଳା କାଗଜ କେଇ ଖଣ୍ଡ ଗୋଟିଏ କୋଣରେ ଲୋଚା କୋଚା ହେଇ ପଡ଼ିଚି । ହୁଏତ ଶେଖର ଦା’ କିଛି ଲେଖି ଛିଣ୍ଡେଇ ଫିଙ୍ଗି ଦେଇଛି । କ’ଣ ଲେଖିଥାଇ ପାରେ ? ଥାଉ ପରେ ଦେଖିବା । ତା’ ଆଖିରେ ଅସମ୍ଭବ ନିଦ । ତଥାପି କି ଏକ ଅଦମ୍ୟ ଆକର୍ଷଣ ତା’ର । ତା’ର କ୍ଳାନ୍ତ ପାଦ ଦିଇଟାକୁ ସେ କୋଣକୁ ଟାଣିନେଲା । କାଗଜ ଟୁକୁଡ଼ା ଗୁଡ଼ିକୁ ଉଠାଇ ଆଣି ସେ ଜୋଡ଼ିଜାଡ଼ି ପଢ଼ିବାକୁ ଚେଷ୍ଟା କଲା । ଗତକାଲିର ଡାଇରି ସେ ଛିଣ୍ଡେଇ ଦେଇଚି । ଲେଖାଥିଲା–‘‘ସତ ଚେଷ୍ଟା କରି ମଧ୍ୟ କହିବି କହିବି ହେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କିଛି ବି କହିପାରିଲିନାହିଁ । ଏ ରାତି ପାହିଲେ ମୋର ବିବାହ । ଅନ୍ୟତ୍ର ବିବାହ ନକରି ମୋର କ’ଣବା ଉପାୟ ଥିଲା ? ଯାହା ଅଭୟ ଆଶ୍ରୟର ଶୀତଳ ଛାୟାତଳେ ମୋର ଶିକ୍ଷାଦିକ୍ଷା ପ୍ରତିଷ୍ଠା ସବୁକିଛି ସେଇ ମୂଳରେ ମୁଁ କିମିତି କୁଠାରାଘାତ କରିଥାନ୍ତି-? ସୁଚି ମୋ ପ୍ରାଣର ସୁଚି ମୋ ସ୍ୱପ୍ନର ସୁଚି ତୁ ଚିରନ୍ତନ ମୋର ସ୍ୱପ୍ନରେ ରହିଗଲୁ.....

 

ସୁଚି ଉଠି ବସିଲା । ଯେମିତି ଏକ ପ୍ରଚଣ୍ଡ ଭୂମିକମ୍ପକୁ ସେ ହାତରେ ଜାବୋଡ଼ି ଧରିଛି । ଛାତି ଭିତରେ ଅବ୍ୟକ୍ତ ଯନ୍ତ୍ରଣା । ସେଇ ଟୁକୁଡ଼ା କାଗଜଗୁଡ଼ିକୁ ଛାତିରେ ଲଗାଇ ନେଇ ସେ ଉଦ୍‌ଗତ କୋହକୁ ଚାପିବାକୁ ଚେଷ୍ଟା କଲା ।

Image

 

ରତା କଇଁ

 

ଆଜି ଏଗଳ୍ପ (ଗଳ୍ପ କହିଲେ ଭୁଲ ହେବ) ଲେଖିବାକୁ ଆରମ୍ଭ କଲାବେଳେ ମୋ ମନକୁ ଦୁଇଟି ଗାଳ୍ପିକଙ୍କ ସତ୍ତା ଛୁଇଁ ଯାଉଛି । ଜଣେ ବ୍ୟାସକବି ଫକୀରମୋହନ, ଅନ୍ୟଜଣେ ବଙ୍ଗଳା ସାହିତ୍ୟର ବିମଳ ମିତ୍ର । ଜଣେ ମଣିଷର ଚରିତ୍ର ସଙ୍ଗେ ଏକାନ୍ତ ଅନ୍ତରଙ୍ଗ । ଅନ୍ୟ ଜଣେ ଘଟଣା ଓ ଦୁର୍ଘଟଣା ଭିତର ଦେଇ ମଣିଷ ଚରିତ୍ରର ବିଭିନ୍ନ ଦିଗ ସମୀକ୍ଷା କରୁ କରୁ ଗାଳ୍ପିକ ରୂପେ ଆମ ପାଖରେ ଆସନ ଦୃଢ଼ କରିନେଲେ ।

 

ସେ କଥା ପଛକୁ ଥାଉ । ମୋ’ଭଳି ଅସାହିତ୍ୟିକ ବ୍ୟକ୍ତି ସେସବୁ ମହାନ ସାହିତ୍ୟିକଙ୍କ ଉପକ୍ରମଣିକା ଦେବାର କିଛି କାରଣ ନ ଥିଲା । ଯଦି ମୋର ସେଦିନ ହାଓଡ଼ା ପୁରୀ ଏକସ୍ପ୍ରେସରେ ମିସେସ୍‍ ମିଶ୍ରଙ୍କ ସଙ୍ଗେ ଦେଖା ହୋଇନଥାନ୍ତା କିମ୍ବା ଦେଖା ହୋଇଥିଲେ ମଧ୍ୟ ସେ ଯଦି ମିସେସ୍‍ ଗନ୍ତାୟତଙ୍କ କଥା ଉପସ୍ଥାପନ କରିନଥାନ୍ତେ ।

 

ମିସେସ୍‌ ଗନ୍ତାୟତଙ୍କ ସଙ୍ଗେ ମୋର ଆଜିକୁ ବାରବର୍ଷ ତଳେ ଦେଖା ହୋଇଥିଲା । ଗୋଟାଏ ଯୁଗ । ତାଙ୍କ ସ୍ମୃତି ଶିଉଳି ଭଳି ମୋର ପଥର ମନକୁ ଧରି ରଖି ନ ଥିଲା । କହିବାକୁ ଗଲେ ମୁଁ ତାଙ୍କୁ ବିସ୍ମୃତ ପ୍ରାୟ ହୋଇଯାଇଥିଲି । କେବଳ ମଝିରେ ମଝିରେ ମୋ ଝିଅ ତା’ ସ୍ମୃତିର ସମୁଦ୍ର ଭିତରୁ ଶାମୁକା ଗୋଟାଉ ଗୋଟାଉ ଥରେ ପ୍ରଶ୍ନ କଲେ ‘‘ମା’’ ରମା ମାଉସୀ ଏବେ କେଉଁଠି ? ମତେ ଦେଖିଲେ ଚିହ୍ନି ପାରିବେନା..... ? ମୁନା କେତେ ବଡ଼ ହେବଣି ଇତ୍ୟାଦି, ଯାହାର କିଛି ମାନେ ହିଁ ଥାଏନା ।

 

ମିସେସ୍‍ ମିଶ୍ର କହିଲେ, ମିସେସ୍‍ ଗନ୍ତାୟତ ଆପଣଙ୍କ କଥା ପଚାରୁନଥିଲେ । ମନେ ନାହିଁ ? ମୁନା, ରୁନାଙ୍କ ମା’ମ ! ଆପଣ କଟକରେ ଥିବାବେଳେ ଘରପାଖେ ସେ ନ ଥିଲେ ?

 

ହଁ ! ମନେପଡ଼ିଲା । ଆସ୍ତେ ଆସ୍ତେ ବିସ୍ମୃତିର କୁହୁଡ଼ି କାଟି ଭାସି ଆସିଲା ମିସେସ୍‍ ଗନ୍ତାୟତଙ୍କ ସ୍ମୃତି । ପ୍ରଥମେ ଯେଉଁଦିନ ସେ ଆସିଲେ ଓ ତାଙ୍କଠାରୁ ସେ ଆସିବାର ଦୁଇ ବର୍ଷ ପରେ ଆମେ ଯେତେବେଳେ ବିଦାୟ ନେଲୁ । ସାବନା ରଙ୍ଗର ବାଙ୍ଗର ମଣିଷଟିଏ ଛୋଟ ଛୋଟ ଦିଇଟି ଆଖିରେ ସାରା ସଂସାରର ଜିଜ୍ଞାସା ଗୁନ୍ଥା । ଯଦିଓ ଆରମ୍ଭ ଓ ଶେଷଦିନ ଭିତରେ ଯଥେଷ୍ଟ ଫରକ ଥିଲା । ମିସେସ୍‍ ଗନ୍ତାୟତ ମିଷ୍ଟର ରାଧାଶ୍ୟାମ ଗନ୍ତାୟତଙ୍କ ପତ୍ନୀ । ରାଧାଶ୍ୟାମ ବାବୁ କେଉଁ ମଫସଲ ଅଞ୍ଚଳରେ ପି.ଡବ୍‌ଲ୍ୟୁ.ଡି.ର ଓଭରସିଅର ଥିଲେ । କ୍ରମେ ସେ ନିଜର କର୍ମଦକ୍ଷତା ବଳରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ହୋଇ କଟକରେ ଜଏନ କଲେ । ତାଙ୍କ ପ୍ରୋମୋଶନ ମୂଳରେ ପତ୍ନୀଙ୍କ ନିଷ୍ଠା ଅଛି ବୋଲି ଜନଶ୍ରୁତି କିନ୍ତୁ ମୋର ସେ ବିଷୟରେ ଗବେଷଣା କରିବାକୁ କୌଣସି ନିର୍ଦ୍ଧାରିତ ସମୟ ନ ଥିଲା ! କିନ୍ତୁ ଏତିକି ଜାଣିଥିଲି ମିସେସ୍‍ ଗନ୍ତାୟତ ବାବୁଙ୍କଠାରୁ ଅଧିକ ପ୍ରଭାବଶାଳିନୀ । ତା’ ନ ହୋଇଥିଲେ କି ବାରବର୍ଷ ପରେ ମୋର ବାନ୍ଧବୀ ‘‘ଗନ୍ତାୟତ ବାବୁଙ୍କ ସ୍ତ୍ରୀ’’ ବୋଲି ନକହି–‘‘ମିସେସ୍‍ ଗନ୍ତାୟତ ମୁନା ରୁନାଙ୍କ ମା’’ ବୋଲି କହିଥାନ୍ତେ ? ମନେ ମନେ ହସିଲି । ପଚାରିଲେ ସେ ଏବେ କେଉଁଠି ? ମୋ କଥା ପଚାରୁଥିଲେ ? କାହିଁକି ? କେମିତି ଅଛନ୍ତି ?

 

ଏକ ଗୋପନତମ ସନ୍ଦେଶ ଦେଲାଭଳି ସେ ନିମ୍ନ କଣ୍ଠରେ କହିଲେ, ଆପଣ କିଛି ଜାଣି ନାହାନ୍ତି ? ମିସେସ୍‍ ଗନ୍ତାୟତଙ୍କ ଅବସ୍ଥା ବର୍ତ୍ତମାନ ଶୋଚନୀୟ । ଗନ୍ତାୟତ ବାବୁଙ୍କର କମ୍ପଲସରି ରିଟାୟଡ଼ମେଣ୍ଟ ହୋଇଗଲା ! ଦାନ୍ତ ଯିବାପରେ ମଣିଷ ଦାନ୍ତର ମହତ୍ତ୍ୱ ବୁଝେ । ଚାକିରି ଯିବାପରେ ମିଷ୍ଟର ଗନ୍ତାୟତଙ୍କର ମାନସିକ ଭାରସାମ୍ୟ ସମ୍ପର୍କରେ ଆମେ ଅଜ୍ଞ । କିନ୍ତୁ ମିସେସ୍‍ ଗନ୍ତାୟତ ଖୁବ୍‌ ଭାଙ୍ଗିପଡ଼ିଛନ୍ତି । ଅନେକ ଦିନ ସେ ଲଜ୍ଜାରେ ଘରୁ ବାହାରି ନାହାନ୍ତି । ଇନ୍ଦିରା ସରକାରଙ୍କ ସାମ୍ରାଜ୍ୟବାଦର ସ୍ୱପ୍ନ ତଳେ ଅନେକ ନିର୍ଦ୍ଦୋଷ ବ୍ୟକ୍ତିଙ୍କର ସ୍ୱପ୍ନ ଏମିତି ଅବେଳରେ ନିଷ୍ପେଷିତ ହୋଇଯାଇଛି । ଗନ୍ତାୟତ ବାବୁଙ୍କର ଦଶାବି ସେଇଆ ହୋଇଥିବ ଏଥିରେ ବିସ୍ମୟ ହେବାର କ’ଣ ଅଛି ? ମୁଁ କହିଲି ମିସେସ୍‍ ଗନ୍ତାୟତଙ୍କର ବୁଝିବା ଉଚିତ ଇମରଜେନ୍‌ସି ବେଳେ ଅନେକ ଅଫିସର ବାଧ୍ୟତାମୂଳକ ଅବସର ଗ୍ରହଣ କରିଥିଲେ, ଅନେକ ମିସାରେ ଗିରଫ ହୋଇଥିଲେ । ଏକା ତ ଗନ୍ତାୟତ ବାବୁ ନୁହନ୍ତି ଏଥିରେ ଲଜ୍ଜା କରିବାର କ’ଣ ଅଛି ?

 

ମିସେସ୍‍ ମିଶ୍ର ମୋ କଥାକୁ ଏକ ଅଜ୍ଞ ନିର୍ବୋଧ ଶିଶୁର ବକ୍ତବ୍ୟ ଭଳି ଅବଜ୍ଞାକରି କହିଲେ, ଆପଣ ସତରେ କିଛି ଜାଣି ନାହାନ୍ତି ? ଗନ୍ତାୟତ ବାବୁଙ୍କର କିନ୍ତୁ ଚାକିରି ଦିନେ ଯିବ ଏକଥା ସମସ୍ତେ ଜାଣିଥିଲେ । ଏସବୁର କେନ୍ଦ୍ର ବିନ୍ଦୁ ମିସେସ୍‍ ଗନ୍ତାୟତ ।

 

କିନ୍ତୁ ମିସେସ୍‍ ଗନ୍ତାୟତ ତ ଖୁବ୍‌ ଭଲ ମଣିଷ ସରଳ ସହଜ ନାରୀଟିଏ । ମୁଁ ମିସେସ୍‍ ମିଶ୍ରଙ୍କ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବାକୁ ଚେଷ୍ଟା କଲି ।

 

ସେ ହସିଲେ ଏବଂ କହିଲେ, ଉପରକୁ ସମସ୍ତେ ଭଲ ଜଣାପଡ଼ନ୍ତି । କୁକୁଡ଼ା ଡିମ୍ବ ଓ ନାରୀ ଚରିତ୍ର ଉପରୁ ଦେଖି ଜାଣି ହୁଏନା ତା’ ଭିତରୁ କଳା ନାଁ ଧଳା, ପଚା ନାଁ ଭଲ ବାହାରିବ ! ଆପଣ ସିନା ବର୍ଷ ବର୍ଷ ଧରି ମନସ୍ତତ୍ତ୍ୱ ପଢ଼ିଲେ ସେ ସବୁ ଥିଓରୀ । ପ୍ରାକ୍‌ଟିକାଲ କ୍ଷେତ୍ରରେ ନିହାତି ଅନାଡ଼ି ମିସେସ୍‍ ଗନ୍ତାୟତ ନାଁ ସରଳ ହୋଇପାରିଲେ ନାଁ ଜଟିଳ ହୋଇପାରିଲେ । ମଫସଲରୁ ବାହାରି ଆସି ସହରୀ ଜୀବନ ସଙ୍ଗେ ତାଳ ଦେଇ ଚାଲୁ ଚାଲୁ ବିଚାରୀ ଏମିତି ତ୍ରିଶଙ୍କୁ ଅବସ୍ଥାରେ ରହି ଯିବେ–କିଏ ଜାଣିଥିଲା ?

 

ମିସେସ୍‍ ମିଶ୍ର ହଠାତ୍‌ କଥାର ମୋଡ଼ ବଦଳାଇ କହିଲେ, ଆପଣ ମିସେସ୍‍ ଗନ୍ତାୟତ ଚରିତ୍ରଟିକୁ ନେଇ ଗଳ୍ପ ଲେଖନ୍ତୁ ନାଁ ଚମତ୍କାର ହେବ ।

 

ମିସେସ୍‍ ଗନ୍ତାୟତଙ୍କୁ ନେଇ ଗଳ୍ପ ଲେଖିବି–ମୁଁ ? ତାଙ୍କ ସମ୍ପର୍କରେ କ’ଣ ବା ଜାଣେ ମୁଁ-। ସେ ଦୁଇବର୍ଷ ଧରି ମୋର ପ୍ରତିବେଶିନୀ ଥିଲେ । ଯଦି କେବେବି ଭାବିଥାନ୍ତି ତାଙ୍କୁ ନେଇ ଗଳ୍ପ ଲେଖାଯାଇପାରେ ତେବେ ମୁଁ ତାଙ୍କୁ ଗଭୀର ଅନୁଶୀଳନ କରିଥାନ୍ତି ନିବିଡ଼ଭାବେ ମିଶିଥାନ୍ତି ଅବା ନୀରରେ ତାଙ୍କ ଚିତ୍ରର ବିଭିନ୍ନ ଦିଗ ଅନୁଧ୍ୟାନ କରିଥାନ୍ତି ।

 

ଦୀର୍ଘ ବାରବର୍ଷ ପରେ ସେ ପ୍ରଥମେ ଆମେ ରହିବା ଫ୍ଲାଟକୁ ଆସିବାଠାରୁ ଆମେ ଫ୍ଲାଟ ଛାଡ଼ିବା ଦିନଗୁଡ଼ିକ ମୁଁ ମନେ ପକାଉଥିଲି ।

 

ସକାଳୁ ଦୁଆର ଖୋଲି ଦେଖିଲି ଆମ କଲ୍ଲୋନୀ ଗେଟ୍‌ପାଖେ ଟ୍ରକଟିଏ ଠିଆ ହୋଇଚି ଓ ସେଇ ଟ୍ରକରୁ ଯେଉଁ ଭଦ୍ରବ୍ୟକ୍ତି ଭଦ୍ର ମହିଳାଦ୍ୱୟ ଓ ପିଲା ଦୁଇଟି ଓହ୍ଲାଇଲେ ସେମାନଙ୍କ ପୋଷାକ ପରିଚ୍ଛେଦ ଓ ଚେହେରାରେ କିମିତି ଏକ ଗ୍ରାମ୍ୟ ସରଳତା ଛଳ ଛଳ କରୁଥିଲା । ଦୁଇଟି ଫିତାଖଟ, ଗୋଟିଏ ବେଞ୍ଚ, ଗୋଟିଏ ଫୁଲ ପତ୍ର ଓ ଲତା ଅଙ୍କାଥିବା ପୁରୁଣା ଟ୍ରଙ୍କ, ଗୋଟିଏ ଭଙ୍ଗା ଓ ଗୋଟିଏ ନୂଆ ସୁଟକେଶ ଆଉ କିଛି ଚାଉଳ ବସ୍ତା, ଲୁଗା ଗଣ୍ଠିଲି ଓ ଡେକ୍‌ଚି, କରେଇ ବାସନ ଓ କେତୋଟି ଡବାର ଛୋଟ ବସ୍ତା, ଦିମୁଠା ଖଜୁରୀ ଝାଡ଼ୁ, କୁଲା, ବାଉଁଶିଆ ଓ ଚାଙ୍ଗୁଡ଼ି ଗୁନ୍ଥା ହୋଇଥିବା କନା ଧଡ଼ିର ନେନ୍ଥାଟିଏ । ଏ ସବୁର ନିରାଡ଼ମ୍ବର ପଟୁଆର ଭିତରେ ଯେଉଁ ପରିବାରଟିର ଗୃହ ପ୍ରବେଶ ପର୍ବ ପାଳିତ ହେଲା ସେମାନେ ହେଲେ ଏକ ଗନ୍ତାୟତ ବାବୁଙ୍କର ପରିବାର । ପରିବାର ମାନେ ଗନ୍ତାୟତ ବାବୁ, ତାଙ୍କ ସ୍ତ୍ରୀ (କ୍ଷମା କରିବେ ମିସେସ୍‌ ଗନ୍ତାୟତ) ଗନ୍ତାୟତ ବାବୁଙ୍କ ମା’ ଓ ପୁଅ ଝିଅ ଦୁଇଟି । ଟ୍ରକଟି ଚାଲିଯିବାର କିଛି ସମୟ ପରେ ମୁଁ ଅବଶ୍ୟ ମୋ ସ୍ୱାମୀଙ୍କ ପ୍ରରୋଚନାରେ) ତାଙ୍କ ଘର ଅର୍ଥାତ୍‌ ଘରର ଅପୋଜିଟ୍‌ ଘର, ଦୂରତ୍ୱ ମାନେ ଜମା ତିନି ଫୁଟକୁ ମୁଁ ପାଦ ବଢ଼ାଇଲି । ଶ୍ରୀମତୀ ଗନ୍ତାୟତ ମତେ ଦେଖି ଖୁବ୍‌ ଖୁସି ହୋଇଗଲେ । ପିନ୍ଧା ଶାଢ଼ିର ଅଞ୍ଚଳରେ ତଳଟା ଟିକିଏ ଝାଡ଼ି ଦେଇ କହିଲେ, ବସନ୍ତୁ ବସନ୍ତୁ । ବେଞ୍ଚଟା ବନ୍ଧା (ପ୍ୟାକିଂ) ହୋଇଚି–ଆଗ ସେଟା ଖୋଲି ଏଇ ଦାଣ୍ଡଘରେ ପେକେଇ ଦେଲେ ଗଲା... ଆଇଲା ଲୋକ ବସିବେ । ଆପଣଙ୍କୁ ତଳେ ବସିବାକୁ ଅଡ଼ୁଆ ଲାଗୁଥିବ । ହେଲେ କ’ଣ କରିବି । ସେ ଅଯଥା ବ୍ୟସ୍ତତା ଦେଖାଇ ପ୍ରକାଶ କରିବା ଦେଖି ମୁଁ ନିଜକୁ ଯଥାସମ୍ଭବ ଖୁବ୍‌ ସାଧାରଣ ନାରୀଟିଏ ଓ ଖୁବ୍‌ ହୃଦୟଶୀଳା ପଡ଼ୋଶୀଟିଏ ଭଳି ମନେକରି ତଳେ ସେମିତି ବସିପଡ଼ିଲି ଓ କହିଲି, ମୋ’ପାଇଁ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି । ପିଲାମାନେ ଏତେ ଦୂରରୁ ଆସିଛନ୍ତି, ମତେ ଦାସବାବୁ ପଠାଇଲେ । ଯାଅ ଡାକି ଆଣ ପିଲାଏ ଆମଘରେ ଖାଇନେବେ । ଆପଣ ଦି’ଜଣ ଓ ମାଉସୀ ଗାଧୁଆ ପାଧୁଆ କରନ୍ତୁ ମୁଁ ଖାଇବା ପଠାଇ ଦେଉଚି ଓ ମୋ ସଙ୍ଗେ ପିଲା ଦୁହିଁଙ୍କୁ ନେଇ ଯାଉଚି ।

 

ସେ ଯେମିତି ଏତେ ସୌହାର୍ଦ୍ଦ୍ୟ ଓ ପଡ଼ୋଶୀଭାବ ଆଶା କରିନଥିଲେ । କୃତ୍ୟ କୃତ୍ୟ ହେବା ଭଙ୍ଗୀରେ କହିଲେ, ନାଇଁ ନାଇଁ ଆପଣ ହଇରାଣ କାହିଁକି ହେବେ–ଆମେ ବାଟରୁ ଖାଇବା କିଣିନେଇ ଆସିଛୁ । ଆମେତ ଗୋଟିଏ ଘର ଏପଟ ସେପଟ ହୋଇ ରହିଲେ....ଏଣିକି କେତେ ଦେଣନେଣ ଖିଆ ପିଆ ହେବ–ଆଜି ଥାଉ କହି ସେ ଠୁଙ୍ଗା ଖୋଲି ପିଲା ଦୁହିଁଙ୍କୁ ବରା ଓ ସିଙ୍ଗଡ଼ା ଦୁଇ ଦୁଇଟା କରି ଧରାଇ ଦେଲେ ପରିଚୟ ପର୍ବ ଓ ପଡ଼ୋଶିନୀର କର୍ତ୍ତବ୍ୟର ପ୍ରହସନ ପରେ ମୁଁ ଚାଲି ଆସଲି । ମଝିରେ ମଝିରେ ମିସେସ୍‌ ଗନ୍ତାୟତ ଆସନ୍ତି ଥରେ ଅଧେ–ମୁଁ ଯେ ଯାଏନା ତା’ ନୁହେଁ ।

 

ମୁଁ ଚୁପ୍‌ ରହିବା ଦେଖି ମିସେସ୍‌ ମିଶ୍ର କହିଲେ କ’ଣ ଲେଖିବେ ସେ ନେଇ ଚିନ୍ତା କରନ୍ତୁ ନାହିଁ । ମୁଁ ଯେତିକି ଜାଣିଚି, ଭାବୁଚି ମିସେସ୍‌ ଗନ୍ତାୟତଙ୍କ ଚରିତ୍ର ଚିତ୍ରଣ ପାଇଁ ସେତିକି ଯଥେଷ୍ଟ ହେବ । ତାଙ୍କ ଶାଶୁଙ୍କ କଥା ଆପଣଙ୍କର ମନେ ଅଛିନା ?

 

ମୁଁ କହିଲି ହଁ; ସେ ତ ପାଗଳୀ !

 

ମିସେସ୍ ମିଶ୍ର ପୁଣିଥର ମୋର ଅଜ୍ଞତା ପ୍ରତି ଅବଜ୍ଞା ସୂଚକ ହସ ହସିଲେ, କହିଲେ–ସେ ପାଗଳୀ ?? ପାଖରେ ଆପଣ ରହୁଥିଲେ କେବେ ଶୁଣିଛନ୍ତି ତାଙ୍କ ପାଟି ହସ କାନ୍ଦ କି ପ୍ରଳାପ ଅଛି ? ଆପଣଙ୍କ ମନସ୍ତତ୍ତ୍ୱ ବହିରେ ଏମିତି ପାଗଳା କେବେ ଥିବା ପଢ଼ିଛନ୍ତି ? (କାହିଁକି ନା ପ୍ରାକ୍‌ଟିକାଲ କ୍ଷେତ୍ରରେ ଆପଣ ଅନାଡ଼ି କହି ସେ ଖୁବ୍‌ ଗୋଟାଏ ମିଠା ହସ ହସିଲେ ।) ବୁଝିଲେନା ସେସବୁ ଖାଲି ମିସେସ୍‌ ଗନ୍ତାୟତଙ୍କ ଶାଶୁଟାକୁ ପାଗଳୀ ବୋଲି ନକହିଲେ ନିଜେ ଘରର ସର୍ବମୟୀ କର୍ତ୍ତ୍ରୀ ହୋଇ ସ୍ୱାମୀଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ମୁସ୍କିଲ ହୋଇ ପଡ଼ିଥାନ୍ତି । ମତେତ ଘରେ ବନ୍ଦକରି ଦୁଇ ଘଣ୍ଟା ରଖିଦେଲେ ସତକୁ ସତ ମୁଁ ପାଗଳୀ ହୋଇଯିବି । ଗନ୍ତାୟତ ବାବୁଙ୍କ ମା’ଙ୍କୁ ଧନ୍ୟ କହିବ । ବର୍ଷ ବର୍ଷ ଧରି ପାଗଳୀ ଆଖ୍ୟା ନେଇ ସେ’ତ ଗୋଟିଏ ବନ୍ଦ ରୁମରେ ରହି ବଞ୍ଚିଛନ୍ତି ।

 

ମୋ ଦୃଷ୍ଟିରେ ଯେମିତି ମିସେସ୍‌ ଗନ୍ତାୟତ ଚରିତ୍ରର ଏକ ନୂତନ ଦିଗନ୍ତ ସେ ତୋଳି ଧରିଲେ । ମନେ; ପଡ଼ୁଥିଲା–ଥରେ ମୋ ଶାଶୁଙ୍କୁ ଲକ୍ଷ୍ୟକରି ମିସେସ୍‌ ଗନ୍ତାୟତ କହୁଥିଲେ ଆପଣ ଭାଗ୍ୟବତୀ, ଦେବୀ ପରି ଶାଶୁ ପାଇଛନ୍ତି । ମୋ’ଭଳି ଏମିତି କିଏ ହୀନ କପାଳୀ ଅଛି ? ଶାଶୁ ପାଗଳୀ–ତାଙ୍କ ଆଖି ଛଳ ଛଳ ହୋଇ ଆସିଲା । ସେ ଦିନର ସେ ଲୁହ–ସେ ଅବଶୋଷ ସବୁ କ’ଣ ତାଙ୍କର ଛଳନା ଥିଲା ? ଅଭିନୟ ଥିଲା ? ନିଜର ସୁଖ, ସ୍ୱାଧୀନତା ଓ ସ୍ୱାର୍ଥ ପାଇଁ ସତରେ ମଣିଷ କ’ଣ ଏତେ ତଳକୁ ଯାଇପାରେ ?

 

କ୍ରମେ ମିସେସ୍‌ ଗନ୍ତାୟତଙ୍କର ସେହି ଛୋଟ ଛୋଟ ଆଖି ଦିଇଟା ମନେପଡ଼ି ମୋର ମନେହେଲା ଅତିରିକ୍ତ ସୁଖଲୋଭରେ ଯେମିତି ସେ ସଙ୍କୁଚିତ ହେଇ ଆହୁରି ଛୋଟ ପାଲଟି ଯାଇଛି ଏ ଭିତରେ !!

 

ମୁଁ କହିଲି ଗନ୍ତାୟତ ବାବୁ କିଛି କହନ୍ତି ନାହିଁ–ମା’ଟାକୁ ତାଙ୍କର ପାଗଳୀ ବୋଲି ବନ୍ଦ କରି ରଖିଛନ୍ତି । ପୁଅ ହୋଇ ପ୍ରତିବାଦ କରନ୍ତି ନାହିଁ ?

 

ସେ କହିଲେ–ମାଇଚିଆ ! ସ୍ତ୍ରୈଣ !! ତାଙ୍କର କ’ଣ କିଛି ଗୋଟାଏ ନିଜତ୍ୱ ଅଛି ? ମିସେସ୍‌ ଗନ୍ତାୟତ ବସ କହିଲେ ସେ ବସିବେ ଉଠ୍‌ କହିଲ ସେ ଉଠିବେ । ଦେଖିଛନ୍ତି କେବେ ସେ କାହା ସଙ୍ଗେ କେଉଁ ବନ୍ଧୁ ଘରକୁ ବୁଲିଯା’ନ୍ତି ?

 

ମୋର ଯେମିତି କିଛି ବକ୍ତବ୍ୟ ନ ଥିଲା । ମିସେସ୍‌ ମିଶ୍ର ଗପି ଚାଲିଥାନ୍ତି ଅନର୍ଗଳଭାବେ ‘‘ଅସଲ କଥାତ ଏଯାଏଁ କହିନି । ନିଜର ଛୋଟଲୋକୀ ଅଶିକ୍ଷା ମନ୍ଦଗୁଣକୁ ଢାଙ୍କିବାକୁ ମିସେସ୍‌ ଗନ୍ତାୟତ ଯେମିତି ସମସ୍ତଙ୍କ ସଙ୍ଗେ ସମାନ ହେବାକୁ ଆପ୍ରାଣ ଉଦ୍ୟମ କଲେନା, ଶେଷରେ ସେଇ ହିଁ ତାଙ୍କର କାଳ ହେଲା ସେ ଆସିଲା ବେଳକୁ ସେ ରୁନା ମା’ ହେଇ କଟକ ଆସିଥିଲେ, କିଛିଦିନ ପରେ ସେ ମିସେସ୍‌ ଗନ୍ତାୟତ ପାଲଟିଗଲେ । ଜାଣିଛନ୍ତିନା ଥରେ ମୁଁ ତାଙ୍କୁ ରୁନା ମା’ ବୋଲି ଡାକିଦେଲି ଯେ ସୁମିତ୍ରା ଆଗରେ କହିଲେ–ମତେ ମିଶ୍ର ବାବୁଙ୍କ ସ୍ତ୍ରୀ କ’ଣ କରି ପାଇଛନ୍ତି କି–ମୁଁ କ’ଣ ଏମିତି ମୂର୍ଖ ଅଶିକ୍ଷିତ ନାଁ ମଫସଲୀ ହେଇଚି ଯେ ମତେ ମିସେସ୍‌ ଗନ୍ତାୟତ କହିପାରିବେ ନାହିଁ ।

 

ଆରୋହଣର ପର୍ବ ତାଙ୍କର ଆରମ୍ଭ ହେଲା ଯେ ହେଲା ଯେମିତି ଶେଷହୀନ ସେ ଆରୋହଣ–କ୍ଳାନ୍ତିହୀନ, କୁଆଡ଼େଗଲା ତାଙ୍କର ସେ ଛିଣ୍ଡା ମଇଳା ଲୁଗାର ଗଣ୍ଠିଲି, ଫିତା ଖଟ ଭଙ୍ଗାହେଇ ଜଳା ହେଇଗଲା । (ପ୍ରକାଶଥାଉକି ମିସେସ୍‌ ଗନ୍ତାୟତ ଆସିବାବେଳେ କାଠ ଚୁଲିରେ ରାନ୍ଧଣା କରୁଥିଲେ ।) ତା’ ସ୍ଥାନରେ ସୁଦୃଶ୍ୟ ବମ୍ବେ ପ୍ୟାଟର୍ଣ୍ଣର ଖଟ ଠିକ୍‌ ଯେମିତି ଖଟ ମିଃ ମଜୁମଦାରଙ୍କର ପଡ଼ିଥିଲା । ସାମନ୍ତରା ବାବୁଙ୍କ ଘର ଯେମିତି ବେଡ଼୍‍ କଭର ଅବିକଳ ସେଇ ରଙ୍ଗ ସେଇ ପ୍ରିଣ୍ଟର ବେଡ଼୍‍ କଭର ତା’ ଉପରେ ପଡ଼ିଲା । ଆଜି ଯଦି ମିସେସ୍‌ ଗନ୍ତାୟତ କଲୋନୀ ଆଡ଼େ ବୁଲି ବାହାରି ଦେଖିଛନ୍ତି ରୀତା ଘରଝର୍କାରେ ଶାଗୁଆରଙ୍ଗର ପର୍ଦ୍ଦା ଲାଗିଛି କାଲି ସକାଳୁ ସମସ୍ତେ ଦେଖନ୍ତି ଗନ୍ତାୟତ ବାବୁଙ୍କ ଦୁଆର ଓ ଝର୍କାରେ ସେଇ ରଙ୍ଗ ସେଇ ପ୍ରିଣ୍ଟର ପର୍ଦ୍ଦା ଝୁଲୁଛି । (ଯଦିଓ ପ୍ରଥମେ ସେ ଏ କଲୋନୀକୁ ଆସିବା ବେଳେ ତାଙ୍କର ଘର ବେପର୍ଦ୍ଦା ଥିଲା ଓ ପରେ ପରେ ଛିଣ୍ଡା ଶାଢ଼ି କାଟି ପର୍ଦ୍ଦା କରି ଝୁଲାଇ ଥିଲେ ।)

 

ଶେଷରେ କଲୋନୀର ମିସେସ୍‌ମାନେ ତଥା କଲେଜ ପଢ଼ୁଆ ଝିଅମାନେ ନିଜ ନିଜର ରୁଚିମୁତାବକ କିଣିଥିବା ଶାଢ଼ିତାଙ୍କୁ ଲୁଚେଇ ଲୁଚେଇ ପିନ୍ଧିଲେ । କାରଣ ଆଜି ଯେମିତି ଶାଢ଼ି ଶ୍ୱେତା ପିନ୍ଧି କଲେଜ ଯାଇଥିବ କାଲି ଠିକ୍‌ ସେଇ ଶାଢ଼ି ପିନ୍ଧି ମିସେସ୍‌ ଗନ୍ତାୟତ ସନ୍ଧ୍ୟାବେଳେ ସିନେମା ବାହାରି ଥିବେ, ଲିଲି ବୋଉ ରୁନା ମା’ ଘରକୁ ଆଜି ଖରାବେଳେ ଯେମିତି ଶାଢ଼ି ପିନ୍ଧି ବୁଲି ଯାଇଥିବେ, ତା’ ପରଦିନ ଛାତ ଉପରେ ଠିକ୍‌ ସେଇ ଶାଢ଼ି ରୁନା ମା’ଙ୍କର ଶୁଖୁଥିବ । ମିନତୀ ଯେମିତି ରଙ୍ଗ ଉଲ ଧରି କେଉଁ ପ୍ୟାଟର୍ଣ୍ଣର ସ୍ୱେଟର ଉଠାଉଥିବ ମିସେସ୍‍ ଗନ୍ତାୟତଙ୍କ ହାତରେ ଦେଖିବ ସେଇ ରଙ୍ଗର ସେଇ ପ୍ୟାଟର୍ଣ୍ଣର ସ୍ୱେଟର ଧରି ସେନ୍‌ବାବୁଙ୍କ ସ୍ତ୍ରୀଙ୍କ ପାଖେ ବସିଥିବେ । ଏମିତି ମଧ୍ୟ କହିବାର କଲୋନୀରେ ଶୁଣାଯାଏ ଅନେକଙ୍କ ଆଗରେ ସେ କହନ୍ତି ‘ମୋର ଏ ଶାଢ଼ିଟା ନାଁ, ଗନ୍ତାୟତ ବାବୁ ବାଙ୍ଗାଲୋର ଯାଇଥିଲେ–ଆଣିଥିଲେ ଛ’ ମାସ ତଳେ–ଏବେ କଟକ ମାର୍କେଟକୁ ଆସିଲା–ଏଇ ଶାଢ଼ି ଦେଖି ପରା ଶ୍ୱେତା ଯାଇ ସେମିତି ଖଣ୍ଡେ ଆଣିଚି..... ମିନତୀ ପରା ମୋ’ଠୁ ସେ ସ୍ୱେଟର ଶିଖି ପ୍ୟାଟର୍ଣ୍ଣ ଉଠାଇଛି.... ରତୀକାନ୍ତ ବାବୁଙ୍କ ସ୍ତ୍ରୀ ପରା ମତେ ସାଙ୍ଗରେ ନେଇ ମୋ’ରି ବଣିଆ ପାଖେ ବରାଦ ଦେଇ ମୋ’ଭଳି ସେଟ୍‌ ତାଙ୍କ ଝିଅ ପାଇଁ ତିଆରି କରାଇଲେ ! ଯଦିଓ ତାଙ୍କର ସମସ୍ତ ଗହଣା ଏଇ କଟକ ଆସି ତିଆରି ହୋଇଚି ବା କିଣାଯାଇଚି । କଲୋନୀର କୌଣସି କୌଣସି ଭଦ୍ରମହିଳାଙ୍କ ସଙ୍ଗରେ ବିଭିନ୍ନ ସମୟରେ ବଜାର ଯାଇ ସେଇମାନଙ୍କ ଗହଣାର ଅନୁକରଣ !)

 

କଲୋନୀର ସମସ୍ତ ଆଶ୍ଚର୍ଯ୍ୟ ହୋଇ ଚାହାଁନ୍ତ–ଆଜି ତିନିଚକିଆ ରିକ୍‌ସାରେ ଗଡ଼ରେଜ ଆଲମାରୀ ବୁହା ହୋଇ ଗନ୍ତାୟତ ବାବୁଙ୍କ ଦୁଆରେ ରହିଲାଣିତ–ଆଉ ଆଠଦିନ ପରେ ଅଫିସ ଫେରନ୍ତା ଗନ୍ତାୟତ ବାବୁଙ୍କ ହାତରେ ଇମ୍ପୋଟେଡ଼ ଟେପ୍‌ ରେକର୍ଡ଼ରେ ପନ୍ଦର ଦିନ ପରେ ଡନଲପ ସୋଫା ସେଟ୍‍ ଆସିଲାଣି ତ ତା’ ଆର ମାସ ଗ୍ୟାସ ଚୁଲି ଓ ପରେ ପରେ ପ୍ରେସର କୁକର । ଡ୍ରଇଂ ରୁମ୍‍ ପାଇଁ କାଶ୍ମିରୀ ଗାଲିଚା, ଲେଗ୍‌ ମେସିନ ଇତ୍ୟାଦି ।

 

ମିସେସ୍‌ ଗନ୍ତାୟତଙ୍କ ରୂପ, ରଙ୍ଗ, ପୋଷାକ ପରିଚ୍ଛେଦରେ ମଧ୍ୟ ଅଦ୍ଭୁତ ପୂର୍ବ ପରିବର୍ତ୍ତନ । ଆସିଲା ବେଳକୁ ସାଦା ପିନ୍ଧା ଶାଢ଼ିରେ ଆବୃତ୍ତ ଗ୍ରାମ୍ୟ ଲଳନାର ବେଶ ଆଉ ନାହିଁ । ମୁଣ୍ଡ ଉପରେ ଶାଢ଼ି ବାଙ୍କିବା ଦୂରରେ ଥାଉ ପିଠି ମଧ୍ୟ ଢଙ୍କା ଯାଏ ନାହିଁ ଡ୍ରଇଁରୁମ୍‍ ଆଉ ଦାଣ୍ଡଘର ହେଇ ନାହିଁ ଏଣିକି ବାଁହାତରେ ଚା’ କପ୍‍ ଓ ଡାହାଣ ହାତରେ ଖବରବାଗଜ ଧରି ଡ୍ରଇଁ ରୁମରେ ବସିବା ଦେଖାଯାଏ । ଡାକ୍ତର ଗିରିଶ ମିଶ୍ରଙ୍କର ଯେଉଁ ସାବୁନ ଯେଉଁ ସର୍ଫରେ ଲୁଗା କାଚନ୍ତି ଏଣିକି ପ୍ରତିଦିନ ଗନ୍ତାୟତ ବାବୁଙ୍କର ମଧ୍ୟ ସେଇ ସର୍ଫ ସେଇ ସାବୁନରେ ଲୁଗା କଚାଯାଏ । ଧଡ଼ ଧାଡ଼ ଧଡ଼ାସ୍‌ ଶବ୍ଦରେ କଲୋନୀ କମ୍ପିଥାଏ । ଏମିତିକି କେହି କେହି ବୃଦ୍ଧା କହିବାର ମଧ୍ୟ ଶୁଣାଯାଇଚି ଯେ ‘‘ନୂଆ ଡାହାଣୀ ଗୁହ ଖାଉଚି ।’’

 

ସବୁ ସମସ୍ୟାର ସମାଧାନ ସମୟ କରେ । କିନ୍ତୁ ସମୟଟା ଯେ ଏମିତି ମିସେସ୍‌ ଗନ୍ତାୟତଙ୍କର ପୋଷା ପଶୁ ପାଲଟି ଯିବ ଏକଥା କେହି କଳ୍ପନା ମଧ୍ୟ କରିନଥିଲେ ।

 

ସ୍ୱଳ୍ପ ଶିକ୍ଷିତା ସାଧାରଣ ନାରୀଟିଏ ଯେ କେମିତି କିଛି ଦିନ ଭିତରେ ଏକ ମହିମାମୟୀ ସର୍ବଗୁଣସମ୍ପନ୍ନା ଅତି ମାନବୀ ପାଲଟି ଗଲା କଲୋନୀର ସବୁ ଶିକ୍ଷିତା ଝିଅ ବୋହୂଙ୍କର ଆଲୋଚ୍ୟ ବିଷୟ ହେଇ ପଡ଼ିଲା ।

 

ଦିନେ ଘୋଷବାବୁଙ୍କ ସ୍ତ୍ରୀ ତାଙ୍କର ନାଁ ଟାଇପ କରା କାଗଜରେ ଚିଠିଟିଏ ଲେଖି ଚାକର ହାତରେ ପଠାଇ ଥିଲେ ମିସେସ୍‌ ଗନ୍ତାୟତଙ୍କ ପାଖକୁ ପଚାଶ ଟଙ୍କା ଧାର ପାଇଁ (ମିସେସ୍‌ ଗନ୍ତାୟତଙ୍କ ଗୁଣର ଏ ମଧ୍ୟ ଏକ ମହିମାମୟ ଦିଗ ଯେ ଅନେକ ସମୟରେ ଅସମୟରେ ସେ କଲୋନୀର ମହିଳାମାନଙ୍କୁ ଟଙ୍କା ଧାର ଦିଅନ୍ତି ଯଦିଓ ଦୁଇଦିନ ପରେ ମଗାଇ ପଠାନ୍ତି ।) ମିସେସ୍‌ ଗନ୍ତାୟତ ଦେଇଥିଲେ । ତା’ର ଠିକ୍‌ ଚାରିଦିନ ପରେ ସେ ଚିଠିଟିଏ ଲେଖି ତାଙ୍କ ଚାକର ହାତରେ ପଠାଇଲେ ମିସେସ୍‌ ଘୋଷ; ଏମିତି ମଗାଇ ପଠାଇଲି ବୋଲି ଆପଣ କିଛି ମନେକରିବେନି, ଯଦି ଥାଏ ଚାଳିଶ ବା ପଚାଶ ଟଙ୍କା ଦେଇଥିବେ, ଫେରିବାଲା ଆସି ବସିଚି ତା’ଠୁ ଶାଢ଼ି କିଣିଚି । ଆପଣ କିଣିବେ ଯଦି ଆସିବେ ମୁଁ ଖୁବ୍‌ ଶସ୍ତାରେ ମୁଲେଇଚି । ଇତି ମିସେସ୍‌ ଗନ୍ତାୟତ ।’’

 

ଚିଠି ଲେଖା କାଗଜକୁ ଚାହିଁଦେଇ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଠିକ୍‌ ତାଙ୍କରି ରାଇଟିଂ ପ୍ୟାଡ଼ ପରି ମାତ୍ର ତାଙ୍କ ନାଁ ଓ ଆଡ୍ରେସ ଥିବା ସ୍ଥାନରେ ଲେଖା ଅଛି ମିସେସ୍‌ ରୁମା ଗନ୍ତାୟତ ବି.ଏ. । ମିସେସ୍‌ ଘୋଷଙ୍କ ନଣନ୍ଦ ମନିକା କହିଲା ବାଃ ରମା ମାଉସୀ ଏ ଭିତରେ ରୁମା ଗନ୍ତାୟତ ବି.ଏ. ହେଇ ଗଲେଣି । ଥ୍ରୀ ଚିଅରସ୍‌ !!

 

କୌତୂହଳ ବଶତଃ ହେଉ ବା ମିସେସ୍‌ ରୁମାଗନ୍ତାୟତଙ୍କ ପ୍ରତିଭାରେ ମୁଗ୍‌ଧ ହେଇ ହେଉ କଲୋନୀର ସ୍କୁଲ-କଲେଜ ପଢ଼ୁଆ ଝିଅମାନେ ଯାଇ ଠୁଳ ହୁଅନ୍ତି ।

 

ଦିନେ କୌଣସି ଏକ ସାହିତ୍ୟ ପତ୍ରିକାରେ ବିଷ୍ଣୁ ବାବୁଙ୍କ ଝିଅ ରତ୍ନାର ଏକ ପ୍ରକାଶିତ କବିତା ଦେଖି ମିସେସ୍‌ ଗନ୍ତାୟତ କଥା ପ୍ରିସଙ୍ଗରେ କହି ପକାଇଲେ କଲେଜରେ ପଢ଼ିବା ବେଳେ ମୋର ଅନେକ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଛି, ମତେ ଇଏ କହୁଛନ୍ତି ତମେ ତ ଏତେ ବଢ଼ିଆ କବିତା ଲେଖୁଥିଲ–ଏବେ ଲେଖୁନ କାହିଁକି ? ଆଜି କାଲି ଯେଉଁମାନେ ଲେଖୁଛନ୍ତି ତମଠାରୁ କେଉଁ ଗୁଣରେ ଭଲା ଉତ୍କୃଷ୍ଟ ହେବ ?

 

ଝିଅମାନେ ଘେରିଗଲେ ରୁମା ମାଉସୀ ରୁମା ଭାଉଜ ରୁମା ଅପା ସତରେ ତମେ ଲେଖୁନ କାହିଁକି ଦେଖି ତମର କବିତା ପାଣ୍ଡୁଲିପି !

 

ମିସେସ୍‌ ଗନ୍ତାୟତ କେଉଁ ଏକ ବିୟୋଗାତ୍ମକ ନାଟକର ନାୟୀକା ଭଳି ମୁଖଭଙ୍ଗୀ କରି କହନ୍ତି ‘‘ଛାଡ଼– ! ଏ ସଂସାର ଜଞ୍ଜାଳ ଭିତରେ ମଣିଷର ସବୁ ପ୍ରତିଭା ସେଇ ଚୁଲିରେ ଜଳିଗଲା’’ ମା’ ମତେ ତାନପୁରା ଶିଖାଉଥିଲେ । ନାଚ ବି ଶିଖୁଥିଲି ଅତସୀର ଯେମିତି ତାନପୁର ତା’ଠୁ ଟିକେ ବଡ଼ ମୋର ଥିଲା ଆଉ ଚୁମ୍‌କିର ଯେମିତି ସବୁ ଓଡ଼ଶୀ ନାଚର ଗହଣା ତା’ଠୁ ଆହୁରି ବେଶୀ ଥିଲା, ବାହାଘର ପରେ ସବୁକୁ ନିଜ ହାତରେ ମୁଁ ଜାଳି ଦେଲି ।

 

ଯେଉଁଦିନ ଉକ୍ତ କଲୋନୀରେ ଥିବା ମୁନସଫ୍‌ ଅବନୀ ବାବୁଙ୍କ ପୁଅ ଆଇ.ଏଫ୍‌.ଏସ୍ ପାଇଲା ସେଦିନ ମିଠା ନେଇ ମିସେସ୍‌ ଗନ୍ତାୟତ ତାଙ୍କ ଘରକୁ ଯାଇଥିଲେ । ଅନେକ ସମୟ ଧରି ଅବନୀ ବାବୁଙ୍କ ସ୍ତ୍ରୀଙ୍କ ସଙ୍ଗେ ଗପିଲେ ଯେ ତାଙ୍କ ଭାଇ କେମିତି ଏଇ ପରୀକ୍ଷାରେ ଫାଷ୍ଟ ହୋଇଥିଲେ ସେ ତାକୁ ଡ୍ରେସ କରିବାକୁ ସେଦିନ ହଜାରେ ଟଙ୍କା ଦେଇଥିଲେ ।

 

କଥା କଥାକେ ମିସେସ୍‌ ଗନ୍ତାୟତ ତାଙ୍କର କ୍ଷମାଶୀଳ ଊଦାର ହୃଦୟର ପରିଚୟ ଦେଉଥିଲେ । କଥା ଏକ ନୂଆ ହୋଇ ଅଧ୍ୟାପକ ଚାକିରି କରି ସେଇ କଲୋନୀରେ ଥିବା ସୁମିତ ମହାନ୍ତି ଥରେ ତାଙ୍କ ଝର୍କାକୁ ଚାହିଁ ଦେଇଥିଲେ । ସେ ତାକୁ ଗାଳି ଦେଇ ନ ଥିଲେ କେବଳ ଉପର ଫ୍ଲାଟରେ ଥିବା ପରେଶ ବାବୁଙ୍କ ସ୍ତ୍ରୀଙ୍କୁ କହିଲେ ସେ ମୂର୍ଖ ବୋଲି ମୁଁ କ’ଣ ମୂର୍ଖ ହୋଇଚି ମାଷ୍ଟ୍ରିଆ ବୁଦ୍ଧିରେ ଚାହିଁଦେଲା ବୋଲି ଗାଳି ଫଜିତ କରିବି । ଦୁଇ–ମୁହେଁ ମୁହେଁ ସବୁକଥା କହିଦିଏ ବୋଲି ବଦନାମ ଥିବା ଡାକ୍ତର ମିଶ୍ରଙ୍କ ମଝିଆଁ ଝିଅ ବିଥି ତାଙ୍କୁ କହିଦେଇଥିଲା ‘‘ମାଉସୀ, ଯାହା କହ ପଛେ କିନ୍ତୁ ଆସିବା ଦିନଠାରୁ ତମ ରୂପ, ରଙ୍ଗ, ଚାଲିଳଚନ ଓ ଘରର ଆସବାବ ପତ୍ରରେ ଖୁବ୍‌ ପରିବର୍ତ୍ତନ ଆସିଚି ।’’ ମିସେସ୍‌ ଗନ୍ତାୟତ ତାକୁ ଓଲଟାଇ ନ ଥିଲେ । ମିସେସ୍‌ ଘୋଷଙ୍କୁ ଦିନେ କହୁଥିବାର ଶୁଣା ଗଲା । ବିଥିଟା ଡବ ଡବ ହୋଇ କ’ଣ ଯେ କହିଯାଏ ନିଜେ ଜାଣେନି ଅସଲ କଥା ହେଲା ତାଙ୍କ ଘରର ଖାନଦାନୀ ନାହିଁ । ଖାଲି ରୋଗୀଙ୍କ ନାଡ଼ି ଚିପି ପଇସା ଆଣିଲେ କ’ଣ ହେଲା–ଛୋଟ ଲୋକତ ! ତେଣୁ ମୁଁ ତା’ କଥା କିଛି ଧରେନା ।

 

ମିସେସ୍‌ ଗନ୍ତାୟତଙ୍କ ଡ୍ରଇଁ ରୁମରେ ବିଭିନ୍ନ ପ୍ରକାର ବହି–ସାହିତ୍ୟ, ରାଜନୀତି, ଧର୍ମନୀତି, ଅର୍ଥନୀତି ବହିରେ ରାକ୍‌ ପୂର୍ଣ୍ଣ । ସେଣ୍ଟର ଟେବୁଲରେ ଫେମିନା; ଫିଲ୍ମ ଫେୟାର, ଧର୍ମଯୁଗ, ରିଡ଼ର୍ସ ଡାଇଜେଷ୍ଟ ଓ ଅନ୍ୟାନ୍ୟ ଓଡ଼ିଆ ସାହିତ୍ୟ ତଥା ପିଲ୍ମ ପତ୍ରିକା ଖୋଲା ଅଧା ଖୋଲା ଅବସ୍ଥାରେ ଥାଏ । ଏ ଭିତରେ ମଧ୍ୟ ସେ ନାରୀ କଲ୍ୟାଣ ସମିତିର ସଭ୍ୟା ହୋଇଯାଇଛନ୍ତି-। ମୋଟ ଉପରେ ନୃତ୍ୟ ସଙ୍ଗୀତ ସାହିତ୍ୟ ଶିକ୍ଷା ରାଜନୀତି ସମାଜସେବା ଓ ସର୍ବୋପରି କର୍ମ ନୁପୁଣା ସୁଗୃହିଣୀ ରୂପେ ତାଙ୍କର ଇମେଜଟା କଲୋନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

 

କି ଦର୍କାର ଥିଲା ଠିକ୍‌ ସେଇ ଚୂଡ଼ାନ୍ତ ମୁହୂର୍ତ୍ତରେ ତାଙ୍କର ସମ୍ପର୍କୀୟା ପିଉସୀ ଜଣେ ପି.ଡବ୍ଲୁ.ଡ଼ି. ଡିପାର୍ଟମେଣ୍ଟରେ ତାଙ୍କ ପୁଅ ପାଇଁ ପିଅନ ଚାକିରିଟିଏ ଯୋଗାଡ଼ କରିବାକୁ ମିଃ ଗନ୍ତାୟତଙ୍କ ଘରକୁ ଆଗମନ କରିବାରେ ?? (ପ୍ରକାଶ ଥାଉକି ଉକ୍ତ କଲୋନୀରେ ଦୁଇ ବର୍ଷ ରହିବା ଭିତରେ ତାଙ୍କର କୌଣସି ସମ୍ପର୍କୀୟଙ୍କର ଶୁଭାଗମନ କେବେ ହୋଇନଥିଲା । ଏମିତିକି ଗନ୍ତାୟତ ବାବୁଙ୍କର ଦୁଇ ଭଉଣୀ ଥିଲେ ମଧ୍ୟ ଭାଇ ଭାଉଜ ବା ମା’କୁ ଦେଖିବାକୁ କେବେ ଆସିବାର କେହି ଜାଣି ନାହାନ୍ତି ।)

 

ଶୁଣାଯାଏ ମିସେସ୍‌ ଗନ୍ତାୟତ ତାଙ୍କ ପିଉସୀଙ୍କର ଏ ଅନାହୂତ ଅନୁପ୍ରବେଶକୁ ସ୍ୱାଗତ କରିନଥିଲେ । ଫଳରେ ଏ ଏକ ବିସ୍ଫୋରଣ ଘଟିଥିଲା ।

 

କଲୋନୀ ମଝି ରାସ୍ତାରେ ଠିଆ ହୋଇ ସେହି ଗ୍ରାମ୍ୟ ଅଶିକ୍ଷିତା ମହିଳା ଜଣକ ଅଭିଧାନ ବିବର୍ଜିତ ଶବ୍ଦ ସବୁ ମିସେସ୍‌ ଗନ୍ତାୟତଙ୍କ ଉପରକୁ ପ୍ରୟୋଗ କଲେ । ସେ ସବୁରୁ ଯେତିକି ବୋଧଗମ୍ୟ ହେଲା ସଂକ୍ଷିପ୍ତରେ ତା’ର ମର୍ମ ହେଲା–ଆଜିର ଏ ମିସେସ୍‌ ରୁମା ଗନ୍ତାୟତ ଗଞ୍ଜାମ ଜିଲ୍ଲାର ଏକ ଅନାମଧେୟ ଅପାଣ୍ଡବା ଗ୍ରାମର କନ୍ୟା ଓ ପିତା ଏକ ଦରିଦ୍ର ଦରଜି ଥିଲେ । ଭାଇ ଦୁଇଜଣ ପ୍ରଥମେ ଭଡ଼ାଟିଆ ଗୁଣ୍ଡା ଥିଲେ–ଏବେ ମଦ ବ୍ୟବସାୟ କରି ବେଶ ଦି’ପଇସା ପାଉଛନ୍ତି । ମିସେସ୍‌ ରୁମା ଗନ୍ତାୟତଙ୍କର ପ୍ରକୃତ ନାମ ଥିଲା ରମା ଦେଇ, ଶିକ୍ଷାଗତ ଯୋଗ୍ୟତା ଲୋଅର ପ୍ରାଇମେରୀ । ମିଷ୍ଟର ଗନ୍ତାୟତ ଓଭରସିଅର ଥିଲେ କ୍ରମେ ନିଜର କର୍ମନିଷ୍ଠତା ହେତୁ ପ୍ରମୋଶନ ପାଇ ବର୍ତ୍ତମାନ ଆସିଷ୍ଟାଣ୍ଟ ଇଞ୍ଜିନିୟର ତଥା ଏସ୍‌.ଡ଼ି.ଓ. । କାଳେ ମିସେସ୍‌ ଗନ୍ତାୟତଙ୍କର ପ୍ରକୃତ ସ୍ୱରୂପ କଥା ପ୍ରସଙ୍ଗରେ ଶାଶୁଙ୍କ ପାଟିରୁ ବାହାରି ପଡ଼ିବ ତେଣୁ କାହା ସଙ୍ଗେ ତାଙ୍କୁ ମିଶିବାକୁ ନଦେଇ ପାଗଳୀ ବୋଲି ଘରେ ବନ୍ଦକରି ରଖିଛନ୍ତି ଏବଂ ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କ ରଖି ନାହାଁନ୍ତି । ଗନ୍ତାୟତ ବାବୁ ଖୁବ୍‌ ଭଲ ଏବଂ ସରଳ ପ୍ରକୃତିର ଥିଲେ ହେଲେ ତାଙ୍କର ଅତିରିକ୍ତ ପତ୍ନୀ ପ୍ରେମ ଓ ମାଇଚିଆ ଗୁଣ ଯୋଗୁଁ ସେ ମିସେସ୍‌ ଗନ୍ତାୟତଙ୍କର ଗୃହପାଳିତ ଜୀବମାନଙ୍କ ଭିତରୁ ଅନ୍ୟତମ ।

 

ଏ ଘଟଣା ଠିକ୍‍ କିଛିଦିନ ପରେ ମିଷ୍ଟର ଗନ୍ତାୟତ ମିସାରେ ଆରେଷ୍ଟ ହେଲେ । କେସ୍‍ ଚାଲିଲା ଓ ଟଙ୍କା ତୋଷାରଫ ଅଭିଯୋଗରେ ତାଙ୍କର ଚାକିରି ଚାଲିଗଲା । କେହି କେହି ଅସୂୟାପ୍ରବଣ ବ୍ୟକ୍ତି କହିବାର ଶୁଣାଯାଏ ଭଲ ହେଲା–ଘୋଡ଼ା ମୁଣ୍ଡରେ ଠାକୁର ଶିଙ୍ଗ ନଦେଇ ଭଲ କରିଛନ୍ତି । ମିସେସ୍‍ ଗନ୍ତାୟତ ଯାହା ହେଉଥିଲେନା–ଠିକ୍‍ ଶାସ୍ତି ମିଳିଛି । କେହି କେହି ଦୟାଶୀଳ ବ୍ୟକ୍ତି ଆହା ଆହା କଲେ ବିଚାରୀ ତ ଆଉ କିଛି ଚାହିଁନଥିଲା ଚାହିଁଥିଲା ସମିସ୍ତଙ୍କ ସଙ୍ଗେ ସମାନ ହେବ ସେତିକି ଅହଂକାର ଭଗବାନ ସହିପାରିଲେ ନାହିଁ ! !

 

ମିସେସ୍‌ ମିଶ୍ର କହିଲେ–ବୁଝିଲେନା ଯେତେ ପ୍ରବଳ ଈର୍ଷା ଅସୂୟା ଥିଲେ ମଧ୍ୟ ମିସେସ୍‌ ଗନ୍ତାୟତ ତାଙ୍କ ସଂସାର ନେଇ କଲୋନୀର ମାୟା ତୁଟାଇ ଚାଲିଗଲା ବେଳେ ମତେ ଖୁବ୍‌ ଖରାପ ଲାଗିଲା ମୋ ଆଖିରେ ଲୁହ ଚାଲିଆସିଲା । ସେ ମୋ ହାତ ଦି’ଇଟା ଜାବୋଡ଼ି ଧରି କହିଲେ ମୁଁ ଯେ ଟଙ୍କା ଓ କ୍ଷମତା ବଳରେ ଆପଣମାନଙ୍କୁ କେତେ ଅପମାନିତ କରିଛି, ଆଜି ଅନୁତପ୍ତ । କେବେ ଯଦି ମିସେସ୍‍ ଦାସଙ୍କ ସହ ଆପଣଙ୍କର ଦେଖାହୁଏ କହିବେ ମୋରି ଚରିତ୍ର ନେଇ ଗଳ୍ପଟିଏ ଲେଖିବେ । ମୋ ଜୀବନର ଏହି ଉତ୍‌ଥାନ ପତନର ଲିପି ହେଲେ କେତେଜଣ ଅପରିଣାମଦର୍ଶୀ ବର୍ତ୍ତମାନ ସର୍ବସ୍ୱ ନାରୀଙ୍କୁ ଆଲୋକ ଦେଖାଇବ ।

 

ବାଲେଶ୍ୱର ଷ୍ଟେସନ ଆସିଯାଇଥିଲା ମିସେସ୍‌ ମିଶ୍ର ତର ତର ହେଇ ଓହ୍ଲେଇ ଯାଉ ଯାଉ କହିଲେ ମୋ କଥା ନା ନା ମିସେସ୍‌ ଗନ୍ତାୟତଙ୍କ ଅନୁରୋଧ ଭୁଲିବେ ନାହିଁ ନିଶ୍ଚୟ ଗଳ୍ପଟିଏ ଲେଖିବେ ।

 

ମୁଁ ଆଜି ଗଳ୍ପ ଲେଖିବାକୁ ଯାଇ ସ୍ଥାଣୁ ପାଲଟି ଯାଇଛି । ଆପଣମାନେ ଯଦି ୟାକୁଇ ଗଳ୍ପ ବୋଲି ଧରି ନିଅନ୍ତି ତେବେ ମୁଁ ନାଚାର ।

Image

 

ଅପ୍ରତିହତ

 

ଶୋଭନ ନିଜର ଭାବନା ରାଜ୍ୟରୁ ଫେରିଆସିଲା ଯେତେବେଳେ ତା’ର ଦୁଇ ଅଙ୍ଗୁଳି ମଝିରେ ସେ ଅନୁଭବ କଲା ଦଗ୍‌ଧ ସିଗାରେଟର ଜ୍ୱାଳା ।

 

ଧେତ୍‌ ! ଆସଟ୍ରେରେ ହାତ ଝାଡ଼ି ପୁଣି ସେ ନୂଆ ସିଗାରେଟରେ ଅଗ୍ନି ସଂଯୋଗ କରିବାକୁ ପ୍ୟାକେଟ ଖୋଲିଲା । ମାତ୍ର ଗୋଟିଏ ଅଛି । ଅର୍ଥାତ୍‍ ସନ୍ଧ୍ୟାରେ ସେ ନଅଟି ସିଗାରେଟ ପାଉଁଶ କରି ସାରିଚି । ସିଗାରେଟ ପ୍ୟାକେଟକୁ ଫିଙ୍ଗିଦେବାକୁ ଯାଇ ପୁଣି ସେ ତାକୁ ସାଇତି ରଖିଲା । ଏଟା ହେଲା ୫୫୫ ପ୍ୟାକେଟ । ତା’ ଭିତରେ କିନ୍ତୁ ସେ ଚାରିମିନାର ସିଗାରେଟ କିଣି ଭର୍ତ୍ତି କରିଚି । ଏ ପ୍ୟାକେଟଟି ସେ ରାଜେଶଠାରୁ ସଂଗ୍ରହ କରିଥିଲା ।

 

ରାଜେଶର ନାଁ ମନେପଡ଼ିବାରୁ ଶୋଭନର ସମସ୍ତ ଶରୀର ଈର୍ଷାରେ ଜଳିବାକୁ ଲାଗିଲା-। ସତ– ! ବଡ଼ଲୋକର ପିଲା ବୋଲି ପଇସାକୁ ପାଣିପରି ଉଡ଼ାଉଚି । ସବୁ ଡିପାର୍ଟମେଣ୍ଟର ଅଧିକାଂଶ ପିଲାଙ୍କୁ ହାତ ମୁଠାରେ ରଖିଚି । ଯେତେବେଳେ ଦେଖ ପାଣିଟାଙ୍କି କ୍ୟାଣ୍ଟିନ୍‌–ନ ହେଲେ ରସୁଲଗଡ଼ ଛକରେ ଦଳ ଦଳ ପିଲାଧରି ଠିଆ ହୋଇଥିବ ।

 

ଏ ବାଣୀବିହାରର ସବୁ ପିଲାଙ୍କୁ ଗୋଟି ଗୋଟି କରି ଶୋଭନ ଜାଣେ–ସବୁ ପୁଅଙ୍କୁ–ସବୁ ଝିଅଙ୍କୁ । ଏଠି ତା’ ବାଣୀ ନାହାଁନ୍ତି । କେବଳ ବିହାର–ପୁଅ ଝିଅଙ୍କର ବିହାର ସ୍ଥଳୀ–କେଦାରଗୌରୀର ମାଟି କିନା ।

 

ଏଇ ରାଜେଶ୍‌ ! ତା’ର ସ୍ୱତନ୍ତ୍ର ଏକ ଦଳ ଗ୍ୟାଙ୍ଗ୍‌ । ପିଲାଏ ଡରନ୍ତି । ପ୍ରଫେସର ବି ଡରନ୍ତି । ଏ ଦଳ ପାଠ ନ ପଢ଼ି ପାସ୍‍ କରନ୍ତି । କଲେଜ ନଆସି ପରସେଣ୍ଟେଜ ପାଆନ୍ତି । ଏମାନଙ୍କ ନାଁ ପଛରେ ହଳନ୍ତ ଯୋଗକରି ନ ଡାକିଲେ ଭୟଙ୍କର ରାଗନ୍ତି । ଯଥା ରାକେଶ୍‌–ସୁରେଶ୍‌–ଅମର୍‌–ପ୍ରବୀର୍‌ ଇତ୍ୟାଦି । ଭାଙ୍ଗ ଖାଇ ହଷ୍ଟେଲରେ ଗଡ଼ନ୍ତି କିମ୍ବା ବିଅର ପିଇ ଲେଡ଼ିଜ୍‌ହଷ୍ଟେଲ ଆଗରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି । ତଥାପି ସେମାନେ ସାରମାନଙ୍କର ‘‘ମାଇଁ ଡିୟର ବୟ’’ । ଆଉ ଲେଡିଜ୍‌ ହଷ୍ଟେଲର ଅଧିକାଂଶ ଝିଅଙ୍କର ‘‘ବୟ ଫ୍ରେଣ୍ଡ’’ । ସେମାନେ କଟକରୁ ବାଣୀବିହାର ଆସନ୍ତି, ଯାଆନ୍ତି ବସରେ । କିନ୍ତୁ ଟିକେଟ କରନ୍ତିନି କି ଅନ୍ୟ ପିଲାଙ୍କ ପରି ଓହ୍ଲାଇ ଗଲାବେଳେ କଣ୍ଡକ୍ଟର ହାତକୁ ଟଙ୍କିକିଆ ନୋଟଟିଏ ବଢ଼ାଇ ଦିଅନ୍ତିନି । ସେମାନେ ବସରେ ଚଢ଼ିଲାବେଳେ ଓହ୍ଲାଇଲାବେଳେ କଣ୍ଡକ୍ଟର ସେମାନଙ୍କୁ ନମସ୍କାର କରେ । (ଭକ୍ତିରେ ନାଁ ଭୟରେ) ?? ହସି ହସି କଥା କହି ନିଜକୁ କୃତ୍ୟ କୃତ୍ୟ ମନେକରେ । ଏମାନଙ୍କ ଫେଟ ଲାଇନ ବଡ଼ ଦୃଢ଼ । ଖାସ୍‍ ସେମାନଙ୍କ ଭାଗ୍ୟବାନ ହାତର ଲିପିଗୁଡ଼ିକୁ ଅର୍ଥାତ୍‌ ଲେଖାଗୁଡ଼ିକୁ ଚିହ୍ନିବ ବୋଲି ଶୋଭନ ଭଲ୍ୟୁମ ଭଲ୍ୟୁମ ପାମିଷ୍ଟ ବହି ଶେଷ କରିଚି । ସେମାନଙ୍କ ସଙ୍ଗେ ମିଶିଚି ଗପିଚି । ଦିନ ବାରଟାରୁ ରାତି ସାତଟାଯାଏ ପାଣିଟାଙ୍କି ପାଖରେ ଅବା ରମାଦେବୀ ମହିଳା କଲେଜ ଆଗେ ଠିଆହୋଇଚି ଅବା ଟାଉନ ବସରେ ଝିଅମାନଙ୍କ ସଙ୍ଗେ ଭିଡ଼ ଭିତରେ ଠିଆହୋଇ ଅତି ଜରୋରୀ କାମ ଥିବାଭଳି କ୍ୟାପିଟାଲ ବସଷ୍ଟାଣ୍ଡକୁ ଯାଇଚି ଓ ଫେରିଚି । ପୁଣି ରାତି ବାରଟାରେ ରସୁଲଗଡ଼ ଯାଇଛି । ମଦଖାଇପାରିନି ବୋଲି ‘‘ନାଲି ଚୁଡ଼ା’’ ‘‘ହଳୁ ଇତ୍ୟାଦି ପଦବୀ ନେଇ ସେମାନଙ୍କ ଦଳ ତ୍ୟାଗ କରିଚି ଓ ଉକ୍ତ ଭାଗ୍ୟବାନ ଯୁବକମାନଙ୍କୁ ମନେ ମନେ ଈର୍ଷା କରିଚି ।

 

ଶୋଭନ ମନେ ମନେ ଅନ୍ୟ ଏକ ଗ୍ରୁପ ବା ଦଳ (ଏମାନଙ୍କୁ ଗ୍ୟାଙ୍ଗ କୁହାଯିବନି) ଙ୍କୁ ମଧ୍ୟ ବିଶ୍ଳେଷଣ କରେ । ସୁବିଧା ପାଇଲେ ମିଶେ ମଧ୍ୟ । ଏମାନେ ପ୍ରଥମ ଦଳ ପରି ଏତେ ଦୁର୍ଦ୍ଦଷ ନୁହଁନ୍ତି । ଏମାନେ ହେଲେ ଶାନ୍ତିପ୍ରିୟ ପ୍ରେମମୟ ଦେବତା । ଏମାନଙ୍କ ଆଖିରେ ସ୍ୱପ୍ନ–ନାକରେ ଦୀର୍ଘଶ୍ୱାସ ଓ ମୁହଁରେ ବ୍ରଣ । ଏମାନେ ଝିଅମାନଙ୍କୁ ନେଇ କବିତା ଲେଖନ୍ତି । ଲେଡ଼ିଜ ହଷ୍ଟେଲ କମ୍ପାଉଣ୍ଡ ଭିତରେ ଟଗର ଗଛ ମୂଳେ ଅବା ଡିସପେନସରୀ ପାଖେ ଘଣ୍ଟା ଘଣ୍ଟା ଗପନ୍ତି । ହଷ୍ଟେଲ ଫେରିଲେ ଲେଡ଼ିଜ ହଷ୍ଟେଲକୁ ଫୋନ କରୁ କରୁ ସେଇଠି ଢୁଳାଇ ପଡ଼ନ୍ତି । ପୁଣି ଉଠନ୍ତି, ଫୋନ କରନ୍ତି । କ୍ଳାନ୍ତ ନାହିଁ । ଶୋଭନ ଶୁଣିବାକୁ ଚେଷ୍ଟା କରେ । ତାକୁ ଖୁବ୍‌ କୌତୂହଳ ଲାଗେ । କ’ଣ ବା ଏମିତି ଗଢ଼ାଯାଇପାରେ । କାନ ଡେରେ, କିଛିବି ଶୁଣି ପାରେନି । ଗୁଡ଼ାଏ ଶବ୍ଦ–ଫିସ୍‌ଫିସ୍‌–ଚାପାହସ । ବାସ୍‍ ଏତିକି । କାଲ ଠାର ସିନା କା’ଲ ମା’ ବୁଝେ କିନ୍ତୁ ବାଣୀବିହାରର ପୁଅଙ୍କ ଫୋନ ସେଇ ବାଣୀବିହାରର କେବଳ ଝିଅଙ୍କ ବ୍ୟତୀତ ଅନ୍ୟ କେହିବି ବୁଝିବା ଦୂରେ ଥାଉ ଶୁଣିବି ପାରିବେନି ।

 

ଏ ଦୁଇଦଳଙ୍କୁ ବାଦ୍‍ ଦେଲେ ଆଉ ଯେଉଁ ଯେଉଁ ତ୍ରିଶଙ୍କୁ ପୁରୁଷମାନେ ରହିଗଲେ ଶୋଭନ ସେଇମାନଙ୍କ ଦଳର ।

 

ଶୋଭନ ମନେପକାଇଲା ଗତ ଅଗଷ୍ଟ ସାତରେ ତା’ର ଜନ୍ମଦିନ ଗଲା । ଏଇ ଏକୋଇଶ ବର୍ଷର ଜୀବନ ଭିତରେ ସେ ପାଇଛି କ’ଣ ? କିଛି ନାହିଁ । ଯେଉଁ ପ୍ରେମ ନାରୀକୁ ପୁରୁଷ ଓ ପୁରୁଷର ରୁକ୍ଷ ମନକୁ ନାରୀର ମନ ପରି କୋମଳ କରିଦିଏ ଗତ ଏକୋଇଶ ବର୍ଷ ଭିତରେ ଶୋଭନ ତା’ର ସୀମା ଛୁଇଁ ପାରିଲାନି । କିନ୍ତୁ ପ୍ରେମ କଲେ କ’ଣ କ’ଣ କରାଯାଏ ସେ ଜାଣିଚି । ଖୁବ୍‌ ଭଲଭାବେ ଜାଣିଚି । ଯଥା–ଘଣ୍ଟା ଘଣ୍ଟା ଧରି ପ୍ରେମିକା ସଙ୍ଗେ ଗପାଯାଇପାରେ, ଅବା ଫୋନ ପାଖେ ଫିସ୍‌ଫିସ୍‌ କଥା କୁହାଯାଇପାରେ, କବିତା ଲେଖାଯାଇପାରେ ବିଛଣାରେ ଶୋଇ ଶୋଇ ଭକୁଆ ପରି ଛାତ ଉପରକୁ ନଚେତ୍‌ ଝର୍କା ଦେଇ ବାହାରକୁ ଚାହିଁ ଦୀର୍ଘଶ୍ୱାସ ଛଡ଼ାଯାଇପାରେ ।

 

ହଠାତ୍‌ ଶୋଭନକୁ ଭାରି ଏକା ଏକା–ଫାଙ୍କା ଓ ଅସହାୟ ମନେହେଲା । ମନେହେଲା ଯେ ତା’ର ଜୀବନ ବ୍ୟର୍ଥ ହୋଇଯାଇଚି । ତାକୁ କେହି ଭଲ ପାଆନ୍ତିନି । ବାପା, ବୋଉଙ୍କର ଆଠଟି ସନ୍ତାନ ଭିତରୁ ସେ ବି ଜଣେ । ପିଲା ଦିନଟି ବିତିଗଲା ଭାଇ ଭଉଣୀଙ୍କ ସଙ୍ଗେ କଜିଆ କରି–ସେ ଭଲ ପିନ୍ଧିଲା ଭଲ ଖାଇଲା ଇତ୍ୟାଦିର ଦାହତୋଃସ୍ମି ଭିତରେ । କୈଶୋର ଯୌବନ ବିତିଲା ଖାଲି ବାପାଙ୍କର ମାର୍ଶାଲ ଅର୍ଡ଼ର ଭିତରେ–‘‘ଶୋଭନ ! ଏମିତି କରିବା ଖରାପ–ସେମିତି କରିବା ଭଲ–ଅମୁକ ପରି ଭଲ ହୁଅ ସମୁକ ପରି ଲୋଫର ହୋଇଯାଉଛୁ–ଇତ୍ୟାଦି ଇତ୍ୟାଦିରେ ଓ ସାର୍‌ମାନଙ୍କ ଫାର୍ମାସୀରେ–ଏତିକି ଆରିଥମେଟିକ ସେତିକି ପ୍ରବନ୍ଧ–ଲେଖ–ପଢ଼–ନିୟମିତ ହୁଅ, ପୋଏଟ୍ରି ମୁଖସ୍ତ କର ସଂଜମ ଶିକ୍ଷା କର–ବ୍ୟାୟାମ କର–ଇତ୍ୟାଦି । ଛେନା ଗୁଡ଼ !! ଶୋଭନ ଏପର୍ଯ୍ୟନ୍ତ କେବଳ ଅନ୍ୟମାନଙ୍କ ଇଚ୍ଛାରେ ଚଳିବି–ଅନ୍ୟମାନଙ୍କ ନୀତି ନିୟମର ଚାବିଦିଆ ଏକ ଯନ୍ତ୍ରଭଳି ସେ ଚାଲିଚି, ନିଜେ କାହାକୁ ସେ ଭଲ ପାଇନି ନିଜର ଇଚ୍ଛା–ଦୁଃଖ–ବେଦନା ଓ ହାହାକାରରେ ଅଂଶୀବାଦର କାହାକୁ କରିପାରିନି । ଘରେ ବାହାରେ ସମସ୍ତେ ତାକୁ ଅଣ୍ଡରଏଷ୍ଟିମେଟ କରିଛନ୍ତି । ଘରେ ‘‘ତୁ ପିଲାଲୋକ କ’ଣ ଜାଣିଛୁ’’ କହି ତା’ ବୟସକୁ ଓ ବାହାରେ ଓ ‘ତୁଟା କ’ଣ ଜାଣିଛୁ କହି ତା’ ଅଭିଜ୍ଞତାକୁ’ । ଶୋଭନ ଦୀର୍ଘଶ୍ୱାସ ଛାଡ଼ି ଖଟରୁ ଉଠି ଝରକାର ରେଲିଂ ଧରି ଠିଆ ହେଲା । ତା’ର ମନେହେଲା ତା’ର ଜୀବନ ଏକ ଅର୍ଥହୀନ ଜଡ଼ପିଣ୍ଡ । ନିହାତି ମନକୁ ଭୁଲାଇବା ପାଇଁ କାହାର ସାନ୍ନିଧ୍ୟ ତା’ର ଦରକାର । ଏଇ ମମତା ଓ ଆନ୍ତରିକ ଶୂନ୍ୟ ଜୀବନ ସେ ଚାହେଁନା–ଏ ଜୀବନ ତା’ର କେବେ ବି କାମ୍ୟ ନ ଥିଲା ଏବେବି ନାହିଁ ।

 

ସେ ଚାହିଁଥିଲା ଏକ ସ୍ନେହ–ସହାନୁଭୂତି ଓ ମମତା ଭରା ଜୀବନ । କିଏ ତାକୁ ନେଇଯିବ ସେଇ କଳ୍ପନାର ରାଜ୍ୟକୁ ?? ବୋଉ ? ବାପା ?? ପ୍ରଫେସର ??? ବନ୍ଧୁମାନେ-??? କେହି ରିଲେଟିଭ ??

 

ନାଁ !! କେହିବି ପାରିବେ ନାହିଁ । ସମସ୍ତେ ଏକ ଅନିଶ୍ଚିତ ଭବିଷ୍ୟତ ଏବଂ ଅହେତୁକୀ ଅଶାନ୍ତିର ଦଉଡ଼ିରେ ଝୁଲୁଛନ୍ତି । ମନେପଡ଼ୁଥିଲା–ବୌଦ୍ଧ ଯୁଗର କେଉଁ ପୁତ୍ରହୀନ ଜନନୀ ମୃତ୍ୟୁହୀନ ଗୃହରୁ ସୋରିଷ ମୁଠାଏ ଆଣି ମୃତ ସନ୍ତାନକୁ ବଞ୍ଚାଇବାର ଅଭିପ୍‌ସା !! ଏ ସଭ୍ୟତାର ଅସ୍ଥି–ମଜ୍ଜା ଓ ରକ୍ତରେ ଅସନ୍ତୋଷ, ଅଶାନ୍ତି ଓ ଛଳନା ଜଡ଼ିରହିଚି । ସମସ୍ତେ ଜଳୁଛନ୍ତି–କୁହୁଳୁଛନ୍ତି । ସେଇ ଅସୁଖୀ ପୃଥିବୀର ବାସିନ୍ଧା ଶୋଭନ–କିଏ ତାକୁ ନେଇପାରିବ ସୁଖର ସ୍ୱର୍ଗକୁ ?? ସାନ୍ତ୍ୱନାର ବୈକୁଣ୍ଠକୁ ??

 

ଶୋଭନର ମନେପଡ଼ିଲା ରୀତାଅପା ?? ରୀତାଅପା ମନେପଡ଼ିଲା ତା’ର କୈଶୋର-!! ସେଇ ସର୍ବତୋଭାବେ ସୁଖୀ ରୀତାଅପା ତାକୁ ଭଲ ପାଇଥିଲେ । ପଡ଼ୋଶୀ ଝିଅ ରୀତା-। ବୟସରେ ତା’ଠାରୁ ପାଞ୍ଚ ବର୍ଷ ବଡ଼ । କିନ୍ତୁ ଛୋଟ ଝିଅଟିଏ ପରି ସରଳ, ପ୍ରଫୁଲ ଓ ନିଷ୍କପଟ ।

 

ଶାନ୍ତ କଣ୍ଠରେ ଡାକନ୍ତି ‘ସୋନା, ତମ ଉପରେ ମୋର ଅଗାଧ ବିଶ୍ୱାସ ତୁମେ ବଡ଼ ହେବ–ବହୁତ ବଡ଼ଲୋକ ହେବ ।

 

ସୋନା ଓରଫ ଶୋଭନ ବଡ଼ ହେବା ପାଇଁ ବାପାଙ୍କର ଆଶା, ବୋଉର ପୂଜା ଓ ରୀତାଅପାଙ୍କର ବିଶ୍ୱାସ କିଛି ବି କାମ ଦେଲାନାହିଁ ।

 

କିନ୍ତୁ ରୀତାଅପା କେବେବି ଚାହିଁ ନ ଥିଲେ ବଡ଼ ହେବାକୁ ଅତଚ ସେ ବାହାହୋଇ ବଡ଼ଲୋକ ହୋଇଗଲେ । ଝିଅମାନେ ବଡ଼ଲୋକ ହେବା ସହଜ–କିନ୍ତୁ ପୁରୁଷ ପାଇଁ ତାହା ଯେ କେତେ ଶ୍ରମସାଧ୍ୟ–ଡାକ୍ତରପତ୍ନୀ ରୀତାଅପା ବୁଝିବେ କି ??

 

ଶୋଭନର ଇଚ୍ଛାହେଲା ସେ ଦେଖି ଆସିବ ସୁଖୀ ରୀତାଅପାଙ୍କୁ ଯିଏ ସର୍ବୋତଭାବେ ସୁଖୀ ବୋଲି ସମସ୍ତେ କହୁଥିଲେ । ଏବେବି କହୁଛନ୍ତି । ଶୋଭନ ଊର୍ଦ୍ଧ୍ୱଶ୍ୱାସରେ ଦୌଡ଼ିଲା ।

 

ଶୋଭନକୁ ଦେଖି ରୀତାଅପା ଠିକ୍‌ ଆଗପରି ସରଳଭାବେ ହସିଲେ ଓ ଶାନ୍ତ କଣ୍ଠରେ ଡାକିଲେ ‘ସୋନା; ତମେତ ଏ ସାତବର୍ଷ ଭିତରେ ବହୁତ ବଡ଼ ହୋଇଯାଇଛ ।’ ଆସ–ଠିଆହେଲ କାହିଁକି ଘରକୁ ଆସ, ତମ ଭାଣିଜୀ ଦୁହେଁ ତମକୁ ଦେଖିଲେ ବହୁତ ଖୁସି ହେବେ ।

 

ଶୋଭନ ଏ ସର୍ବୋତଭାବେ ସୁଖୀ ନାରୀଟିକୁ କ’ଣ ବା ପ୍ରଶ୍ନ କରିବ ଠିକ୍‌ କରିପାରିଲାନି । ରୂପ, ରଙ୍ଗ, କଥା, ହସ ସବୁ ଅବିକଳ ସାତବର୍ଷ ତଳର ।

 

ଅନେକ କଷ୍ଟରେ ପ୍ରଶ୍ନକଲା ରୀତାଅପା, ତମେ କହିପାରିବ ସୁଖର ସଂଜ୍ଞା କ’ଣ ? ତମକୁ, ପ୍ରଶ୍ନ କଲି କାରଣ ମୁଁ ଜାଣେ ତମେ ଦୁଃଖର ଛାଇ ବି ସ୍ପର୍ଶ କରିନ । ସତ କୁହ ! ରୀତାଅପା ସୁଖୀହେବା ପାଇଁ, ଶାନ୍ତି ପାଇବା ପାଇଁ କିଛି ଯଦି ଫର୍ମୁଲା ଥାଏ ମତେ କୁହ ମୁଁ ତାକୁ ମୁଖସ୍ତ କରିଦେବି ।

 

ରୀତାଅପା ସେଇ ନିର୍ମଳ ଅନାବିଳ ହସ ହସିଲେ ।

 

ଶୋଭନର ମନେହେଲା ସେ ଯେମିତି ତାକୁ ବିଦ୍ରୂପ କରୁଛନ୍ତି ।

 

ଆହତ ମନ ନେଇ ଶୋଭନ ଅନ୍ୟଦିଗରେ ମୁହଁ ଫେରାଇଲା ।

 

କାହାର ଲୁହ ଟୋପାଏ ପିଠି ପାଖ ସାର୍ଟ ଭିଜି ପିଠିକୁ ଓଦାକଲା । ଶୋଭନ ଚମକି ଚାହିଁଲା । ତା’ ଚେୟାର ବାଡ଼କୁ ଧରି ରୀତାଅପା ଠିଆ ହୋଇଛନ୍ତି । ଆଖିରୁ ଧାର ଧାର ଲୁହ ଝରିଯାଉଚି । ଓଠରେ କିନ୍ତୁ ରୀତାଅପା ହସୁଅଛି ସେଇ ସରଳ ନିଷ୍କପଟ ହସ ।

 

ଚାବୁକ ଖାଇଲା ପରି ଶୋଭନ ରୀତାଅପାଙ୍କ ଘରୁ ଦୌଡ଼ିଲା । କେତେବେଳେ ସେ ଆସି ମାଷ୍ଟରକ୍ୟାଣ୍ଟିନ ପାଖ ଚୋରା ଗଞ୍ଜେଇ ଦୋକାନରେ ପହଞ୍ଚିଛି ତା’ର ଖିଆଲ ନାହିଁ । ବ୍ରାଣ୍ଡି, ହୁଷ୍କି ପିଇ ବେହୋସ ହୋଇପଡ଼ିବାକୁ ତା’ର ପଇସା ନାହିଁ । ଶୋଭନ ପକେଟରୁ ଆଠଣିଟିଏ ବାହାର କଲା । ଦୋକାନୀକୁ କହିଲା ଦେଖ ଭଲ ‘ପତି’ ଦେବ, ଠକିବନି । ଦୋକାନୀ ମୁଚୁକି ମୁଚୁକି ହସି ତା’ ହାତରୁ ଆଠଣିଟିଏ ନେଇ ପରଖିଲା ଓ ଗଞ୍ଜେଇ ପୁଡ଼ାଟିଏ ବଢ଼ାଇ ଦେଲା ।

 

ଶୋଭନ ଦୁଃଖ ବେଦନା ଓ ତା’ ଜୀବନର ଅଶାନ୍ତି ଅସନ୍ତୋଷକୁ ଭୁଲିବାକୁ ଆଜି ନିଜ ପଇସାରେ ପୁଣି ଆଠଣା ଖର୍ଚ୍ଚ କରି ଗଞ୍ଜେଇ କିଣି ଖାଇଚି । ବେଶୀ ନିଶା ଧରିଯିବ ଭାବି ପ୍ରଥମେ ଅଧା ଓ କ’ଣ ଭାବି ପୁଣି ଅଧାକ ବାଟି ଖାଇ ସେ ଖଟ ଉପର ଗଡ଼ିପଡ଼ିଲା । ଏଥର ଦୁଃଖ ମାନେ ଅଶାନ୍ତି ମାନେ ତମେ ଜଳିପୋଡ଼ି ମର–ଶୋଭନ ରାୟର କିଛି କରିପାରିବନି । ବଂ–ବଂ–ଭୋଳା ଡାକି ଶୋଭନ ଆଖି ବୁଜିଲା ।

 

ଢଂ–ଢଂ–ଟ୍ରେଜେରୀ ଘଣ୍ଟା ବାଜିଲା, ରାତି ଦୁଇଟା, କାଇଁ–ନିଶା କାଇଁ–ନିଦ କାଇଁ ! ଶୋଭନ ବୁଝିପାରିଲା ନୂଆଲୋକ ଦେଖି ସେ ଦୋକାନୀ ମଧ୍ୟ ଠକି ଦେଇଚି । ନ ହେଲେ ସେ ଏମିତି ହସୁଥିଲା କାହିଁକି ??

 

ରାଗ ଅପମାନ ଓ ଅସହାୟଭାବେ ଶୋଭନ ମୁଣ୍ଡର ବାଳକୁ ମୁଠା ମୁଠା କରି ଟାଣିବାରେ ଲାଗିଲା ।

Image

 

ଶରାହତ

 

ପୃଥିବୀରେ ଏମିତି ପାପିଷ୍ଠ ପୁଣି ଥା’ନ୍ତି । କିଛି ମହତ୍‌ କର୍ମକରି ପୁଣ୍ୟ ଅର୍ଜନ ନ କରିପାରିଲା ନାହିଁ; କିନ୍ତୁ ଅନ୍ୟ ପୁଣ୍ୟାତ୍ମାର ମହତ୍‌ କର୍ମକୁ ଅସ୍ୱୀକାର କରିବା, ତା’ର ସତ୍ତା ଲୋପ କରିଦେବା, କେଉଁ ମାନବିକ ଧର୍ମରେ ଲେଖା ଥାଉ ବା ନଥାଉ, ଆଧୁନିକ ଇତିହାସରେ ତା’ର ଦୃଷ୍ଟାନ୍ତ ବିରଳ ନୁହେଁ ।

 

ଏଇ ଧାରଣା ସେଦିନ ସହରରେ ଅଧିକାଂଶ ବ୍ୟକ୍ତିଙ୍କ ମନରେ ଦୃଢ଼ୀଭୂତ ହୋଇଥିଲା । ଅନେକ ଲୋକଙ୍କର ସକାଳର ଚା’କପ୍‌ ହାତରେ ଥଣ୍ଡା ହୋଇଯାଇଥିଲା ସେମିତି ଅବ୍ୟବହୃତ ଭାବେ । ଏ କାନରୁ ସେ କାନ ହୋଇ ସାରା ସହରରେ ଏଇ ସମ୍ବାଦ ବ୍ୟାପି ଯିବାକୁ ମାତ୍ର ପଞ୍ଚାବନ ମିନିଟ୍‌ ଲାଗିଥିଲା । ‘‘ଗତ ରାତିରେ କୌଣସି ଦୁବୃତ୍ତ ବିଶିଷ୍ଟ ଜନନାୟକଙ୍କର ନବନିର୍ମିତ ମାର୍ବଲ ପ୍ରତିମୂର୍ତ୍ତିଟିକୁ ଭାଙ୍ଗି ନଷ୍ଟ କରିଦେଇଛି ।’’ ଅନେକ ବି ସମ୍ବାଦର ସତ୍ୟାସତ୍ୟ ପରୀକ୍ଷା ପାଇଁ ଘଟଣା ସ୍ଥଳକୁ ଯାଇ ପହଞ୍ଚି ଯାଇଥିଲେ ।

 

ଜନନାୟକଙ୍କର ପ୍ରତିମୂର୍ତ୍ତିଟି ଖଣ୍ଡବିଖଣ୍ଡିତ ହୋଇ ପଡ଼ିରହିଛି । ମୂର୍ତ୍ତିଟିର ପରମ ସୁନ୍ଦର ମୁଖମଣ୍ଡଳ ଚୂନକାଳି ବୋଳା ହେଇ ବିଭତ୍ସ ଦିଶୁଛି । ପୋଲିସ ପକ୍ଷରୁ ବ୍ୟାପକ ତନାଘନା, ଫିଙ୍ଗର ପ୍ରିଣ୍ଟର ଫଟୋ ଉତ୍ତୋଳନ ଚାଲିଛି । କିଏ.... କିଏ ଏମିତି ଅଭାବିତ କାଣ୍ଡ କରିପାରେ ? ନକ୍‌ସାଲ୍‌-? କନ୍‌ସାଲ ? ଅସନ୍ତୁଷ୍ଟ ଗୋଷ୍ଠୀ ନା କୌଣସି ବ୍ୟକ୍ତିଗତ ଶତ୍ରୁ ??

 

ସନ୍ଧ୍ୟାବେଳକୁ ଜନନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ଭିଡ଼ ଦିଗ ପରିବର୍ତ୍ତନ କଲା ପୋଲିସ ହାଜତ ନିକଟକୁ । ସମସ୍ତଙ୍କ ମନରେ ଉତ୍କଣ୍ଠା ଆଗ୍ରହ ଓ ଜିଜ୍ଞାସା, କିଏ ଏ ଲୋକ ଯିଏ ଜନନାୟକଙ୍କ ମୂର୍ତ୍ତିକୁ ନିର୍ଭୟରେ ଭାଙ୍ଗିପାରେ, ତା’ର ଦମ୍ଭ ସାହସ ଓ ସର୍ବୋପରି କେମିତି ଚେହେରା କେମିତି ବ୍ୟକ୍ତିତ୍ୱର ମଣିଷ ହୋଇଥିବ ! କହିବା ବାହୁଲ୍ୟ ଯେ ବର୍ତ୍ତମାନ ଜନନାୟକ ନୁହଁନ୍ତି, ତାଙ୍କ ମୂର୍ତ୍ତି ଭାଙ୍ଗିଥିବା ବ୍ୟକ୍ତି ହିଁ ସମସ୍ତଙ୍କ ମନର ଅସଲ ନାୟକ । ମୂର୍ତ୍ତି ଭାଙ୍ଗିଥିବା ଅପରାଧୀ ନିଜେ ଆସି ଥାନାରେ ଧରାଦେଇଚି । ପୋଲିସ ହାଜତ ଆଗରେ ସମବେତ ଦର୍ଶକମଣ୍ଡଳୀର ଆଖି ବିସ୍ମୟରେ ଉପରକୁ ଉଠି ଯାଇଛି..... । ଏତେ ବୋଲି ବକଟେ ଟୋକୀ, ତା’ର ପୁଣି ଏମିତି ସାହାସ । କେତେକ ମତବ୍ୟକ୍ତ କଲେ ନିଶ୍ଚୟ ସେ ପାଗଳୀ ହୋଇଥିବ–କେତେକ କହିଲେ ‘‘ମଫସଲରୁ ଆସିଥିବ–ଏତେବଡ଼ ମୂର୍ତ୍ତି ଆଗରୁ କେବେ ଦେଖି ନ ଥିବତ–ଭୂତ ବୋଲି ଭାବି ପିଟି ହେଇଚି ଭାଙ୍ଗି ଯାଇଚି ।’’ ଜଣେ ଅଭିଜ୍ଞ ବ୍ୟକ୍ତି ବାହାରିପଡ଼ି କହିଲେ– ‘‘ହଇହୋ-! ତମେ ମଫସଲ ଲୋକଙ୍କୁ କ’ଣ କରି ପାଇଲ କି ? ୟାଠୁ ବଡ଼ମୂର୍ତ୍ତି ପରା ମେଲଣରେ ରାଜା-ରାଣୀ, ବୁଢ଼ା-ବୁଢ଼ୀ, ଶିବ ପାର୍ବତୀ ହୋଇ ପଟୁଆରରେ ଯା’ନ୍ତି । ତମେ ସହରରେ ଥାଇ କେବେ ରେଡ଼ିଓରୁ ସମ୍ବାଦ ଶୁଣୁଛ ? ସେମାନେ ‘‘ବନ୍ଦେ ମାତରଂ’’ଠାରୁ ଆରମ୍ଭ କରି ‘‘ଆମର ତୃତୀୟ ଅଧିବେଶନ ଶେଷ କରୁଛୁ–ଜୟହିନ୍ଦ୍‌’’ ପର୍ଯ୍ୟନ୍ତ ସବୁ ଶୁଣନ୍ତି । ଏତେବଡ଼ ନେତାଙ୍କର ମୂର୍ତ୍ତି ସ୍ଥାପନ ହେଲା । ଝିଅଟି ଜାଣି ପାରିବ ନାହିଁ ??

 

ପୋଲିସ ହାଜତ ନିକଟରେ ଆହୁରି ଅନେକ ସମୟ ଏମିତି ବାକ୍‌ବିତଣ୍ଡା ଚାଲିଥା’ନ୍ତା । ଇନ୍‌ଚାର୍ଜ ଅଫିସରଙ୍କ ନିର୍ଦ୍ଦେଷରେ ଚାରିଜଣ କନେଷ୍ଟବଲ୍‌ ସମବେତ ଉତ୍ସୁକ ଜନତାଙ୍କୁ ଘଉଡ଼ାଇ ଦେଲେ । ଜନତା ଛତ୍ରଭଙ୍ଗ ଦେବାବେଳେ ପରସ୍ପର ଭିତରେ କୁହାକୁହି ହେବାର ଶୁଣାଯାଉଥିଲା–ନାଇଁ ହୋ–କେହି ବଦମାସ ଲୋକ ନେତାଙ୍କ ଅପୋଜିସନ୍‌ ପାର୍ଟିର । ମୂର୍ତ୍ତି ଭାଙ୍ଗି ଏଇ ଝିଅଟିର ନାଁ ମିଛରେ କହି ୟାକୁ ଧରାଇ ନିଜେ ଖସି ଯାଇଚି । ପ୍ରମାଣ ଅଭାବରୁ ଝିଅଟି ଖସିଗଲେ କେସ୍ ଡିସ୍‌ମିସ୍‌ ।

 

ତା’ପର ଦିନର ଘଟଣା । ସହର ଲୋକଙ୍କୁ ନିଜ ନିଜର କଳ୍ପନା ଶକ୍ତି ଓ ବାକ୍‍ପଟୁତା ବଢ଼ାଇବାର ବେଶ୍ କିଛି ଖୋରାକ୍‌ ମିଳିଯାଇଛି । ମାସ ମାସ, ବର୍ଷ ବର୍ଷ ଧରି ସେଇ ଅମିତାଭ ବଚନ–ରେଖା, ହେମାମାଳିନୀ–ଧର୍ମେନ୍ଦ୍ର ଟପିକ୍‌ ଚର୍ଚ୍ଚା କରି କରି ପାଟି ପିତା ହୋଇଯାଇଥିଲା । ଏଇ ନୂତନ ରସାଳ ଟପିକ୍‌ ।

 

ସେ ପୁଣି ନାରୀ ଜନିତ, ନିର୍ଜୀବ ସହରଟି ସତେ ଯେମିତି ଆଜି ନବଜୀବନ ଲାଭ କରିଛି । ନାରୀ ଜାତି ସୃଷ୍ଟି କଲାବେଳେ ଈଶ୍ୱର ଯେମିତି ସେଇ ନାଁଟିରେ ସମସ୍ତ କୌତୂହଳ ଭରି ଦେଇଥିଲେ । କୋର୍ଟ ସାମନାରେ ଲୋକଙ୍କ ଭିଡ଼ ବଢ଼ୁଛି । ସହର ଓ ଆଖପାଖ ମଫସଲ ଅଞ୍ଚଳର ବହୁ ଦର୍ଶକ..... ।

 

କାଠଗଡ଼ା ଉପରେ ଠିଆ ହୋଇ ଝିଅଟି ପ୍ରତିକୃତି ନଷ୍ଟ କରି ଦେବା ମୂଳରେ ଯେଉଁ ଲୋମହର୍ଷଣକାରୀ କାରଣଟି ଘୋଷଣା କଲା, ପବନ ମୁହୂର୍ତ୍ତକ ପାଇଁ ସ୍ତବଧ୍‌ ହୋଇଗଲା ବୋଧହୁଏ ।

 

ଝିଅଟି କହିଲା–ଦେବୀ ମେଢ଼ ଦେଖିବାକୁ ସେ ଗାଁରୁ ଆସିଥିଲା । ହଠାତ୍‌ ଏ ପାପୀ ରାକ୍ଷସର ମେଢ଼ ଦେଖି ତା’ ମୁଣ୍ଡ ଉପରକୁ ରକ୍ତ ଚଢ଼ିଗଲା–ସେ କ’ଣ କଲା ତା’ର ହୋସ ନ ଥିଲା-

 

ଶ୍ରୋତା ମହଲର ଗୁଞ୍ଜନ । ଦେବତା ଭଳି ନେତାଙ୍କୁ ଆମର ମେଞ୍ଚଡ଼ ଟୋକୀ ଖଣ୍ଡକ କହୁଚି କ’ଣ ନାଁ ପାପୀ ରାକ୍ଷସ ! ନିଶ୍ଚୟ ତା’ ମୁଣ୍ଡ ଖରାପ–ନ ହେଲେ କିଛି ରୋଗ ହେଇଚି–ହିଷ୍ଟ୍ରିଆ ରୋଗିଣୀ !

 

ସରକାରୀ ଓକିଲ ପ୍ରଶ୍ନକଲେ–ସତ ସତ କୁହ–ତମେ ଭାଙ୍ଗିଛ କି ନା !

 

ଦୃଢ଼ କଣ୍ଠରେ ଝିଅଟି ଉତ୍ତର ଦେଲା–ହଁ !

 

କାହିଁକି ??

 

ସେ ଲୋକଟା ବଦମାସ । ପ୍ରତିଶୋଧ ନେବାକୁ ମୁଁ ଖୋଜୁଥିଲି । ଗାଡ଼ି ଓଲଟି ପଡ଼ି ସେ ମରିଗଲା ବୋଲି ଛ’ମାସ ତଳେ ଶୁଣିଲି ହଜୁର । କାଲି କିନ୍ତୁ ବେକରେ ଫୁଲମାଳ ପକାଇ ତା’ ମୂର୍ତ୍ତି ଠିଆ ହେଇଥିବା ଦେଖି ମୋ ମନର ରାଗ ଶୁଝେଇ ଦେଲି–ତାକୁ ଭାଙ୍ଗିଦେଇ ।

 

ତମେ ଜାଣ ଲୋକ ଯାହାକୁ ପୂଜା କରନ୍ତି ତା’ ମୂର୍ତ୍ତି ନଷ୍ଟକରି ତମେ ଯେଉଁ ଅପରାଧ କରିଛ କି ଶାସ୍ତି ପାଇବ ?

ଝିଅଟି ଏଥର କଇଁ କଇଁ ହୋଇ କାନ୍ଦି ପକାଇଲା । ଲୁହ ପୋଛି ଦେଇ–ସିଧା ଓକିଲଙ୍କ ମୁହଁକୁ ଚାହିଁ କ୍ରନ୍ଦିତ କଣ୍ଠରେ ଜବାବ ଦେଲା–‘‘ମୁଁ କିମିତି ଜାଣିବି ହଜୁର । ମୋ ଇଜ୍ଜତ ଯିଏ ନଷ୍ଟକଲା, ଆପଣମାନେ ତାକୁ ପୂଜା କରନ୍ତି–ଆଉ ସେଇ ପାପୀର ମୂର୍ତ୍ତି ନଷ୍ଟ କରିଦେଲେ ତା’ ବିଚାରରେ କି ଶାସ୍ତି ଅଛି ମୁଁ କିମିତି ଜାଣିବି ??

 

କିଛି ସମୟପାଇଁ କୋର୍ଟରେ ନିରବତାର ରାଜୁତି । ଶ୍ରୋତା ତଥା ଦର୍ଶକ ମହଲରେ ନିମ୍ନ କଣ୍ଠରେ ଆଲୋଚନା ତେଜି ଉଠୁଚି । ହଃ ଭାରି ଗୋଟେ ଇଜ୍ଜତ ଦେଖାଉଚି । ମୂଲିଆ ଘର ଝିଅ । ୟାରି ପୁଣି ଇଜ୍ଜତ !! ଯଦି ଆମର ଜନନାୟକ ସତରେ ଜୀବଦ୍ଦଶାରେ ତାକୁ ଘଣ୍ଟାକ ପାଇଁ ନିଜର କରିଥାନ୍ତି, ତା’ ନାରୀ ଜନ୍ମ ସାର୍ଥକ ହୋଇଗଲା ଜାଣ ।

 

ଦ୍ୱିତୀୟ ଜଣକ କହିଲା–ଆରେ ମଫସଲକୁ ନଳକୂଅତ ସେଇ ନେଇଛନ୍ତି । ରାସ୍ତାକଡ଼ରେ ଗଛ ତ ସେଇ ଲଗାଇଛନ୍ତି । ଗରିବଙ୍କ ପାଇଁ ପୋଖରୀ ଖୋଳେଇ ଚାଉଳ ଗହମ ଦେବାର ବ୍ୟବସ୍ଥା ସେଇ କରିଛନ୍ତି । ଆଉ ଏ ଖାନିକୀ ଟୋକୀ କହିଲା–ତା’ ଇଜ୍ଜତ ନଷ୍ଟ କରିଛନ୍ତି । ଗରିବଲୋକଙ୍କର ଇଜ୍ଜତ ଗୋଟେ କ’ଣ ?? ବଡ଼ ବଡ଼ ବାବୁମାନେ ନିଜ ସ୍ତ୍ରୀକୁ, ଭଉଣୀକୁ, ଝିଅକୁ ଫେର ଉପର ଅଫିସରଙ୍କ ସାଙ୍ଗେ ଟୁର ପଠଉଛନ୍ତି–ତାଙ୍କ ଇଜ୍ଜତ ଯାଉନି । ଏଇ ଆସିଲା କୁଆଡ଼ୁ, ଭାରି ଇଜ୍ଜତବାଲି !

 

ଆଉଜଣେ ବଳିପଡ଼ି କହିଲା–ସେମିତି କହନା ଭାଇ–ଆମେତ ଝିଅ ବୋହୂ ନେଇ ସଂସାର କରୁଥାଇଁ ଝିଅ ବୋହୂଙ୍କ ଇଜ୍ଜତ–ଇଜ୍ଜତ ! ସେ ବଡଘର ହେଉ କି ଗରିବ ଘର ହେଉ–ତାକୁ ରକ୍ଷା କରିବା ଆମର କର୍ତ୍ତବ୍ୟ । ଆଉ କିଏ ଯଦି ପାପ କଲା–ପାପୀକୁ ଶାସ୍ତୀ ଦେବାର ଅଧିକାର ଭଗବାନ ଆମକୁ ଦେଇଛନ୍ତି ।

 

ରଖ ହୋ ତମର ଭଗବାନ ! ଶାସ୍ତି ଦେବାକୁ ଆଇନ ଅଛି–ଅଦାଲତ ଅଛି ।

 

କିନ୍ତୁ ଏ ଆଇନତ ବଡ଼ ବଡ଼ ବାବୁମାନେ ଗଢ଼ିଛନ୍ତି ତାଙ୍କର ସୁବିଧା ଦେଖି ।

 

ଆଉ କିଛିସମୟ ଏ ଯୁକ୍ତିତର୍କ ଚାଲିଥା’ନ୍ତା । ପୁଣି ସେଇ ଝିଅଟିର କଣ୍ଠ ସ୍ପଷ୍ଟ ଶୁଭୁଚି–ଆଗର ଜଡ଼ତା ଆଉ ନାହିଁ ।

 

ଆମ ଗାଁରେ ବାବୁ ଭାରି ପାଣି କଷ୍ଟ । ପୋଖରୀ ଖୋଳେଇବାକୁ ଏ ବାବୁ ଟଙ୍କା ଦେଲେ । ଯଦିଓ ତାଙ୍କ ବାପର ଟଙ୍କା ନୁହେଁ । ସରକାରୀ ଟଙ୍କା–କେତେ ଆଣୁଥିଲେ–କେତେ ପହଞ୍ଚୁ ଥିଲା–ଆମେ ଜାଣୁନି ବାବୁ । ମୋ ବାପା ସେଇ ପୋଖରୀ ଖୋଳାକାମ କରୁଥିଲା । ମୁଁ ତା’ପାଇଁ ଖାଇବା ନେଇ ଯାଇଥିଲି । ସେଦିନ କାମ ଦେଖିବାକୁ ଏ ବାବୁ ଯାଇଥିଲେ । ମତେ ଏମିତି ଅନେଇଲେ ଯେ ମୋ ଦେହ ଶିଝିଗଲା ଭଳି ଲାଗିଲା । ମୁଁ ବାପାର ଅଇଁଠା କଂସା ଆଣିବାକୁ ଅପେକ୍ଷା ନକରି ଦୌଡ଼ି ଦୌଡ଼ି ଚାଲି ଆସିଲି ।

 

ସେଦିନ ସଞ୍ଜବେଳେ ମୁଁ ନଈରୁ ପାଣିନେଇ ଫେରୁଥିଲି, ପଛଆଡ଼ୁ ମତେ ଦି’ଜଣ ଧରି ମୁହଁରେ ଲୁଗା ବାନ୍ଧି ଦେଲେ । ଟେକି ଆଣିଲେ । ମୁହଁରୁ ପଟି ଖୋଲିଲା ବେଳକୁ ମୁଁ ଦେଖିଲି ଡାକବଙ୍ଗଳାରେ ମୁଁ ଓ ମୋ ଆଗରେ ମଦ ନିଶାରେ ଟୁଳୁ ଟୁଳୁ ଏଇ ବାବୁ । ସେ ମତେ ଧରିନେଲେ । କେତେ ନେହୁରା ହେଲି..... । ବାପ ବୟସର ଲୋକଟା ଜାନୁଆର ପାଲଟିଗଲା–ଠାକୁରଙ୍କୁ ଡାକିଲି, ଠାକୁର ବି ପଥର ହୋଇଗଲେ ।

 

ସକାଳୁ ଫେରି ବାପା ମା’ଙ୍କୁ ସବୁକଥା କହିଲି–କିନ୍ତୁ ହଜୁର ଲୋକ ନିନ୍ଦା ଡରରେ ବାପା ମୋର ଚୁପ୍‌ ହୋଇଗଲା । ମୋ ସାଙ୍ଗମାନଙ୍କୁ କହିଲି–ସେମାନଙ୍କ ଭିତରୁ ଅନେକଙ୍କର ଇଜ୍ଜତ ଏମିତିକା ବାବୁମାନଙ୍କ ହାତର ଖେଳନା ହେଇଚି । ହଜୁର ମା’ ବାପା... ମୁଁ ଯଦି ସେଇ ପାପୀ ଲୋକଟାର ମୂର୍ତ୍ତି ଭାଙ୍ଗିଦେଇ ଭୁଲ୍‌ କରିଥାଏ, ମତେ ଯେଉଁ ଶାସ୍ତି ଦେବ ସେ ଶାସ୍ତି ନେବାକୁ ରାଜି-

 

ବିଚାରପତି କି ରାୟ ଦେବେ, ଉଦ୍‌ବିଘ୍ନ ଜନତା ଅପେକ୍ଷା କରିଛି । ଝିଅଟି ନତମସ୍ତକରେ ଠିଆ ହୋଇଛି । ପିଲାଦିନ ସ୍କୁଲର ସେଇ ଗୀତ ପଦଟି ମନ ଭିତରେ ହୁଏତ ଅନୁରଣିତ ହେଉଛି–‘‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ।’’ ମୁହଁରେ ତା’ର ମୃତ୍ୟୁ ଭୟହୀନ ଜ୍ୟୋତି ଉଦ୍‌ଭାସିତ ହେଉଛି ।

 

ବିଚାରପତି ରାୟଦେଲେ–ପ୍ରକୃତ ସାକ୍ଷ୍ୟ ଅଭାବରୁ ଏବଂ ମୁଦାଲା ବକ୍ତବ୍ୟରୁ ମସ୍ତିଷ୍କ ବିକୃତିର ଆଭାସ ପାଇ ଦୋଷୀକୁ ଖଲାସ କରାଗଲା ।

Image